Unknown

 

 

 

 

 

 

 

 

 

 

 

ଭୋଳି କକା

ଶ୍ରୀ ବ୍ରହ୍ମାନନ୍ଦ ପଣ୍ଡା

 

 

 

 

 

 

 

 

 

 

ମୋର ଭାଇନା

ଶ୍ରୀ ହୟଗ୍ରୀବ ପଣ୍ଡା ଏମ୍.ଏ; ବି.ଏଲ୍.

ହାତରେ

 

ମୁକ୍ତି

(୧)

 

ନିତାନ୍ତ ଅନିଚ୍ଛା ସତ୍ତ୍ୱେ ଓ ଶୁଷ୍କ ସୌଜନ୍ୟ ଖାତିରିରେ, ପରିଚିତ ଓ ଅପରିଚିତ, ବହୁବିଧ ଲୋକଙ୍କର ପ୍ରାଣହୀନ, ବ୍ୟବସାୟ ସୁଲଭ ନମସ୍କାରର ପ୍ରତି ନମସ୍କାର ଜ୍ଞାପନ କରି ନଗରୀର ରାସ୍ତାକଡ଼ରେ ଚାଲିଚାଲି ଯିବା ମୋର ଗୋଟିଏ ଅପରିବର୍ତ୍ତନୀୟ ଦୈନନ୍ଦିନ କର୍ମର ଧାରା ଓ ଦୈହିକ ତଥା ମାନସିକ ଯନ୍ତ୍ରଣା ।

 

ଦେହ ସଙ୍ଗେ ମନର ସଂପର୍କ ବଡ଼ ଘନିଷ୍ଠ । ମନର ପରିସର ସଙ୍କୁଚିତ ହେଲେ ଦେହ ଅପ୍ରତ୍ୟାସିତ ଭାବେ ସ୍ୱାର୍ଥପର ହେଇପଡ଼େ । ଆତ୍ମସର୍ବସ୍ୱ ମଣିଷ ସୁସ୍ଥ ଓ ସବଳ ସମାଜର କୁଷ୍ଠ ବୀଜାଣୁ । ଏମାନେ ପ୍ରବଳ ହେଲେ ସମାଜର ସୌଷ୍ଠବ ହାନି ହୁଏ । ଗୋଟାଏ ଘୃଣ୍ୟ, ବିକଳାଙ୍ଗ ସମାଜ ସଭ୍ୟତାର ବିକାଶରେ ବାଧା ପହୁଞ୍ଚାଏ । ଫଳରେ ମଣିଷର ସ୍ତରବିଚ୍ୟୁତ ଘଟେ ।

 

ନଗରୀ ଭିତରେ ସ୍ୱାର୍ଥପର ମଣିଷହିଁ ସଂଖ୍ୟା ଗରିଷ୍ଠ । ସୁତରାଂ ନଗରୀର ଜୀବନ ଏତେ ଅସାର, ପ୍ରବଞ୍ଚନାପ୍ରବଣ, ଜଟିଳ ଓ ସଙ୍କର ।

 

‘ଆରେ-ଆରେ, ନମସ୍କାର’–‘ଆଜି କାଲି କୋଉଠି ?’ –‘କଣ ଚାଲିଚି ?’ –‘ବହୁଦିନ ପରେ ଯେ’–ଏଭଳି କେତେକ ଖଣ୍ଡବାକ୍ୟ ଆନ୍ତରିକତାଶୂନ୍ୟ ନଗରୀ ଜୀବନର ନିଷ୍ଠୁର ପ୍ରତୀକ । ସବୁରି ମୁହଁରେ ସ୍ମିତ ହସ; ସାଧୁ, ଅସାଧୁ ବାରିବା ଶକ୍ତ ।

 

(୨)

 

ନଗରୀ ଭିତରେ ଦୁଇଜଣ ସବୁବେଳେ ଅତୃପ୍ତ, ଅସନ୍ତୁଷ୍ଟ-ଲେଖକ ଓ ଧନପତିର ସ୍ତ୍ରୀ । କିଛି ନଥାଇ ଜଣେ ବିଖ୍ୟାତ, ସବୁ ଥାଇ ଅନ୍ୟ ଜଣକ ଅଜ୍ଞାତ । ସୌନ୍ଦର୍ଯ୍ୟ ଓ ସୁଶୃଙ୍ଖଳାହୀନ ପରିବେଶ ଭିତରେ ରହି ଉଚ୍ଚାଭିଳାଷୀ ଲେଖକ ଗୋଟାଏ ସୌଷ୍ଠବଶାଳୀ ସମୃଦ୍ଧ ତଥା ଶ୍ରୀ ସମ୍ପନ୍ନ ଜୀବନର ସ୍ୱପ୍ନ ଦେଖେ । ତା’ର ରଚନା ରସସ୍ନିଗ୍‌ଧ ହେଇଉଠେ । ବାହାର ଦୁନିଆର ଯଶ ଗାନ ତଥାପି ତା’ର ଅଭାବ-ଅନାଟନର ଜୀବନକୁ ସ୍ୱଚ୍ଛଳ କରିପାରେନି । ସେ ଅସ୍ଥିର ହେଇପଡ଼େ । ମନରୁ ତା’ର ସ୍ୱପ୍ନୀଳ ଭାବାନୁଭାବମୟତା ଉଭେଇଯାଏ । ଶ୍ରେଣୀ-ଦୂଷିତ ସମାଜର ସମ୍ପର୍କ-କାତରତା ଭିତରେ ସଢ଼ି ପୁଞ୍ଜି ପ୍ରଭୁତ୍ୱ ବିରୁଦ୍ଧରେ ସେ ବଦ୍ଧମୁଷ୍ଟି ହେଇଉଠେ । ଅସନ୍ତୋଷ ପ୍ରକାଶ କରେ; ବିଦ୍ରୋହୀ ହୁଏ, ବିପ୍ଳବର ସୂଚନା ଦିଏ ।

 

ମୂଲ୍ୟବାନ ମହାଗନି କାଠର କାରୁକଳା ଖୋଦିତ ବିସ୍ତୃତ ପଲଙ୍କ, ଦୁଧ ଫେଣ ଭଳି ଶୁଭ୍ର ଓ ଫୁଲ ପାଖୁଡ଼ା ଭଳି କୋମଳ ଶଯ୍ୟା, ଉପରେ ସୁରମ୍ୟ ଗାଲିଚା । ସେଥି ଉପରେ ଶାୟିତା ଧନପତିର ଅପ୍ରସନ୍ନ, ଅସନ୍ତୁଷ୍ଟ ସ୍ତ୍ରୀ । ଚଉକତିର ସୁଗନ୍ଧ ଓ ସୁରଭିରେ ସେ ଶ୍ୱାସରୁଦ୍ଧ ହେଇଯାଇଚି-। ତା’ର ଅଟ୍ଟାଳିକା ଅଛି କିନ୍ତୁ ସେଥିରେ ଘରୁଆଳି ବାତାବରଣ ନାଇଁ । ତା’ର ସମସ୍ତେ ଭୃତ୍ୟ; ମିତ୍ର କେହି ନାଇଁ । ସ୍ୱାମୀଠାରୁ ଆରମ୍ଭ କରି ନିଜର ସନ୍ତାନ ପର୍ଯ୍ୟନ୍ତ ଲୋଭ ସମସ୍ତିଙ୍କର; ମମତା କାହାରି ନାଇଁ । ବହୁ ଚାଟୁବାଦୀ; ସତ୍ୟବାଦୀ କେହି ନାଇଁ । ସମସ୍ତେ ସ୍ୱାର୍ଥ ପ୍ରବଣ; ଉଦାରତା କାହାରି ନାଇଁ । ସ୍ତାବକ ଅସୁମାର; ଆପଣାର କିଏ ନାଇଁ । ସବୁଥିରେ ତୃଷ୍ଣା; ନିବୃତ୍ତ କୋଉଥିରେ ହେଲେ ନାଇଁ ।

 

ତା’ର ଶୈଶବ, କୌମାର୍ଯ୍ୟ ଓ ଯୌବନ ଗୋଟାଏ ଅପ୍ରାକୃତିକ, ପ୍ରୀତିଶୂନ୍ୟ ତଥା ନୀରସ ବେଷ୍ଟନୀ ଭିତରେ ବିତି ଯାଇଚି । ଜୀବନର ଅପରାହ୍ନରେ ତା’ର ଅଶାନ୍ତି ମନ ବିଦ୍ରୋହୀ ହେଇ ଉଠିଚି । ସମ୍ପଦକୁ ସେ ଧିକ୍‌କାର, ଅଭିଶପ୍ତ କରିଚି । ଲୁହଭରା ବିକଳ ଆଖିରେ ଭଗବାନଙ୍କୁ ଜଣାଉଚି, ‘‘ମତେ ଦାରିଦ୍ର୍ୟ ଦିଅ, ପ୍ରେମ ଦିଅ, ପ୍ରାଣ ଦିଅ ।’’

 

(୩)

 

ଏ ଯୁଗରେ ଦୁଇଟି ଅନୁଷ୍ଠାନ ନଗରୀ ପକ୍ଷରେ ଅପରିହାର୍ଯ୍ୟ । ସିଭିଲ ସପ୍ଳାଇ ଅଫିସ–ଜୀବନକୁ ଯାହା ହତାଶ, ଉଦାସ ଓ ରସଶୂନ୍ୟ କରି ରଖେ । ଅନ୍ୟଟି ବାରବଧୂ ମନ୍ଦିର–ଜୀବନରେ ଯାହା ଭରେ ଆଶା, ପ୍ରସନ୍ନତା ଓ କ୍ଷଣ ଉତ୍ତେଜନା । ଗୋଟିକରେ ସବୁବେଳେ କୋଳାହଳ, ସଂଘର୍ଷ ଅନ୍ୟଟିରେ ଅସ୍ପଷ୍ଟ ପ୍ରେମାଳାପ, ପୂର୍ଣ୍ଣ ବିଶ୍ରାନ୍ତି । ଗୋଟିକରେ ସେରେ ଚାଉଳ ଓ ହାତେ କନା ପାଇଁ ସବୁବେଳେ ରଗାରଗି, ଅସ୍ୱସ୍ତି; ଅନ୍ୟଟିରେ ଗାଢ଼ ଚୁମ୍ବନ ଓ ଆଲିଙ୍ଗନ ନିମନ୍ତେ ସପ୍ରେମ ବିନତି ଓ ସ୍ୱସ୍ତି । ଗୋଟାଏ ସଭ୍ୟ ମଣିଷର ବର୍ବରତାକୁ ଉତ୍ୟକ୍ତ କରେ; ଅନ୍ୟଟି ମଣିଷର ଆଦିମ ପ୍ରବୃତ୍ତିକୁ ସନ୍ତୁଷ୍ଟ କରି ସଭ୍ୟତାକୁ ବଞ୍ଚାଏ । ସୁତରାଂ କବି ବାରାଙ୍ଗନା ପ୍ରଶସ୍ତି ମୁଖର:

 

‘‘ଶତ ଶଯ୍ୟାର ନାୟିକା ତୁମେ ଗୋ

ଶତ ଅଙ୍କର ସତୀ

ତୁମରି ବିହୁନେ ଚିତ୍ତେ ବିରାଜେ

ନିବୀଡ଼ କୃଷ୍ଣା ରାତି ।

ରୂପ ନନ୍ଦନେ ଇନ୍ଦ୍ରାଣୀ ତୁମେ

ଗୁପ୍ତ ପ୍ରଣୟ ବଧୂ

ବିଳାସର ତୁମେ ଲୀଳା ସହଚରୀ

ଲିପ୍‌ସା ଅଧର ମଧୁ ।’’

 

ଏହା କେତେଦୂର ଯଥାର୍ଥ ନଗର ସଂସ୍କୃତିର ସ୍ଥପତି ମାନେହିଁ ଜବାବ ଦେଇ ପାରିବେ ।

 

(୪)

 

ମୁଁ ଲେଖକ; ମୁଁ ଜନପ୍ରିୟ; ମୁଁ ବିଖ୍ୟାତ; ସୁତରାଂ ‘ଖଣ୍ଡବାକ୍ୟ’ ଶୀକାରୀର ମୁଁ ଜଣେ ନିଦାନ ଶୀକାର । ରାସ୍ତା କଡ଼ରେ ଚାଲିଚି । ପିଚୁ ରାସ୍ତା ଉପରେ ଧନପତିର ପ୍ରକାଣ୍ଡ ମୋଟର ଗାଡ଼ି ବିଳାସ ବିଭୋର ଗତିରେ ଗଡ଼ି ଯାଉଚି ଆଭିଜାତ୍ୟର ଗର୍ବ କରି । ବ୍ୟବସାୟୀର ମାଲବାହୀ ଦଦରା ଟ୍ରକ୍‌ ପାଦଗାମୀକୁ ତ୍ରସ୍ତ କରି ଅସଭ୍ୟ ଭାବେ ଶବ୍ଦ କରି ଚାଲିଚି । ଉଡ଼ନ୍ତା ଧୂଳି ଝାଳୁଆ ଦେହରେ ଲେସି ହେଇ ଯାଉଚି । ପୋଷାକରେ ମଇଳା ଜମୁଚି ।

 

ସକାଳ ଦଶଟାରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଆଶା ଓ ନିରାଶାର ନିର୍ମମ ଦ୍ୱନ୍ଦ୍ୱ ଭିତରେ ନିଃସହାୟ ଭାବରେ ଅପେକ୍ଷା କରୁ କରୁ ଶେଷରେ ଯାହାହେଉ ତିନିଗଜ କନା ପାଇଁ ଗୋଟାଏ ପେରମିଟ୍‌ ମିଳିଗଲା । ଦୋକାନ ଅଭିମୁଖେ ଚାଲିଲି ଚଞ୍ଚଳ ପାଦ ପକେଇ । ଆଶଂକା, କୌଣସି ପ୍ରଶଂସକ ଯଦି ନମସ୍କାର ଜଣେଇ ତୁଚ୍ଛ କେଉଁ କାରଣ ଲାଗି ବାଟରେ ଅଟକାଇ ରଖେ ସେ ସନ୍ତୁଷ୍ଟ ହେବା ପର୍ଯ୍ୟନ୍ତ, ଦୋକାନ ତେଣେ ବନ୍ଦ ହେଲେ, ପୁଣି ଗୋଟାଏ ଦିନ ବ୍ୟର୍ଥ କରିବାକୁ ପଡ଼ିବ ।

 

ପଶ୍ଚିମ ଦିଗନ୍ତ ତଳକୁ ସୂର୍ଯ୍ୟ ଆହୁରି ସଂପୂର୍ଣ୍ଣ ରୂପେ ଓହ୍ଲେଇ ନାହାନ୍ତି । ରାସ୍ତାକଡ଼ର ଦୀପସ୍ତମ୍ଭ ଗୁଡ଼ିକ କିନ୍ତୁ ଆଲୋକିତ ହେଇ ସାରିଲାଣି । ନିଶି-ପ୍ରାଣ ନଗରୀର କୃତ୍ରିମ ସଭ୍ୟତା ପକ୍ଷରେ ଦିବାଲୋକ ଅସହ୍ୟ । ରାତ୍ରିରେହିଁ ତା’ର କଦାକାର, ମଳିନ, ଅବୈଧ ଆଘାତ-ବିବର୍ଣ୍ଣ ଜୀବନର ବିକାଶ । ତା’ର ନଗ୍ନ ତଥା କୁରୁଚିପୂର୍ଣ୍ଣ ସୌନ୍ଦର୍ଯ୍ୟ ବିପଣୀର କୁତ୍ସିତ କାରବାର । ତା’ର ଲୋଳଜିହ୍ୱ ବିଭତ୍ସତାର ନିଃସଙ୍କୋଚ ଆତ୍ମପ୍ରକାଶ ।

 

ନଗରୀର ଧୈର୍ଯ୍ୟହୀନ, ସନ୍ତପ୍ତ ମଣିଷ କାହାକୁ ସମ୍ମାନ କରି ଶିଖେନି; ମରଣକୁ ସୁଦ୍ଧା । ତା’ର ପୌରୁଷ ନାଇଁ; ଭୀରୁତା ଅସୀମ । ସୁତରାଂ ପଶ୍ଚିମ ଆକାଶର ଶେଷ ରକ୍ତିମା ଲିଭିଯିବା ପୂର୍ବରୁ ଉପହାସ କରି ସେ ତା’ର ନିଶି-ପ୍ରାଣ ଜୀବନର ଶୁଭାରମ୍ଭ ଦେଇଚି ନଗର-ପାଳିକା ଦୀପସ୍ତମ୍ଭ ଗୁଡ଼ିକରେ । ରାଜ କୁଳରେ ଗୋଟାଏ ନିର୍ମମ ପ୍ରଥାର ପ୍ରଚଳନ ଅଛି । ମୃତ ମହାରାଜାର ଶବ ନଗର ତ୍ୟାଗ କରିବା ପୂର୍ବରୁ ଯୁବରାଜ ରାଜମୁକୁଟ ଧାରଣ କରେ; ଅଭିଷିକ୍ତ ହୁଏ । ଏ ଭୀରୁତାର ତୁଳନା ନାଇଁ ।

 

ଦୋକାନୀ ସିନେମା ଦେଖି ଯାଇଚି; ବିକ୍ରୀ ବନ୍ଦ । ମନର ବିରକ୍ତି ମନରେ ମାରି ମୁଣ୍ଡ ପୋତି ଫେରିଲି । ଆଶଙ୍କା, କାଳେ କୌଣସି ନମସ୍କାରର ସମ୍ମୁଖୀନ ହେବାକୁ ପଡ଼ିବ ।

 

ସମସ୍ତ ଦିନର ଅଶାନ୍ତି, ଉତ୍ତେଜନା, କ୍ଷିପ୍ତତା ତଥା ଅନ୍ତର୍ନିହିତ ଅତୃପ୍ତି ମୋର ଶରୀରରେ ଗୋଟାଏ କି ରକମ ଅପ୍ରାକୃତିକ ଉଷ୍ଣତା ଭରି ରଖିଥିଲା ।

 

‘‘ନମସ୍କାର । ଆଜି ବାଟ ହୁଡ଼ିଲେ କିମିତି ?’’

 

ମୁଣ୍ଡ ଟେକି ଚାହିଁଲି । ଜଣେ ସୁବେଶିତା, ସୁନ୍ଦରୀ, ହସ-ମୁହଁ ତରୁଣୀ ମୋର ପଥରୋଧ କରି ସ୍ୱାଗତ ଜଣାଉଚି । ବୁଝିପାରିଲି, ଅନ୍ୟମନସ୍କ ଭାବେ ମୁଁ କେଉଁ ସାହି ଦେଇ ଯାଉଚି ।

 

ଅପ୍ରଶସ୍ତ ପଥ, ନିସ୍ତେଜ ଆଲୋକ, ଧୀର ସଞ୍ଜ ପବନରେ ବିବିଧ ପୁଷ୍ପ, ଅତରର ମିଶ୍ରିତ ତୀବ୍ର ଗନ୍ଧ, ରତିଲିପ୍‌ସୁ ପୁରୁଷର ନୀରବ, ଶଙ୍କିତ ପଦଚାରଣ, ପ୍ରଶମିତ ଖିଲିଖିଲି ହସ, ଗୁଣୁଗୁଣୁ ସଙ୍ଗୀତ-ମୁଁ ଅଭିଭୂତ ହେଇ ଯାଇଥିଲି ।

 

ସୁରମା । ତିନିବର୍ଷ ତଳେ ସେ ଥିଲା ବାଳିକା ବିଦ୍ୟାଳୟର ଛାତ୍ରୀ । ବିଦ୍ୟାଳୟ ପ୍ରତିଷ୍ଠା ବାର୍ଷିକୀରେ ଗୋଟାଏ ଏକାଙ୍କ ନାଟିକାରେ ସେ ନାୟିକା ଭୂମିକାରେ ଅବତରଣ କରିଥିଲା । ନିର୍ଦ୍ଦେଶ ଦେଇଥିଲି ମୁଁ । ତା’ର ଅଭିବ୍ୟକ୍ତି ଭରା ଘନକୃଷ୍ଣ ଆଖି ଦୁଇଟି ମୁଁ ଭୁଲିପାରି ନ ଥିଲି । ସେଇ ସୂତ୍ରରେ ପରିଚୟ । କଳାବତୀ ଆଜି କୁହୁକିନୀ ପାଲଟିଚି; ତା’ର ପାରମ୍ପରିକ ବ୍ୟବସାୟର ଦାୟିତ୍ୱ ନେଇଚି । ହାୟରେ ହତଭାଗୀ !

 

‘‘ମୋ ପ୍ରତି ଦୟା ନାଇଁ ? ଗୋଟାଏ ଗୀତ ଶୁଣି କରି ଯିବେନି ? ମୋ କଣ୍ଠ ପରା ଆପଣଙ୍କୁ ଭଲ ଲାଗେ ?’’

 

ହଁ, ଭଲ ଲାଗିଥିଲା କିଶୋରୀ ସୁରମାର କଣ୍ଠ । କିନ୍ତୁ ଏ ଯୁବତୀର ସ୍ୱରରେ ମୁଁ ପରିଚୟ ବାରି ପାରୁନଥିଲି । ଚାହିଁଲି । ମୁହଁରେ ତା’ର ଆତ୍ମୋତ୍ସର୍ଗର ଆବେଦନ । ମୋର ଗୋଟିଏ ହାତ ତୋଳି ନେଇ ସେ ବଡ଼ ସମ୍ଭ୍ରମରେ ଚୁମ୍ବନ କଲା । ମୁଁ ଚମକିଗଲି । ମୋର ଆଦିମ ପ୍ରବୃତ୍ତ ହଠାତ୍‌ ଉଦ୍ଦୀପ୍ତ ହେଇ ଉଠିଚି । ମତେ ଦେଖି ମୁଁ ତ୍ରସ୍ତ ହେଇ ପଡ଼ିଲି । ମୋର ଭୟ ହେଲା, ନଗରୀର କୃତ୍ରିମ ଜୀବନ ସଙ୍ଗେ ଦୀର୍ଘ ନ’ ବର୍ଷ କାଳ ସଂଗ୍ରାମ କରି ସୁଦ୍ଧା ପରିଶେଷରେ, ମୋର ଅଜାଣତରେ, ମୁଁ ତା’ର ନିକଟରେ ଯେପରି ଆତ୍ମସମର୍ପଣ କରିଚି । ମୋର ଭିତରର ଗ୍ରାମ୍ୟ ମୁଁ ଟିକୁ ହରାଇ ବସିଚି । ମୋର ସମାପ୍ତି ମତେ ଅନିବାର୍ଯ୍ୟ ମନେହେଲା ।

 

‘‘ଆଉ କେବେହେଲେ-’’

 

ସୁରମାର ଢଳ ଢଳ କାମ-ସିକ୍ତ ଆଖି ଦୁଇଟିକୁ ଚାହିଁବାର ସାହସ ମୋର ନଥିଲା । ତା’ର କଂପିତ, ଉଷ୍ଣ ମୁଠାରୁ ମୋର ହାତଟି ଖସେଇ ଆଣି କ୍ଷିପ୍ତ ପାଦ ପକେଇ ଚାଲିଲି ଆଗକୁ । ସୁରମା ବେଶ୍ୟା ! ସୁରମା ବେଶ୍ୟା !! ସୁରମା ବେଶ୍ୟା !!! ମୋର ମୁଣ୍ଡରେ ସବୁ କିଛି ଗୋଳମାଳ ହେଇ ଯାଉଥିଲା ।

 

(୫)

 

ମୁଁ ପ୍ରକୃତିସ୍ଥ ହେଲି ନଗରୀର ସୀମା ବାହାରେ; ଉନ୍ମୁକ୍ତ ବିଲମାଳ ଭିତରେ । ସମୂହ ବେଙ୍ଗ ରଡ଼ି ମତେ ଅତି ଆପଣାର ମନେ ହେଉଥିଲା । କିଆରୀଗୁଡ଼ିକର ଧାନତଳି, ହିଡ଼ର କଅଁଳ ଘାସ–ଏଇ ସବୁଜ ଶ୍ରୀ, ଏଇ ନବଜୀବନର ଅଭ୍ୟୁଦୟ, ଏଇ ଲାବଣ୍ୟଭରା ପରିବେଶ ମତେ ସ୍ୱପ୍ନୀଳ କରୁଥିଲା । ଆର୍ଦ୍ର ମାଟିରୁ ପ୍ରସୂତି ଦେହର ଗନ୍ଧ ଭଳି ଗୋଟାଏ ପବିତ୍ର ଗନ୍ଧ ଉଠୁଥିଲା । ପୁଲକିତ ପ୍ରାଣରେ ମୁଁ ସେଇ ବିଲ ହିଡ଼ ଉପରେ ଗଡ଼ିଗଲି ।

 

ମୁଁ ଭୁଲି ଯାଇଥିଲି ସେଇ ରାତି ରତ୍ନ ସୌଦାଗର ଅଭିରାମ ଘରେ ମୋର ରାତ୍ରି ଭୋଜନର ନିମନ୍ତ୍ରଣ । ରାତି ଆଠଟାବେଳେ ତା’ର ପ୍ରକାଣ୍ଡ ମୋଟର ଗାଡ଼ି ମୋର ଘର ମୁହଁରେ ଆସି ଠିଆ ହେବ ମତେ ନେଇଯିବା ପାଇଁ । ଗାଡ଼ିରୁ ଓହ୍ଲେଇ ଆସିବ ବିଳାସିନୀ–ସୌଦାଗର ଘରଣୀ–ମୋର ପ୍ରତିଭା ପୂଜାରିଣୀ, ପ୍ରୀତିରଙ୍କୁଣୀ ।

 

ଦୂରରେ ନୈଶ୍ୟ ନଗରୀର ରୂପ ଝଲସି ଉଠିଚି । ମୁଁ ଆଖି ମୁଦି ଦେଇ ମୋର ଅବସନ୍ନ ଦେହର ବିହ୍ୱଳ ହୃଦୟଟିକୁ ଓଦା ମାଟି ଉପରେ ଚିପି ରଖିଲି ।

Image

 

କୁମାର ଦେଓ

(୧)

 

ପ୍ରତ୍ୟେକ ଲେଖକ ପକ୍ଷରେ ବେଳେ ବେଳେ ସ୍ଥାନ ପରିବର୍ତ୍ତନ କରିବା ବାଞ୍ଛନୀୟ, ଋତୁର ସ୍ୱାଭାବିକ ପରିବର୍ତ୍ତନ ଭଳି । ନୂଆ ସ୍ଥାନ, ନୂଆ ପରିବେଶ ଆଉ ନୂଆ ବାତାବରଣ ଭିତରେ ତା’ର ପ୍ରାଣର ଭାବ-ଗାମ୍ଭୀର୍ଯ୍ୟ ଅନେକ ପରିମାଣରେ ଲାଘବ ହେଇଥାଏ; ପୁଣି ନୂଆ ଭାବ ଜାଗରିତ ହୁଏ ନୂତନ ସୃଷ୍ଟି ପାଇଁ । କିଛିଦିନ ନିମନ୍ତେ ମୁଁ ସ୍ଥାନ ପରିବର୍ତ୍ତନରେ ଯାଇଥାଏ ।

 

ମୋର ଏଇ ସ୍ଥାନ ପରିବର୍ତ୍ତନ ପଛରେ କୌଣସି ଡାକ୍ତରର ପରାମର୍ଶ ନଥିଲା; ନଥିଲା କୌଣସି ରୂପ ଆଉ ରହସ୍ୟର ମୋହ; ଥିଲା ନାଇଁ କୌଣସି ଅଷ୍ଟମ ଆଶ୍ଚର୍ଯ୍ୟର ପ୍ରବଳ ଆକର୍ଷଣ କିମ୍ବା ନୂତନ ଆବିଷ୍‌କାରର ପ୍ରଖ୍ୟାତି ଲୋଭ; ତେବେ ଥିଲା ଜଣେ ବାଲ୍ୟ ବନ୍ଧୁଙ୍କର, ବହୁବାର ସ୍ଥଗିତ, ସନିର୍ବନ୍ଧ ଆମନ୍ତ୍ରଣ ।

 

ଭାରତର ମାନଚିତ୍ର ଖୋଲନ୍ତୁ ଆପଣ ଏଇ ଜାଗାଟିକୁ ଖୋଜି ପାଇବେନି । ଓଡ଼ିଶାର ମାନଚିତ୍ର ଖୋଲନ୍ତୁ, ମୋର ଆଶଙ୍କା ହୁଏ, ହୁଏତ ପାଇବେନି । ଗଞ୍ଜାମ ଜିଲ୍ଲାର ମାନଚିତ୍ରରେ ଅବଶ୍ୟ ପାଇବେ–ବ୍ରହ୍ମପୁରର ପଶ୍ଚିମ ଦିଗରେ ନନ୍ଦିନୀ ନଈ କୂଳରେ ଏଇ ଜନ ବସତି–ସେରଗଡ଼-

 

ସେରଗଡ଼ ଜମିଦାରୀର ରାଜଧାନୀ ସେରଗଡ଼ । ଜମିଦାରର ଉଆସ, ଜଗନ୍ନାଥ ମନ୍ଦିର, ଗୋଟାଏ ଦୁଇଟା ମଠ, ବଂଶାନୁକ୍ରମିକ ରାଜୋଡ଼ା ସାଆନ୍ତ ଓ ଇନାମୀମାନଙ୍କ ଉଚ୍ଚ ପିଣ୍ଡାଘର, କୁମୁଟି ଦୋକାନ, ଚଣ୍ଡାଳପଡ଼ା, ଆଧୁନିକତାର ଆମଦାନୀ–କଫି ହୋଟେଲ୍‌, ଦରଜି କୋଠି ଆଉ ପ୍ରଗତିର ପ୍ରକୃତି ସୂଚକ ଉଚ୍ଚ–ଇଂରେଜି ବିଦ୍ୟାଳୟ, ପାଠାଗାର, ଯୁବସଂଙ୍ଘ ଦପ୍ତର–ସବୁ ମିଶି ହଜାରେ ପ୍ରାୟ ଘର ।

 

ରାଜବଂଶ । ଉଚ୍ଚାରଣ ଓ କଳ୍ପନାରେ ଏବେ ସୁଦ୍ଧା ଐଶ୍ୱର୍ଯ୍ୟ ଓ ଅଳସ-ବିଳାସର ଗୋଟାଏ ଆଲୁଳାୟିତ ଶୋଭା ସମ୍ପଦ ଆଖି ଆଗରେ ଭାସି ଉଠେ । ପୂର୍ବ ଯୁଗର ସଂସ୍କୃତିର ଏଇ ଶୀର୍ଣ୍ଣ ଶେଷାଂଶ ଆଜିର ଦେହ, ମନ ଓ ଚିନ୍ତାରୁ ଆସ୍ତେ ଆସ୍ତେ ଲୋପ ପାଇ ଯାଉଚି । ମଧ୍ୟଯୁଗୀୟ ସଭ୍ୟତା ଓ ସଂସ୍କୃତିକୁ ନିଜର ଅଭିରୁଚି ଅନୁଯାୟୀ ଗଢ଼ି ନେଇଥିଲେ ଏଇ ରାଜ ସଂପ୍ରଦାୟ ଓ ସେମାନଙ୍କର ବିଶ୍ୱସ୍ତ ପୁରୋହିତ ସମାଜ । ଗୋଟାଏ ନାମ, ଗୋଟାଏ ଉପାଧି ଅବା ଗୋଟାଏ ପତାକା ପଛରେ ଇତିହାସ ସୃଷ୍ଟି ହେଉଥିଲା । ପାଶବିକତାକୁ ପ୍ରେମ, ଅପହରଣକୁ ଦାନ, ହତ୍ୟାକୁ ସୁବିଚାର ସୁରାକୁ ଗଙ୍ଗାଜଳ ଓ ବ୍ୟକ୍ତି-ଅଂହକୁ ଧର୍ମ ନାମରେ ଅପଳାପ କରିଥିଲେ ଏଇ ଚଳନ୍ତି-ବିଷ୍ଣୁ ଦଳ–ଗୋଟାଏ ବୁଦ୍ଧି ପଙ୍ଗୁ, ବିଳାସଜୀବୀ ହିଂସ୍ର ମଣିଷ ଶ୍ରେଣୀ ।

 

ସେଇ ମଧ୍ୟଯୁଗ ସଙ୍ଗେ ସେରଗଡ଼ର ପରଂପରା ସମ୍ବଳିତ । ଜଗନ୍ନାଥ ରଥ, ରାଜପହଣ୍ଡିର ଆଡ଼ମ୍ବର, ଭେରୀ କାହାଳୀର କମ୍ପିତ ଚିତ୍କାର, ପୁରୋହିତର ମନ୍ତ୍ରୋଚ୍ଚାରଣ, ମହନ୍ତ ଆଖିର ବର୍ବର, ବନ୍ୟଦୃଷ୍ଟି, ରାଜ ଗଣିକାର ମୋହିନୀ ରୂପ ରଙ୍ଗ-ସବୁ ଆଜି ଆଚ୍ଛାଦିତ ହେଇ ଯାଇଚି । ମଧ୍ୟଯୁଗୀୟ ରଙ୍ଗମଞ୍ଚ ଉପରେ ଯବନିକା ଓହ୍ଲେଇ ଆସିଚି । ଗଣ-ବିଦ୍ରୋହ ଜଣ-ପ୍ରତିଷ୍ଠାକୁ ଶେଷ କରି ଦେଇଚି । ରାଜାର ଅପାଦାନ ଦ୍ୱାରରେ ପ୍ରଶସ୍ତି ଗାଇବା ଲାଗି ଭାଟ, ଚାରଣ ଆଉ ନାହାନ୍ତି । ସିଂହଦ୍ୱାର ସମ୍ମୁଖରେ ସମବେତ ବିରାଟ ପ୍ରଜାଫୌଜ ବଜ୍ରଗମ୍ଭୀର କଣ୍ଠରେ ଯାଚୁଚି ସଂଗ୍ରାମ-ତା’ର ଅନ୍ତିମ ଭେଟି । ଭୀତ, ତ୍ରସ୍ତ ରାଜା ସିଂହାସନ ଉପରୁ ମୁହଁମାଡ଼ି ପଡ଼ି ଯାଇଚି । ନୀରବ, ନିଶ୍ଚଳ ଆଖିରେ ପଛରୁ ଚାହିଁ ରହିଚନ୍ତି ରାଜାବରୋଧର ମୁକ୍ତିକାମୀ ସୁନ୍ଦରୀ ସଂପ୍ରଦାୟ । ଯେଉଁ ଜଟିଳ ବାହୁ ବଳୟ ଭିତରେ ଦିନେ ରାଜାର ଉନ୍ମତ୍ତ ଯୌନ ଜୀବନ ଅକ୍ଷୟ ହେଇ ଉଠିଥିଲା, ଆଜି ତାର ମେଦ ବହୁଳ ଭୁଲୁଣ୍ଠିତ ଶରୀରକୁ ତୋଳି ଧରିବା ଲାଗି ଗୋଟାଏ ଅଙ୍ଗୁଳି ସୁଦ୍ଧା ଉଠୁନି-। ପ୍ରକୃତିର ପ୍ରତିଶୋଧ ! ତା’ର କବଳରୁ ସେରଗଡ଼ ମଧ୍ୟ ରକ୍ଷା ପାଇଲାନି । ହଁ, ଏଇ ସେରଗଡ଼କୁ ମୁଁ କିଛିଦିନ ନିମନ୍ତେ ସ୍ଥାନ ପରିବର୍ତ୍ତନରେ ଯାଇଥାଏ ।

 

(୨)

 

ବନ୍ଧୁଙ୍କର ବହୁ ପ୍ରତିବାଦ ଓ ଅନିଚ୍ଛା ସତ୍ୱେ ଡାକ୍‌ବଂଲୋରେ ମୁଁ ମୋର ଆସ୍ଥାନ ପାତିଲି-। ସୌଜନ୍ୟ ବିହିତ ତଥା ସ୍ଥିତି ସୁଲଭ କେତେ ଘଣ୍ଟାର ଅତ୍ୟଜ୍ୟ ନିର୍ବନ୍ଧ ବାହାରେ, ମୋର ଉଦ୍ଦେଶ୍ୟ, ଅବଶିଷ୍ଟ ସମୟ ନୀରବ ଓ ନିର୍ଜନରେ ବିଶ୍ରାମ ନେବା; ନିଜକୁ ଅନ୍ତର୍ନିହିତ ରଖିବା । ପାଖରେ ସିଗାରେଟ୍‌ ଆଉ କଲମ–ଦୁଇଟି ପ୍ରାଣବନ୍ତ ଜଡ଼ ସହଚର; ମୋର ଅତି ବିଶ୍ୱସ୍ତ । ମୁଁ ନିଃସହାୟ, ନିଃସଙ୍ଗ ମନେ କରିବା ଲାଗି କିଛି କାରଣ ନଥିଲା ।

 

ନିଜର ନିକଟ ପରିବୃତ୍ତର ଭୁଗୋଳ ସମ୍ବନ୍ଧେ କୁତୂହଳୀ ହେବା ପ୍ରାଣୀର ଗୋଟାଏ ସହଜାତ ପ୍ରବୃତ୍ତି । ଏଥିଲାଗି ସଦ୍ୟଜାତ ବାଛୁରୀ ଡେଇଁ ବୁଲେ, କୁକୁର ଛୁଆ ଶୁଙ୍ଘି ଚିହ୍ନେ, ମଣିଷ ଶିଶୁ ହାମୁଡ଼ି ହାମୁଡ଼ି ଘର ଭିତରେ ଘୁରେ । ବଂଲୋର ପିଣ୍ଡା ଉପରୁ ମୁଁ ଥରେ ଚାରିଆଡ଼େ ଆଖି ବୁଲେଇ ନେଲି । ସଡ଼କରୁ ଟିକିଏ ସମ୍ମାନଜନକ ଦୂରତା ଭିତରେ ବଂଲୋର ଅବସ୍ଥିତି । ଦୁଇ ପାର୍ଶ୍ୱରେ ଲାଲ-ହରିତ କନିଅର ଫୁଲ ଗଛର ବେଢ଼ା । ପଛ ପଟରେ ଗୋଟାଏ ଆମ୍ବ ତୋଟା । ଶୁଣିଚି, ଏଇ ଆମ୍ବ ତୋଟାରେ ପଡ଼ିଥିଲା ସଶସ୍ତ୍ର ପୁଲିସ୍‌ର ଡେରା । ଆଉ ଏଇଠୁ ଜମିଦାରୀ ରଇତକୁ ପଠାଯାଇଥିଲା ସରକାରୀ ଉପହାର–ଲାଠି, ଗୁଳି, ସମୂହ ଜୋରିମାନା । ତୋଟା ଭିତରେ ବଂଲୋ ଜଗୁଆଳର ଛୋଟ କୁଡ଼ିଆ । କୁଡ଼ିଆର ନୁଆଣିଆ ଚାଳ ତଳେ ବସି ଯୁବତୀଟିଏ ସଡ଼କର ଆରୋହଣ ସୀମାନ୍ତକୁ ନିବିଷ୍ଟ ଆଖିରେ ଚାହିଁଚି । ଆଖିରେ ତା’ର ପ୍ରିୟ ଆଗମନୀର ଆକାଂକ୍ଷା, ପ୍ରସ୍ଥିତିର ବିଷାଦ କିବା ସାଥୀ ଆହରଣର କ୍ଷୁଧିତ ଉଦ୍‌ବେଗ ଦୂରରୁ ଲୟ କରି ପାରିଲିନି ।

 

ବୈଶାଖ ଅପରାହ୍ନର ଉତ୍ତପ୍ତ ଆକାଶକୁ ଐଶାନ୍ୟ ମେଘ ଢାଙ୍କି ଆସୁଥିଲା । ଆର୍ଦ୍ରତା ବହୁଳ ସ୍ଥଳବାୟୁ ଦେହକୁ ତରାସିଲା ଭଳି ବୋଧ ହେଉଥିଲା । ଘର ଭିତରକୁ ପଶିଗଲି ଏକରକମ ସୁରକ୍ଷିତ ଆଉ ନିଶ୍ଚିନ୍ତ ମନ ନେଇ । ଖଟ ଉପରେ ପ୍ରସ୍ତୁ, ଶୁଭ୍ର ଶଯ୍ୟା; ମୁଣ୍ଡ ପାଖ ଟି’ ପୟ୍‌ରେ ଟୋବାକୋ ଟିଣ, ନିଆଁ ପେଢ଼ି, କାଗଜ, କଲମ. ନଟ୍‌ ହେମ୍‌ସନ୍‌ର ‘ହଙ୍ଗେର୍‌’, ରସେଲ୍‌ର ‘କଂକ୍ୱେଷ୍ଟଅଫ୍‌ ହେପିନେସ୍‌’, ଆନ୍ଦ୍ରେ ମା’ ର’ଇର ‘ଆର୍ଟ ଅଫ୍‌ଲିହ୍ୱିଂ’ । ଅନୁଭବ କଲି, ମୁଁ ଯେପରି ମୋର ସମୁଦାୟ ପ୍ରାପ୍ୟ ଏକାଠି କରି ମୋର ମନ ମୁତାବକ ଖଣ୍ଡିଏ ଆଶ୍ରୟ ଅଲଗା କରି ନେଇଚି ସଂସାର ଦେହରୁ । ବାହାରର ମେଘ, ଗରମ ପବନ, ସଡ଼କର ଧୂଳି, ଯୁବତୀର ଆଖି-ହଁ, ଯୁବତୀର ଆଖି ମଧ୍ୟ-ସବୁ ଦୂରେଇ ଯାଇଚନ୍ତି ।

 

(୩)

 

ମନେ ହେଲା, ବଂଲୋରେ ଆଶ୍ରୟ ନେବା ମୋର ଭୁଲ ହେଇ ଯାଇଚି । ଗାଁ ଭିତରେ ବନ୍ଧୁଙ୍କ ଘରେ ରହିଥିଲେ ହୁଏତ ଏତେଟା ଚହଳ ହୁଅନ୍ତାନି । ପାରଂପରିକ ଭାବେ ଡାକ୍‌ବଂଲୋ ସରକାରୀ ପାନ୍ଥଶାଳା । ରାଜସ୍ୱ କିମ୍ବା ପୁଲିସ୍‌ ବିଭାଗର କୌଣସି ବଡ଼ ହାକିମ ଆସିଲେ ଛୋଟ ବସତିରେ ହଠାତ୍‌ ଖବର ଚଳିଯିବା ଅସାଧାରଣ ନୁହେ । ପରିବ୍ରାଜକ ଗତାଗତ ଏ ଦିଗରେ କେବେ ହେଲେ ନାଇଁ । ମୁଁ ଯେତେବେଳେ ରାଜକର୍ମଚାରୀ ନୁହେ, ସୁତରାଂ ମୋର ଆଗମନ ଓ ଅବସ୍ଥିତି ରାଷ୍ଟ୍ର ହେଇଗଲା ଗଣ କୌତୂହଳର ଅର୍ଥହୀନ ଆଗ୍ରହ ଓ ଚାଞ୍ଚଲ୍ୟ ନେଇ ।

 

ସକାଳେ ଦୁଇଜଣ ଶିକ୍ଷକ ଆସିଥିଲେ ଖୁବ ସମ୍ଭ୍ରମରେ ସୌଜନ୍ୟ ଦର୍ଶନ ଦେଇଯିବା ଲାଗି । ପରେ, ଜଣେ ନୂତନ କବି ତାଙ୍କର ପ୍ରକାଶିତ ଖଣ୍ଡିଏ କବିତା ସଂଗ୍ରହ ଦେଇଗଲେ । ଜଣେ କୁମୁଟି ଭଦ୍ରଲୋକ କେବଳ ନମସ୍କାର ଜଣେଇ ବିଦାୟ ନେଲେ । ଶୁଣିଲି, ଡାକ୍‌ବଂଲୋକୁ ଯିଏ କେହି ଆସିଲେ ନମସ୍କାର ଜଣେଇ ଯିବା ତାଙ୍କର ଆନୁଗତ୍ୟ ସ୍ୱୀକୃତିର ଗୋଟାଏ ସହଜ ଶିଷ୍ଟାଚାର-

 

ବନ୍ଧୁଙ୍କୁ କହିଲି,

 

‘‘ଏଠି ଆଉ ରହିହେବନି ଦେଖୁଚି । ମୁଁ ତେବେ କାଲି ବିଦାୟ ନିଏ ।’’

 

‘‘କାଲିକି କିମିତି ଯିବ ? ପାଠାଗାର ତରଫରୁ ତୁମକୁ ସମ୍ବର୍ଦ୍ଧନା ଦେବାଲାଗି ଆୟୋଜନ ହେଉଚି ।’’

 

‘‘ବେଶ୍‌, ପଅର ଦିନ ?’’

 

‘‘ପ୍ରଗତି ସଂସଦର ବିଶେଷ ବୈଠକ ।’’

 

‘‘ହେଉ, ତା’ ପରଦିନ ?’’

 

‘‘ମୋର ଘରେ ସଙ୍ଗୀତାନୁଷ୍ଠାନ ।’’

 

‘‘ଆଚ୍ଛା, ତା’ ପରଦିନ ଆଖପାଖ ଗାଁ ଲୋକଙ୍କୁ ବାଦ୍ୟବାଜଣା କରି ଆସିବାକୁ ଖବର ଦିଅ ଆଉ ମତେ ବାଘ-ବେଶ କରି ଦିଅ ।’’

 

ବନ୍ଧୁ ଖୁବ୍‌ ବଡ଼ ପାଟିରେ ହସି ଉଠିଲେ–

 

‘‘ଲୋକଙ୍କ ଭିତରେ ପଶିବାକୁ ଏତେ ସଙ୍କୋଚ କରୁଚ କାହିଁକି ?’’

 

‘‘ଆଡ଼ମ୍ବର ଓ କୋଳାହଳ ମୁଁ ଭଲ ପାଏନି । ଉପରନ୍ତୁ ମୋର ମିଶାଳି ମିଜାଜ ମଧ୍ୟ ନାଇଁ । ଲୋକଙ୍କ ଭିତରେ, କାରଣ ଅକାରଣରେ, ଚହଳ କରି ପଶିବା ରାଜନୀତିକର କାମ ସାହିତ୍ୟିକର ନୁହେ ।’’

 

‘‘ହଁ, ଭୁଲି ଯାଇଥିଲି । ମୋ ଘରେ ସଙ୍ଗୀତ ଆସର ଦିନ ଜଣେ ଅଦ୍‌ଭୁତ ଲୋକ ସଙ୍ଗେ ତମର ଦେଖା ହେବ ।’’

 

ଆଗ୍ରହହୀନ ଭାବେ ପଚାରିଲି,

 

‘‘କିଏ ସେ ?’’

 

‘‘କୁମାର ଦେଓ ।’’

 

‘‘କୁମାର ଦେଓ ? କିଏ, କଣ, କେଉଁଠାରେ କୁମାର ଦେଓ ?’’

 

‘‘ଏଠାରେ ଜଣେ ରାଜ ସାମନ୍ତ । କୁମାର ସୁନ୍ଦରୀ ଶରଣ ପଟ୍ଟଦେବ । ଭାରି କଳାପ୍ରିୟ ଲୋକ । ସମସ୍ତେ କୁମାର ଦେଓ ବୋଲି ଡାକନ୍ତି ।’’

 

‘‘ନାଁ ଟି ଯାହାହେଉ ଶ୍ଳୀଳ-ସଂକ୍ଷିପ୍ତ ହେଇଚି ।’’

 

ବିଦାୟ ନେଇଯିବା ବେଳେ ବନ୍ଧୁ କହିଲେ,

 

‘‘ଗୋଟାଏ ସ୍ଥାନକୁ ଆସିଚ ଯେତେବେଳେ ଭଲମନ୍ଦ କିଛି ଦେଖି ଶୁଣି ଯାଅ । ନୂଆ ଲେଖା ପାଇଁ ଉପାଦାନ ତ ଫେରେ ନେଇ ଯିବ ।’’

 

ବନ୍ଧୁଙ୍କ କୈଫିୟତ୍‌ରେ ମୁଁ ସନ୍ତୁଷ୍ଟ ହେଇ ପାରି ନଥିଲି । ସଂଗ୍ରାମଶୀଳ ଜୀବନରେ ବିଶ୍ରାନ୍ତିର ଅବସର ବଡ଼ ଦୁର୍ଲଭ । ତା’ର ମୂଲ୍ୟରେ ଶୁଷ୍କ ପ୍ରଶଂସା କିଣିବା ମତେ ସମୀଚୀନ ଓ ମୋର ରୁଚି ଅନୁରୂପ ମନେ ହେଉ ନଥିଲା ।

 

ସଙ୍ଗୀତ ଆସରରେ କୁମାର ଦେଓଙ୍କ ଅନୁପସ୍ଥିତି ମତେ କୌଣସିମତେ ଅଭାବନୀୟ ମନେ ହେଇ ନଥିଲା । ବନ୍ଧୁ କିନ୍ତୁ ଟିକିଏ ବିରସ ହେବା ଅନୁମାନ କରି ପାରିଥିଲି । ଭୋଜନ ପରେ ମତେ କିଛି ବାଟ ଆଗେଇ ଦେବା ଲାଗି ଆସି ବନ୍ଧୁ କହିଲେ,

 

‘‘କୁମାର ଦେଓ ହଠାତ୍‌ ଅସୁସ୍ଥ ହେଇ ପଡ଼ିଚନ୍ତି । ସେ ଆଜି ନିଜେ ତବଲା ବଜେଇ ଶୁଣେଇ ଥାନ୍ତେ । ଖବର ପଠେଇଚନ୍ତି, କାଲି ସକାଳେ ସେ ତୁମ ସଙ୍ଗେ ଦେଖା କରିବେ ବଂଲୋରେ ।’’

 

ବନ୍ଧୁଙ୍କର କଥା ମୋ ଭିତରେ କୌତୂହଳ କିମ୍ବା ଆଗ୍ରହ ସଂଚାର କରି ନଥିଲା ।

 

ଗ୍ରୀଷ୍ମ କାଳରେ ସୂର୍ଯ୍ୟୋଦୟ ପ୍ରାକ୍‌କାଳର ସଦ୍ୟ ଜାଗ୍ରତ ସ୍ଥଳ ବାୟୁର ମୃଦୁ, ମନ୍ଦ ଆଲୋଡ଼ନ ବାସ୍ତବିକ ବଡ଼ ସୁଖପ୍ରଦ । ସେ ଯେପରି କବିର ସୌନ୍ଦର୍ଯ୍ୟ ଅନୁଭବନ ଭଳି କେତେକଟା କଳ୍ପନା ଓ କେତେକଟା ଅଭିବ୍ୟକ୍ତି ଭିତରେ ବିକଶିତ । ଅବା ଷୋଡ଼ଶୀର ପ୍ରଥମ ପ୍ରଣୟ ଭଳି କେତେକଟା ତୃପ୍ତି ଓ କେତେକଟା ଉତ୍‌କଣ୍ଠା ବିଜଡ଼ିତ ।

 

ଆମ୍ବଗଛ ତଳେ ଗୋଟାଏ ଆରାମ ଚୌକୀରେ ଆଉଜି ମୁଁ ସୂର୍ଯ୍ୟର ନବ ଉନ୍ମେଷ ପ୍ରତୀକ୍ଷା କରୁଥିଲି ଦାର୍ଶନିକ ସହଜ ଅନୁସନ୍ଧିଚ୍ଛା ନେଇ । ଉଦୟ ଓ ଅସ୍ତକାଳୀନ ସୂର୍ଯ୍ୟର ସମାନ ବର୍ଣ୍ଣ ବିଭା ମୋର ଅନ୍ତରରେ ଗୋଟାଏ ନୂତନ ଆଲୋକ ପ୍ରତିଫଳିତ କରୁଥିଲା । ମଣିଷ ଜୀବନର ଆଦି ଓ ଅନ୍ତ ଯଦି ଏଭଳି ସମାନ ଗରିମାମୟ ହୁଅନ୍ତା ! ପ୍ରକୃତିର ପ୍ରାଣକୁ ଉପଲବ୍‌ଧି କରିବାର ସାଧନା ହରେଇ ମଣିଷ ଅଯଥା ବିଫଳ ଭାବରେ ଧାଇଁଚି । ତାକୁ ଆୟତ୍ତ କରିବା ଲାଗି । ସେଇଠି ତା’ର ଭ୍ରମ । ଏଇ ଭ୍ରମ ମଣିଷର ପ୍ରାଣକୁ ଜଡ଼ କରି ଦେଇଚି । ଚେତନା ହଜି ଯାଇଚି ଉନ୍ମାଦନା ଭିତରେ ।

 

ଗଛ ଉପରେ କୋଇଲି ଡାକୁଚି । କୁଡ଼ିଆ ଭିତରେ ଯୁବତୀଟି ଗୋଟିଏ ପଲ୍ଲୀ ଗୀତର ସ୍ୱର ଧରିଚି । ପର୍ବତ ତଳ ଗୋଠ ଖୁଆଡ଼ରୁ ମେଷ ପାଳକର ବଂଶୀ ସ୍ୱନ ଭାସି ଆସୁଚି । ଦେବ ମନ୍ଦିରରେ ଆରତି ଘଣ୍ଟା ବାଜୁଚି । ସୁନ୍ଦର ପ୍ରଭାତ, ମନୋରମ ପରିବେଶ, ଉନ୍ନତ ଚିନ୍ତା ଓ କେପ୍‌ଷ୍ଟନ୍‌ ଟୋବାକୋର ସ୍ନାୟୁସଂଜୀବନୀ ମାଦକତା ଭିତରେ ମୁଁ ନିଜକୁ ଗ୍ରହଣଶୀଳ, ଆମୋଦପ୍ରବଣ ଓ ସୁସ୍ଥ ମନେ କରୁଥିଲି । ଗୋଟାଏ ଶିଷ୍ଟ, ସରଳ, ମଧୁର ଆବିଷ୍ଟତା ମୋର ମନରେ ପ୍ରଥମ ଚୁମ୍ବନର ସ୍ମୃତି ଜାଗ୍ରତ କରୁଥିଲା ।

 

(୪)

 

ବଂଲୋ ଜଗୁଆଳ ଖବର ଦେଲା, କୁମାର ଦେଓ ମୋ ପାଇଁ ଅପେକ୍ଷା କରୁଚନ୍ତି । ଉଠି ଗଲି । ଲୋକଟିର ଚେହେରା ମନ୍ଦ ନୁହେ । ଲମ୍ବା-ପତଳା-ଶାମଳ ଦେହ, କୁଞ୍ଚିତ ଅକସ୍‌ଫୋର୍ଡ଼ କ୍ରପ୍‌, ସୁନେଲୀ ଫ୍ରେମ୍‌ର ଚଷମା, ସୁନା ଚେନ୍‌ଲଗା ଇସ୍‌ପାତ ହାତଘଡ଼ି ଅନାମିକା ଅଙ୍ଗୁଳିରେ ବେଙ୍କର୍‌ ମୁଦି, କୁଞ୍ଚକରା ଧୋତି ଉପରେ ବ୍ରହ୍ମପୁରୀ କ୍ଷୀରୋଦର ପାଟର ହାତଚିପା ପଞ୍ଜାବୀ, (ପଞ୍ଜାବୀ ଭିତରୁ ଜାଲି ବାନିଅନ୍‌ ଫୁଟି ଦିଶୁଚି) ପାଦରେ ବାଦାମୀ ରଙ୍କର କ୍ରେପ୍‌ଜୋତା । ବୟସ ପଚିଶି ତିରିଶ ଭିତରେ । ଉଚ୍ଚତା ଅନୁରୂପ । ମେଦ ଅଭାବରୁ ଠିଆ ହେଲେ ଟିକିଏ କୁଜେଇଲା ଭଳି ଦେଖାଯାଏ । ମତେ ଦେଖୁ ଦେଖୁ ସେ ହାତ ବଢ଼େଇ ସ୍ୱାଗତ ଜଣେଇଲେ ଯେପରି, ସେ ନୁହନ୍ତି, ମୁଁ ଆଗନ୍ତୁକ–

‘‘ମୁଁ ସୁନ୍ଦରୀ ଶରଣ ।’’

‘‘ଆପଣଙ୍କ ଶରଣ ରକ୍ଷା କରିବାର ସୌଭାଗ୍ୟ ଭଗବାନ ମତେ ଦେଇ ନାହାନ୍ତି ।’’

ଦେଓ ଉଲ୍ଲସିତ ହେଇ ଉଠିଲେ,

‘‘ଚମତ୍କାର ! ଠିକ୍‌ ଏଇ ଟାଇପ୍‌ ମୁଁ ଚାହୁଁଥିଲି । ବିଶ୍ୱାସ କରନ୍ତୁ, ଖୁବ୍‌ କମ୍‌ ଲେଖକ ଉପରେ ମୁଁ ପ୍ରସନ୍ନ ହେଇ ପାରିଚି । କେତେ ବଡ଼ ପ୍ରଗଲ୍‌ଭ; ଘଣ୍ଟା ଘଣ୍ଟା ବକିଯିବେ ସେଥିରେ ଅର୍ଥ ଥାଉ କି ନଥାଉ । ଆଉ କେତେ ଏକବାର ଗମ୍ଭୀର; ସେମାନେ ମୁହଁ ଖୋଲିବା ଯେପରି ଗୋଟାଏ ଅପୂର୍ବ ସଂଯୋଗ, ଗୋଟାଏ ବିଶେଷ ଉପକୃତି । ମୋର ମତରେ ପ୍ରତ୍ୟେକ ଲେଖକ ପ୍ରାଣରେ ଅଫୁରନ୍ତ ରସ ଥିବା ଦରକାର ।’’

ମୁଁ ମନେ ମନେ ଦେଓଙ୍କୁ ସମର୍ଥନ କରିଥିଲି । ଘରର ଭିତର ଦିଗେ ଥରେ ଆଖି ବୁଲେଇ ନେଇ ସେ କହିଲେ,

‘‘ଆପଣ ଏକଲା ଆସିଚନ୍ତି ବୋଧହୁଏ ?’’

‘‘ମୋର ସ୍ତ୍ରୀ ନାହାନ୍ତି ।’’

‘‘ବିବାହିତ ସ୍ତ୍ରୀ କଥା ମୁଁ କହୁନି ।’’

‘‘ତେବେ–’’

‘‘କୌଣସି ନୀଡ଼ହରା ପକ୍ଷିଣୀ–’’

‘‘ସେ ବିଦ୍ୟାରେ ମୋର ପ୍ରବେଶ ନାଇଁ ।’’

ଦେଓ ହସିଲେ । ତାଙ୍କର ହସ ଓ ଆଖିର ଅବିଶ୍ୱାସ ଫୁଟି ଉଠିଥିଲା–

‘‘ବିଳାସ, ବିଶ୍ରାମ ଅବା ତୀର୍ଥ-ସେ ଯେଉଁ ଯାତ୍ରା ହେଉ ନାରୀ ବିନା ତା’ର ସାର୍ଥକତା ଆସେନି । ଆପଣ ଏଇ ନିବିଡ଼ ନିର୍ଜନତା ଭିତରେ ଆହୁରି ସୁଖୀ ମଣିଥାନ୍ତେ, ଯଦି ପାର୍ଶ୍ୱରେ ଜଣେ ଲହୁଲିଆ ଅଧର ପରଶିବା ଲାଗି ତତ୍ପର ଥା’ନ୍ତା । ଆପଣ ବଡ଼ ଭୁଲ୍‌କଲେ ।’’

‘‘କାହିଁକି ?’’

‘‘ମତେ ଆଗରୁ ଖବର ନଦେଇ ।’’

ମୁଁ ତାଙ୍କର ଇଙ୍ଗିତ ବୁଝିଲି । କିନ୍ତୁ ସେ ବସ୍ତୁ ମୋର ପ୍ରୟୋଜନର ବାହାରେ । ମୋର ମାଂସରେ ନ’ଅଙ୍କିଆ ଭୋକ ନଥିଲା । ମୋର ଯାହା ଟିକକ ଭୋକ ଫୁଲ କଢ଼ି ଭଳି ମୁଦି ହେଇ ରହିଥିଲା । ଫୁଟିବା ପାଇଁ ସେ ଲୋଡ଼ୁଥିଲା ସୁଗନ୍ଧ ଓ ଶୂଚିତା ।

ମତେ ଚୁପ୍‌ ରହିବା ଦେଖି ଦେଓ ହୁଏତ ମନେ କଲେ ମୁଁ ଯେପରି ମୋର ଭୁଲ୍‌ ବୁଝିପାରି କ୍ଷୁର୍ଣ୍ଣ ହେଇଚି । ଉତ୍ସାହିତ ହେଇ ସେ କହିଲେ,

‘‘ମୁଁ ଆପଣଙ୍କୁ ରକମ ରକମ ଯୋଗେଇ ଦେଇଥାନ୍ତି । ସବୁ ଖାଣ୍ଟି ଆଉ ସଜ ।’’

ଦେଓଙ୍କର ପ୍ରସ୍ତାବ, ମୋର ରୁଚିବାଧକ ହେଲେ ସୁଦ୍ଧା, ଅଶ୍ରାବ୍ୟ ଓ ବିରକ୍ତିକର ଲାଗୁ ନଥିଲା । ଏହା ପଛରେ ସମ୍ଭବ ଥିଲା ମୋ ଭିତରେ ଆଦିମ ବନ୍ୟ ପଶୁଟିର ଅପ୍ରକଟ କାମପ୍ରବଣତା । ଯୁକ୍ତି କଲି,

‘‘ଆପଣ ଏହାକୁ ମଣିଷପଣିଆ କହି ପାରିବେ ?’’

ଦେଓ ମତେ ଅନେଇଲେ । ସେ ଅନାଉଣି ଜଣଉ ଥିଲା, ସେ ଯେପରି ମୋର ପ୍ରାଣର ଅନୁନ୍ନତତାକୁ ହୀନ କରି ଦେଖୁଚନ୍ତି କିମ୍ବା ସଭ୍ୟତାର ଆବରଣ ତଳୁ ମୋର ଦେହଟିକୁ ଉଦ୍ଧାର କରି ମତେ ଦୋଷୀ ସାବ୍ୟସ୍ତ କରିଚନ୍ତି । ସେ ଓଲଟି ପ୍ରଶ୍ନ କଲେ,

‘‘ଆପଣ କଣ ?’’

ଦମ୍ଭ ସହକାରେ ଉତ୍ତର କଲି,

‘‘ମଣିଷ ।’’

‘‘ଠିକ୍‌ ନୁହେ । ମଣିଷ ବୋଲି କୌଣସି ପ୍ରାଣୀ ଆଜି ଯାଏଁ ଏ ମାଟିରେ ପାଦ ପକେଇନି ।’’

‘‘ଆମେ ସବୁ ତେବେ କଣ ?’’

‘‘ଉନ୍ନତ ପଶୁ ।’’

ସ୍ୱରରେ ବ୍ୟଙ୍ଗ ଓ ଅସମ୍ମାନ ଦେଇ କହିଲି,

‘‘ଆପଣ ନିଜ କଥା କହୁଚନ୍ତି ।’’

ଦେଓ ହସି ଉଠିଲେ ଉନ୍ମତ୍ତ ଭାବରେ –

ମୁଁ କିଏ, ଆପଣ କିଏ–କିଛି ପ୍ରଭେଦ ଅଛି ? ଆମେ ସମସ୍ତେ ସେଇ ଭୋକ-ପ୍ରେମଜୀବୀ ବନ୍ୟ ପଶୁର ବଂଶଧର । ଦର୍ଶନ କହେ, ପଶୁତ୍ୱରୁ ଦେବତ୍ୱ ଦିଗେ ଅଗ୍ରସର ହେବାହିଁ ମନୁଷ୍ୟତ୍ୱ । ଏଥିରୁ ବୁଝି ହେଉଚି, ପଶୁ ଓ ଦେବତା ଉଭୟର ଗୋଟାଏ ସ୍ଥିତି ଅଛି । ମନୁଷ୍ୟତ୍ୱ ଗୋଟାଏ କ୍ରମବର୍ଦ୍ଧନଶୀଳ ଅସ୍ଥାୟୀ ଅବସ୍ଥାର ନାମାନ୍ତର କେବଳ । ସୁତରାଂ ହିନ୍ଦୁର ଏ ମାୟାବାଦ ଜୀବନରେ ସତ୍ୟ, ବାସ୍ତବତା କିଛି ନାଇଁ ।’’

ଦେଓ ଆଉ ମୋର ଭିତରେ ପ୍ରଭେଦ ନାଇଁ ! ମୋର ବ୍ୟକ୍ତି ଅହଂ ଗର୍ଜି ଉଠିଥିଲା । ଉତ୍ତେଜିତ ହେଇ କହିଲି,

 

‘‘ଆପଣ ଉନ୍ନତ ପଶୁ ମଧ୍ୟ ନୁହନ୍ତି ।’’

 

ଅବିଚଳିତ ସ୍ୱରରେ ସେ ସମର୍ଥନ ଜଣେଇଲେ–

 

‘‘ଠିକ୍‌ ଧରି ପାରିଚନ୍ତି । ଆଜିର ଅବସ୍ଥାରୁ ପଶୁତ୍ୱର ଫେରି ଯିବା କିମ୍ବା ଦେବତ୍ୱ ଦିଗେ ଆଗେଇବା ବ୍ୟକ୍ତିଗତ ରୁଚି ଉପରେ ନିର୍ଭର କରେ । ମୁଁ କିନ୍ତୁ ପଶୁତ୍ୱକୁ ଫେରିଯିବା ଖୁବ୍‌ ପସନ୍ଦ କରୁଚି । ଆପଣଙ୍କ ମଣିଷର ଏ ଯୁଦ୍ଧ ବିଭୀଷିକା, ଏ ପୁଣ୍ୟଶ୍ଳୋକ ନେରୋ, ଚେଙ୍ଗିଜ୍‌ଖାଁ ଓ ହିଟ୍‌ଲର୍‌ର ଆଦର୍ଶବାଦ, ଏ ନୃଶଂସ ସଭ୍ୟତା, ଏ ବିଧାନାନୁମୋଦିତ ବେଶ୍ୟାବୃତ୍ତି, ଏ ନିର୍ମମ ଲୁଣ୍ଠନ ଭିତରେ ଶ୍ୱାସରୁଦ୍ଧ ହେଇ ବଞ୍ଚିବାର ପ୍ରୟାସ କରିବା ଅପେକ୍ଷା କାହିଁ ଭଲ ସେଇ ଅବସ୍ଥାକୁ ପୁଣି ଫେରିଯିବା ଯେଉଁଠି ଇଚ୍ଛାମତ ଭୋଜନ ଓ ରମଣ ଉପରେ କୌଣସି ନିୟନ୍ତ୍ରଣ ନାଇଁ, ଅବିଚାର ନାଇଁ, ମନର ଭ୍ରାନ୍ତି ନାଇଁ । ଗୋଟାଏ ସରଳ, ସୁଲଭ, ଭାଷାହୀନ, ଶାନ୍ତ ଜୀବନ ବହି ଯାଉଚି ପତ୍ରର ମର୍ମର, ଝରଣାର ଝଙ୍କାର ଆଉ ପୁଷ୍ପର ସୁଗନ୍ଧି ଭିତରେ ଉଚ୍ଛ୍ୱାସ ଭରା ଉଲ୍ଲାସ ଗତିରେ । ମୁଁ ସେଇ ପନ୍ଥାର ସାଧକ ।’’

 

ଦେଓଙ୍କ ଟିଣରୁ ଦୁଇଜଣ ଦୁଇଟି ସିଗାରେଟ୍‌ ତୋଳି ନେଲୁ । ଆମ ଦୁଇ ଜଣର ଚିନ୍ତା ଦୁଇ ବିପରୀତ ଦିଗରେ ଗତି କରୁଥିଲା । ସାମ୍ୟ ରହିଥିଲା କେବଳ ସିଗାରେଟ୍‌ର ଶ୍ରାନ୍ତିହର ପ୍ରଭାବରେ ।

 

(୫)

 

ଉପରବେଳା ଦେଓ ପୁଣି ଆସିଥିଲେ । ସୂଚନା ଦେଲେ, ମୋର ମୂର୍ଚ୍ଛିତ ରାତ୍ରିର ନିର୍ମୋହ ନୀରବତାକୁ ପ୍ରଣୟ କାକଳିରେ ମୁଖରିତ କରିବା ଅଭିଳାଷ ଯଦି ଥାଏ, ପ୍ରକାଶ କରିବାରେ ମୁଁ ଯେପରି କୁଣ୍ଠାବୋଧ ନକରେ । ଆହୁରି ଅନେକ କଥା; ତାଙ୍କର ଭାରତ ପରିଭ୍ରମଣ ବଳରେ ସେ କୌଣସି ଜାତିର ସୁନ୍ଦରୀକୁ ଭୋଗ କରିବାର ସୁଯୋଗ ହରାଇ ନାହାନ୍ତି । ନିଜର ଯୁକ୍ତିକୁ ଅକାଟ୍ୟ ଲାଗି ସେ ବାତ୍ସାୟନ, ଫ୍ରଏଡ୍‌, ଓ୍ୱିଲ୍‌ ହେଲ୍‌ମ୍‌ ଇତ୍ୟାଦିଙ୍କ ଉକ୍ତି ଉଦ୍ଧାର କରିବାକୁ ଛାଡ଼ି ନଥିଲେ ।

 

ଦେଓଙ୍କୁ ଆପଣାର କରି ନେବାର ସଦ୍‌ଭାବ ମୋ ଭିତରେ ନଥିଲା । ପଶୁତ୍ୱକୁ ଫେରିଯିବା ଭଳି ଉତ୍ପାତକ ଚିନ୍ତାକୁ ବ୍ୟକ୍ତିଗତ ରୁଚି ଦେଇ ପୁଷ୍ଟ କରିବା ବିଶ୍ୱାସ ନେବାରେ ମୁଁ ସାହସୀ ହେଇ ନଥିଲି । ବିବର୍ତ୍ତନ ଭିତରେ ମଣିଷକୁ ପ୍ରକୃତିର ମହା-ଚୂଡ଼ାନ୍ତ ବୋଲି ମାନି ନେବା ମୁଁ ଭ୍ରମାତ୍ମକ ମଣୁଥିଲି ଦେଓଙ୍କୁ ଦେଖି । ଷ’ କଳ୍ପିତ ଅତି-ମାନବ ଉପରେ ମୋର ଆଶା ଓ ବିଶ୍ୱାସ ପୁଞ୍ଜୀଭୂତ ହେଇଥିଲା ।

 

ସ୍ୱୀକାର କଲି,

 

‘‘କାମ ହେଲେ ଓ ମଣିଷର ପଶୁ ପରଂପରାଗତ ପ୍ରେମ କଣ ତା’ର ସଂପୂର୍ଣ୍ଣ ନିଜସ୍ୱ ନୁହେ ?’’

 

ସେ କହିଲେ,

 

‘‘ପ୍ରେମ ମନର ଗୋଟାଏ ବିଳାସ । ସେଥିରେ ପ୍ରୟୋଜନର ପ୍ରବଳତା ଥାଏନି । ପ୍ରୟୋଜନର ଅଭାବ ଦୁଇଟି ଗୁରୁତର ଅବସ୍ଥା ସୃଷ୍ଟି କରେ–ପୂର୍ଣ୍ଣତା ଅବା ଲୋପ । ଦୁଇଟିଯାକ ଆମ ପକ୍ଷରେ, ମୋର ମତରେ, ଅଗ୍ରାହ୍ୟ । କାମ ପ୍ରେମ ଭିତରେ ସୀମା ରେଖା ଟାଣିବା ମଧ୍ୟ କେବଳ କଳ୍ପିତ ଆଉ ଅବାସ୍ତବ; ଠିକ୍‌ ଦିଗନ୍ତ ଓ ଅନନ୍ତ ଭିତରେ ଟାଣିବା ଭଳି ।’’

 

ପଚାରିଲି,

 

‘‘ଆପଣ ଜୀବନଟାକୁ ଏଭଳି ଦେହ-ସର୍ବସ୍ୱ କରି ରଖିବା ଲାଗି ଏତେ ଆତୁର କାହିଁକି-?’’

 

ଦେଓ ହସିଲେ ବଡ଼ ସରଳ ଭାବରେ । ସେଇ ହସରେ ଗୋଟାଏ ଆତ୍ମସ୍ୱରୂପ ପ୍ରକାଶ ପାଉଥିଲା ଆଉ ସ୍ପଷ୍ଟ ବୁଝି ହେଉଥିଲା ତା’ ପଛରେ ସାଂସ୍କୃତିକ ସିଦ୍ଧି ।

 

‘‘ଏଇ ଟିକକ ଦେହ ଛାଡ଼ି ଦେଲେ ମୋର ଆଉ କିଛି ନାଇଁ । ମୋର ସବୁ ସ୍ୱପ୍ନ ଏଇ ଗୋଟିକୁ ନେଇ । ଏଇ ଦେହଟିକୁ ସନ୍ତୁଷ୍ଟ ଓ ପ୍ରଫୁଲ୍ଲ ରଖିବାହିଁ ମୋର ବ୍ୟକ୍ତିଗତ ଧର୍ମ । ବିବିଧ ତତ୍ୱ ଅନୁଶୀଳନ ଓ ବହୁଳ ଅଭ୍ୟାସ ଫଳରେ ମୁଁ ମୀମାଂସା କରିପାରିଚି, ଦେହ ସନ୍ତୁଷ୍ଟ ଓ ପ୍ରଫୁଲ୍ଲ ରହେ ଇଚ୍ଛାମତ ଭୋଜନ ଓ ରମଣରେ ।’’

 

‘‘ଦେହ ପରେ ?’’

 

‘‘ଦୁର୍ଭେଦ୍ୟ ଅନ୍ଧକାର ।’’

 

‘‘ଆତ୍ମା !’’

 

‘‘ଗୋଟାଏ କୁସଂସ୍କାର ।’’

 

ବାର୍ତ୍ତାଳାପ ଅଧିକ ବଢ଼େଇବାରେ ମୁଁ ଆଗ୍ରହ କରିନଥିଲି ।

 

ଅଗଣିତ ଶତାବ୍ଦୀର ଆଳସ୍ୟ, କ୍ରିୟାହୀନତା ଓ ପରିଶ୍ରମଭୋଜୀ ଜୀବନର ନିକୃଷ୍ଟ, ହିଂସ୍ର ପରଂପରା ଦେଓଙ୍କର ବୁଦ୍ଧିବୃତ୍ତି ବର୍ଦ୍ଧନକୁ ଶୋଚନୀୟ ଭାବେ ବ୍ୟାହତ କରି ହୀନ-ମାନବ ସ୍ତରକୁ ଓହ୍ଲେଇ ଆଣି ସାରିଚି । ସମାଜର ନିୟମ-ଶୃଙ୍ଖଳା, ସଭ୍ୟତାର ଆଲୋକ, ଉନ୍ନତ ଜୀବନର ଦର୍ଶନ ତାଙ୍କୁ କୌଣସିମତେ ପ୍ରଭାବିତ କରି ପାରିନି । ପ୍ରଜାପତି ଭଳି କେଉଁ ଅନାଦି କାଳରୁ ସେ ଯେପରି ତାଙ୍କର ଗୁଣ ଓ ବର୍ଣ୍ଣ ଅପରିବର୍ତ୍ତନୀୟ ରଖି ଆସିଚନ୍ତି । ସେଥିରେ ସେ ତୃପ୍ତ । ମୋର ବିସ୍ମୟର ଅବଧି ନଥିଲା ।

Image

 

ଅପସ୍ୱରା

(୧)

 

ଗ୍ରୀଷ୍ମ ଅପରାହ୍ନର ଅସ୍ୱସ୍ତିକର, ଧୂଳ-ମଳିନ, ରହଣିଆ ଉତ୍ତାପକୁ ଗୋଟାଏ ଅପ୍ରତ୍ୟାସିତ, ଉଦ୍‌ଭ୍ରାନ୍ତ ବର୍ଷା ଅସରା ନିଃଶେଷ କରି ଦେଇଚି । ମୋର ଘର ସାମନା ସଦ୍ୟସ୍ନାତ ଶେଫାଳୀ ଗଛଟିର ଶାନ୍ତ, ସରଳ, ନିରୀହ ସବୁଜିମା ନୟନାଭିରାମ ହେଇଚି । ପ୍ରାଚୀର ଅପର ପାର୍ଶ୍ୱରେ ଘଞ୍ଚ ଆମ୍ର ପତ୍ର ଭିତରେ ଆତ୍ମଗୋପନ କରି ଗୋଟାଏ ବିଳମ୍ବିତ, ନିଃସଙ୍ଗ କୋଇଲି ଅଯାଚିତ ଭାବରେ କୁହୁ ମେଲି ଦେଇଚି । ଆକାଶ ଓ ପବନରେ ଆସନ୍ନ ବ୍ରହ୍ମପୁରୀ ସନ୍ଧ୍ୟାର ପ୍ରସନ୍ନତା ମାତି ଉଠିଚି ।

 

ବ୍ୟବସାୟ ସଫଳ, ସନ୍ତୁଷ୍ଟ, ସମ୍ମାନିତ ଅଥଚ କିଞ୍ଚିତ୍‌-କ୍ଳାନ୍ତ ଗସ୍ତରୁ ଫେରି ମୁଁ ଅବନୀର ଚିଠିରୁ ପଢ଼ୁଥିଲି ‘ବିଭା’ର ମୋର ପ୍ରଣୟ ଉପେକ୍ଷା ସମ୍ବାଦ:

 

‘‘ମୋର ମନର ମଣିଷ ସେ ହେଇ ନପାରନ୍ତି ।’’

 

ବିଭାର କଣ୍ଠ ସ୍ପଷ୍ଟ, ନିଶ୍ଚିତ ।

 

ମୁଁ ମୁଣ୍ଡ ପୋତି ନୀରବରେ ବସିଥିଲି । ଆଖିରେ ନଥିଲା ଅଶ୍ରୁ, ନଥିଲା ଦୃଷ୍ଟି । ଧୀରେ ଧୀରେ ଅନୁଭବ କରିପାରୁଥିଲି, ବିଭା ଯେପରି ମୋର ଅଜ୍ଞାତରେ ମୋ ଭିତରୁ ଉଭେଇ ଯାଇଚି । ସେ କେଉଁ ରେଳ ଯାତ୍ରୀ ଗୋଟାଏ ଷ୍ଟେସନ୍‌ରେ ଉଠି ଅନ୍ୟ ଷ୍ଟେସନରେ ଓହ୍ଲେଇ ପଡ଼ିଚି । ମୋର ଦୀର୍ଘ ଯାତ୍ରାରେ କୌଣସି ଉଲ୍ଲେଖ୍ୟ ରଖିଯିବା ଚିନ୍ତା ସେ କେବେ କରି ପାରନ୍ତାନି । ମୋର ଆଗ୍ରହକୁ ବୁଝିବା ଲାଗି ତାର ଅବସର ଓ ଅବସ୍ଥା ନରହିବା ମଧ୍ୟ ସ୍ୱାଭାବିକ । ମୁଁ ତେବେ ଏ ପ୍ରବଣତା ପ୍ରକାଶ କଲି କାହିଁକି ? ଏହା କଣ ମାନବତା ନୁହେ ? ସୁନ୍ଦର ନୁହେ ? ସତ୍ୟ ନୁହେ ?

 

ଅନ୍ତରର ଅସ୍ୱାଭାବିକ ଶୂନ୍ୟତା ଭିତରେ ପ୍ରଶ୍ନର ଜଟିଳତା ମତେ କଲବଲ କରୁଥିଲା । କୋଇଲିଟାର କୁହୁରେ ତିକ୍ତ ବେଦନା ଓ ନୈରାଶ୍ୟ ସ୍ପଷ୍ଟ ହେଇ ଉଠୁଥିଲା । ବେଦନାରେ ମୁଁ ଅଭିଭୂତ ହେଇ ଯାଇଥିଲି ।

 

‘‘ବନ୍ଧୁ, ନେ ଟାଣ୍‌ ଗୋଟାଏ ସିଗାରେଟ୍‌ । ପୁଳାଏ ଧୂଆଁରେ ମନର ସବୁ ଗ୍ଳାନି ଉଡ଼ାଇ ଦେ । ପ୍ରୟୋଜନ ମନେ କଲେ ଗୋଟାଏ ସେଟ୍‌ର ବ୍ୟବସ୍ଥା ବି କରିଦେବି । ଯିଏ କବି, ଯିଏ ଦାର୍ଶନିକ ନୀଳକଣ୍ଠ ହେବାରେହିଁ ତା’ର ସାର୍ଥକତା । ଦୁନିଆର ସମସ୍ତ ହଳାହଳି କଣ୍ଠରେ ଧରି ଯିଏ ସ୍ୱସ୍ତିବାଚନ କରିପାରେ ତା’ର ଗଳାରେ ଜଣେ ଦୁର୍ବଳ ନାରୀର ପ୍ରଣୟ ମାଲ୍ୟ ! ହସେଇଲୁ ଭାଇ ହସେଇଲୁ । ହିନ୍ଦୁ ଦର୍ଶନ ପ୍ରତି ତୋର ଏ ଅବଜ୍ଞା ନିଶ୍ଚୟ ଗୁରୁତର ଦ୍ରୋହ’’

 

କେତେବେଳୁ ଆସି ଜ୍ଞାନୀନ୍ଦ୍ର ତା’ର ସ୍ୱଭାବ, ପରିହାସ-ମିଷ୍ଟ କଣ୍ଠରେ କହି ଚାଲିଚି । ଗୋଟାଏ ହାତରେ ତା’ର ଅବନୀର ଚିଠି; ଅନ୍ୟ ହାତରେ ମୋ ପାଇଁ ଉଦ୍ଦିଷ୍ଟ ସିଗାରେଟ୍‌ । ମୁଁ ନ ହସି ରହି ପାରିଲିନି ।

 

(୨)

 

ବିଭା ପ୍ରତି ମୋର ଅନୁରାଗ ଜ୍ଞାନୀନ୍ଦ୍ର ନିଶ୍ଚୟ ଲକ୍ଷ୍ୟ କରିପାରିଥିଲା ଆରମ୍ଭରୁ । କିନ୍ତୁ ମୋର ଅସାଧାରଣ ନୀରବତା, ହୁଏତ, ତା’ଭଳି ବନ୍ଧୁକୁ ମଧ୍ୟ ପରିହାସ କରିବା ପାଇଁ ସାହସ ଦେଉ ନଥିଲା । ନିଜକୁ ଅପ୍ରକାଶ୍ୟ ରଖିବା ଲାଗି ମୋର ସ୍ୱାଭାବିକ ନୀରବତାକୁ ମୁଁ ଜାଣିଶୁଣି ଯେତିକି କ୍ଳେଶକର ଓ ଗମ୍ଭୀର କରୁଥିଲି, ଜ୍ଞାନୀନ୍ଦ୍ର ମତେ ସେତିକି ସହଜରେ ବୁଝି ନେଉଥିଲା ! ଦିନେ ବନ୍ଧୁ ମେଳରେ କୌଣସି ପ୍ରସଙ୍ଗ କ୍ରମରେ ସେ ଇଙ୍ଗିତ କରିବାକୁ ମଧ୍ୟ ଭୁଲିନି,

 

‘‘ଜାଣିଶୁଣି ପୌରୁଷକୁ କ୍ଷୁର୍ଣ୍ଣ କରିବାରେ କଣ ଆନନ୍ଦ ମିଳିପାରେ ? ଏ ଯେପରି, ମୋର ମତରେ, ବୁଡ଼ି ମରିବା ବେଳର ପାଣି ଢୋକିବା ଆନନ୍ଦ ଭଳି ।’’

 

ବନ୍ଧୁମାନେ ସମସ୍ତେ ଜ୍ଞାନୀନ୍ଦ୍ରର ପରିହାସ ପ୍ରବଣତା ସଙ୍ଗେ ଅଭ୍ୟସ୍ତ । କେହି ତା’ର ମନ୍ତବ୍ୟର ଲିପ୍ତତା ବୁଝିବାକୁ ଆଗ୍ରହ କରି ନଥିଲେ । କିନ୍ତୁ ମୁଁ ବୁଝିଥିଲି, ମୁଁ ଆଉ ତା’ର ଅବୋଧ୍ୟ ନୁହେ ।

 

ଜ୍ଞାନୀନ୍ଦ୍ର ପାଖରେ ନିଜକୁ ଅକୁହା ରଖିବା ମତେ ବଡ଼ ବାଧୁଥିଲା । ମୋ ଭିତରେ ଯେଉଁ ଛନ୍ଦ ଭାଷା ଝଙ୍କାର ତୋଳୁଥିଲା ସେଥିରେ ଜ୍ଞାନୀନ୍ଦ୍ରକୁ ମୁଗ୍‌ଧ, ବିସ୍ମିତ କରିବା ଲାଗି ମୋର ଆକାଂକ୍ଷା ବଢ଼ୁଥିଲା ବେଳୁବେଳ । ଅଙ୍କଲକ୍ଷ୍ମୀ ବିହୀନ ବିଧୁର ଜୀବନରେ ସେ ଥିଲା ମୋର ଏକମାତ୍ର ବନ୍ଧୁ, ଦାର୍ଶନିକ, ପଥପ୍ରଦର୍ଶକ । ଜଣେ ଅପରିଚିତାକୁ ମନ ଭିତରେ ଗୋପନ କରି ଜ୍ଞାନୀନ୍ଦ୍ର ପାଖରେ ଲୁଚାଇବା ଭଳି ଅଶାନ୍ତି, ଅସୁନ୍ଦର ଓ ଗ୍ଳାନିକର ବୋଧ ହେଉଥିଲା ।

 

ନିଜର ସୃଷ୍ଟିରେ ନିଜେ ବିଭୋର ହେଇ ଦିନେ ଗୋଟାଏ କବିତାରେ ଶେଷ ମୂର୍ଚ୍ଛନା ସଂଯୋଗ କରୁଥିଲି–

 

‘‘ପାଇବା ଯେଉଁଠି ସହଜ ସୁଲଭ

ଖୋଜିବାରେ ବଳେ ମନ

ମୁକ୍ତିର ଗୀତ ଲହୁରେ ଭରିଲେ

ବନ୍ଧନ ଲୋଡ଼େ ପ୍ରାଣ ।’’

 

ଜ୍ଞାନୀନ୍ଦ୍ର ଆସି ପହୁଞ୍ଚିଲା । କବିତାଟି ପଢ଼ିସାରି କହିଲା,

 

‘‘ତୁ ମଲୁଣି ।’’

 

ହସି ହସି କହିଲି,

 

ମୁଁ ଅମୃତର ସନ୍ଧାନ ପାଇଚି ।’’

 

‘‘ସେଇ ଅଧରାମୃତ ତତେ ଚିରଦିନ ପାଇଁ ମୂକ କରିବ ।’’

 

‘‘ମୋର ଲୋଡ଼ା ନାଇଁ ଭାଷା, ଲୋଡ଼ା ନାଇଁ ଅଭିବ୍ୟକ୍ତି । ମୁଁ କେବଳ ନୀରବରେ ପ୍ରେମ କରିବାକୁ ଚାହେଁ । ଦୁଇଟି ମୃଣାଳ ବାହୁର ବନ୍ଧନ ଆଜି ସମସ୍ତ ବିଶ୍ୱର ପୁଷ୍ପମାଲ୍ୟ ଅପେକ୍ଷା ମୋ ଆଖିରେ ମହନୀୟ ହେଇ ଉଠିଚି ।’’

 

ଉତ୍ତେଜନା ଓ ପ୍ରବଣତାରେ ଖଟ ଉପରେ ବାହୁ ମେଲି ଗଡ଼ି ଗଲି । ‘‘ବ୍ରେଭୋ ! ବିଶ୍ୱ ଆଖି ମେଲି ଦେଖ । ଏଇ ଶବାଧାରରେ ଯେଉଁ ଶବ ସଜା ହେଇଚି, ଏହା ଲେନିନ୍‌ ନୁହେ, ଗାନ୍ଧୀ ନୁହେ, ବିବେକାନନ୍ଦ ନୁହେ, ଅରବିନ୍ଦ ନୁହେ, ଷ’ ମଧ୍ୟ ନୁହେ । ଏ ଥିଲା ଜଣେ ସାଧାରଣ ମଣିଷ । ଯା’ର ଅସାଧାରଣ ପ୍ରତିଭା ବିଶ୍ୱକୁ ନୂଆ ଆଲୋକ ଦେଇଥାନ୍ତା, ନୂଆ ବାଣୀ ଶୁଣାଇଥାନ୍ତା । ସେ ଆଜି ମୃତ । କିନ୍ତୁ ଏ ମୃତ୍ୟୁ ପ୍ରାକୃତିକ ନୁହେ; ଏହା ଆତ୍ମହତ୍ୟା । କବି ଜ୍ଞାନାନନ୍ଦ ନାରୀ ଅଧରର ବିଷପାନ କରି ଆତ୍ମହତ୍ୟା କରିଚି; ଜୀବନ ଦେଇ ମରଣର ପବିତ୍ରତାକୁ କଳୁଷିତ କରିଚି ।’’

 

ଧଡ଼ପଡ଼ରେ ଖଟ ଉପରୁ ଉଠି ପଡ଼ି ଜ୍ଞାନୀନ୍ଦ୍ରକୁ ଗୋଟାଏ ଚୌକୀ ଉପରକୁ ଠେଲି ଦେଇ କହିଲି,

 

‘‘ତତେ ଜୁହାର କରୁଚି ଜ୍ଞାନ, ପ୍ରକୃତିସ୍ଥ ହ’ । I am really serious.’’

 

ବିମର୍ଷତାର ଛଳନା କରି ଜ୍ଞାନୀନ୍ଦ୍ର କହିଲା,

 

‘‘କେତେ ବଡ଼ funeral speech ଟାକୁ ମାଟି କରି ନ ଦେଲୁ ! ପ୍ରୟାଗରେ ଗାନ୍ଧିଜୀଙ୍କ ଭସ୍ମ ବିସର୍ଜନ ବେଳେ ପଣ୍ଡିତ ନେହେରୁଙ୍କ ଖେଦୋକ୍ତି ଠାରୁ ମୋର ଟେମ୍ପୋ କଣ କମ୍‌ ଥିଲା !’’

 

ମୁଁ ପୁନରୁକ୍ତି କଲି,

 

‘‘I am really, awefully serious.’’

 

‘‘Don't be silly. ଏଥିରେ ଗୁରୁତ୍ୱ ଦେବାର କଣ ଅଛି । ତୁ ପ୍ରେମ କରି ଜାଣୁନା’’

 

‘‘ମୁଁ ଅପଦାର୍ଥ ନୁହେ ।’’

 

‘‘ମୁଁ ତ ସେଇ କଥାଇ କହୁଚି । ତୋର ଏଭଳି ପ୍ରେମକୁ ସେମାନେ ମୂଲ୍ୟ ଦେବେନି । ସେମାନେ ପ୍ରେମର ଷ୍ଟାଇଲ୍‌ ଚାହିଁବେନି; ଚାହିଁବେ ଫେଷନ୍‌ । ବିଭୋରତା ଚାହିଁବେନି; ଚାହିଁବେ ଉତ୍ସୃଙ୍ଖଳତା ।

 

ନାୟିକା ପୁଣି ତଥା କଥିତ ଆଧୁନିକତା ।’’

 

ବିରକ୍ତ ହେଇ କହିଲି, ‘‘କିଛି ନ ଶୁଣି ଗୋଟାଏ ମନ୍ତବ୍ୟ କରି ଦେବା ବଡ଼ ଅନ୍ୟାୟ ।’’

 

‘‘କଣ ଶୁଣିବାକୁ କହୁଚୁ, କହ ।’’

 

ଶୁଣିବା ପାଇଁ ପ୍ରସ୍ତୁତ ହେବା ଠାଣିରେ ସେ ଚୌକୀ ଉପରେ ଆଉଜି ବସିଲା । କଣ୍ଠରେ ସମସ୍ତ ଉଦ୍‌ବିଗ୍ନତା ଭରି କହିଲି,

 

‘‘ମୁଁ ତା’ର ଜଣେ ଆତ୍ମୀୟ ପାଖରେ ମୋର ଅଭିଳାଷ ବ୍ୟକ୍ତ କରି ଦେଇଚି ।’’

 

‘‘କିଛି ଉତ୍ତର ପାଇଲୁ ?’’

 

‘‘ସେ ଅବଶ୍ୟ ସମୟ ଚାହିଁବା କଥା ।’’

 

‘‘ତୁ ଭୟଙ୍କର ଭୁଲ କଲୁ । ସାମାଜିକ ଆଚାର ନମାନିବା ତୋର ଠିକ୍‌ ହେଇନି । ମୋର ଆଶଙ୍କା ହୁଏ, ତୁମ ପ୍ରୀତିକର ଉତ୍ତର ପାଇବୁନି ।’’

 

‘‘ସାମାଜିକ ଆଚାର ଅପେକ୍ଷା ମୁଁ ମାନବତାକୁ ଅଧିକ ସମ୍ମାନ ଦିଏ । ମନରେ ଗୋଟାଏ ଅମାନିଆ ଚିନ୍ତା ରଖି ସେମାନଙ୍କର ସରଳ, ସୌହାର୍ଦ୍ୟପୂର୍ଣ୍ଣ ବ୍ୟବହାରକୁ ପ୍ରବଞ୍ଚନା କରିବା ମୋର ଉଦ୍ଦେଶ୍ୟ ନୁହେ । କାହାର ଆଦର, ଆପ୍ୟାୟନର ବ୍ୟଭିଚାର କରିବା ମୁଁ ଘୃଣାହିଁ କରେ । ଏଥିଲାଗି ମତେ ଯଦି ବିଭାକୁ ହରେଇବାକୁ ପଡ଼େ ମଧ୍ୟ, ମୁଁ ଦୁଃଖିତ ହେବିନି ।’’

 

‘‘ହରେଇବା ମତେ ଜଳ ଜଳ ଦେଖା ଯାଉଚି ।’’

 

‘‘ଈଶ୍ୱରେଚ୍ଛା ।’’

 

ମୋର ଦମ୍ଭ ବାହାରେ ପ୍ରକାଶ ପାଇଥିଲା କେବଳ । ଭିତରେ ଦକ ଛୁଇଁଥିଲା । ବିଭାକୁ ହରେଇବା କଥା ମୁଁ ଏତେ ସହଜରେ ଗ୍ରହଣ କରିବାକୁ ସାହସ କରିପାରୁ ନଥିଲି ।

 

ଉଭୟେ କିଛିକ୍ଷଣ ନୀରବ ରହିଲୁ । ଆମର ଚିନ୍ତାରେ ସାମ୍ୟ ରକ୍ଷା ହେଉ ନଥିଲା । କିନ୍ତୁ ନୀରବ ଗମ୍ଭୀର ରହିବା ଜ୍ଞାନୀନ୍ଦ୍ରର ରକ୍ତରେ ସହେନି । କହିଲା,

 

‘‘ତୁ ବିଭା ଉପରେ ପ୍ରଭାବ ପକେଇ ପାରିଲୁନି ?’’

 

‘‘ତା’ ସାମନାରେ ମୁଁ କେବେ ମୁହଁ ଖୋଲି ପାରନ୍ତିନି ।’’

 

‘‘ଏ ବିଦ୍ୟାରେ ଯେବେ ପ୍ରବେଶ ନାଇଁ, କେବଳ ମନେ ମନେ ଏତେ ଆଗେଇଗଲୁ କାହିଁକି ?’’

 

‘‘ପ୍ରେମରେ ମୁଁ ଦେହକୁ ଭଡ଼ା ଖଟେଇବା ପସନ୍ଦ କରିନି । ମୋର ସଂସ୍କୃତି ରକ୍ଷା କରିବାରେ ମୁଁ ସବୁବେଳେ ସଜାଗ ରହେ ।’’

 

‘‘ଏଇଠି ସଂସ୍କୃତି ଅପେକ୍ଷା ସାମାଜିକତାର ମୂଲ୍ୟ ବେଶି । ବିଶେଷରେ ସେମାନେ ଯେତେବେଳେ ଅଭିଜାତ ଶ୍ରେଣୀର ।’’

 

‘‘ସେମାନେ ଅଭିଜାତ ନୁହନ୍ତି; ମୋ ଭଳି କୁଳୀନ ।’’

 

ଜ୍ଞାନୀନ୍ଦ୍ର ସବୁବେଳେ ବିବାଦର ଦୂରରେ । ମତେ ଶୁଭେଚ୍ଛା ଜ୍ଞାପନ କରି ବିଦାୟ ନେଇଥିଲା ।

 

(୩)

 

କିଶୋର ଅବସ୍ଥାରୁ ଆଜିର ବିକାଶିତ ଯୌବନ ପର୍ଯ୍ୟନ୍ତ ଲକ୍ଷ୍ମୀ ଉପସ୍ଥିତ ଅବା ପ୍ରସ୍ଥିତିରେ, ସବୁବେଳେ ଥିଲା ମୋର ଜୀବନ-ଶକ୍ତିର ଏକମାତ୍ର ଉତ୍ସ । ଚାରିବର୍ଷତଳେ ଲକ୍ଷ୍ମୀର ବିୟୋଗ ପରେ ମୁଁ ମୋର ହସମଂଜୁଳ, ଆଲୋକସ୍ନାତ ଜୀବନରୁ ବଞ୍ଚିତ ହେଇ ଆସିଲି କୋଳାହଳପୂର୍ଣ୍ଣ ବିଶ୍ୱର ଜଞ୍ଜାଳ ଭିତରକୁ ଜ୍ଞାନୀନ୍ଦ୍ର ସାନ୍ତ୍ୱନା ଦେଇଥିଲା,

 

‘‘ଈଶ୍ୱର ତତେ ମୁକ୍ତି ଦେଇଚନ୍ତି । ଗୋଟାଏ ଛୋଟ ଘରର ସୀମା ଭିତରେ ଆବଦ୍ଧ ରହିବା ପ୍ରାଣ ତୋର ନୁହେ । ସମଗ୍ର ମାନବ ଜାତି ପାଇଁ ତୋତେ ଉତ୍ସର୍ଗ କରିଦେଇ ଲକ୍ଷ୍ମୀ ମହାପ୍ରସ୍ଥାନ କରିଚି । ଜଣେ ପତି-ପ୍ରାଣ ନାରୀର ନିବିଡ଼ ବାହୁବନ୍ଧନ ଭିତରେ ତୁ ମୁକ୍ତ ଥିଲୁ । ବର୍ତ୍ତମାନ ମୁକ୍ତି ଭିତରେ ତୋର ମହାବନ୍ଧନ, ମାନବ ଜାତିର ବନ୍ଧନ ।

 

ମୋର ତପସ୍ୟା ଆରମ୍ଭ ହେଲା । ନିଜର ଦୁଃଖ ଭୁଲିଯାଇ ମଣିଷର ଲହୁ ଲୁହର ଶ୍ୱାସ ଗ୍ରହଣ କରିବାକୁ ମୁଁ ମୋର ପ୍ରାଣକୁ ପ୍ରସ୍ତୁତ କରିନେଲି । ମୋର ଦିନକର ରସସ୍ନିଗ୍‌ଧ ରଚନା ଅଶ୍ରୁସିକ୍ତ ହେବାକୁ ଲାଗିଲା । ଜୀବନ ଉପରେ ନୂଆ ଆଲୋକ ପ୍ରତିଫଳିତ ହେଉଥିଲା ।

 

କିନ୍ତୁ ମୁକ୍ତ ଜୀବନର ବ୍ୟାପ୍ତ ଅସମାପ୍ତି, ପଣତ ପବନର ଉଦ୍‌ଭିଦଗତ, ନିଷ୍ଠୁର ପ୍ରୟୋଜନୀୟତା, ପରସ୍ପର ବିରୋଧୀ ସାମାଜିକ ଜୀବନର କରୁଣ ନିର୍ଲ୍ଲଜ୍ଜତା କିଛିଦିନ ଧରି ମୋର ମନକୁ ବନ୍ଧନାଭମୁଖୀ କରୁଥିଲା । ଘଟଣାଚକ୍ରରେ ବିଭା ସଙ୍ଗେ ପରିଚୟ । ପରିଚୟରୁ ଆଗ୍ରହ, ଆଗ୍ରହରୁ ଅନୁରାଗ, ଅନୁରାଗରୁ ପରିଣୟ ଆକାଂକ୍ଷା ବଳବତୀ ହେଇ ଉଠିଲା । କିନ୍ତୁ ମନ ଜାଣନ୍ତି କିମିତି ?

 

(୪)

 

ବିଭାକୁ ହରେଇବାର ଆଶଂକା ଜାତ କଲା ଜ୍ଞାନୀନ୍ଦ୍ର । ଛାତିରେ ଛନକା ପଶିଲା । ମୋର ଅବ୍ୟକ୍ତ ପ୍ରେମର ଐଶ୍ୱରିକ ପ୍ରଭାବ କଣ ବିଭାର ପ୍ରାଣକୁ ସ୍ପର୍ଶ କରି ନଥିବ ! ଯେଉଁ ଆବେଗ ଭାଷା ଦେଇ ବ୍ୟକ୍ତ ହୁଏ ସେଥିରେ କ୍ଷଣିକ ଇନ୍ଦ୍ରିୟ ଉତ୍ତେଜନା ଆସିଥାଏ ସତ, କିନ୍ତୁ ଅନ୍ତର କଣ ରସାପ୍ଳୁତ ହୁଏ ? ଚିନ୍ତାରେ ପ୍ରଶ୍ନୋତ୍ତରୀର ବନ୍ୟା ଛୁଟିଲା ପ୍ରବଳ ଭାବରେ । ମୋର ମାନସିକ ସ୍ଥିତି ସାମ୍ୟ ନଷ୍ଟ ହେବାର ଉପକ୍ରମ କଲା । ମୁଁ ନିଜକୁ ନିଜେ ପ୍ରମାଦ ଗଣିଲି । ବିଭା ଘରକୁ ଯିବା ବନ୍ଦ କଲି ।

 

ମୁଁ ନିଶ୍ଚିନ୍ତ ହେଲି । ମୁଁ ଯାହା କରିଚି ଠିକ୍‌ କରିଚି । ମାନବତାକୁ ବଳି ଦେଇ, ଦେହକୁ ଭଡ଼ା ଖଟେଇ ପ୍ରେମ ଆହରଣ କରିବାର ପ୍ରାଣ ମୋର ନାଇଁ । ବିଭା ଯଦି ମତେ ଉପେକ୍ଷା କରେ ବୁଝିବି, ତାହାହିଁ ମୋର ଉଚିତ ପ୍ରାପ୍ୟ । ମୁଣ୍ଡ ନୁଆଇଁ ଗ୍ରହଣ କରିବି ତା’ର ଦାନ । ବହୁତ ଭୀରୁ, ଲଜ୍ଜାଶୀଳ ପଣତ ମୋ ଦେହରେ ଗୁଡ଼େଇ ହେବା ପାଇଁ ପ୍ରୟାସ କରିଚନ୍ତି; ମୁଁ ଧରା ଦେଇନି । ମତେ ଯଦି କିଏ ଧରା ନ ଦେଲା ଦୁଃଖ କାହିଁକି ? ମାନବ ସୃଷ୍ଟିରେ ଏଇ ଲୁଚକାଳି ଖେଳ ଚାଲି ଆସିଚି; ଚାଲିବ । ଏଥିର ଜୟ ପରାଜୟର ଇତିହାସ ଖୁବ୍‌ ବେଶୀ ରଖି ହୁଏନା । ଏଭଳି ଇତିହାସର ମଧ୍ୟ କୌଣସି ସ୍ୱତନ୍ତ୍ର ମୂଲ୍ୟ ନାଇଁ । ଏଥିରେ ସତ୍ୟ ଉଦ୍‌ଭାସିତ ହୁଏନି; ଆଚ୍ଛାଦିତ ହୁଏ-। ମମତାଜର କବର ଉପରେ ସ୍ମୃତି ଅଶ୍ରୁ ଢାଳିବାର ଆନନ୍ଦ ଅପେକ୍ଷା ତାଜମହଲ ସୃଷ୍ଟି କରିବାର ଗୌରବ ଆକାଂକ୍ଷା ଷା’ଜାହାଁକୁ ବିଶେଷ ଅନୁପ୍ରାଣିତ କରିଥିଲା । ମମତାଜର ପ୍ରେମ ଷା’ଜହାଁର ଐଶ୍ୱର୍ଯ୍ୟସିକ୍ତ ଉଚ୍ଚ ଆକାଂକ୍ଷା ମୂଳ ର ବିଲୀନ ହେଇ ଯାଇଥିଲା । ମୋର ପ୍ରେମ ଯଦି ବିଭାର ଅନାଘ୍ରାତ କୁମାରୀ ମନର ଉଦ୍ଧତ ସତୀତ୍ୱ ଅଭିମାନ ତଳେ ଦଳି ହେଇଯାଏ, ସେଥିରେ ଷା’ଜହାଁନୀ କଳ୍ପନାର ସତ୍ୟତା ପ୍ରତିପାଦିତ ଦେବ ସିନା ! କିନ୍ତୁ ବିଭାର ସତୀତ୍ୱ ଅଭିମାନ ଆଉ ଷା’ଜହାଁର ତାଜମହଲା ପଛରେ ମୋର ଆଉ ମମତାଜର ପ୍ରେମହିଁ ଚିରନ୍ତନ । ଆଜିର ହସ ରୋଳ ଭିତରେ ଯାହା ଉଡ଼େଇ ଦିଆହୁଏ, କାଲିର ଲୁହରେ ତାହାହିଁ ସମ୍ବଳ ହେଇ ଫେରେ ବିଭା ବୁଝିବନି-?

 

(୫)

 

ବ୍ୟର୍ଥ କୁହୁର ନିବେଦନ ସାରି ବିଚ୍ଚନ କୋଇଲିଟି ଉଡ଼ି ଯାଇଚି । ପ୍ରଥମ ରାତ୍ରିର ତରଳ ଅନ୍ଧକାର ଭିତରେ ଆମ୍ରବାଟିକା ଆବୃତ ହେଲାଣି । କେବଳ କେତେଟା ଜୁଳୁଜୁଳା ପୋକ ଉଡ଼ୁଚନ୍ତି ଉଦ୍ଦେଶ୍ୟହୀନ ଭାବରେ । ଶେଫାଳୀ ଗଛଟା ପ୍ରେତାତ୍ମା ଭଳି ମୋ ଆଗରେ ଠିଆ ହେଇଚି । ଅନ୍ଧକାର ଭିତରେ ଜ୍ଞାନୀନ୍ଦ୍ରର ସିଗାରେଟ ନିଆଁ ଦପଦପି ଉଠୁଚି । ଚୌକୀ ଉପରୁ ଉଠିପଡ଼ି ଜ୍ଞାନୀନ୍ଦ୍ରର ପଦଚାରଣା କରିବାକୁ ବୁଝୁଥିଲି, ସେ ଉତ୍ୟକ୍ତ ହେଇ ଯାଇଚି । ଚିଠିର କେତେଟା ନିରୀହ ଅଥଚ ଅହେତୁକ ଅପେକ୍ଷା ତାକୁ ହୁଏତ ନିର୍ଦ୍ଦୟ ଓ ଅବଜ୍ଞାସୂଚକ ମନେ ହେଇଚି ।

 

ମୋର ନଜର ଥିଲା ବିଭା ଘର ବାହାର କୋଠରୀର ଗୋଟାଏ ଛବି ଉପରେ । କେଉଁ ଚପଳମତି ବାଳକ, ଖେଳୁଆଳ ବୁଦ୍ଧିରେ ହୁଏତ, ଗୋଟାଏ ଅଜ୍ଞାତ ବ୍ୟଙ୍ଗ ଚିତ୍ର କାନ୍ଥରେ ଟାଙ୍ଗି ତା’ର ଗଳାରେ ଫୁଲମାଳ ଲମ୍ବାଇ ଦେଇଚି । ଏଇ ଚିତ୍ର ମୋର ମନରେ ଗଭୀର ରେଖାପାତ କରିଥିଲା । ଦିନେ ପ୍ରସଙ୍ଗ କ୍ରମରେ ବିଭାକୁ କହିଥିଲି,

 

‘‘ବିଶ୍ୱରେ କୁରୂପ ଓ କୁତ୍ସିତରହିଁ ଆଦର ବେଶି । ତା’ର ଗଳାରେ ମାଳା ଦେବା ଲାଗି ଆଗ୍ରହ ସବୁରି । ମୁହଁ ଯଦି ମନର ଦର୍ପଣ ବୋଲି ଧରି ନିଆଯାଏ, ଏଇ ଛବି ଆଶ୍ଚର୍ଯ୍ୟ ଭାବେ ଆଜିର ବଣିକପ୍ରାଣ ସଭ୍ୟତାକୁ ପ୍ରତିଫଳିତ କରିଚି ।’’

 

ବିଭା ଚିତ୍ରଟିକୁ କାନ୍ଥରୁ ଉଠେଇ ନେବାକୁ ଚାହିଁଥିଲା । ମୁଁ ମନା କରିଥିଲି । ଚିତ୍ର ତା’ର ଉଚିତ ସମ୍ମାନରୁ ବଞ୍ଚିତ ହେଇପାରି ନଥାନ୍ତା । ମୋର ଫେରି ଆସିବାହିଁ ନ୍ୟାୟସଙ୍ଗତ ହେଇଚି ।

 

ଗୋଟାଏ ରୁଦ୍ଧଶ୍ୱାସ ମୋର ଛାତି ଭିତରୁ ମୁକୁଳିଗଲା । କୌଣସି ବିବାହିତ ସଂଳାପର ଛିନ୍ନସୂତ୍ର ଗୁନ୍ଥି ଦେବା ଭଳି ଜ୍ଞାନୀନ୍ଦ୍ର କହିବା ଆରମ୍ଭ କରିଚି,

 

‘‘ମୁଁ ଖୁବ୍‌ ଜାଣିଥିଲି, ସେମାନେ ପାଣ୍ଡିତ୍ୟର ମୂଲ୍ୟ ଦେବେନି; ଦେବେ ବିଶ୍ୱବିଦ୍ୟାଳୟ ଉପାଧିର । ସେମାନେ କବିତ୍ୱ ବୁଝନ୍ତିନି; ବୁଝନ୍ତି ବ୍ୟବସାୟ ଭାଷା । କବି ମନର ଅଫୁରନ୍ତ ଯୌବନ ସଙ୍ଗେ ସେମାନଙ୍କ ପରିଚୟ ନାଇଁ, ଅଛି ବୟସ ସଙ୍ଗେ । ସେମାନଙ୍କର ସମ୍ମାନ ମୋଟା ଦରମାରେ; ଲକ୍ଷ ପ୍ରାଣର ପ୍ରଣତିରେ ନୁହେ । Bravely they do not speculate; sheepishly they Calculate. ଚରିତ୍ରର ସହଜାତ ସ୍ନିଗ୍‌ଧତାରେ ସେମାନେ ଆକର୍ଷିତ ହୁଅନ୍ତିନି; ହୁଅନ୍ତି ବର୍ଣ୍ଣୋଜ୍ୱଳତାରେ । ପବିତ୍ର ପିତୃତ୍ୱରେ ସେମାନେ ଗୌରବ ଦିଅନ୍ତିନି; ଦିଅନ୍ତି ମଳିନ ଯୌନ ଜୀବନର କୃତ୍ରିମ ଆଡ଼ମ୍ବରରେ ।

 

ଜ୍ଞାନୀନ୍ଦ୍ରର କଟୁକ୍ତିମତେ ଅସହ୍ୟ ବୋଧ ହେଉଥିଲା । ମୁଁ ସେ ବିଭାକୁ ସ୍ନେହ କରିଚି ସେ ଭୁଲି ଯାଉଚି କିମିତି ? କଠୋର କଣ୍ଠରେ କହିଲି,

 

‘‘ଚୂପ୍‌କର ଜ୍ଞାନୀନ୍ଦ୍ର, ଯଥେଷ୍ଟ ହେଲାଣି । ଯେ କେଉଁ ବିଷୟକୁ ନିଜସ୍ୱ ଦୃଷ୍ଟିର ବିଚାର କରିବା ଅଧିକାର ସମସ୍ତିଙ୍କର ଅଛି । ତୁ ଯଦି ବିଶ୍ୱାସ କରୁ, ଜଣେ ନାରୀର ବାହୁବନ୍ଧନ ମୋ ପକ୍ଷରେ କଳଙ୍କ ଅଯଥା ସେମାନଙ୍କ ଉପରେ ବିଷ ଝାଡ଼ୁଚୁ କାହିଁକି ? ସେମାନେ ଦୁନିଆଳୀ ଜୀବନର ନିର୍ଦ୍ଦୋଷ ଅପସ୍ୱର ଦୋଷରୁ ମୁକ୍ତ ନୁହନ୍ତି । ଅପସ୍ୱର ତତ୍ୱ ଉପରେହିଁ ଧରଣୀର ମହାସଙ୍ଗୀତ ରଚନା । ଏଇ ପ୍ରେମ ସଙ୍ଗୀତର ମଧୁର ମୂର୍ଚ୍ଛନା ଭିତରେ ବହୁ ଭାବୁକ ଜୀବନ ଲୀନ ହେଲାଣି । ତା’ର ସାର୍ଥକତାର ବିଚାର ବ୍ୟକ୍ତିଗତ ସିଦ୍ଧି ଉପରେହିଁ ନିର୍ଭର କରେ ।’’

 

ଜ୍ଞାନୀନ୍ଦ୍ର ଉଲ୍ଲସିତ ହେଇ ଉଠିଲା,

 

‘‘ତୁ ତେବେ ମୁକ୍ତ !’’

 

‘‘ବନ୍ଧନ ମୁକ୍ତ; ବିଭା-ମୁକ୍ତ ନୁହେଁ । ବିଭା ସଙ୍ଗେ ଘର କରିବା ହୁଏତ ବିଡ଼ମ୍ବନା ହେଇପାରେ । କିନ୍ତୁ ମୋର ବ୍ୟାପ୍ତ ଭାବାକାଶରେ ମୁକ୍ତ ଅପସ୍ୱରର ପ୍ରତୀକ ହେଇ ରହିବ ସେ । ଅନ୍ତର ଭିତରେ ସେ ମତେ ଦେବ ସଙ୍ଗ । ଦୈନିନ୍ଦିନ ଜୀବନର ସବୁ କିଛିରେ ତାକୁ ଯୁକ୍ତ ଆସଙ୍ଗ ଲଭିବା ଲାଗି ମୁଁ ଆଉ ଆଗ୍ରହିତ ନୁହେ । ବିଭା ମୋର ପାନ ପାତ୍ରର ସୁରା ନୁହେ; ସେ ମୋର ରସପାୟୀ ପ୍ରାଣର ଅଫୁରନ୍ତ ସୁଧା ନିର୍ଝର । ମୋର ଦୈହିକ ପ୍ରେମକୁ ଉପେକ୍ଷା କରି ସେ ମୋ ଆଖିର ଶାଶ୍ୱତ ହେଇ ଉଠିଚି ।

 

ଜ୍ଞାନୀନ୍ଦ୍ରର ପରିହାସ ପ୍ରବଣତା ଫେରି ଆସିଚି,

 

‘‘ନେ, ସିଗାରେଟ୍‌ ଟାଣ୍‌ ।’’

 

ସିଗାରେଟ୍‌ରେ ନିଆଁ ଧରେଇଲି ।

 

‘‘ଆଉ କିଛି ଦରକାର ?’’

 

‘‘ନା ।’’

 

‘‘ହ୍ୱାଇଟ୍‌ ହ’ର୍ସ ?’’

 

‘‘ନା ।’’

 

‘‘ସିନେମା ?’’

 

‘‘ନା ।’’

 

‘‘ଶତ ଅଙ୍କର ସତୀ ?’’

 

‘‘ନା ।’’

 

‘‘ତେବେ-’’

 

‘‘କେବଳ ଜ୍ଞାନୀନ୍ଦ୍ର ।’’

 

ମୁଁ ଆଉ କିଛି କହିବା ପୂର୍ବରୁ ଉନ୍ନତ୍ତ ପ୍ରେମିକ ଭଳି ମତେ ପୋଟାଳି ଧରି ଜ୍ଞାନୀନ୍ଦ୍ର କହୁଥିଲା,

 

For God’s sake hold your tongue

 

And let me love.

 

ଶିବ-ଚତୁର୍ଦ୍ଦଶୀ

(୧)

 

ଧେତ୍‌, ସମାଧନ ପାଇଁ ଏତେ ତଳକୁ ଖସିଯିବା ମୋଟେ ପ୍ରୀତିକର ଲାଗୁନି । ତମାଖୁ ପତ୍ର ପୋଡ଼ି ପେଟ ଭିତରକୁ ଧୂଆଁ ଟାଣିବା ହୁଏତ ଅତ୍ୟଜ୍ୟ ହୋଇପାରେ, କିନ୍ତୁ, କେପଷ୍ଟନ୍‌ ଟୋବାକୋ ଆଉ ଲକ୍ଷ୍ମୀ ମାର୍କା ବିଡ଼ି ! ତଫାତ ଆକାଶ ପାତାଳ ।

 

ତଫାତଟାକୁ ମାନି ନେବା ମଣିଷର ଅତୁଟ ପରଂପରା । ଉପରେ ଆକାଶ, ତଳେ ପାତାଳକୁ ରଖି ସେ ମାଟି ଉପରେ ପାଦ ପକେଇ ଚାଲେ । ଏଇ ମାନି ନେବାଟାଇ ଗୋଟାଏ ପରାଜୟ । ଧାରାବାହିକ ପରାଜୟ ଭିତରେ ମଣିଷ ବିଜେତାର ଜୀବନ ଯାପେ । ପରାଜିତର ମନ ନେଇ ବିଡ଼ିରେ ନିଆଁ ଧରେଇଲି । ମଣିଷର ବିଜୟ ଆନନ୍ଦ ମୋ ପ୍ରାଣରେ ଲହଡ଼ି ଭାଙ୍ଗୁଥିଲା ।

 

ଶ୍ରୀକାନ୍ତ ନୂଆରେ ମୋଟର କିଣିଚି । ସଞ୍ଜ ବେହରଣ ତା’ର ଗୋଟାଏ ସାମୟିକ ନିଶା ହେଇ ଉଠିଚି । ଭଣ୍ଡାରିଟା ଆସିବ ପରା, ଗୋଡ଼ ଦୁଇଟା ଆଣ୍ଠୁ ପାଖକୁ ଛିଡ଼ି ପଡ଼ିଲା ପରି ବୋଧ ହେଉଚି । ଝାଡ଼ି ନ ଦେଲେ ଜୋତା ହଳକ ଆଉ ସକାଳ ପିନ୍ଧି ଦେବନି ।

 

ମୋଟର ଚକ ଗଡ଼ି ଗଡ଼ି ଚାଲେ । କାଉଚ୍‌ ଉପରେ ଶ୍ରୀକାନ୍ତ ଆରାମରେ ଢୁଳେଇ ପଡ଼େ । ଗାଡ଼ିର ଝାଙ୍କୁଣିରେ ଝୁଲେ, ଦୋହୋଲେ । ଚମକି ଉଠଇ ଆଖି ମଳେ । ସାମନାର ପୋଲ ସଙ୍ଗେ ଗାଡ଼ିଟା ଧକ୍‌କା ଖାଇନି ତ ।

 

ହେ-ହେ-ହେ-ହୈ..........

 

ମାଡ଼ିଥିଲା ତ ଠିକ୍‌ । ଝଟକାଓ୍ୱାଲା ଗୋଟାଏ ବିଚିତ୍ର ଜୀବ । ସାନ୍ନିଧ୍ୟ ଓ ସହବାସ ଦୋଷରୁ ତା’ର ସ୍ୱରଟା ଘୋଡ଼ା ଖିଙ୍କାର ପାଲଟି ଯାଇଚି । ତା’ର ଦେହାନ୍ତର ଘଟୁଚି ପ୍ରତି ନିମେଷରେ । ମଣିଷ ପଶୁ ଅବସ୍ଥାକୁ ଫେରି ଯାଉଚି ?

 

କି ଦୁଷ୍ଟ ଏ ଚିନ୍ତା !

 

‘‘ଠିକ୍‌ ହେଇ ଚାଲନ୍ତୁ ।’’

 

‘‘ଓ, କ୍ଷମା କରିବେ ।’’

 

ହସ ଲାଗେ । ଗାଡ଼ିରେ ବସି ମଣିଷ ଚମକୁଚି;

 

ରାସ୍ତାରେ ଚାଲିଲା ବେଳେ ଚମକୁଚି । ମଣିଷ ଦେହରୁ ଚମକ ଛଡ଼େଇବାର ଉପାୟ ନାଇଁ । ସମଗ୍ର ମଣିଷ ଜାତି ଆଜି ଚମକୁଚି ।

 

ବିଡ଼ିର ପେଜୁଆ ଧୁଆଁ ଘର ଭିତରେ କୁହୁଡ଼ି ରଚନା କଲାଣି । ଗଳା ଭିତରଟା କିମିତି ପୋଡ଼ିଲା ବୋଧ ହେଉଚି । ପେଟ ଭିତରୁ ଓଟାର ଉଠୁଚି । ରକ୍ତ ଭିତରେ ଶ୍ରେଣୀ ଚେତନା ବିକଳ ହେଲାଣି ।

 

ସମୀର ଗୋଟାଏ ମାକ୍ରୋପୋଲୋ ସିଗାରେଟ୍‌ ଦେଇଥିଲା । ଗୋଟିକର ଦାମ ଦଶ ପଇସା । ସୁଗନ୍ଧିରେ ରୁନ୍ଧି ହୋଇ ଯାଇଥିଲି । ଦଶ ପଇସାରେ କଠାଏ ବିଡ଼ି । ଦୁନିଆଟାକୁ ସହଜ, ସରଳ କରିବା ନିତାନ୍ତ ଜରୁରୀ ହେଇ ପଡ଼ିଲାଣି । ବିଡ଼ି ଜିନ୍ଦାବାଦ ।

 

ତଳେ ପଡ଼ି ଦରପୋଡ଼ା ବିଡ଼ି କୁହୁଳୁଚି । ଧୁଆଁଟା ଗୋଟାଏ ରୂପ ଧରିବାର ପ୍ରୟାସ କରୁଚି । ଦୁନିଆରେ ଯେତେ ଯେଉଁଠି ଦରପୋଡ଼ା ମଣିଷ ମାଟିଉପରେ ଛାଟିହେଇ ପଡ଼ିଚନ୍ତି ସମସ୍ତେ କୁହୁଳିଲେଣି ।

 

ମନ ଭିତରେ କବିତା ଗଢ଼ି ହେଉଚି,

 

ସପନ ଦେଶର ରାଜକୁମାରୀ ଗୋ......

 

ଆହା ମୋ ସୁନ୍ଦରୀ ତାରା ? ନା ।

 

ମୋ ଗଳାର ଫୁଲ ମାଳା ? ନା ।

 

ହଁ, ମୋ ଜୀବନ ଧ୍ରୁବ ତାରା । ବିଡ଼ି ଆଉ ରାଜ କୁମାରୀ ! ସପନ ଦେଶ ରାଜକୁମାରୀକୁ ପାଇବା ଅଭିଳାଷତ କେବଳ ନୁହେ, ସେ ଯେ ଜୀବନର ଧ୍ରୁବତାରା । ସୁନ୍ଦର ଆଉ ବଳିଷ୍ଠ ଆତ୍ମ ପ୍ରବଞ୍ଚନା । ଖତଗଦାରେ ଘରକରି ପଦ୍ମାଳୟର ସ୍ୱପ୍ନ । ମୁଣ୍ଡଟା ଭାରିଭାରି ମନେ ହେଲାଣି । ଏ ନିରକତି ଭାବାନୁଭାବମୟ କଳ୍ପନା ମନରୁ କେବେ ଉତୁରିବ କେଜାଣି । ଏ ସଂସ୍କୃତି ଦୋଷ ବଡ଼ ମାରାତ୍ମକ । ସଙ୍କୋଚ ଲାଗେ ଏ ଭଳି ରଚନା ଲିପିରେ ବାନ୍ଧି ରଖିବାକୁ । ରାଜକୁମାରୀ ବିଡ଼ି କରି ଟାଣିଲେ ଅନ୍ତତଃ ସତ୍ୟକୁ ଗ୍ରହଣ କରିବାର ଆନନ୍ଦ ମିଳିପାରେ ।

 

(୨)

 

ହଁ, ରାଜକୁମାରୀକୁ ବିଡ଼ି କରି ଟଣାଯିବା ଉଚିତ । ପୁଞ୍ଜିପ୍ରଧାନ ସମାଜର ଏଇ ଅର୍ଥ ସଂଙ୍କଟ ବେଳେ କଳ୍ପିତ ଆଭିଜାତ୍ୟକୁ ମାମୁଲି ନକରି ଗତି ନାଇଁ । ସୁତରାଂ କେପ୍‌ଷ୍ଟନ୍‌, ମାକ୍ରୋପୋଲର ଜାଗା ବିଡ଼ି ଅଧିକାର କରିଚି ବିନା ବିପ୍ଲବରେ, ବିନା ରକ୍ତ ପାତରେ ।

 

ତାହାହିଁ ଶେଷ ନିଷ୍ପତ୍ତି ।

 

‘‘ଆଜି କାଲିତ ଖୁବ୍‌ ବିଡ଼ି ଟାଣୁଚନ୍ତି !’’

 

‘‘ଅର୍ଥ ସଙ୍କଟ ।’’

 

‘‘ଆପଣଙ୍କର ମଧ୍ୟ ?’’

 

ସମୀର ଆଉ ମନ୍ତବ୍ୟ କରିନଥିଲା । ମୋର ପ୍ରବଞ୍ଚନା ମତେ ଦଗ୍ଧ କରୁଥିଲା । ମୁଁ କଣ ସତେ ଦୁନିଆରୁ ବାହାର ନୁହେଁ ? ଦୁନିଆର ଯେଉଁମାନେ ମଣିଷର ବାସଯୋଗ୍ୟ କରିଚନ୍ତି ସେମାନଙ୍କ କଥାତ କେବେହେଲେ ଭାବିନି; ସେମାନଙ୍କ ପରିଶ୍ରମକୁ ମୂଲ୍ୟ ଦେଇନି; ସେମାନଙ୍କ ଜୀବନକୁ ସମ୍ମାନିତ କରିନି । ସର୍ବହରାର ନିମକ୍‌ ଖାଇ ମୁଁ ଐଶ୍ୱର୍ଯ୍ୟର ସ୍ତୁତିଗାନ କରିଚି ।

 

ଏ ନିମକ୍‌ହାରାମୀର ପଟାନ୍ତର ନାଇଁ । ବିଭୀଷଣ ଆଉ ବିଦୂରର ପ୍ରଭାବରୁ ଏ ସଂସ୍କୃତିକୁ ବଞ୍ଚାଇବାକୁ ପଡ଼ିବ ।

 

ମୋ ଭିତରର କବି ମଣିଷର ସ୍ୱରକୁ ଘୋଡ଼ାଇ ଖିଙ୍କାର କରି ଶୁଣିଚି । ଏ ମେଟାମର୍ଫୋସିସ୍‌ ପଛରେ ବୈଜ୍ଞାନିକ ସତ୍ୟ ନାଇଁ । ଏ ଚିନ୍ତା ଅସତ୍ୟ, ଅସୁନ୍ଦର । ଦର୍ପଣରେ ନିଜ ମୁହଁ ଦେଖିବାକୁ ସଙ୍କୋଚ ଲାଗେ ।

 

ଆଜିର ସାହିତ୍ୟସ୍ରଷ୍ଟାର ପଙ୍ଗପାଳ ଜୀବନ ମଣିଷ ଜାତିକୁ ଲାଞ୍ଛିତ କରିଚି । ଏ ପ୍ରବଞ୍ଚନାର ଦାଗ ଜ୍ୱଳନ୍ତ ହେଇଚି ଅଭିଜାତ୍ୟର ବଡ଼ିମା ଭିତରେ । ଲାଞ୍ଛନାକୁ ଯେଉଁମାନେ ସମ୍ମାନ ବୋଲି ଗର୍ବ କରି ପାରନ୍ତି ସେମାନଙ୍କୁ ଦେଖିଲେ ପେଟ ଭିତରୁ ହସ ହାକୁଟେଇ ଉଠେ ।

 

(୩)

 

ହସିବା ମନା ହେଇ ଯାଇଚି । ଦୀର୍ଘ ଜୀବନକୁ ଅକାଳ ମରଣ ଧୀରେ ଧୀରେ କ୍ଷୟ କରୁଚି । ‘ମେଦୁସା’ର ଜଟା ଭଳି ଏ କ୍ଷୟ ବୀ ଜାଣୁର କୋଟି ପଦ–ଅଭାବ, ଅନାଟନ, ରୋଗ, ଅଶାନ୍ତି, ନିରାନନ୍ଦ, ଭୟ.......

 

ଟାଣମନ ଭାଙ୍ଗି ଯିବାର ଉପକ୍ରମ କରୁଚି । ମୁଣ୍ଡ ଭିତରେ ରାଜକୁମାରୀ ସାଲୁବାଲୁ ହେଉଚି । ଅରୁଚା ପାଟିରୁ ପେଜୁଆ ଧୁଆଁର ଓଟାର ଉଠୁଚି ।

 

ସମୀର ଗୋଟାଏ ଖୋରାକ । ଆନନ୍ଦ ଲାଗେ ଟୋକାଟାକୁ ଦେଖିଲେ । ଦୁନିଆର ଜଟିଳତା ଭିତରେ ଭରତ ହେବାର ଦୁର୍ଯ୍ୟୋଗ ତା’ର ଏ ଯାଏଁ ଘଟିନି । କାହାକୁ ହେଲେ ସେ ଛୋଟ କରି ଦେଖି ପାରେନି ।

 

‘‘ଜାଣନ୍ତିତ ଆଜି ମନ୍ତ୍ରୀ ଆସୁଚନ୍ତି ।’’

 

ମୁଁ ନୀରବ ରହେ ।

 

‘‘ଟାଉନ୍‌ହଲ୍‌ରେ ବିଚିତ୍ରାନୁଷ୍ଠାନ ହେଉଚି । ରାଜକୁମାରୀ ସୁନନ୍ଦା ନାଚ କରିବେ ।’’

 

ତୁମେ ସେଥିରେ କି ଅଂଶ ନେଉଚ ?’’

 

ଦମକାଏ ଶୀତଳ ପବନ ଯେପରି ମୋର ପରିବେଶକୁ ପରିଶି ଦେଇ ଚାଲିଗଲା ।

 

ନୃତ୍ୟରତା ରାଜକୁମାରୀ ସୁନନ୍ଦା ! ଅଭିସାରିକା ଚରିତ୍ରର ଅଭିବ୍ୟକ୍ତି ବାଢ଼ୁଚନ୍ତି । କମନୀୟ କେତକିନୀ ଅଙ୍ଗରେ ଯୌବନ ଲହଡ଼ି ଭାଙ୍ଗୁଚି । ଦୃଷ୍ଟ, ସନ୍ଦିଗ୍ଧ ଆଖିରେ ସାଥୀ ଆହରଣର କ୍ଷୁଧିତ ଉଦ୍‌ବେଗ । ସୁଗଠିତ ସ୍ତନ ସମ୍ଭାରରେ ବକ୍ଷ ଗର୍ବରେ ଫାଟି ପଡ଼ୁଚି । ସଜ୍ଜିତ ମଞ୍ଚର ବିବିଧ ଆଲୋକ ନର୍ତ୍ତକୀ ଓ ତାର ପରିବେଶକୁ ଅର୍ପୂବ ଶ୍ରୀ ମଣ୍ଡିତ କରିଚି । ପାର୍ଶ୍ୱ ପରଦା ଅନ୍ତରାଳରେ ସମୀର ଉଚ୍ଛ୍ୱସିତ ହେଇ ଉଠିଚି । ତା’ର ସେଇ କ୍ଷଣିକର ଦୁନିଆ ହାସ୍ୟମୟ, ରହସ୍ୟମୟ । ତା’ର ବିଶ୍ୱରେ ଅନ୍ଧକାର ନାଇଁ । ସେଇ ବିଶ୍ୱର ସ୍ନିଗ୍ଧ, ସୁଶୀତଳ ଆଲୋକରେ ବିଚରଣ କରେ ଅଭିସାରିକା ରାଜକୁମାରୀ ସୁନନ୍ଦ । ତା’ର ପ୍ରତି ଚରଣ ପାତରେ ପଦ୍ମ ଫୁଟେ । ସୁରଭିରେ ସମୀର ବିଭୋର ହେଇ ଯାଇଚି । ରାଜକୁମାରୀ ସୁନନ୍ଦା ! ବଡ଼ ଲୋଭନୀୟ; a fine animal.

 

ମନ୍ତ୍ରୀ ଆସିଚନ୍ତି ଗସ୍ତରେ । କେଉଁଠି ଉଦ୍‌ଘାଟନ କରିବେ, କେଉଁଠି ଭିତ୍ତିପ୍ରସ୍ତର ଦେବେ, କେତେ କଣ ! ତାଙ୍କର ଚିତ୍ତବିନୋଦନ ନିମନ୍ତେ ଏଇ ବିଚିତ୍ରାନୁଷ୍ଠାନର ଆୟୋଜନ । ବ୍ୟବସ୍ଥାସଭାରେ ବିରୋଧୀ ଦଳର ଗଞ୍ଜଣା, ଖବର କାଗଜର ସମାଲୋଚନା, ଅଫିସରେ ନାଲିଫିତାର ତାଗିଦା ଏବଂ ସର୍ବୋପରି ନିଜର ଭୀରୁତା ତାଙ୍କୁ କଲବଲ କରିଚି । ରାଜଧାନୀର ସୀମା ବାହାରକୁ ଆସି ସେ ସ୍ୱସ୍ତିର ନିଶ୍ୱାସ ମାରିଚନ୍ତି । Luxury roller ରେ ଦୀର୍ଘ, ବିଶ୍ରାନ୍ତିପୂର୍ଣ୍ଣ ଯାତ୍ରା, ସ୍ତାବକ ଓ କୃପାଭିଳାଷୀଙ୍କ ଅଭିବାଦନ ଗ୍ରହଣ, ପରିଦର୍ଶନ ଛଳରେ ଅଭିନନ୍ଦନ ଆହରଣ ସବୁ ତାଙ୍କର ରୁଚି ଅନୁରୂପ ହେଇଚି । ଜୀବନଟା ମନ୍ଦନୁହେ । ଉପଭୋଗ କରିବାପାଇଁ କ୍ଷୁଧା ଥିବା ଦରକାର ।

 

ଟାଉନ୍‌ହଲ୍‌ରେ ମୁଣ୍ଡ ହେଇଚନ୍ତି ସହରୀ ସମାଜର ସାରଭାଗ ବା Elite ଚନ୍ଦା ମୁଣ୍ଡ କୁମୁଟି, ପେଟୁଆ ମାଢ଼ୋୟାଲି, ବେଙ୍କ୍‌ମାଲିକ, କଲେଜ ଅଧ୍ୟକ୍ଷ, ଜିଲ୍ଲା ହାକିମ-ହୁକୁମା, ଜିଲ୍ଲା କଂଗ୍ରେସ ଅଧିପତି, ନାରୀସଘଂନେତ୍ରୀ, ବିଳାସ-ଓକୀଲ ଯେତେ ସବୁ ସହରୀ ସଭ୍ୟତାର ଉପାସନାରେ ସିଦ୍ଧିଲାଭ କରିଚନ୍ତି । ଏମାନଙ୍କ ସଙ୍ଗେ ଆସିଚନ୍ତି ବିଭିନ୍ନ ଅନୁଷ୍ଠାନ ସଙ୍ଗେ ସଂପୃକ୍ତ ସ୍ୱତନ୍ତ୍ର ଭାବେ ଆମନ୍ତ୍ରିତ କେତେକ ଭଦ୍ରବ୍ୟକ୍ତି ଓ ମହିଳା । ପ୍ରେକ୍ଷାଳୟରେ ପ୍ରଥମ ଧାଡ଼ିରେ, ମଧ୍ୟ ଭାଗରେ କୁଷନ୍‌ଚୌକୀର ଆରାମରେ ଆଉଜି ବସିଚନ୍ତି ବରେଣ୍ୟ ମନ୍ତ୍ରୀ ମହୋଦୟ ।

 

ରାଜକୁମାରୀ ସୁନନ୍ଦା । ପ୍ରତ୍ୟେକ ଅଙ୍ଗଚାଳନାର ବିଞ୍ଚିହେଇ ପଡ଼ୁଚି । ଅନଙ୍ଗରାଗ ରଞ୍ଜିତ ମୁଖ ମଣ୍ଡଳରେ ଗୌରବ ଝଲସି ଉଠିଚି । ପ୍ରେମବିଭୋରା ନର୍ତ୍ତକୀ ଆତ୍ମବିସ୍ମୃତ ହେଇ ପଡ଼ିଚି । ମନ୍ତ୍ରୀ ଆଖିର ବନ୍ୟ ଦୃଷ୍ଟ ସ୍ୱଷ୍ଟ ହେଇ ଉଠୁଚି । ପାର୍ଶ୍ୱ ପରଦା ଅନ୍ତରାଳରେ ସମୀର ସ୍ୱପ୍ନ ଦେଖୁଚି…..ଜ୍ୟୋତ୍ସ୍ନା ବିଳସିତ ଉଠିଚି । ଲତାକୁଞ୍ଜ ଭିତରେ, ଝରାଫୁଲ ତଳପରେ, ସମୀରର ନଗ୍ନ ଦେହରେ ଛନ୍ଦି ହେଇ ଯାଇଚି ଅଭିସାରିକା ରାଜକୁମାରୀ ସୁନନ୍ଦା । ପୁଷ୍ପର ପରିମଳ, ଆଲୋଡ଼ିତ ଆଲୋକ ଓ ଛାୟା, ପ୍ରଥମ ପ୍ରଣୟର ମଧୁର ଆବିଷ୍ଟତା ଭିତରେ ଦୁଇଟି ପ୍ରାଣ ଏକ ହେଇ ଯାଇଚି-

 

ଜଡ଼ିତ କଣ୍ଠରେ ସମୀର ଡାକେ,

 

‘‘ରାଜକୁମାରୀ-’’

 

‘‘ପ୍ରିୟା ମୋର...........’’

 

ରାଜକୁମାରୀ ଆଖି ମେଲିବା ପୂର୍ବରୁ ସମୀରର ସ୍ୱପ୍ନଭାଙ୍ଗେ । ପ୍ରେକ୍ଷାଳୟ କରତାଳରେ ମୁଖରିତ ହେଇ ଉଠିଚି । ମନ୍ତ୍ରୀ ସ୍ୱର୍ଣ୍ଣପଦକ ଘୋଷଣା କରିଚନ୍ତି ସୁନନ୍ଦା ପାଇଁ । ବିଚରା ସମୀର ! ତା’ର ରମଣୀୟ ସ୍ୱପ୍ନକୁ ଖାଦୀ-ଆଭିଜାତ୍ୟ ବ୍ୟର୍ଥ କରି ଦେଇଚି । ଜୀବନ ବ୍ୟର୍ଥ । କ୍ଷୁଧିତ ମୁହଁରୁ ଖାଦ୍ୟ ଅପସାରିତ ହେଉଚି ।

 

ବାସ୍ତବିକ ସମୀର ଗୋଟାଏ ଖୋରାକ । କାଲି ପୁଣି ଆସି ବହୁତ କଥା ଗପିଯିବ । ଭୟ ହୁଏ ସମୀରର ସରଳତା ନଷ୍ଟ ହେବା କଥା ଭାବିଲେ । ଯେଉଁ ସମାଜରେ ଯୌବନ ଅଦିନରେ ଝରି ପଡ଼େ, ବୁଦ୍ଧିଜୀବୀ ଉପବାସ ରହେ, ସଜ୍ଜନତା ଧିକ୍‌କାରେ ପାଏ, ସିଧା ହେଇ ଠିଆହେଲେ ମୁଣ୍ଡ ଉପରେ ପାହାର ପଡ଼େ, ସେଇ ସମାଜରେ ସମୀର ଲାଗି କି ଭରସା ? ଟୋକାଟା ଉପରେ ମାୟା ବଢ଼େ ।

 

(୪)

 

ମାୟା । ଯୁଗେ ଯୁଗେ ଦାର୍ଶନିକଙ୍କର ପଳାୟନର ପନ୍ଥା ସୁଗମ କରି ଦେଇଚି । ଆଜି ସୁଦ୍ଧା ଦାଣ୍ଡର ଭିଖାରୀ ଗାଇବୁଲେ,

 

‘ଶୁଖୁଆ ଖଡ଼ ଖଡ଼

ମିଛମାୟାରେ ପଡ଼ି ହେଲ ଲଡ଼ ବଡ଼ ।’

 

ଜୀବନ ମିଥ୍ୟା; ସଂସାର ମାୟା । ଏଇ ତଥାକଥିତ ଦାର୍ଶନିକମାନେ ଦର୍ଶନ ପାଇ ନାହାନ୍ତି । ଦୁନିଆର ଆଖି ମୁଦି ଚାହିଁଚନ୍ତି । ଏମାନଙ୍କର ଅନ୍ଧତ୍ୱ ହଜାର ହଜାର ବର୍ଷ ଧରି ମଣିଷ ଆଖିରେ ନିରାଶା ବୋଳି ଆଣିଚି । ନାକ ଭିତରେ ପରାଜୟ ଫୁଙ୍କି ଦେଇଚି ।

 

‘‘ନେରୋ ରୋମ୍‌ ନଗରୀ ଜାଳିଦେଲା ।’’

 

‘‘ମାୟା,’’ ଉତ୍ତର କଲେ ଦାର୍ଶନିକ ।

 

‘‘ହିଟ୍‌ଲର୍‌ ଇହୁଦୀଙ୍କୁ ମାରିଲା’’

 

‘‘ମାୟା ।’’

 

‘‘ମାଲାନ୍‌, ଚିଆଂ, ରୀ’ ମଣିଷ ଜାତିର କଳଙ୍କ ।’’

 

‘‘ମାୟା ।’’

 

‘‘କଂଗ୍ରେସବାଲା ଗାନ୍ଧୀବାଦକୁ କବର ଦେଲେ ।’’

 

‘‘ମାୟା ।’’

 

‘‘ଏଦେଶର ବୁଦ୍ଧିଜୀବୀ ନିତି ଦିନ ଶିବଚତୁର୍ଦ୍ଦଶୀ ପାଳେ । ବେବଳ ଉପବାସ ହୁହେ ଉଜାଗର ମଧ୍ୟ ।’’

 

‘‘ମାୟା, ସବୁ ମାୟା,’’ ଦାର୍ଶନିକଙ୍କ ଅବିଚାଳିତ କଣ୍ଠର ଶେଷ ଉତ୍ତର ।

 

ଏହା ଶେଷ ଉତ୍ତର ନୁହେ । ମାନବ ଜାତି ଆଗରେ ଏହା ଶେଷ ପ୍ରଶ୍ନ । ଚଳନ୍ତି ବିଷ୍ଣୁ ଓ ତା’ର ପୁରୋହିତ ଏ ଉତ୍ତର ପ୍ରତିଷ୍ଠା କରିବାକୁ ଯାଇ ବିଲୟ ଲଭିଚନ୍ତି । ଏ ପ୍ରଶ୍ନର ମୀମାଂସା ଆଜି ରୁଷ୍‌ର ଶ୍ରମିକ, ଚୀନର ଚାଷୀ ଓ ଉତ୍ତର କୋରିଆର ସୈନିକ ମୁହଁରେ ପରିସ୍ଫୁଟ ।

 

କେତେ ହଜାର ବର୍ଷ ତଳର କେଉଁ ହଜିଲା କବର ଭିତରୁ ଥରେ ଆଖି ମେଲି ଦେଖ ଦାର୍ଶନିକ । ଚିହ୍ନି ପାରୁନ ? ମନ୍ତ୍ରୀ, ସୁନନ୍ଦା, ଶ୍ରୀକାନ୍ତ-କ୍ଷମତା, ବ୍ୟଭିଚାର ଓ ଐଶ୍ୱର୍ଯ୍ୟ । ତୁମ ସୃଷ୍ଟିର ଶେଷ ବିଭୂତି; ତୁମ ଦର୍ଶନ-ପ୍ରଦୀପର ଶେଷ ତୈଳ ବିନ୍ଦୁ ।

 

ଦରପୋଡ଼ା ବିଡ଼ି କୁହୁଳୁଚି । ମଣିଷ ପ୍ରାଣରେ କୁହୁଳା ଧରିଚି । ଥରେ ଜୋର କରି ଫୁଙ୍କି ଦେଲେ ଦୁର୍‌କିନି ଜଳି ଉଠିବ । ସେ ଦିନ ହୁଏତ ଆଉ ସୁଦୂର ନୁହେ ।

 

‘‘ମୁଁ କହି ରଖୁଚି, ଆଉ ସୁଦୂର ନୁହେ,’’

 

ମନେପଡ଼େ; ସମୀରର ବିଶ୍ୱାସ ଅଖଣ୍ଡ ।

 

ସାହିତ୍ୟସ୍ରଷ୍ଟାର ଜୀବନ ସମ୍ମାନିତ ହେବ ସେ ଦିନ ଯେଉଁଦିନ ମଣିଷ ତା’ର ଜୀବନକୁ ଦାବୀ ବୋଲି ସାବ୍ୟସ୍ତ କରିବ । ଦାନର କଙ୍ଗାଳ ସେ ନୁହେ । ଦାନ ଦ୍ୱାରା ଏ କ୍ଷୁଧା ମେଣ୍ଟିବାର ନୁହେ । ଏ କ୍ଷୁଧା ଚିନ୍ତାର, ଆଦର୍ଶର । ଆଜିର ବୁଦ୍ଧିଜୀବିର ଏ କ୍ଷୁଧା ସର୍ବ ଗ୍ରାସୀ । ତା’ର ଗ୍ରାସ ଭିତରେ ଲୋପ ପାଇବ ସମାଜର ଶ୍ରେଣୀ ପ୍ରାର୍ଥକ୍ୟ, କୁସଂସ୍କାର, ଶୋଷଣ ଆଉ ଅତ୍ୟାଚାର ।

 

ମୋର ଜୀବନକୁ ଯେ ଅସ୍ଥିର କରିଚି, ସମ୍ମାନରୁ ବଞ୍ଚିତ କରିଚି, ଦେହର ପ୍ରତି ଲୋମ କୂପରେ ଲାଞ୍ଛନାର ଦାଗ କାଟିଚି, ସମାଜରେ ମତେ ହେୟ, ହୀନ, ପଙ୍ଗପାଳ କରିଚି, ମୋର ପରିଶ୍ରମର ମୂଲ୍ୟ ଦେଇନି, ମତେ ସମସ୍ତ ନ୍ୟାଯ୍ୟ ସୁବଧାରୁ ବଞ୍ଚିତ କରିଚି ସେ ମୋର ଶତ୍ରୁ, ପରିଶ୍ରମଜୀବୀର ଶତ୍ରୁ, ସମସ୍ତ ମାନ ଜାତିର ଶତ୍ରୁ । ତା’ ବିରୁଦ୍ଧରେ ମୋର ଏ ଅଭିଯାନ । ହୀନ, ମଳିନ, ଦୁସ୍ଥ ପରିବେଶ ଭିତରେ ମୋର ଏ ଜୀବନ ଯାପନ ଆଉ ଶିବ-ଚତୁର୍ଦ୍ଦଶୀ ପାଳନ ସେଇ ଲକ୍ଷ୍ୟ ଉଦ୍ଦେଶ୍ୟରେ, ଜୀବନକୁ ଜୀବନ ଭଳି ଗୌରବ ଦେବାର ସୁଦିନ ଅପେକ୍ଷାରେ । ଐଶ୍ୱର୍ଯ୍ୟ, ବ୍ୟଭିଚାର ଓ କ୍ଷମତାର ପିଶାଚ ସାବଧାନ ହୁଅ !

 

(୫)

 

ଅସାବଧନତାରେ ମୋର ବହୁତ କିଛି ହଜି ଯାଇଚି–ପ୍ରେମ, ମୈତ୍ରୀ, ସଂପଦ । ଖୋଜିବା ବହୁଧା ବ୍ୟର୍ଥ ହେଇଚି । କିନ୍ତୁ ଏଇ ହଜିବା ଖୋଜିବା ଭିତରେ ମୁଁ ଗୋଟାଏ ନୂତନ ଦିଗନ୍ତର ସନ୍ଧାନ ପାଇଚି । ସେ ଦିଗନ୍ତ ମୁକ୍ତି, ଶାନ୍ତି ଓ ପ୍ରଗତିର ।

Image

 

Unknown

ଭୋଳି କକା

(୧)

 

ଜୀବନଟା ଗୋଟାଏ ଘଟଣାର ବନ୍ୟା । ତା’ର ସ୍ରୋତରେ ସବୁ କିଛି ଭାସି ଯାଏ ସମୟରେ ଅନନ୍ତ ଗର୍ଭ ଭିତରକୁ । କିନ୍ତୁ, ସେଥିରୁ ଇମିତି ଗୋଟିଏ ଗୋଟିଏ ଘଟଣାର ପ୍ରଭାବ ମଣିଷର ଚିନ୍ତା ଭିତରେ ବେଳେ ବେଳେ ଅଟକି ଯାଏ, ଯାହାକୁ ଇତିହାସ ବା କାଳ ଭସେଇ ନେଇ ପାରେନି । ମୋର ଏଇ ଛୋଟିଆ ଜୀବନରେ ଭୋଳି କକା ସମିତି ଗୋଟାଏ ପ୍ରଭାବ ଯାହା ମୋର ଚିନ୍ତାକୁ ପାରମ୍ପରିକ ଆତ୍ମ ପ୍ରତାରଣା ଭିତରୁ ମୁକ୍ତ କରି ଗୋଟାଏ ନୂଆ ଦିଗନ୍ତରେ ଆଣି ଉତୁରେଇ ଦେଲା । ସେଥିଲାଗି ଭୋଳି କକା ମୋ ମନରୁ ପାଶୋର ଯାଇନି ।

 

ଗୋଟିଏ ଖଣ୍ଡିଲଟା ପାହାଡ଼ ତଳେ, ପ୍ରାୟ ଶହେ ଘରର ଛୋଟ ବସତି, ଆମ ଗାଁର ଅବସ୍ଥିତି । କୌଣସି ଭୌଗୋଳିକ ଅବା ଉଦ୍‌ବର୍ତ୍ତନ ସମ୍ବନ୍ଧୀୟ କାରଣରୁ ହୁଏତ ପର୍ବତ ଶ୍ରେଣୀର ପ୍ରସାର ହଠାତ୍‌ ଆମ ଗାଁ ନିକଟରେ ବାଧା ପ୍ରାପ୍ତ ହେଇ ଯାଇଚି । କାରଣ ଆମ ଗାଁର ପଶ୍ଚିମ ଦିଗରେ, ପ୍ରାୟ ଦେଢ଼ ମାଇଲ୍‌ ପରେ, କ୍ରମବିସ୍ତୃତ ବନାନୀର ଶ୍ରୀ ଓ ସମୃଦ୍ଧି ଭଲଭାବେ ଦେଖି ହୁଏ-। ଆମ ଗାଁ ପରେ ପଥର ଖଣ୍ଡେ ବି ଆଖିରେ ପଡ଼ିବା ସୁଲଭ ନୁହେ । କଳା ଚିକିଟା ମାଟିର କିଆରୀ ମାଳ, ସେଥି ଭିତରେ ଗାଉଁଲି ଜୀବନ ଉପଯୋଗୀ ନାନା ଜାତି ଗଛ ଗହଳି ଭିତରେ ଖଣ୍ଡିଏ ଲେଖା ଉଦାସ, ନିରାଡ଼ମ୍ବର ଗାଁ’ ବସି ଯାଇଚି କେଉଁ ପୁରାତନ କାଳରୁ । ଦୂରରୁ ମନେ ହୁଏ, କେଉଁ ଯୋଗୀ ଯେପରି ନିର୍ବିକଳ୍ପ ସମାଧି ଘେନିଚି ।

 

ପୋଖରୀ ହିଡ଼ ଉପରେ ବସି ମୁଁ ବହୁବାର କିଆରୀ ମାଳରେ ସମୂହ ବେଙ୍ଗ ରଡ଼ି ଶୁଣିଚି, ସୁନାର ଲହଡ଼ି ଦେଖିଚି; ଦୂର ମଶାଣିର ରଇ ନିଆଁକୁ ଅପଲକ ଆଖିରେ ଚାହିଁଚି । ବଣ ପାଣି ଗଡ଼ି ଆସିଲେ ଗାଁର ବାଳୁତ ସଂସାର ଉତ୍ସବମୟ ହେଇଉଠେ । ଦଳ ଦଳ ହେଇ ଆମେ ଝପଟି ଯାଉଁ ସେଇ ଅପୂର୍ବ ଗଙ୍ଗା ସ୍ରୋତରେ ଦେହ ବୁଡ଼ାଇବା ପାଇଁ । ପାଣିର ଗୁପତ ଡାକରା ସମଜିବା ଜ୍ଞାନ ଆମ ତୁଲେ ସହଜାତ । ଧାନ କିଆରୀ ଭିତରେ ନୂଆ ଆଉ ପୁରୁଣା ପାଣିର ଭେଟ ହୁଏ । ମାଛ ଉଠି ଆସନ୍ତି କଟା ହିଡ଼ ମୁହଁକୁ । ସେଇଠି ବେନ୍ଦାରେ ଧରା ପଡ଼ନ୍ତି । ଗଡ଼ିସ, ଫଳି, ଚୁଙ୍ଗୁଡ଼ି, କେରାଣ୍ଡି–ନାନା ଜାତିର ମାଛ । ଜିରା, ଧନିଆ, ହଳଦି ଦିଆ ମୋ ବୋଉ ହାତର ରନ୍ଧା ବିଲ ମାଛ ତିଅଣର ସେ ରୁଚି, ନଗରୀର ବିଖ୍ୟାତ ଭୋଜନାଳୟରେ ରୋହି, ଇଲିସି ଝୋଳରୁ ମଧ୍ୟ ମୁଁ ପାଇନି । ବିଲ ମାଛ ଓ ମୋ ବୋଉର ପାକ ଭିତରେ ଥିଲା ସ୍ନେହର ସ୍ୱାଦୁ; ଭୋଜନାଳୟର ଗଙ୍ଗା ଇଲିସି ବା ଚିଲିକା ଭେକ୍‌ଟି ଭିତରେ ରହିଚି ବ୍ୟବସାୟର ବିଷ; ପ୍ରତିଯୋଗୀ ଅର୍ଥର ଅନର୍ଥ ।

 

ସେ ବୟସରେ ପଲ୍ଲୀର ଶ୍ରୀ ବୋଧ ମତେ ସ୍ୱତନ୍ତ୍ର ଭାବରେ ଆନନ୍ଦ ଦେଉ ନ ଥିଲେ । ସେଇ ମାଟି, ପାଣି, ପବନ, ଧାନ, ମାଛ, ଗଛ ଭିତରୁ ମୁଁ ନିଜକୁ କେବେହେଲେ ଅଲଗା କରି ରଖି ପାରି ନଥାନ୍ତି । ମୋର ଆଜିର ଏ ସଂସ୍କୃତି ସେଇ କାଳିଆ ମାଟି ପେଟରୁ ଗଜା ହେଇଥିଲା । ନଗର ସଂସ୍କୃତି ଓ ସଭ୍ୟତାର ଟେକ୍‌ନିକ୍‌ ବର୍ଣ୍ଣସଙ୍କର ପ୍ରଣାଳୀରେ ତାକୁ ମାଣ୍ଡଣାର ଫୁଲ ଗଛ କରି ପାରିନି । ଭୋଳି କକା ମୋର ନାକ ଭିତରେ ଚେତନା ଫୁଙ୍କି ଦେଇଥିଲା ।

 

(୨)

 

ମୋର ବୟସ ଯେତେବେଳେ ସାତବର୍ଷ ବୁଝି ପାରିଲି, ଭୋଳି କକା, ମୋର କେବଳ ନୁହେ, ଗାଁ ଯାକର କକା । ଗୁଡ଼ିଆ, ଘରୁ ଚଣା, ଖଜା, ସାକର ସେ ମୋ ପାଇଁ କେବଳ ଆଣେନି, ଆଣେ ଅନ୍ୟ ପିଲାଙ୍କ ମଧ୍ୟ । ବେଳେବେଳେ ମୋର ରାଗ ହୁଏ ଭୋଳି କକାର ଏ ଆଚରଣ ଦେଖି-। ମୋର ଭୋଳି କକା ଗାଁ ଯାକର କକା କାହିଁକି ହୁଅନ୍ତି ! ସେଇ ଭୋବନା, ମୁକୁନ୍ଦା, ସୋଲି, ରାଧି, ଯଦି ତା’ ଉପରେ କାହିଁକି ଏତେ ଆବଦାର କରିବେ ? କହିବି ବୋଲି ଭୋଳି କକାକୁ କହିପାରେନି-। କିନ୍ତୁ ଏଇ ଗୁମର ମନରେ ରଖି ବୋଉବୋଉକା ଖେଳିଲା ବେଳେ ପଦିକି ଥରେ କସି କରି ବିଧାଏ ମାଇଲି । ଢେଲା ଆଖିରେ ମତେ ଥରେ ବିକଳରେ ଅନେଇ ଦେଇ ସେ ଘରକୁ ପଳେଇ ଯାଇଥିଲା । ଭୋଳି କକା ଭଳି ପଦିର ସେ ଚାହାଣୀ ଏବେ ସୁଦ୍ଧା ମୋ ମନରେ ତଟକା ରହିଚି ।

 

ଇଂରେଜି ପାଠଶାଳାରେ ଭରତି ହେବା ପାଇଁ ମୁଁ ପାଖ ସହରକୁ ସ୍ଥାନାନ୍ତରିତ ହେଲି । ଶଗଡ଼ରେ ଗଲାବେଳେ ଦଣ୍ଡା ତଡ଼ ଜାମୁ କୋଳି ଗଛ ମୂଳରୁ ଦୁଇଟି ନିରୀହ, ଅବୁଝା କଳା ଆଖି ମତେ ବଡ଼ ସନ୍ତର୍ପଣରେ ଚାହିଁ ରହିଥିଲା । ରାଗରେ ମୁଁ ମୁହଁ ବୁଲେଇ ନେଇଥିଲି । ମୋର ଅନୁପସ୍ଥିତିରେ ଭୋଳି କକା ପାଖରୁ ସାକର, ମିଠେଇ ଏମାନେ ତ ଖୁବ୍ ମଜାରେ ଖାଇବେ ! ପଦି ଆଖିର ଭାଷା ବୁଝିବା ବେଳକୁ ମୁଁ ତା’ର ଦୁନିଆରୁ ଅଲଗା ହେଇ ସାରିଲିଣି । ମୋର ଏଇ ଶରଣପଞ୍ଜର ଦୁନିଆରେ ଥିଲା ପାଉଡ଼ର୍ ଘଷା ଗାଲ, ବାସନାଓଦା ଆଖି, ଜଟିଳ କଥାର ଛଳ ଭାବପ୍ରବଣତା, ବରାଦକରା ଅନୁରାଗ । ପଛରେ ରହିଗଲେ କାଳିଆ ମାଟିର ଆମ ଗାଁ’, ଭୋଳି କକା ଆଉ ପଦି; ମୁଁ ଆଗେଇ ଗଲି ନାଲି ଧୂଳିର ସଡ଼କ ଉପରେ ପାଦ ଛାଟି ଛାଟି କେଉଁ ସୁଦୂର ଲକ୍ଷ୍ୟ ଉଦ୍ଦେଶ୍ୟରେ ।

 

ଖରାଦିନ ଛୁଟିରେ ଆସି ପ୍ରାୟ ଅଢ଼େଇ ମାସ ମୁଁ ଗାଁରେ କଟେଇ ଥାଏ । କିନ୍ତୁ ଭୋଳି କକା ସଙ୍ଗେ ମିଶିବାର ପ୍ରୟୋଜନୀୟତା କେବେ ବିଶେଷ ଭାବେ ଅନୁଭବ କରିନି । ତୋଟା ମାଳରେ ଘୂରି ଆମ୍ବ ପାରିବା, ଅଠାକାଣ୍ଡିଆ ପକେଇ ଚଢ଼େଇ ଧରିବା, ପାହାଡ଼ ଚଢ଼ି କୋଳି ତୋଳିବା, ପିଲାଦିନର ଖେଳ ସାଥୀ କେଉଁ କିଶୋରୀର ବଲବଲ ଚାହାଣୀ ଆଗରେ ସରମି ଭରମି ଠିଆ ହେବା, ମଣ୍ଡପ ଉପରେ ରାତି ପୁରାଣ ଶୁଣିବା ଅବା ଆଖଡ଼ା ଘରେ ଚାନ୍ଦ, ଚୌପଦୀ ଗାଇ ଭିତରେ ଛୁଟି ଦିନ ତକ ବଡ଼ ଜଲଦି ସରିଯାଏ । ମୁଁ ପୁଣି ଫେରିଯାଏ ସହରକୁ ନୂଆ ପାଠ ଆୟତ୍ତ କରିବା ପାଇଁ; ଗୋଟାଏ ଅଜ୍ଞାତ, ସଂପୂର୍ଣ୍ଣ ବିପରୀତ ସଂସାର ଭିତରେ ରହି ଶିଖିବା ପାଇଁ । କିଶୋର ମନର ନିଥର, ନିର୍ମଳ, ସ୍ୱପ୍ନାବିଷ୍ଟ, ମୁଖର ଚନ୍ଦ୍ରାଲୋକ ଭିତରେ ବାଳୁତ ମନର ଚଞ୍ଚଳ ଭୋଳି କକା ନୀରବ ହେଇ ଯାଇଥିଲା ।

 

(୩)

 

କଲେଜ ଛାଡ଼ିଲା ପରେ ମତେ ଗୋଟାଏ ବରଷ ରହି ଯିବାକୁ ହେଲା ଗାଁରେ । ପାରିବାରିକ କାରଣରୁ ଘରେ ରହିବା ମୋର ପ୍ରୟୋଜନ ଥିଲା । ଅଧିକନ୍ତୁ, ଜୀବିକା ସମ୍ବନ୍ଧେ ମୁଁ କିଛି ନିଶ୍ଚୟ କରି ପାରି ନଥିଲି । ଏଇ ବର୍ଷକ ଭିତରେ, ପିଲା ଦିନର ପରିଚିତ ଉପରେ, ଭୋଳି କକା ସଙ୍ଗେ ମୋର ନୂଆ କରି ବନ୍ଧୁତା ସ୍ଥାପିତ ହେଲା । ଅସଲ ଭୋଳି କକାକୁ ଜାଣିବାର ସୁଯୋଗ ମୁଁ ଏଥିଭିତରେ ପାଇଲି । ବିଶ୍ୱବିଦ୍ୟାଳୟର ଶିକ୍ଷା ଅପେକ୍ଷା ଭୋଳି କକାର ସାହଚର୍ଯ୍ୟ ମତେ ଅଧିକ ବିଶ୍ୱସ୍ତ ଭାବରେ ଜୀବନ ଦର୍ଶନର ଦିଗ ଦେଖେଇ ପାରିଥିଲା ।

 

ସଦା ହସ ହସ ମୁହଁ ପଞ୍ଚାବନ ବର୍ଷର ବୁଢ଼ା ଏ ଭୋଳି କକା ଗାଁରେ ସବୁଠାରୁ ଗରୀବ-। ପାଞ୍ଚ ବର୍ଷର ପୁଅ ଓ ତିନି ବର୍ଷର ଝିଅଟିଏ କକା କୋଳରେ ଦେଇ ସ୍ତ୍ରୀ ପଚିଶ ବର୍ଷ ତଳେ ଆଖି ମୁଦିଚନ୍ତି । ପିଲା ଦୁଇଟିକୁ ମାଆର ସ୍ନେହ ଓ ବାପାର ଦାୟିତ୍ୱ ଦେଇ କକା ମଣିଷ କଲେ । ପାଖ ଗାଁରେ ଝିଅ ତା’ର ଘର ସଂସାର କଲାଣି । ବେଳେ ବେଳେ ବୁଢ଼ାକୁ ଦେଖି-ଚାହିଁ ଯାଏ । ପୁଅ ଯାଇଛି ବର୍ମା । ଗତ ମହାଯୁଦ୍ଧ ବେଳେ ଜାପାନ ବର୍ମା ଆକ୍ରମଣ କଲାରୁ ଆମ ଲୋକ ସବୁ ଭାଗି ପଳେଇ ଆସିଥିଲେ । ବର୍ମା ଡାକୁ ହାତରେ କାହାର ପ୍ରାଣ ଯାଇଚି, କିଏ ବାଟ କଡ଼ରେ ମରିଚି, କିଏ ଦରମରା ଅବସ୍ଥାରେ ଘରେ ଆସି ପହଞ୍ଚିଛି । କିନ୍ତୁ କକାର ପୁଅ ଆଉ ଫେରିନି । କିଏ କହେ, ବର୍ମୀ ସ୍ତ୍ରୀ ଧରି ସେ କେଉଁ ପଲ୍ଲୀ ଗାଁରେ ଘର କରିଚି । କିଏ ଅବା କହେ, ରେଙ୍ଗୁନରେ ପ୍ରଥମ ବୋମା ପଡ଼ିବା ଦିନ ଯେଉଁ ଲୁଟି, କଟା କଟି ହେଲା ସେଥିରେ ସେ ମରିଚି । କିନ୍ତୁ କକା କେବେ ହେଲେ ପୁଅ କଥା ଉଠେଇବା ମୁଁ ଶୁଣିନି । ତେବେ, ହସ ହସ ମୁହଁ ତଳେ, ମୁକ୍ତ ପ୍ରାଣର କେଉଁ ନିରଭିବ୍ୟକ୍ତ ତନ୍ତ୍ରୀ ଭିତରେ, ପୁତ୍ର ହୀନତାର ଗୋପନ ବେଦନା ଅବା ନିର୍ଲପ୍ତ ସାନ୍ତ୍ୱନା ଜମାଟ ହେଇ ଯାଇ ଥିବା ହୁଏତ ଅସାଧାରଣ ନୁହେଁ; କାରଣ କୌଣସି ପ୍ରସଙ୍ଗରେ କକା ଥରେ ମନ୍ତବ୍ୟ କରିବା ମୋର ମନେ ଅଛି-

 

‘‘ବାପ, ଜନ୍ମ ମାଟିରୁ ଯିଏ ଉପୁଡ଼ି ଯାଏ, ମଶାଣି ମାଟି କେବଳ ତା’ର ଗତି ହୁଏ । ମାଆର ପଣତ ତଳୁ ଛଡ଼େଇ ନେଲେ ପିଲା ଉଜୁଡ଼ି ପାରେନି, କି ମଣିଷ ହୁଏନି ।’’

 

(୪)

 

ସେ ଦିନ ଗାଁରେ ଗୋଟାଏ ବଡ଼ ରକମର ହଇଚଇ ହେଇଗଲା । ସବୁଦିନପରି ଦି’ପହର ବେଳେ ଆଖଡ଼ା ଘରେ ଦଳେ ଭେଣ୍ଡିଆ ଆଠ ପଇଞ୍ଚ (ଏକ ରକମ କଉଡ଼ିର ଖେଳ) ପାଲି ଲଗେଇ ଥିଲେ । ଖେଳ ଖୁବ୍ ଜମିଥିଲା । ଖେଳାଳୀଙ୍କ ଅପେକ୍ଷା ଉଭୟ ପକ୍ଷର ସମର୍ଥକ ଓ ଦେଖାଳୀଙ୍କ ଆଗ୍ରହ, ଉଦବେଗ, ଉତ୍ତେଜନା ବିଶେଷ ଜଣା ପଡ଼ୁଥିଲା । ପାଟି-ତୁଣ୍ଡ, ହସ ଗମାତରେ ଘରର ଛାତ ଉଠିଯିବା ପରି ବୋଧହେଉଥିଲା । ଖେଳ ଆରମ୍ଭରୁ ମଦନର ‘ଯୋଡ଼ି’କୁ କଇବଲର ଯୋଡ଼ି ଗୋଡ଼େଇଚି । ଠିକ୍ ପାଚିବା ମୁହଁରେ ମଦନର ଯୋଡ଼ି ମଲା । କଇବଲର ଦଳକୁ ଆଉ ସମ୍ଭାଳେ କିଏ ! ସିସି ବଜେଇ, ତାଳି ମାରି, ଗାମୁଚ୍ଛା ଉଡ଼େଇ ବିଜୟ ଉଲ୍ଲାସ ପ୍ରକାଶ କଲେ । ଯିଏ ଯାହାର ବିଲବାଡ଼ିକୁ ଯିବେ ଏଥର, ଖେଳ ଭାଙ୍ଗି ଆସିବା ବେଳ ହେଲାଣି । ଯୋଡ଼ି ଜୀଆଁଇ ପଚେଇବା ଆଉ ମଦନର ସାଧ୍ୟ ନୁହେଁ । ଦାନ ବାନ୍ଧିବାରେ ହଡ଼ପ କଲେ ବୋଲି ମଦନର ଦଳ ଆପତ୍ତି ଉଠେଇଲେ । ଟାପରା ଟିକଲରୁ ଚଦା ଚଦି, ଧରା ଧରି ଚାଲିଲା । ସେଇ ଘୁ’ଘା, ଭିଡ଼ାଭିଡ଼ି ଭିତରେ ମଦନର ପଇତା ଛିଣ୍ଡିଗଲା । କାନ୍ଦି କାନ୍ଦି ମଦନ ଘରକୁ ଗଲା ।

 

ଏ ଭଳି ଘଟଣା ଆଠ ପଇଞ୍ଚ ଖେଳରେ କିଛି ନୂଆ ନୁହେ । ତେବେ, ସେ ଦିନର ଏ ଝିମିଟିରୁ ବାହାରିବ ବୋଲି ମହାଭାରତ ଯେପରି ଅନେକ ଦିନରୁ ପାଞ୍ଚିଥିଲା । ମଦନ ବାପା ବରଜ ପାଣିଗ୍ରାହୀ ଗାଁର ଧନୀ, ମହାଜନ । ତାଙ୍କ ପୁଅ ଦେହରେ ହାତ ଦେବ, ଇମିତି ଲୋକ କ’ଣ ଗାଁରେ ଜନମ ହେଲାଣି ! ରାଣ୍ଡିପୁଅ କଇବଲିଆର ଏତେ ଉଦିଆ ! କାଠ ପଥର ଭଳି ଗାଁ ଲୋକ ଠିଆ ହେଇଚନ୍ତି, ପୁରାଣ ମଣ୍ଡପ ଉପରେ ପାଣିଗ୍ରାହୀ କଇବଲିଆକୁ ବିବିଧ ମାଡ଼ ମାଇଲେ । କଇବଲିଆର ନାକ ଭିତରୁ ରକତ ଗଡ଼ି ପାଟିରେ ଜାବ ଉଠିଲାଣି, ତଥାପି ପାଣିଗ୍ରାହୀଙ୍କ ରାଗ ଶାନ୍ତ ହେଇନି । ଏତିକି ବେଳେ ହେଲା ଭୋଳି କକାଙ୍କର ଆବିର୍ଭାବ । ଦରମରା କଇବଲିଆକୁ ତଳୁ ଗୋଟେଇ ଧରି ଆଚ୍ଛା କରି ପାଣିଗ୍ରାହୀଙ୍କୁ କେତେ ପଦ ସେ ଶୁଣେଇଦେଲେ । ଦୁଇ ଜଣ ଭିତରେ ବଚନିକା ବି ଚାଲିଲା କିଛି ସମୟ । ଶେଷରେ, କଚେରୀରେ ଦେଖା ହେବ କହି ପାଣିଗ୍ରାହୀ, ତମ୍ପ ସାପ ଭଳି ଫୁଲି ଫୁଲି, ଘରକୁ ଫେରିଲେ । ଭୋଳି କକା କଇବଲିଆକୁ ତା’ର ଅନ୍ଧୁଣି, ବିଧବା ମାଆ ପାଖକୁ ନେଇ ଦେଲେ । ଭୁଟ ଭାଟ ହେଇ ଗାଁ ଲୋକ ଭାଙ୍ଗି ଗଲେ ।

 

ଏହି ଘଟଣା ଦିନ ମୁଁ ଥିଲିନି ଗାଁରେ । ପରଦିନ ଫେରି ସବୁ ଶୁଣିଲି । ଭୋଳି କକାଙ୍କ ସତ୍ ସାହସକୁ ଖୁବ୍ ପ୍ରଶଂସା କଲି ମନେ ମନେ । କିନ୍ତୁ, ଆଶଙ୍କା ବି ହେଲା କାରଣ ଏଭଳି ଦାମ୍ଭିକତାକୁ ପାଣିଗ୍ରାହୀ ସହଜରେ ଭୁଲି ଯିବା ଲୋକ ନୁହନ୍ତି । ଉପର ବେଳା ପାହାଡ଼ ତଳ ବାଇଗଣ ପଦରରେ କକା ସଙ୍ଗେ ଦେଖା ହେଲା । କହିଲି,

 

‘‘ତମେ ଇମିତିରେ କାହିଁକି ଚିହ୍ନା ପଡ଼ିଲ କକା । ପାଣିଗ୍ରାହୀର କଳ, ବଳ ତ ଜାଣିଚ । କୋଉ ଅମଡ଼ାରେ ନେଇ ଫେରେ ଭରତି କରିବ ।’’

 

କକା ବାଇଗଣ ତଳିର ମାଟି ଖୋସୁ ଥିଲେ । ଖଣତିଟା ଥୋଇ ଦେଇ ହାତ ଦୁଇଟାକୁ ଆଣ୍ଠୁ ଆଉଜା କରି ବସିଲେ । କପାଳର ଟୋପି ଟୋପି ଝାଳ ଭୁରୁ ଛେଦ ଡେଇଁ ରୁଢ଼ିଆ ଗାଲକୁ ଗଡ଼ି ଆସୁଥିଲା ।

 

‘‘ମଣିଷର କଳ ବଳ ଯଦି ସବୁ, ବାପ, ଦଇବ କାହିଁକି ଅଛିରେ । ମଣିଷର ବଢ଼ିଆ କେତେ କାଳ ? ଯିମିତି ବଢ଼ିଚି ସିମିତି ଛିଡ଼ିବ ?’’

 

ମୋର ମନେ ହେଉଥିଲା, କକା ଯେପରି ନୀତି ପାଠ ଆବୃତ୍ତି କରି ଦୁନିଆର ଗତି ବୁଝିବାରେ ବେନିୟମ କରୁଚନ୍ତି । କହିଲି, ‘‘ଦଇବକୁ ତ ଆଉ କଚେରୀ ସୀମାର ଦହଗଞ୍ଜ ଭୋଗିବାକୁ ପଡ଼ିବନି ।’’

 

‘‘ତୁ ଭୁଲ୍ କରୁଚୁ, ସେ ବୁଝେଇବାକୁ ଚେଷ୍ଟା କଲେ, ଦଇବ ସବୁ ଦେଖୁଚି, ସବୁ ଭୋଗୁଚି । ସେ ପରା ‘କରି କରାଉଥାଏ-ମୁହିଁ !’ ପାଣିଗ୍ରାହୀ ମାରିବା, କଇବଲିଆ ଦରମରା ହେବା, ପେଟ ଭିତରେ କୋହ ଚିପି ଗାଁ’ ଲୋକେ ଜଡ଼ା, କାଲା ଭଳି ଠିଆ ହେବା-ସବୁ ସେ ଦେଖିଚି । ସେଇଟାର ଅସଲ ଦେଖା । କଚେରୀ ଯାହା ଦେଖୁଚି ଦେଖୁ ।’’

 

କିନ୍ତୁ, କଚେରୀର ଦେଖା ତୁମକୁ ମାନିବାକୁ ପଡ଼ିବ ।’’

 

ସେ ସହଜ ହେଇ ବସିଲେ । ମୁଁ ବି ଗୋଟାଏ ପଥର ଉପରେ ବସି ଗଲି । କକା ମୁହଁରେ ଗଭୀର ଆତ୍ମବିଶ୍ୱାସ ପ୍ରକାଶ ପାଉଥିଲା,

 

‘‘ମାନି ନେବା ଓ ମନେ ନେବା ଭିତରେ ଅନ୍ତର ଅଛିରେ ବାୟା । ମନେ ନେବା ଭିତରୁ ଜାତ ହୁଏ; ମାନି ନେବାଟା ବାହାରର ଲଦନ । ପାଣିଗ୍ରାହୀ ମତେ ପୁଲିସ ହାତରେ ବନ୍ଧେଇବତ, ହଉ; ସେ ଯଦି ସେତକ କରେ, ଗାଁ ଯାକର ଲୋକ ବନ୍ଧନରୁ ମୁକୁଳି ଯିବେ ।’’

 

ଏକ ରକମ ହତାଶ ଭାବେ କହିଲି,

 

‘‘ତମେ କ’ଣ ଭାବୁଚ କକା, ଏଇ ମୂର୍ଖଲୋକ କେବେ ହେଲେ ମୁହଁ ଖୋଲି ପାରିବେ ? ମଣିଷ ଭଳି ବଞ୍ଚି ଜାଣିବେ ? ଏମାନଙ୍କ ଉପରେ ମୋର ମୋଟେ ଆସ୍ଥା ନାଇଁ ।’’

 

କକାର ମୁହଁରେ ମ୍ଲାନ ହସ ଉକୁଟିଲା । ସ୍ୱରରେ ବେଦନାର ସ୍ପର୍ଶ ଲାଗିଲା ଭଳି ବୋଧ ହେଉଥିଲା ମଧ୍ୟ ।

 

‘‘ତୁ ଏମାନଙ୍କ ପାଖରୁ ଦୂରେଇ ଯାଇଚୁ । ତୋ ମନରେ ବିଶ୍ୱାସ ଆସିବ କିମିତି ? ମୁଁ ଯେହେତୁ ଏମାନଙ୍କ ମେଳରେ ରହିଚି, ଜାଣେ ଏମାନେ କ’ଣ ।’’

 

କକାର ମୁହଁକୁ ଚାହିଁ ରହିଲି । ସେଇ ‘କ’ଣ’ ପଦଟିର ବିଶ୍ଳେଷଣ ଶୁଣିବା ପୂର୍ବରୁ ମୁଁ ଯୁକ୍ତି ବଢ଼େଇ ପାରୁ ନଥିଲି ।

 

ସୂର୍ଯ୍ୟର ଝଳି ମଉଳି ଯାଉଥିଲା । ଦୂରରେ କେଉଁ ଗାଈଆଳର ଲମ୍ବା ବଇଁଶୀରେ ‘କଳା-ମାଣିକ’ ଧ୍ୱନିତ ହେଉ ଥିଲା । ଖଣ୍ଡିଲଟା ଗହଳି ଭିତରୁ କେଉଁ ଘର ବାହୁଡ଼ା ଗାଈର ଉଦବିଗ୍ନ ହମ୍ବାଳି ଶୁଭୁଥିଲା ରହି ରହି । ପଶୁ ଓ ମଣିଷ ଉଭୟ ପ୍ରାଣରେ ଯେପରି ଆଶଂକିତ ମାତୃତ୍ୱ ଆକୁଳ ହେଇ ଉଠିଚି । କକା କହିଲେ,

 

‘‘ଏମାନେ ଗରୀବ, ଅନାଥ । ପେଟ ପୁରାଇ ଅବା ରୁଚି କରି ଖାଇବା ଦିନେ ଜାଣନ୍ତିନି-। ଉପର ମଣିଷର ଲଦନ ସବୁ ପ୍ରକାର ବାଧା, ବିପଦକୁ କରମ କହି ମୁଣ୍ଡ ପୋତି ସହି ଯାଆନ୍ତି,-’’

 

ମୁଁ ବାଧା ଦେଲି,

 

‘‘କିନ୍ତୁ ଏହା ଧର୍ମ-ଭୀରୁତା ନୁହେଁ । ଏହା କୁସଂସ୍କାର, ମାନସିକ ବିକୃତି ।’’

 

‘‘ସତ; କିନ୍ତୁ ଏଥିରେ ଏମାନଙ୍କର ଦୋଷ କ’ଣ ? ଯୁଗ ଯୁଗ ଧରି ସବୁ ପ୍ରକାର ସୁବିଧା ଓ ସୁଯୋଗରୁ ତଡ଼ା ଖାଇ ଏଇ ଲୋକେ ଏକ ରକମ ଗମାର ପାଲଟି ଯାଇଚନ୍ତି । ଧର୍ମ, ଜାତିଆଣ, ନ୍ୟାୟ, ଶାସନ–ସବୁ ବିଷୟରେ ଉପର ଲୋକେ ଏମାନଙ୍କୁ କୂଟ କରିଚନ୍ତି, ଠକିଚନ୍ତି । କେଉଁ ବଳରେ ଏମାନେ ମୁହଁ ଖୋଲନ୍ତେ ? ମଣିଷ ଭଳି ବଞ୍ଚି ଜାଣନ୍ତେ କିମିତି ? ଏମାନେ ମୁହଁ ଖୋଲିବେ କେବଳ ସ୍ନେହ ପାଇଲେ । କଣ୍ଠରେ ଆକୁଳତା ଭରି ଠିକ୍ ଏଇ ଗାଈଟି ଭଳି ଏମାନଙ୍କୁ ସ୍ନେହ ଦେଇ ଡାକିବାକୁ ହେବ; ଆପଣାର କରିବାକୁ ହେବ ।’’

 

ସନ୍ଧ୍ୟା ନଇଁ ଆସିଥିଲା । ଏକାଠି ଘରକୁ ଫେରିଲୁ । ମନ ମୋର ଭାରି ହେଇ ଯାଇଥିଲା । କଇବଲିଆ ଲାଗି ପାଣିଗ୍ରାହୀର ସାମନା କରିବା ପଛରେ କକା ପ୍ରାଣର ଆବେଗ ମୁଁ ସମ୍ୟକ୍ ବୁଝି ପାରିଥିଲି । ତଥାପି ନାନା ରକମର ପ୍ରଶ୍ନ ଉଠୁଥିଲା ମନରେ । କକା କ’ଣ ସ୍ନେହ ଦେଇ ଏଇ ଲୋକଙ୍କ ମୁହଁରେ ସତରେ କଥା ଫୁଟେଇ ପାରିବେ ?

 

(୫)

 

ପାଣିଗ୍ରାହୀ ବହୁତ ଉପାୟ କଲେ । ଧମକ ଦେଲେ, ପଇସା ଲୋଭ ଦେଖେଇଲେ, ତଥାପି ଭୋଳି କକା ବିରୁଦ୍ଧରେ କହିବା ଲାଗି ଗାଁରେ ଜଣେ ହେଲେ କିଏ ରାଜି ହେଲେନି । ଅଗତ୍ୟା ପାଣିଗ୍ରାହୀଙ୍କୁ ଉଠେଇବା ହାତ ନିଜ ଗାଲରେ ବସେଇ ତୁନି ଯିବାକୁ ହେଲା । ଘରୁ ଘରୁ ପୁରୁଣା ଚାଉଳ, ଜାଇ, ଘିଅ, ଆମ୍ବୁଲ, ପନିପରିବା ମାଗି ଆଣି କକା ପଥି ପାଚନରେ କଇବଲିଆକୁ ସୁସ୍ଥ କରିଦେଲେ । ଆଖଡ଼ା ଘରେ ପୂର୍ବପରି ଖେଳ ଚାଲିଲା । ଗାଁ’ର କିଶୋର ସଂସାର ନିର୍ଦ୍ଦୋଷ ଆମୋଦ, ଆନନ୍ଦରେ ପୁଣି ସହଜ, ସରସ ହେଇ ଉଠିଲା । ଏଇ ଜୀବନରୁ ବଞ୍ଚିତ ହେଲା କେବଳ ମଦନ । ଆଖଡ଼ା ଘରକୁ ଆସିବା ଲାଗି ତା’ର ମୁହଁ ନଥିଲା ।

 

ଅଭିନନ୍ଦିତ କରି ଦିନେ କହିଲି,

 

‘‘ମୋର ବିଶ୍ୱାସ ନଥିଲା, କକା, ଗାଁ’ ଲୋକ ଇମିତି ଏକ ମନ ହେବେ ବୋଲି । ବାସ୍ତବିକ୍ ତମେ ଏମାନଙ୍କ ଭିତରେ ବଳ ଆଣି ଦେଇଚ ।’’

 

କକା ହସି ହସି ଉତ୍ତର କଲେ,

 

‘‘ଏହା କିଛି ପଶୁବଳ ନୁହେଁ । ସ୍ନେହ ଓ ବିବେକର ଦାବୀ ମାତ୍ର । ପଇସାକୁ ଯିଏ ବଡ଼ କରି ଜାଣିଚି, ପଇସା ଲାଗି ସେ ସବୁ କରି ଦେଇ ପାରେ । ମାନ, ମହତ ଜ୍ଞାନ ତାର ରହେନି । କିନ୍ତୁ ଏ ଲୋକେ ପଇସାର ମୋହରେ ପଡ଼ି ନାହାନ୍ତି । କାରଣ ଚିର ଦରିଦ୍ରତା ଏମାନଙ୍କୁ ସବୁବେଳେ ପଇସାର ସଂସାରରୁ ଦୂରରେ ରଖିଚି ।’’

 

ମୁଁ ସନ୍ଦେହ ତୁଟେଇବାକୁ ଚାହିଁଲି,

 

‘‘ଏମାନେ ସବୁଦିନେ ପଇସାର ସଂସାରରୁ ଦୂରରେ ରହିବା କ’ଣ ତମେ ପସନ୍ଦ କରୁଚ-?’’

 

‘‘ନା, ପଇସା ଦିନେ ଏମାନଙ୍କ ପାଖରେ ଶରଣ ପଶିବ । ସେ ଦିନ ପାଇଁ ଏମାନଙ୍କୁ ପ୍ରସ୍ତୁତ କରି ରଖିବାକୁ ହେବ ।’’

 

ମୁଁ ବୁଝି ପାରି ନଥିଲି । ପଚାରିଲି,

 

‘‘ବ୍ୟବସାୟ, ବଣିଜ, କଳ କାରଖାନା, ଜମିଦାରୀ ସବୁ ତ ରହିଚି ଉପର ଲୋକଙ୍କ ହାତରେ । ପଇସା ଏମାନଙ୍କ ହାତକୁ ଆସିବ କିମିତି ?’’

 

କକା କହିଲେ,

 

‘‘ଆଜିର ପଇସା ଅର୍ଥ କେବଳ ଧନ ନୁହେଁ; ଧର୍ମ, ନ୍ୟାୟ, ଜ୍ଞାନ, ଶାସନ ମଧ୍ୟ । ଏ ସବୁ ପଇସାର-,’’

 

ସେ ଗୋଟିଏ ଅର୍ଥ-ପ୍ରକାଶକ ପଦ ପାଇଁ ଖୋଜି ହେଲେ ।

 

ମୁଁ ବଢ଼େଇ ଦେଲି,

 

‘‘ପଇସାର ବିନିମୟ ମାଧ୍ୟମ ।’’

 

ସେ ଆନନ୍ଦିତ ହେଲେ,

 

‘‘ହଁ ପଇସା ଦେଇ ଯାହା ଅଦଳ ବଦଳ ହୁଏ । ପଇସାର ଏ ପ୍ରାଧାନ୍ୟ ରହିବନି ।’’

 

ମୋର ବିଶ୍ୱାସ ବଳୁ ନଥିଲା । ପଚାରିଲି, ‘କିମିତି ?’ ‘‘ଆଜି ଯେଉଁମାନେ ପଇସାର ମୂଲ୍ୟ ନିରୂପଣ କରୁଛନ୍ତି, ପଇସାର ଭାଉ ଜାଣନ୍ତନି । ପଇସା ଗୋଟାଏ ଅନାବଶ୍ୟକ ସୃଷ୍ଟି; ମାତ୍ର କେତେଟା ଲୋକର ଗୋଟାଏ ବଜାର ସଉକି । ଉପଜ ସଙ୍ଗେ ଏହାର ସହଜ ସଂପର୍କ ନାଇଁ । ବଜାରର ଅନିଶ୍ଚିତ ଗତି ଦିନେ ଏ ସଉକିକୁ ଅଚଳ କରି ଦେବ । ତା’ ସଙ୍ଗେ ଅଚଳ ହେଇଯିବ ଏ ସଉକିର ସଂସାର ।’’

 

ବୁଝି ପାରିଲି, କକା ପୁଞ୍ଜିବାଦୀ ବିଶ୍ୱରେ ଆର୍ଥିକ ସଙ୍କଟ ସଙ୍ଗେ ଶାସନ ବ୍ୟବସ୍ଥା ଅଚଳ ହେଇଯିବା ଗଣନା କରୁଚନ୍ତି । ମତେ ଆଶ୍ଚର୍ଯ୍ୟ ଲାଗୁଥିଲା, ଗାଁର ଅଶିକ୍ଷିତ ଏ ବୃଦ୍ଧ ଏ ଯୁଗର ଅର୍ଥନୀତିର ଜଟିଳ, ଅସାର ତତ୍ୱ ବୁଝି ପାରିଛନ୍ତି କିମିତି ? ହୁଏତ ଏହା ପଛରେ ଥିଲା ସୃଜନୀ ଶକ୍ତିର ସହଜ ଅନ୍ତରଜ୍ଞାନ । ସନ୍ତାନର ବିବିଧ କ୍ରିୟାନୁଷ୍ଠାନର ଅର୍ଥ ଜନନୀ ଯଦିଓ ସଂପୂର୍ଣ୍ଣ ହୃଦବୋଧ କରି ପାରେନି, ତଥାପି ସନ୍ତାନ ଉପରେ ଏହାର ପରିଣତି କିଭଳି ରୂପ ନେଇପାରେ, ତା’ର କଳ୍ପନାପ୍ରବଣ ମାତୃପ୍ରାଣ ଅବ୍ୟକ୍ତ ଭାବରେ ଅନୁଭବ କି ପାରି ଥାଏ । କକା ବୁଝି ପାରିଥିଲେ, ପୁଞ୍ଜି ଶାସନତନ୍ତ୍ର ଭାଜି ପଡ଼ିବା ଫଳରେ କ୍ଷମତା ଆସିଯିବ ଶ୍ରମଜୀବୀ ହାତକୁ । ପଚାରିଲି,

 

‘‘ଲୋକେ କିଭଳି ପ୍ରସ୍ତୁତ ହେବ ?’’

 

କକା ଉତ୍ତର କଲେ,

 

‘‘ଲୋକଙ୍କ ମନରେ ବିଶ୍ୱାସ ଆଣିବାକୁ ହେବ । ସେ ବିଶ୍ୱାସ ଆଣି ହେବ ସେମାନଙ୍କ ସଙ୍ଗେ ନିଜକୁ ଏକ କରି ଦେବାରେ; ସେମାନଙ୍କୁ ସୁଖ, ଦୁଃଖରେ ଭାଗୀ ହେବାରେ; ଗଭୀର ସ୍ନେହ ଓ ସମ୍ମାନ ଅର୍ପଣ କରିବାରେ । ତମ ବର୍ଗର ଲୋକ, ଯେଉଁମାନେ ଯୁଗ ଯୁଗ ଧରି ଏଇ ତଳିଆ ଲୋକଙ୍କୁ ଗରୀବ କରିବାରେ ସାହାଯ୍ୟ କରି ନିଜେ କୌଣସି ସୁବିଧା ପାଇ ପାରିନାହାନ୍ତି, ଏଣିକି ଏମାନଙ୍କ ସଙ୍ଗେ ମିଶି ଯିବାକୁ ହେବ । କାରଣ ଉପର ଲୋକ ତୁମକୁ ମଧ୍ୟ ଭଲରେ ରଖି ଦେବେନି-।’’

 

ଏ ବୃଦ୍ଧିରେ ଗଭୀର ଅନ୍ତରଦୃଷ୍ଟି ମତେ ଅବାକ୍ କରି ଦେଇଥିଲା । ପୁଞ୍ଜି-ସମାଜରେ ନିମ୍ନ ମଧ୍ୟ ବର୍ଗ ଧୀରେ ଧୀରେ ଦେଉଳିଆ ହେବା ସେ ଜାଣି ପାରିଥିଲେ ।

 

(୬)

 

ମୋର ଦୃଷ୍ଟି ଲାଭ ହେଇଥିଲା । ମୁଁ ବୁଝି ପାରିଥିଲି, ମୋର ଭାଗ୍ୟ, ମୋର ଭବିଷ୍ୟତ ଗୁନ୍ଥା ଗାଁର ଏଇ ଜଡ଼ା କାଲାଙ୍କ ସଙ୍ଗେ; ନଗରୀର ବେଙ୍କ୍ ଅବା କାରଖାନା ମାଲିକ ସଙ୍ଗେ ନୁହେ । ଉପର ବର୍ଗର ଅନ୍ୟାୟ, ଅବିଚାର ଓ ଶୋଷଣ ବିରୁଦ୍ଧର ଭୋଳି କକାର ଏଇ ଲୋକଙ୍କ ସଙ୍ଗେ କାନ୍ଧ ମିଶେଇ ଠିଆ ହେବା ପାଇଁ ମୋର ଅନ୍ତର ଭିତରେ ଗୋଟାଏ ବାଣୀ କି ଏକ ନୂତନ ଶକ୍ତି ଜାତ କରୁଥିଲା । ମୁଁ ଯେତେ ଦୂରେଇ ଯାଇଥିଲି, ଫେରି ଆସିବା ଲାଗି ସେତେ ବ୍ୟାକୁଳ ହେଉଥିଲି-

 

ଭୋଳି କକାର ମନରେ ଶିକ୍ଷାର ଅହମିକା ନଥିଲା, କିନ୍ତୁ ସତ୍‍ଶିକ୍ଷାର ମହତ୍ୱ, ଅନ୍ଧକାର ଭିତରେ ଆଲୋକର ସନ୍ଧାନ ନେବା, ସେ ଭଲ ଭାବେ ବୁଝିଥିଲେ । ଆଭିଜାତ୍ୟର ବାହ୍ୟାଡ଼ମ୍ବର ଭଳି ତାଙ୍କର ଲୋକପ୍ରିୟ ନାଁକୁ ମିଥ୍ୟା ସମ୍ମାନ ଦେବା ଲାଗି ଆଗ ପଛରେ ବିଶ୍ୱବିଦ୍ୟାଳୟର ଶସ୍ତା ଉପାଧି ନଥିଲା, କିନ୍ତୁ, ସେ ନିଜେ ଥିଲେ ଗୋଟାଏ ଶିକ୍ଷାନୁଷ୍ଠାନ ଯେଉଁଥିରେ ମଣିଷର ଜୀବନଯାତ୍ରାକୁ ସରଳ, ସହଜ ଓ ସୁନ୍ଦର କରିବା ପାଇଁ ବିବିଧ ତତ୍ୱ ଓ ସତ୍ୟ ଆବିଷ୍କୃତ ହେଇଥିଲା-। ସେ ଅଷ୍ଟବର୍ଗର ସାଧକ ନଥିଲେ; କିନ୍ତୁ ତାଙ୍କର ଧର୍ମ ଥିଲା ସ୍ନେହର ଧର୍ମ, ନୈତ୍ରୀର ଧର୍ମ । ଶିଶୁ ଭଳି ସରଳ ଓ ମାତୃହୃଦୟ ଭଳି ଉଦାର ସେ ଥିଲେ ମାନବତାର ପ୍ରତୀକ । ସେ ରାଜନୀତି ବୁଝି ନଥିଲେ, ‘ବାଦ’ ବୁଝି ନଥିଲେ; କିନ୍ତୁ ତାଙ୍କର ନୀତି ଥିଲା ମଣିଷକୁ ଦାସତ୍ୱରୁ ମୁକ୍ତ କରିବା । ଦୁଃଖେ ଗଢ଼ା ଜୀବନକୁ ଧରି କାନ୍ଦି କରି ସେ ସେ ଦାର୍ଶନିକ ହେଇ ନଥିଲେ; ମଣିଷର ସୁଖଦୁଃଖକୁ ଆପଣାର କରି ସେ ପାଇଥିଲେ ସତ୍ୟକାର ପ୍ରାଣର ଦର୍ଶନ, ଯେଉଁ ପ୍ରାଣ ସ୍ପନ୍ଦିତ ହେଉଚି କୋଟି ଶୋଷିତର ପଞ୍ଜରା ଭିତରେ ।

 

ଭୋଳି କକା ମଲେଣି କେତେ ବର୍ଷ ହେଲା; କିନ୍ତୁ ଗାଁର ଦୀନ, ଦୁଃଖୀ ଭିତରେ ସେ ବଞ୍ଚି ରହିଚନ୍ତି ଚିର ଦିନ ପାଇଁ । ପାଣିଗ୍ରାହୀ ଏବେ ବି ବଞ୍ଚିଚି; କିନ୍ତୁ ସେ ମରିଚି ଚିର ଦିନ ପାଇଁ । ତା’ର ମନଗଢ଼ା ଆଭିଜାତ୍ୟର ଦୁନିଆ ଖଣ୍ଡ ଖଣ୍ଡ ହେଇ ଭୁଷୁଡ଼ି ପଡ଼ୁଚି ପ୍ରତିଦିନ ।

Image

 

ଦେଢ଼ ପଇସା

(୧)

 

୧୯୩୨ ସାଲ । ଲବଣ ସତ୍ୟାଗ୍ରହୀ ଭାରତର ବିଭିନ୍ନ ସ୍ଥାନରେ ଜେଲ ବରଣ କରିଛନ୍ତି । ଗୋଟାଏ ବଡ଼ ରକମର ସଂଘର୍ଷ ଆଗରେ ବିଫଳ ହେଇ ଗୋରା ଶାସକ ଯୋଜନା କରି ଜନ ସାଧାରଣଙ୍କୁ ଉତ୍ୟକ୍ତ କରୁଚି । ମୁଠାଏ ଲୁଣ ଧରି ଏ ଗାନ୍ଧୀ ଚେଲା ଦଳ ଭାରତକୁ ସ୍ୱାଧୀନ କରିଦେବେ ? କେତେ ଉପହାସ କରୁଚନ୍ତି । କେତେ ଖୁବ୍ ଗୁରୁତ୍ୱ ଦେଇ ଏ ଲିପ୍ତତାର ବିଚାର କରୁଚନ୍ତି । ଭାରତର ସର୍ବତ୍ର, ସବୁ ଶ୍ରେଣୀ ଭିତରେ, ସବୁ ମହଲରେ ବିଚାର ଆଲୋଚନା ଚାଲିଚି । ‘ଦେଢ଼ଶ’ ବର୍ଷର ଦାସ, ଦୁର୍ବଳ ଭାରତ ପ୍ରଭୂର କାର୍ଯ୍ୟକଳାପ ଉପରେ ମନ୍ତବ୍ୟ କରିବାକୁ ସାହାସ କରିଚନ୍ତି । ଏଇ ମୁଠିରେ ଗୋଲା ବାରୁଦ ତିଆରି ହେବନି; ତିଆରି ହେବେ ଦେଶ ପ୍ରାଣ ସତ୍ୟାଗ୍ରହୀ-ହଜାର, ଲକ୍ଷ ଲକ୍ଷ । ବିଦେଶୀର ଶାସନ, କ୍ଷମତା ଓ ଫାସିଖୁଣ୍ଟ ମୁହଁରେ ନିର୍ଭୀକ ଭାବରେ ଦାବୀ କରିବେ ଭାରତର ସ୍ୱାଧୀନତା; ତେତିଶ କୋଟି ନରନାରୀଙ୍କ ମୁକ୍ତି । ଗୋଟାଏ ବିଶାଳ ଦେଶର କୋଟି କୋଟି ଭୟାଳୁ ଲୋକଙ୍କୁ ଗାନ୍ଧିଜୀ ନିର୍ଭୀକ ଆଉ ଲଢ଼ୁଆ କରି ଦେଇ ପାରିଚନ୍ତି ।

 

(୨)

 

ଛୁଟି ଘଣ୍ଟା ବାଜିଲା, ପିଲାମାନେ ଦଳ ଦଳ ହୋଇ, ନାଚି କୁଦି ଝପଟି ଯାଉଚନ୍ତି ଖେଳ ପଡ଼ିଆ ଉପରକୁ । କ୍ଲାସ୍ ରୁମ୍ ଖାଲି ହେଇ ଗଲାଣି । ଲମ୍ବା ଲମ୍ବା ବେଞ୍ଚ ଗୁଡ଼ାକ ବଡ଼ ନିରାଶ, ବେଢ଼ଙ୍ଗ ଦେଖା ଯାଉଚନ୍ତି । ବ୍ଲାକବୋର୍ଡ଼ରେ ଚିତ୍ର ଶିକ୍ଷକ ଆଙ୍ଗି ଖଣ୍ଡିଆ ରେଖା ଭିତରୁ ଭଲଭାବେ ବାରି ହେଉଚି ଜଣେ ମଣିଷର ଆକୃତି । ମୁଣ୍ଡ ଉପରେ ଚଉତା କରା ଗାମୁଚ୍ଛା, ହାତରେ ଲମ୍ବା ବାଡ଼ି, ହସ ହସ ମୁହଁରେ ବିଶ୍ୱାସ ଓ ନିର୍ଭୀକତା, ପଇସା ଭଳି ଝୁଲିଚି ଗୋଟାଏ ଝୁଲିମୁଣା, ପ୍ରତ୍ୟାଲୀଢ଼ ପଦରେ ନିଶ୍ଚିତ, ଜୟଯାତ୍ରାର ସଂକେତ । ବାରମ୍ବାର ଚେଷ୍ଟା କରି ମୋର ସ୍ଲେଟରେ ସେଇ ଆକୃତି ଲେଖି ପାରୁ ନଥିଲି । ମନରେ ନାନା ରକମର ଭାବ ଗୋଳେଇ ପୋଳେଇ ହେଉଥିଲା । ଗାନ୍ଧିଜୀଙ୍କ ଜୀବନୀ ସମ୍ବନ୍ଧେ ଶିକ୍ଷକ ଯେତେସବୁ ବିବରଣ ଦେଇଗଲେ ମୋର ବିଶେଷ ମନେ ରହିନି । ଯାହା ଯାହା ବା ମନେ ରହିଥିଲା ସେଥିରୁ ମୁଁ କିଛି ଅର୍ଥ ପାଉ ନଥିଲି । ତେବେ ଏତିକି ଅବଶ୍ୟ ବୁଝିଥିଲି, ଏଇ ଗାନ୍ଧିଜୀ ଛୋଟ ଛୋଟ ପିଲାଙ୍କ ସଙ୍ଗେ ମିଶିବା ପାଇଁ ଭଲ ପାଆନ୍ତି ।

 

ଆବିଷ୍ଟ ଆଖିରେ ଚାହିଁଲି ଚିତ୍ରଟିକୁ । ତାଙ୍କୁ ଥରେ ଦେଖିବା ପାଇଁ ମନ ମୋର ଆକୁଳ ହେଇ ଉଠିଥିଲା । ପାଖରେ ବସି ବହୁତ କଥା କହନ୍ତି-ତମେ ଏ ଲମ୍ବା ବାଡ଼ିଟା କେଉଁଠୁ ପାଇଲ ? ଏ ଝୁଲିରେ କଣ ରଖିଚ ? ଆମ ଗାଁକୁ ଆସିବ କି ? ଆମର କାଞ୍ଚି ବିରାଡ଼ି ପିଢ଼ା ଉପରେ ବସି ଖାଏ । ମୁଁ ଦୁଇଁଲେ ମଧ୍ୟ ଆମର କୁନ୍ଦି ଲାତ ମାରେ ନି; ଭାରି ଭଲ ଗାଈ । ଆମ ଗାଁରେ ବହୁତ ଛେଳି ଅଛନ୍ତି । ତମେ ପରା ଛେଳି ଦୁଧ ଖାଅ ? କିଛି ଅସୁବିଧା ହେବନି । ହଁ, ଗୋସେଇଁ ଘରକୁ କିନ୍ତୁ ଯିବନି । ତାଙ୍କର ସେ କୋଦା ପାତି ମାଙ୍କଡ଼ଟା ଦେଖିଲା ମାତ୍ରେ ଉପରକୁ ମାଡ଼ି ଆସୁଚି । ପିନ୍ଧିବା ଲୁଗା ଆଣ୍ଠୁ ଡେଇଁ ନଥିଲେ ବଡ଼ ହଇରାଣ କରୁଚି; ଖେଦି ଆସି ଦାନ୍ତରେ ଖଣ୍ଡିଆ କରି ପକାଉଚି । ସେଇଟାକୁ କିଏ ଗାଁ ବାହାରକୁ ତଡ଼ି ଦିଅନ୍ତା କି ! ତା’ ଲାଗି କାହା ବାଡ଼ିରେ ଆଉ ଫଳ ପରିବା ରହୁନି । ଛୋଟ ଛୋଟ ମାଛ ବି ଖାଇ ଦେଉଚି । ଆଚ୍ଛା, ମାଙ୍କଡ଼ ପରା ଆମିଷ ଖାଏନି ? ତମେ ତ ସବୁଆଡ଼େ ଯାଉଚ, ଯେଉଁଠି ଇମିତି ଦୁଷ୍ଟ ମାଙ୍କଡ଼ ଦେଖିବ କହିବ ଗାଁରୁ ବାହାର କରିଦେବା ପାଇଁ । ଶିକ୍ଷକ କହୁଥିଲେ, ଆମର ଏତେବଡ଼ ଭାରତ ଦେଶରେ ତମ କଥାରୁ କେହି ବାହାର ହୁଅନ୍ତାନି ।.

 

‘‘କିରେ, ଏଠି କଣ କରୁଚୁ ? ତତେ ଖୋଜି ମୁଁ ହାଲିଆ ହେଲେଣି ।’’

 

କେତେବେଳେ ବେଞ୍ଚ ଉପରୁ ଉଠି ଯାଇ ବ୍ଲାକବୋର୍ଡ଼ ତଳେ ବସିଥିଲି ଖିଆଲ ନାଇଁ ।

 

ବିଜୟ ହାତ ଧରି ଉଠେଇଲା,

 

‘‘ଚାଲ୍ ଚଞ୍ଚଳ, ସ୍କୁଲରେ ଜଣେ ବୋଲି ପିଲା କିଏ ନାଇଁ, ତୁ ବସିଚୁ ଏଇଠି ? ସମସ୍ତେ ଚାହିଁଥିବେ ଆମ ପାଇଁ ।’’

 

ଉଠିଲି, ମନରେ ମୋର ସରାଗ ନଥିଲା । ନଈବାଲିରେ ଡ଼ୁଡ଼ୁ ଖେଳିବା ପାଇଁ ସବୁ ଦିନର ଆଗ୍ରହ ମତେ ଚଞ୍ଚଳ କରୁ ନଥିଲା । କହିଲି,

 

‘‘ଆଜି ଆଉ ଖେଳିବିନି ମୁଁ । ମତେ ଭଲ ଲାଗୁନି ।’’

 

‘‘ଦେହ ଭଲ ଲାଗୁଚି ତ ?’’

 

ବିଜୟ ମୋର କପାଳରେ ହାତଦେଲା ଉତ୍ତାପ ବାରିବା ପାଇଁ ।

 

‘‘ଦେହ ଭଲ ଅଛି ମ; ମନ ଭଲ ଲାଗୁନି । ଆଚ୍ଛା, ବିଜୟ ଆମେ ଗାନ୍ଧିଜୀଙ୍କ ପାଖକୁ ଯାଇ ପାରିବା ନି ?’’

 

ବିଜୟ ହସି ଉଠିଲା ଖୁବ୍ ବଡ଼ ପାଟିରେ । ଗାନ୍ଧିଜୀଙ୍କୁ ଯେତେ ସବୁ କହିବି ବୋଲି ମନେ ମନେ ତାଲିକା କରି ନେଇ ଥିଲି ବିଜୟ ଆଗରେ କହିବାକୁ ମୁହଁ ପାଇଲିନି ।

 

‘‘କିରେ, ହଠାତ୍ ତୋ’ ମୁଣ୍ଡରେ ଏଭୂତ ଚଢ଼ିଲା କାହିଁକି ? ଗାନ୍ଧିଜୀ କଣ ସାଧାରଣ ଲୋକ ବୋଲି ଭାବିଚୁ ? ବଡ଼ ବଡ଼ ଲୋକ ତାଙ୍କ ସଙ୍ଗେ ଦେଖା କରିବାକୁ ଚାହିଁଲେ ମାସ ମାସ ଆଗରୁ ସମୟ ଠିକ୍ କରି ନିଅନ୍ତି । ଆମେ ତାଙ୍କ ପାଖକୁ ଯିବା କିମିତି ?

 

ବିଜୟ କଥାରେ ମୋର ବିଶ୍ୱାସ ବଳୁ ନଥିଲା । ବ୍ଲାକବୋର୍ଡ଼ର ଚିତ୍ରଟିକୁ କଣେଇ ଚାହିଁଲି-। ବିଜୟର ମନ୍ତବ୍ୟ ଭୟରେ ସିଧା ଚାହିଁବାକୁ ମୋର ସାହସ ନଥିଲା । ମନ ହେଉଥିଲା ଖୁବ୍ ବଡ଼ ପାଟିରେ ପଚାରନ୍ତି-ଗାନ୍ଧିଜୀ ତୁମେ କଣ ସତେ ଏତେ କଟକଣା କରି ରହିଚ ? ତମ ସଙ୍ଗେ ମିଶିବା ପାଇଁ ଆମେ ମାସ ମାସ କେଉଁଠି ଯାଇ ଅପେକ୍ଷା କରିବୁ ? ମତେ ନୀରବ ରହିବା ଦେଖି ବିଜୟ କହିଲା, ‘‘ହଉ, ଘରକୁ ଚାଲେ ବିଚାର କରିବା ।’’

 

ବିଜୟ ସପ୍ତମ ଶ୍ରେଣୀରେ ପଢ଼େ; ମୁଁ ଚତୁର୍ଥରେ । କିନ୍ତୁ ପାଖ ପଡ଼ିଶା ହେତୁରୁ ପିଲାଦିନର ଧୂଳି ଖେଳରୁ ଆମେ ଏକାଠି ବଢ଼ି ଆସିଥିଲୁ । ପାଞ୍ଚବର୍ଷ ବୟସର ପ୍ରଭେଦ ଆମର ସ୍ନେହ ଭିତରେ କୌଣସି ଅସମାନତା ଆଣିପାରି ନଥିଲା । ବିଜୟ ମୋର କଥାକୁ ହସି ଉଡ଼େଇ ଦେବା ମତେ ଭଲ ଲାଗି ନଥିଲା । ନୀରବରେ ଘର ପର୍ଯ୍ୟନ୍ତ ଚାଲିଲି । ବ୍ଲାକବୋର୍ଡ଼ର ସେଇ ରେଖା ଚିତ୍ରଟା ମନେ ହେଉଥିଲା, ତା’ର ଲମ୍ବାବାଡ଼ି ଠକ୍‍ ଠକ୍‍ କରି ମୋର ପଛରେ ଯେପରି ଲାଗି ଆସୁଚି । ପଛକୁ ଫେରି ଚାହିଁବାର ଅବକାଶ ନଥିଲା ।

 

(୩)

 

ଶିକ୍ଷକ କହିଲେ, ଗାନ୍ଧିଜୀ ହଜାର ହଜାର ଟଙ୍କା, ସୁନା, ଅସରଫି ମାଗୁ ନାହାନ୍ତି । ସମଗ୍ର ଭାରତବାସୀ ଯଦି ପଇସାଏ କରି ତାଙ୍କୁ ଦିଅନ୍ତି, ତା’ହେଲେ ଗୋରାମାନଙ୍କୁ ସେ ଆମ ମାଟିରୁ ବାହାର କରି ଦେଇ ପାରିବେ । ଗାନ୍ଧିଜୀଙ୍କର ଏ ପ୍ରସ୍ତାବ ମତେ ବଡ଼ ସୁଲଭ ମନେ ହେଉଥିଲା ଏବଂ ମନେ ମନେ ମୁଁ ତାଙ୍କର ବୁଦ୍ଧିକୁ ତାରିଫ୍ କରିଥିଲି । ଲୋକେ କଣ ପଇସାଏ ଲେଖା ଦେଇ ପାରିବେ ନି ?

 

ବିଜୟ ମାନିଲାନି । ସେ କହୁଚି, ଗାନ୍ଧିଜୀଙ୍କୁ ଯିଏ ପଇସା ଦେବ ସେ ଜେଲ ଯିବ । ତା’ର ବାପା ପୁଲିସ୍ ଦପ୍ତରରୁ ବୁଝି ଆସିଚନ୍ତି । ଏଥିଲାଗି ପୁଲିସମାନେ ଖୁବ୍ ଜାଗ ତିଆର ଅଛନ୍ତି । ଏବଂ ସବୁ ଗାଁରେ ଏକଥା ପ୍ରଚାର କରି ଦିଆ ଯାଇଚି ।

 

ସେଇ କେତେଦିନ ଧରି ମୋ ମନରେ ଜମା ସରସତା ନଥିଲା । ଗାନ୍ଧିଜୀଙ୍କୁ ଦେଖିବା ଆଶା ତ ଗଲା । ତାଙ୍କୁ କି ଭଳି ସାହାଯ୍ୟ କରି ପାରିବ, ଭାବି ଭାବି ବାଟ ପାଉ ନଥିଲି ।

 

ପଇସାଟିଏ ଦେବା ଲାଗି ମୋର କିଛି ଅସୁବିଧା ନାଇଁ । କିନ୍ତୁ ମୋର ସେ ପଇସାଟି ତାଙ୍କ ପାଖରେ ପହଞ୍ଚିବ କିମିତି ? କିଏ ଯଦି ମୋର ପଇସାଟି ନେଇ ତାଙ୍କ ହାତରେ ଦିଅନ୍ତା ଆଉ କହି ଆସନ୍ତା ଆସିକା ହାଇସ୍କୁଲ ଚତୁର୍ଥ ଶ୍ରେଣୀର ସେଇ ସୃଜନ ବୋଲିବା ପିଲାଟି ଯିଏ ବ୍ଲାକବୋର୍ଡରେ ତୁମର ଚିତ୍ର ଦେଖି ତୁମପାଖକୁ ଆସିବାକୁ ଖୁବ୍ ଆଶାକରି ରହିଚି, ଏଇ ପଇସାଟି ଦେଇଚି । ସୁବିଧାହେଲେ ତାକୁ ଥରେ ଡାକି ଆଣ । କିନ୍ତୁ ଏକଥା ବିଜୟ ଯେପରି ନ ଜାଣେ ।

 

ସ୍କୁଲ ଛୁଟି ହେଲେ ମୁଁ ଘରକୁ ଯାଏ ଆଉ କେଉଁଠିହେଲେ ଏକୁଟିଆ ବସି ଗାନ୍ଧିଜୀଙ୍କ କଥା ଭାବେ । ତାଙ୍କ ପାଖରେ ତ ଅନେକ ପିଲା ଥିବେ । ତେବେ, ସେ ମତେ ନେବ କାହିଁକି ? ଚିଠି ଲେଖିଲେ ହୁଅନ୍ତା ପରା । କିନ୍ତୁ ତାଙ୍କର ଠିକଣା ଜାଣିବି କିମିତି ? କାହାକୁ ପଚାରିବି ? ବିଜୟ କଣ ଜାଣିଥିବ ? ନା, ତାକୁ ପଚାରିବା ଠିକ୍ ହେବନି । ନଈବାଲିକୁ ମୁଁ କେତେ ଦିନ ହେଲା ଯାଇଛି ବୋଲି ସେ ମୋର ଉପରେ ଖୁବ୍ ରାଗି କରି ରହିଚି ।

 

ଶନିବାର, ରବିବାର ଦୁଇଦିନ ସ୍କୁଲ ବନ୍ଦ ରହେ । ଶୁକ୍ରବାର ଦିନ ଶେଷ ପିରିଏଡ଼୍ ଘଣ୍ଟା ବାଜିବା ପରେ କ୍ଲାସ୍ ଶିକ୍ଷକଙ୍କ ପଛେ ପଛେ ଗଲି । କିଛି ଦୂର ଯିବା ପରେ, ପିଲାମାନଙ୍କର ଗହଳି ଯେତେବେଳେ କମି ଆସିଲା, ଦକଦକ ଛାତିରେ ପଛରୁ ଡାକିଲି । ସେ ପେରିପଡ଼ି ମତେ ଅନେଇଲେ,

 

‘‘କଣ କିରେ ?’’

 

ବହୁଦିନ ହେଲା ଯେଉଁ ଚିଜଟିକୁ ପକେଟରେ ଧରି କେତେ ଆଶା ନିରାଶା ହସକାନ୍ଦର କଥା ନୀରବ ଭାବେ ମନେ ମନେ କହି ଉଠୁଥିଲି ଥର ଥର ହାତରେ ତାଙ୍କ ହାତକୁ ବଢ଼ାଇ ଦେଲି । କିଛି ବୁଝି ନପାରି ସେ ପଚାରିଲେ,

 

‘‘ମତେ ପଇସାଟାଏ କାହିଁକି ଦେଲୁ ?’’

 

ପେଟ ଭିତରୁ କଥା ଫୁଲି ଆସୁଥିଲା, ଆଖି ଛଳ ଛଳ ହେଇ ଆସିଲାଣି । ଭୀତ ଜଡ଼ିତ, କଣ୍ଠରେ କହିଲି,

 

‘‘ମୋର ଏଇ ପଇସାଟି ଗାନ୍ଧିଜୀଙ୍କ ପାଖକୁ ପଠେଇ ଦେବ ।’’

 

ତାଙ୍କ ମୁହଁରେ ବିସ୍ମୟ, ଆନନ୍ଦ, ଗଭୀର ବିଶ୍ୱାସର ଆଭା ଫୁଟି ଉଠିଲା । ସ୍ନେହଭରା ଚଞ୍ଚଳ କଣ୍ଠରେ ପଚାରିଲେ,

 

‘‘ତୁ ସତରେ ଏଇ ପଇସାଟି ଗାନ୍ଧିଜୀଙ୍କ ସ୍ୱରାଜ ପାଣ୍ଠିକୁ ଦେଇଚୁ ?’’

 

କେତେ ଦିନରୁ ଭାବିଥିଲି, କେତେ କଣ ପାଞ୍ଚିଥିଲି–ସବୁ କଥା ତାଙ୍କୁ କହିବି ବୋଲି ବିକଳ ହେଲି । କିନ୍ତୁ ଗୋଟିଏ ଛୋଟ, ଜଡ଼ିତ ‘ହଁ’ ଛଡ଼ା ଆଉ କିଛି କଥା ମୁହଁ ଦେଇ ବାହାର ହେଲାନି । ଆଖିରେ ଲୁହ ଭରି ଆସିଥିଲା । ମୋର ମୁଣ୍ଡ ଆଉଁସି ଦେଇ ସେ କହିଲେ,

 

‘‘ମୁଁ ନିଶ୍ଚୟ ତୋର ଏ ପଇସାଟି ଗାନ୍ଧିଜୀଙ୍କ ପାଖକୁ ପଠେଇ ଦେବି । ତୋ ଭଳି ପିଲା ବାହାରିଲେ ଏ ଦେଶ ସୁନା ହେଇଯିବ । ସୋମବାର ଦିନ କ୍ଲାସ୍‍ରେ ଏ କଥା ମୁଁ ସବୁ ପିଲାଙ୍କୁ କହିବି ।’’

 

ଅନୁନୟ କରି କହିଲି,

 

‘‘ନାଇଁ ଆଜ୍ଞା, ଏ କଥା ଆଉ କାହାକୁ କହିବନି । ବିଜୟ ଜାଣିଲେ ମତେ-’’

 

ସେ ମିନିଟିଏ ନୀରବ ହେଇଗଲେ; କଣ ଭାବିଲେ କେଜାଣି କହିଲେ,

 

‘‘ହଉ, ତୋ’ କଥାଇ ହେଉ । ତୋର ଏ ଦାନ କଥା ମୁଁ କାହାକୁ କହିବିନି । କିନ୍ତୁ ତତେ ଆଉ ଗୋଟାଏ କାମ କରିବାକୁ ପଡ଼ିବ ।’’

 

ଆଗ୍ରହରେ ପଚାରିଲି,

 

‘‘କଣ ଆଜ୍ଞା ?’’

 

ସେ କହିଲେ,

 

‘‘ତୁ ଏ ପଇସାଟି ଦାନ କରି ଦେଇ ତୋର କର୍ତ୍ତବ୍ୟ ଶେଷ ହେଲା ମନେ କଲେ ଚଳିବନି । ତତେ ଅନ୍ୟମାନଙ୍କ ପାଖରୁ ଆଉ କିଛି ସଂଗ୍ରହ କରିବାକୁ ହେବ । ତେବେ ଯାଇ ଗାନ୍ଧିଜୀ କହିବେ-ସୁଜନ ସାବାସ୍ ।’’

 

ସେ ଚାଲିଗଲେ । ମୋ ମୁଣ୍ଡରେ ଚିନ୍ତା ଭରି ଯାଇଥିଲା ।

 

(୪)

 

ସୁଜନ, ସାବାସ୍–ସୁଜନ, ସାବାସ୍–ବ୍ଲାକବୋର୍ଡ଼ର ସେଇ ରେଖା ଚିତ୍ରଟି ମତେ ତୁହାଇ ତୁହାଇ କହୁଚି । କାହାକୁ ମାଗିବି, କଣ ବୋଲି ବୁଝେଇବି ମୁଁ କିଛି ଥଳକୂଳ ପାଉ ନଥିଲି । ବିଜୟ କହିଥିଲା, ଗାନ୍ଧିଜୀଙ୍କୁ ଯିଏ ପଇସା ଦେବ ସେ ଜେଲଯିବ । ଏ କଥାତ ସବୁ ଗାଁରେ ପ୍ରଚାର ହେଇଯିବଣି । ମୋ କଥା କିଏ କାହିଁକି ଶୁଣିବ ? ସମସ୍ତେ ମାରି ଗୋଡ଼େଇବେ । ବୋଉକୁ ମାଗିଲେ ହୁଏତ ଦେବ । କିନ୍ତୁ ସେ ପଇସା ଗାନ୍ଧିଜୀଙ୍କ ପାଣ୍ଠିକୁ ଯାଉଚି ଜାଣିଲେ ବାପା, ହୁଏତ–ହୁଏତ କାହିଁକି, ନିଶ୍ଚୟ ମନା କରିଦେବେ ।

 

କାହାକୁ ମାଗିବି ? ଏ ଲୋକ ଗୁଡ଼ାକ ସତରେ ବଡ଼ ଭୟାଳୁ । ଜେଲ୍‌ତ ଆଉ ଫାସି ଖୁଣ୍ଟ ନୁହେଁ; ବୁଢୀ ଅସରୁଣୀର ଗୁହା ନୁହେ । ଗାନ୍ଧିଜୀଙ୍କୁ ପଇସା ଦେଇ ଜେଲ୍‌ଯିବା ପାଇଁ ଏତେ ଡର କାହିଁକି ? ନା, ଏ ଲୋକେ ଚୋରି କରି, କାହାର ମୁଣ୍ଡ ଫଟେଇ କେବଳ ଜେଲ୍‌ଯିବେ । ଗାନ୍ଧୀଙ୍କ ପାଇଁ ଯିବେନି । ଦେଖା ହେଲେ ମୁଁ ସଫା କହିଦେବି–ତମେ କାହିଁକି ମିଛରେ ଏ ଲୋକଙ୍କ ଉପରେ ଭରସା କରିଚ । ଏମାନେ ତୁମ କଥା ଶୁଣିବେନି । ଏମାନେ ଲୁଚେଇ ଛପେଇ ପଇସା କରିବା ଜାଣନ୍ତି; ମାରପିଟ ହେବା ଜାଣନ୍ତି । ତୁମକୁ ଅଧଲାଏ ଦେବେନି କି ଜେଲ୍‌ ଯିବେନି ।

 

ମୁଁ କାନ୍ଦ କାନ୍ଦ ହେଇ ଯାଉଥିଲି । କ୍ଲାସ ଶିକ୍ଷକଙ୍କ ସଙ୍ଗେ ଏକଲା ଦେଖା କରିବାକୁ ମୋର ଆଉ ସାହସ ବଳୁ ନଥିଲା । ମତେ ସେ କଣ କହିବେ । ପଇସାଟିଏ ମୁଁ କାହାରିଠୁ ଆଣି ପାରିଲିନି ? ମୋ ପାଇଁ ଗାନ୍ଧିଜୀଙ୍କ ମୁହଁରୁ ‘ସୁଜନ, ସାବାସ୍‌’ ଆଉ ବାହାରିବନି । କେବଳ ଶିକ୍ଷକ କହିବେ–ଛି, ସୁଜନ । ମୁଁ ବୁଝି ପାରିଥିଲି, ମୋ ସଙ୍ଗେ ସେ କଥା ହେବା ଚାହୁଁଚନ୍ତି । କିନ୍ତୁ ଧରା ନଦେବା ପାଇଁ ମୁଁ ମନେ ମନେ ଫିକର ପାଞ୍ଚୁଥିଲି । ସକାଳବେଳାର ଶେଷ ପିରିଏଡ଼୍‌ ଶେଷରେ କ୍ଲାସରୁ ବାହାରିଗଲା ବେଳକୁ ଶିକ୍ଷକ କହିଲେ,

 

‘‘ସୁଜନ, ଆସିବୁଟି ମୋ ତୁଲେ ।’’

 

ଅପରାଧୀ ଭଳି ତାଙ୍କ ପଛେ ପଛେ ଗଲି । ଶିକ୍ଷକମାନଙ୍କ ବିଶ୍ରାମ କରିବା ଘର ମୁହଁରେ ଠିଆ ହେଇ ସେ ପଚାରିଲେ, ‘‘କିଛି ପାଇଲୁ କାହାଠୁ ?’’

 

ଦେବା ପାଇଁ ଉତ୍ତର ନଥିଲା, ମୁଣ୍ଡ ପୋତି ଠିଆ ହେଲି । ମୋର କାନ୍ଧ ଉପରେ ହାତ ଥୋଇ ସେ ଭରସା ଦେଲେ,

 

‘‘ହତାଶ ହେବା ଦରକାର ନାଇଁ । ହଁ, ତତେ କହିବାକୁ ଭୁଲି ଯାଇଥିଲି । ଧନୀ ଲୋକଙ୍କୁ ମାଗିଲେ ସେମାନେ ଦେବେନି । କାରଣ ସେମାନେ ଚାହାଁନ୍ତି ଏ ଦେଶରେ ଗୋରା ରହନ୍ତୁ ବୋଲି । ତୁ ଗରିବ ଲୋକଙ୍କୁ ମାଗିଲେ ନିଶ୍ଚୟ ପାଇବୁ ।’’

 

ମୋର ମୁଣ୍ଡ ଟିକିଏ ହାଲୁକା ହେଇଗଲା । ବାଟରେ ଯାଉ ଯାଉ ଭାବି ଦେଖିଲି, ଏଇ ଧନୀ ଲୋକେ ତା’ହେଲେ ଗାନ୍ଧିଜୀଙ୍କର ବିରୋଧ କରୁଚନ୍ତି । ସେ ହେତୁରୁ ସେ ଭରସା କରିଚନ୍ତି ଗରୀବଙ୍କ ଉପରେ । ତେବେ, ଗରୀବ ଲୋକେ କେବଳ ଆମ ଦେଶରେ ବଡ଼ ସାହସୀ । ଗାନ୍ଧିଜୀଙ୍କ ପାଇଁ ଜେଲ୍‌ଯିବାକୁ ସେମାନେ ଜମା ଡରୁ ନାହାନ୍ତି । ମୁଁ ନିଶ୍ଚୟ ଗରୀବ ଲୋକଙ୍କୁ ଭଲ ପାଇବି । ମୁଁ ଜାଣିଥିବା ଗରୀବ ଲୋକଙ୍କର ମନେ ମନେ ଗୋଟାଏ ତାଲିକା କରିନେଲି ।

 

ଆର ସାହିର ଚୁଡ଼ୁତିଆଣି ବୁଢୀ ଯିଏ ଭୁଜା, ଉଖୁଡ଼ା ବିକି ଆଣେ; ଆମ ସାହିର ଜଗନ୍ନାଥ ପୂଜାରୀ ଧରମୁ ପଣ୍ଡା; ତାପିଆ ବାଙ୍କ ବେବର୍ତ୍ତା; ନିଧି ଦାସ–ପାଛିଆରେ ଏଣ୍ଡୁରି, ପୁଲି, ଚକୁଳି ଧରି ଯିଏ ସାହି ସାହି ବୁଲି ବିକେ; ଆମ ପଡ଼ିଶାର ରଙ୍ଗା ପାଢ଼ୀ ଏ ସମସ୍ତେ ତ ଗରୀବ । ପ୍ରତିଦିନ ଦୁଇ ପଇସା ରୋଜଗାର ନକଲେ ଏମାନଙ୍କ ଘରେ ଚୁଲି ଜଳେନି । ଏମାନେ ନିଶ୍ଚୟ ଦେବେ ।

 

ସବୁ ସିନା ହେଲା, ମୁଁ ଯାଇ କାହାକୁ ମାଗି ପାରୁଚି କିମିତି ? ନଅ ବରଷର ଗୋଟାଏ ଛୁଆ କଥାରେ ସେମାନେ ସରତେ ଯିବେ ବୋଲି କି ବିଶ୍ୱାସ ? ହଉ, ଆଉ କାହା ପାଖକୁ ଯାଇ ପାରିବିନି ସିନା, ରଙ୍ଗା ପାଢ଼ୀକୁ ଅବଶ୍ୟ କହି ପାରିବି । ସେ ଦିନ ତା’ର ନାତି ପିନ୍ଧୁ ବୋଲି ଗୋଟାଏ ଜାମା ଦେଇଚି । ସେ କଣ ମୋ କଥା ଶୁଣିବନି ?

 

(୫)

 

‘‘ହଇରେ ପୁଅ, ଆଜି କୁଆଡ଼େ ଖେଳି ବୁଲି ଗଲୁନି,’’ ରଙ୍ଗା ପାଢ଼ୀ ପଚାରିଲା ଶେଷରେ-

 

ବେଳ ଢଳି ଆସିଲାବେଳକୁ ତାର ସବୁଦିନେ ଅଧାକପାଳି ମାରେ । କପାଳର ଅଧକରେ ରକ୍ତଚନ୍ଦନ ଲେପ ଦେଇ ପାଛୁଡ଼ି ଘୋଡ଼େଇ ହେଇ ସେ ବସିଚି ପିଣ୍ଡା ଉପରେ । ପ୍ରାୟ କୋଡ଼ିଏ ମିନିଟ୍‌ ହେବ ମୁଁ ତା’ର ପାଖରେ ବସିଚି, କିନ୍ତୁ ଚାନ୍ଦା କଥା କହି ପାରୁନି । ମୋର ଏ ଭୀରୁତା ଲାଗି ମୁଁ ଖୁବ୍‌ ବିରକ୍ତ ହେଉଥିଲି ମନେ ମନେ ।

 

‘‘ଶୀତ କାଳଟା ନା, ଟିକିଏ ବୁଲି ଚାଲି ନଆସିଲେ ଦିହ କିମିତି ରିସିରସିଆ ଲାଗେ ।’’

 

ଭାବିଲି, ଆଉ ଚୁପ୍‌ରହିବା ଭଲ ହେବନି । ଅନ୍ୟ କିଏ ଯଦି ଆସିଯାଏ ମୁଁ ଜମା ମୁହଁ ଖୋଲି ପାରିବିନି । କହିଲି,

 

‘‘ରଙ୍ଗା ପାଢ଼ୀ, ମୁଁ ତୁମ ପାଖକୁ ଚାନ୍ଦା ମାଗି ଆସିଚି ।’’

 

ନିର୍ଲିପ୍ତ ଭାବରେ ସେ ଉତ୍ତର କଲା,

 

‘‘କି ଚାନ୍ଦାରେ ପୁଅ ? ଆମେ ତ ଗରୀବ ଲୋକ ଜାଣିଚୁ କୋଉଠୁ ଆଣିବି ?’’

 

‘‘ବେଶି ନୁହେଁ ମ । ମୁଁ ପଇସାଟିଏ ଦେଇଚି । ତମେ ମଧ୍ୟ ପଇସାଟିଏ ଦେବ ।’’

 

ସେ ଆଶ୍ଚର୍ଯ୍ୟ ହେଲା,

 

‘‘ପଇସାଟିଏ ! କୋଉଥି ପାଇଁ ପୁଅ ? ତମ ଖେଳ ପାଇଁ କିସ କିଣିବ କି ?’’

 

ମୁଁ କହିଲି,

 

‘‘ନା, ସ୍ୱରାଜ ପାଣ୍ଠିକୁ ଦେବି ।’’

 

ତାର ମନରେ ଅବିଶ୍ୱାସ ଛୁଇଁଲା,

 

‘‘କି ପାଣ୍ଠି ବୋଇଲୁ ?’’

 

‘‘ସ୍ୱରାଜ ପାଣ୍ଠି, ଗାନ୍ଧିଜୀ ମାଗିଚନ୍ତି । ସବୁ ଗରୀବ ଲୋକେ ପଇସାଟିଏ କରି ଦେଲେ ଗୋରା ଲୋକଙ୍କୁ ସେ ଆମ ଦେଶରୁ ତଡ଼ି ଦେବେ । ସେମାନେ କୁଆଡ଼େ ଆମ ଦେଶର ସବୁ ଧନ ଚୋରି କରି ନେଇ ଯାଉଚନ୍ତି ।’’

 

ଗାନ୍ଧୀ ନାଁ ଶୁଣି ରଙ୍ଗା ପାଢ଼ୀର ମୁହଁ ଶେତା ପଡ଼ିଗଲା । ଛନ ଛନ ଆଖିରେ ସାହି ଉପରକୁ ଅନେଇ ସେ କହିଲା,

 

‘‘ସେ ନାଁ ଧଇଲେ ପରା ଜଇଲ କରୁଚନ୍ତି ? କୋଉଠି କହନାରେ ପୁଅ । ତୁ ଆମର ଖେଳି ବୁଲି ପାଠ ପଢ଼େ । ସେତେ ଅସନଟ କଥାରୁ କିସ ମିଳିବ ?’’

 

କ୍ଳାସ ଶିକ୍ଷକ କହିଥିବା କଥା ସବୁ କହିଗଲି । ସେ ଟିକିଏ ଦୋଦୋ ପାଞ୍ଚ ହେଲା ଭଳି ଜଣାଗଲା,

 

‘‘ତୁ ପଇସାଟେ ଦେଇଚୁ । ମୁଁ ଦେବା କଥା କିଏ ଜାଣିବନି ?’’

 

ବିଶ୍ୱାସ ଦେଲି, ସେ ଓ ମୁଁ ବିନା ତୃତୀୟ ଲୋକ କେହି ଏ କଥା ଜାଣିବନି । ଅଣ୍ଟାରୁ ପଇସା ବାହାର କରି ସେ ମତେ ତା’ର ଆହୁରି ପାଖକୁ ଡାକିଲା । ମୁଁ ଘୁଞ୍ଚି ବସିଲି । ମୋର ହାତରେ ଦେଢ଼ ପଇସା ଦେଇ ସେ କହିଲା,

 

‘‘ତୁ ପିଲା ଲୋକ ହେଇ ପଇସାଟିଏ ଯେବେ ଦେଇଚୁ, ମୁଁ ଅଧିକା କିଛି ଦେବାର ଥିଲା-। ମାତ୍ର ମୋ ପାଖରେ ଆଉ ଅଧଲାଏ ହେଲେ ନାଇଁ । ଦୁଇ ପଇସା କରି ଦେଇଥିଲେ ସୁନ୍ଦର ହେଇଥାନ୍ତା । ମୋର ନାଁ ମାତ୍ର କାହାକୁ କହିବୁନିଟି ପୁଅ !’’

 

ରଙ୍ଗାପାଢ଼ୀକୁ ନିର୍ଭର କଥା ଦେଇ ଫେରିଲି । ଉଚ୍ଚାଟରେ ଛାତି ମୋର ଫୁଲି ଉଠୁଥିଲା-। ସିଧା ଚାଲିଲି କ୍ଲାସ୍‌ ଶିକ୍ଷକଙ୍କ ଘରକୁ । ରଙ୍ଗା ପାଢ଼ୀର ଦେଢ଼ ପଇସା ତାଙ୍କ ହାତରେ ଦେବା ପର୍ଯ୍ୟନ୍ତ ମୋ ମନରେ ଶାନ୍ତି ନଥିଲା । ଗାନ୍ଧିଜୀ ମୋ ଉପରେ ଅବଶ୍ୟ ସନ୍ତୁଷ୍ଟ ହେବେ । ସେ କିମିତି ଚଞ୍ଚଳ ଗୋରାଙ୍କୁ ଏ ଦେଶରୁ ତଡ଼ନ୍ତୁ । ଆମର ଧନ ଆମ ପାଖରେ ରହୁ ।

 

(୬)

 

ବହୁତ ବର୍ଷ ବିତି ଗଲାଣି । ଛୁଟି ଦିନମାନଙ୍କରେ ମୁଁ ଯେବେ ଗାଁକୁ ଯାଇଚି ରଙ୍ଗା ପାଢ଼ୀ ପଚାରିଚି,

 

‘‘ହଇରେ ପୁଅ, ସ୍ୱରାଜ ଆଉ କବେ ଆସିବ ?’’

 

ମୁଁ ସାନ୍ତ୍ୱନା ଦେଇ ଆସିଚି–ଆସୁଚି, ପାଖେଇଲାଣି, ନିଶ୍ଚୟ ଆସିବ ।

 

ବହୁଦିନ ଶଯ୍ୟାଶାୟୀ ହେଇ ବୟାଳିଶି ବିଦ୍ରୋହର ନିଆ ଲିଭି ଆସିଲା ବେଳକୁ ରଙ୍ଗାପାଢ଼ୀ ମଲା । ତା’ର ପ୍ରାଣ ଛାଡ଼ିଲା ବେଳେ ସ୍ୱରାଜ ନିଶ୍ଚୟ ଆସୁଚି ବୋଲି କହି ଦେବା ପାଇଁ ମୁଁ ଗାଁରେ ନଥିଲି । ପୁଲିସ୍‌ର ନଜର ଏଡ଼ିବା ପାଇଁ ଅଜ୍ଞାତବାସ କରିଥିଲି ।

 

ଭାରତ ସ୍ୱାଧୀନ ହେଲା । ସାମ୍ରାଜ୍ୟବାଦୀ ଗୋରା କଂଗ୍ରେସ ହାତରେ ଶାସନ ଭାର ଅର୍ପଣ କରି ପଛକୁ ହଟିଗଲା । ସେଇ ଦିନରୁ ଯେତେ ସବୁ ଘଟଣା ଘଟି ଗଲାଣି–ନୀତି, ବାଦ ଓ ପନ୍ଥା ନେଇ ଯେତେ ରକମର ଆଲୋଚନା ଓ ସମାଲୋଚନା ହେଲାଣି; ଦେଖି ଶୁଣି, ପଢ଼ି ମୁଁ ଯାହା ଗ୍ରହଣ କଲିଣି ଆଜି ୧୯୫୪ ଡିସେମ୍ୱରରେ ମୁଁ ମାନି ପାରୁନି ଯେ ଆମର ଦେଶ ଉପରୁ ଗୋରାର କବଳକରା ହାତ ଅପସରି ଯାଇଚି ।

 

ରଙ୍ଗା ପାଢ଼ୀ ବଞ୍ଚିଥିଲେ ମୁଁ ତାକୁ ନିଶ୍ଚୟ ବୁଝାଇ ପାରିଥାନ୍ତି, ଗାନ୍ଧିଜୀ ଯେଉଁ ଉଦ୍ଦେଶ୍ୟ ନେଇ ସ୍ୱାଧୀନତାର ସଂଗ୍ରାମ ଲଢ଼ିଥିଲେ ଓ ଶେଷରେ ପ୍ରାଣ ମଧ୍ୟ ଦେଲେ ସେ ଉଦ୍ଦେଶ୍ୟ ବିଫଳ ହେଇଯାଇଚି । ତାଙ୍କର ଅନୁଷ୍ଠାନ ଆଜି ଜନତାର ବିଶ୍ୱାସରେ ବିଷ ଦେଇଚି । ରଙ୍ଗା ପାଢ଼ୀର ଦେଢ଼ ପଇସାର ସଦ୍‌ବିନିଯୋଗ ଦେଇପାରିନି । ତା’ର ବଦଳରେ ଏଇ ଓଡ଼ିଶା ଦେଶର ଦେଢ଼ କୋଟି ଲୋକ ଯେଉଁ ବ୍ୟୁହ ଭିତରେ ପଡ଼ିଚନ୍ତି ସେଥିରୁ ମୁକୁଳିବା ପାଇଁ ଲୋଡ଼ା ଦୁଃଖୀ, ଭୋକିର ଏକତା; ଲୋଡ଼ା ପୁଣି ସଂଗ୍ରାମ; ଆଉ ବିଶ୍ୱାସଘାତକମାନଙ୍କର କଠୋର ଶାସ୍ତି ।

Image

 

ବଂଶଧର

(୧)

 

ଅରୁଣ ବାବୁଙ୍କ ବ୍ୟସ୍ତତା ବଢ଼ି ଚାଲିଚି । ଜଣେ ଲୋକ ଏତେଆଡ଼େ ନଜର ରଖିବା ତାଙ୍କ ପକ୍ଷେ ସମ୍ଭବ ହେଇ ପାରୁନି । ତଥାପି, ଏ କାଳରେ, ନିଜର କାମ ନିଜେ ତଦାରଖ ନକଲେ ପ୍ରତି କଥାରେ ଠକି ହେବାର ଆଂଶକା ପ୍ରବଳ । ପରିଶ୍ରମ ପ୍ରତି କାହାରି ସମ୍ମାନ ନାଇଁ । ପାରିଶ୍ରମିକ ହେଲା ମୂଳ; ପରିଶ୍ରମ କେବଳ ଗୋଟାଏ ଓର ମାତ୍ର ।

 

ବାଲ୍ୟକାଳରୁ ମାତୃହୀନ ଅରୁଣ ବାବୁ ବିଧୂର ପିତାର ଅଖଣ୍ଡ ସ୍ନେହ ଓ ଅଭିଭାବକତାରେ, ଘରର ସ୍ୱଚ୍ଛଳ ଅବସ୍ଥା ଭିତରେ, ଆଭିଜାତ୍ୟର ଗୌରବ ସହକାରେ ସବୁ ପ୍ରକାର ସୁଖ ସ୍ୱାଚ୍ଛନ୍ଦ୍ୟ ଓ ସରାଗ ନେଇ ବଢ଼ିବାକୁ ଲାଗିଲେ । ବୟସ ସଙ୍ଗେ ଜୀବନପ୍ରତି ଆଗ୍ରହ ଓ ଆସକ୍ତି ମଧ୍ୟ ବଢ଼ୁଥିଲା; ପ୍ରାଣଶକ୍ତି ପୁଞ୍ଜିଭୂତ ହେଉଥିଲା । ସାହିତ୍ୟରେ ଏମ୍‌.ଏ. ନେଇ ଅରୁଣ ବାବୁ କଲେଜ ଛାଡ଼ିଲା ବେଳକୁ କର୍ମ କିବା ପ୍ରେରଣାର ଅଭାବ ନଥିଲା । ପିତାଙ୍କର ମସ୍ତବଡ଼ ପାଠାଗାର, ମୁଦ୍ରଣାଳୟ, ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା, ମୋଟା ବେଙ୍କ୍‌ ବେଲେନ୍‌ସ୍‌, ଗୌରବଦୀପ୍ତ ପିତାର ଏକମାତ୍ର ସନ୍ତାନ ପ୍ରତି ଆଶା, ବିଶ୍ୱାସ ଓ ଭରସା–ସବୁ ପ୍ରସ୍ତୁତ ହେଇ ରହିଥିଲେ ସ୍ୱାଗତ ଜଣେଇବା ପାଇଁ । ଏଭଳି ସୌଭାଗ୍ୟ ସବୁରି ଭାଗ୍ୟରେ ଘଟି ନଥାଏ । କିନ୍ତୁ ଦୁର୍ଭାଗ୍ୟ, ପୁଅର ଖ୍ୟାତି ଦେଖିବା ଲାଗି ଦୀର୍ଘ ଦିନର ବିରହୀ, ପ୍ରୌଢ଼ ପିତା ବେଶି ଦିନ ବଞ୍ଚି ନଥିଲେ । ଅରୁଣ ବାବୁଙ୍କ କଲେଜ ଛାଡ଼ିବାର ପ୍ରାୟ ପାଞ୍ଚ ବର୍ଷ ପରେ ସେ ଇହଲୀଳା ସାଙ୍ଗ କଲେ ।

 

ଘର ଜଞ୍ଜାଳ, କର୍ମର ତାଗିଦା, ଭବିଷ୍ୟତର ଚିନ୍ତା, ସ୍ୱପ୍ନ ଭିତରେ ଅରୁଣ ବାବୁ ବଡ଼ ଅସହାୟ, ନିଃସଙ୍ଗ ମନେ କଲେ । ସାଥୀ ଗ୍ରହଣର ଉଦ୍‌ବେଗ ମନକୁ ଆକ୍ରାନ୍ତ କରି ରଖିଲା । ଦୈନନ୍ଦିନ କର୍ମର ନିରବିଚ୍ଛିନ୍ନ ସ୍ରୋତ ଭିତରେ ସେ ନିଜକୁ ଆପଣାର କରିବାର ସୁଯୋଗ ପାଆନ୍ତିନି-। କିନ୍ତୁ ବିଶ୍ରାନ୍ତି ସମୟରେ । ବିଶେଷତଃ ପ୍ରସାରିତ, ନିରୁଦ୍‌ବିଗ୍ନ ରାତିର ଅସହନୀୟ ରୁଦ୍ଧତା ଭିତରେ ତାଙ୍କର ପ୍ରାଣ ଅଭିବ୍ୟକ୍ତି ପାଇଁ ବ୍ୟାକୁଳ ହେଇଉଠେ । ନିରନ୍ଧ୍ର–କୃଷ୍ଣ ଆକାଶ, ତାରକା ପୁଞ୍ଜର ନିର୍ଲିପ୍ତ, ନୀରବ ମିଟିମିଟାଣି, ନିଶୀଥ ସମୀରଣର ଉଦାସ, ଅପରିଚିତ ସଂଚାର ନିର୍ଜୀବ ପରିପାର୍ଶ୍ୱକୁ ବିଚିତ୍ର ଭାବେ ଅନାତ୍ମୀୟ ମନେ ହେଉଥିଲା । ଅଜ୍ଞାତରେ କେଉଁ ବ୍ୟଥିତ ତନ୍ତ୍ରୀର ବିଷାଦିତ ଝଙ୍କାର ଅରୁଣ ବାବୁଙ୍କର କଣ୍ଠ ଭେଦି ମୁକୁଳି ଯାଏ ।

 

‘‘ମୋର କଣ କେହି ନାଇଁ ? ମୁଁ କି କାହାର ନୁହେ ? ଜୀବନ କଣ ବ୍ୟର୍ଥତାରେଇ ମିଶିଯିବ ? ଭଗବାନ, ମତେ କିଏ ଗୋଟାଗୋଟି କରି ନିମିଷକ ପାଇଁ ଯଦି ତୋଳି ଧରନ୍ତା...’’

 

ନିମିଷକ ପାଇଁ ନୁହେ, ଦିନକ ପାଇଁ ନୁହେ–ଜୀବନର ସହଚରୀ ରୂପେ ଅରୁଣ ବାବୁଙ୍କ ହାତ ଉପରେ ହାତ ଥୋଇଲା ରିତା ।

 

ଏ ବିବାହ ଯେଭଳି ଆକସ୍ମିକ ସେଭଳି ବିସ୍ମୟକର । ଅରୁଣ ବାବୁଙ୍କ ଅତି ଅନ୍ତରଙ୍ଗ ବନ୍ଧୁମାନେ ମଧ୍ୟ ଏ ବିଷୟରେ ଭଲଭାବେ ବିଚାର କରିବା ପାଇଁ ସୁଯୋଗ ବା ସମୟ ପାଇ ନଥିଲେ । ‘ମୁଁ ସାଥୀ ପାଇଲି’ କହି ଅଚାନକ୍‌ ଦିନେ ଅରୁଣ ବାବୁ ସମସ୍ତିଙ୍କୁ ଅବାକ୍‌ କରି ଦେଲେ ।

 

ରିତା ଜଣେ ଉଚ୍ଚ ସରକାରୀ କର୍ମଚାରୀଙ୍କର ତୃତୀୟ କନ୍ୟା; କଲେଜରେ ପଢ଼େ । ଅରୁଣ ବାବୁଙ୍କ ସାହିତ୍ୟ ମାସିକୀ ‘ଧରାଶ୍ରୀ’ରେ ସେ ଗୋଟାଏ କବିତା ‘କାନ୍ଦନି ଆଉ’ ପ୍ରକାଶ କରିବା ନିମନ୍ତେ ପଠାଇ ଥିଲା । ସେଥିରେ କେତେଟି ପଦ ଅରୁଣବାବୁଙ୍କ ସମ୍ୱେଦନଶୀଳ ଅନ୍ତରକୁ ବଡ଼ କରୁଣ ଭାବେ ଆଘାତ କରିଥିଲା–

 

‘‘.....କାନ୍ଦନି ପ୍ରିୟେ କାନ୍ଦନି ଆଉ

ପୋଛି ଦିଅ ଆଖି ପତା ।

ତୁମେ ତ ଜାଣିନ ନିଦହୀନ ରାତି

ଉଜାଗର କରୁଣତା ।

ଦିବାନିଶି ଯଦି ମରମେ ମରମେ

କୁହୁଳି ରହଇ କୋହ

ଆଖି ପତା ତଳେ ଜମାଟଇ ଯଦି

ସାରା ଜୀବନର ଲୁହ,

ମନ ପୋଡ଼ି ପଛେ ପାଉଁଶ ହେଲାଣି

ଦେହୁ ନ ଉତୁରେ ତାତି

କିଭଳି ଯାପିବି ଶୂନ୍ୟ ତଳପେ

ନିତି ଅସରନ୍ତି ରାତି...’’

 

ହା ଭଗବାନ ! ତାଙ୍କର ନିଜର ଅବସ୍ଥାକୁ ଏତେ ସୁନ୍ଦର ବ୍ୟକ୍ତି କରି ପାରିଲା କିଏ ? ଖବର ନିଆ ହେଲା, ପରିଚୟ ହେଲା–ପ୍ରସ୍ତାବ, ସ୍ୱୀକାର ସବୁ ଘଟିଗଲା ମାସକ ଭିତରେ ରଜତପଟରେ ବମ୍ୱେ ଛାୟାଛବିର ବିଷୟ ଗତି ଭଳି । ପ୍ରତିଦ୍ୱନ୍ଦୀ ଓ ପ୍ରତିଯୋଗିତାର ଅଭାବ ଅରୁଣ ବାବୁଙ୍କ ସଫଳତାକୁ ସରଳ କରିଥିଲେ ହେଲେ ବିଜୟ ଆନନ୍ଦ ଉପଭୋଗ କରିବାରେ ତାଙ୍କର ଆବେଗ, ଉଚ୍ଛ୍ୱାସ ଓ ଉତ୍ସାହ କମି ନଥିଲା ।

 

(୨)

 

‘‘ରିତା, ତୁମେ ସ୍ୱପ୍ନାବତୀ । ଏଇ କ୍ଷୀଣ, କମନୀୟ ଦେହରେ ତୁମେ ଏତେ ସ୍ୱପ୍ନ ଧରି ପାରିଚ କିମିତି ? ତୁମେ ଯଦି ମୋର ହେଇ ନଥାନ୍ତ, ତୁମର ସ୍ୱାମୀର ସୌଭାଗ୍ୟକୁ ଇର୍ଷା କରି ମୁଁ ଜଳି ଯାଇଥାନ୍ତି ।’’

 

‘‘କିନ୍ତୁ, ସେଥିରେ ଅନଙ୍ଗର ସାର୍ଥକତା ରହନ୍ତାନି । କାହା ପ୍ରାଣରେ ରାଗ ଓ ସ୍ୱନ ଭରିବା ପରିବର୍ତ୍ତେ ତୁମେ ତା’ର ମୁଣ୍ଡରେ କେବଳ ଭୂତ ହେଇ ଚଢ଼ି ବସନ୍ତ,’’

 

ଉପହାସ କରେ ରିତା ।

 

‘‘ମୋର କୋଳକୁ ଆସ ।’’

 

‘‘ଉହୁଁ ।’’

 

‘‘ଲାଜ କରୁଚ ?’’

 

‘‘ହୁଁ ।’’

 

‘‘କାହିଁକି ?’’

 

ହସୁରା, ଛଳ–ଆକ୍ଷେପ ଭରା ଆଖିରେ ରିତା କଣେଇ ଚାହେଁ । ସେ ଚାହାଁଣି ଯେପରି କହୁଚି, ‘କିଛି ଯେପରି ସତେ ଜାଣିନ !’

 

ବାରଣର ଏଇ ଇଙ୍ଗିତ ଭିତରୁ ଅରୁଣ ବାବୁ ସ୍ୱାଗତର ସ୍ପଷ୍ଟ ଭାଷା ବୁଝି ନିଅନ୍ତି । ବିଜୟ ଗୌରବଦୀପ୍ତ ପରାଜିତ ରିତାର ଅଲିଅଳ ଶିଶୁ ସମ ଗୁମର ଭରା ହସ କ୍ରମ ଅସ୍ପଷ୍ଟତା ଭିତରେ ଅବରୁଦ୍ଧ ହୁଏ । କାନ୍ଦୁରା ଶିଶୁ ପାଟିରେ ମାଆ ଯେପରି ତା’ର ପରିପୁଷ୍ଟ ବକ୍ଷର ପିୟୁଷ ନିର୍ଝର ଧରେଇ ଦେଇଚି । ଦୁଷ୍ଟ ଶିଶୁର କ୍ରନ୍ଦନ ଆକାଂକ୍ଷା ପିୟୁଷ ପାନରେ ବଶୀଭୂତ ହେଇ ଯାଇଚି । କି ଏକ ଅଜଣା ଅନୁଭବନରେ ଅଗଣାର ଆଲ୍‌ସେସିଏନ୍‌ ଥରେ ମାତ୍ର ଭେଉ କରି ତୁନି ରହେ । ରିତା ପ୍ରାଣର ସଞ୍ଚିତ ମଧୁ ଅରୁଣ ବାବୁ ଧୀର ଲୀଳାୟିତ ଛନ୍ଦରେ ଆହରଣ କରନ୍ତି ।

 

ଅରୁଣ ବାବୁଙ୍କ ପ୍ରାଣକୁ ରିତା ଆପ୍ଳୁତ କରି ରଖିଲା । ନିମିଷେ ମଧ୍ୟ କେହି କାହାକୁ ଛାଡ଼ି ରହିବା ସହ୍ୟ କରି ପାରନ୍ତିନି । ଲେବୋରେଟରୀରେ ଗବେଷକ ଜୀବାଣୁ କଲ୍‌ଚେର୍‌କୁ ଟେଷ୍ଟଟ୍ୟୁବ୍‌ରେ ଧରି ଦିନ ରାତି ଅତିକ୍ରମ କରି, ସନ୍ଧାନ ଉତ୍କଣ୍ଠା ନେଇ, ଯେପରି ଅବିଚଳିତ ଭାବେ ବସି ରହେ ସେଭଳି ରିତା ଆଉ ଅରୁଣ ବାବୁ ସବୁ ରକମର ଜଞ୍ଜାଳ ଭୁଲି, ଘଣ୍ଟାଘଣ୍ଟା ଧରି ଜଣେ ଜଣକ ପାଖରେ ହାତ ଉପରେ ହାତ ରଖି ନୀରବରେ ବସି ରହିବା ଭଲ ପାଆନ୍ତି । ଜଣକର ମୂର୍ତ୍ତି ଅନ୍ୟ ଜଣକର ପ୍ରାଣରେ ଦେଖିବାର ଆଗ୍ରହ ଉଭୟଙ୍କୁ ନିବିଷ୍ଟ କରି ରଖେ । ବଡ଼ ପଣ୍ଡାର ଚଳୁ ଭିତରେ ଜଗନ୍ନାଥ ଦର୍ଶନ ଦେଲେ ଯେଭଳି ପୂଜା, ନୈବେଦ୍ୟ ବଢ଼େ, ଜଣେ ଅନ୍ୟ ଜଣକୁ ମନ ଭିତରେ ସ୍ପଷ୍ଟ ଭାବେ ଦେଖି କାରିବାର ମୁହୂର୍ତ୍ତରେ ଉଭୟ ଦେହ ଲାଗି ଆସେ; ନିବିଡ଼ ଆଳିଙ୍ଗନ ଭିତରେ ଦୁଇଟି ପ୍ରାଣ ଏକ ହୁଏ ।

 

ଏଇ ପ୍ରଣୟ ଲୀଳାର ନିଷ୍ଠା ଓ ନିବିଷ୍ଟତା ଚାଲିଲା କେତେ ମାସ ଧରି । ନିର୍ଜନ, ନିର୍ମଳ ଜ୍ୟୋତ୍ସ୍ନାଲୋକରେ ବିଚରଣ କଲାବେଳେ ଦୂରର ଅସ୍ପଷ୍ଟ କୌଣସି ଦୀର୍ଘକାୟ ବସ୍ତୁ ମନରେ ଯେଭଳି ଅଶରୀରୀ ସତ୍ତାର ଶଙ୍କା ଉତ୍ପାଦନ କରିଥାଏ ସେଭଳି ପ୍ରଣୟ ଲୀଳାର ହସ–ମଞ୍ଜୁଳ, ବର୍ଣ୍ଣୋଜ୍ଜ୍ୱଳ ସ୍ୱପ୍ନ ଭିତରେ ବେଳେବେଳେ ବାହାରର ବାସ୍ତବ, ନିଷ୍ଠୁର ସଂସାର ନଗ୍ନ ରୂପରେ ଦେଖାଦିଏ । ସେଥିରେ ଆଳସ୍ୟ ନାଇଁ; ଅଛି କର୍ମର ତାଡ଼ନା । ନାଇଁ କଳରୋଳ; ଅଛି କୋଳାହଳ-। ନାଇଁ ଜୀବନ; ଅଛି ଜୀବନ ସଂଗ୍ରାମ । ରିତା ଆଉ ଅରୁଣ ବାବୁ ଅକସ୍ମାତ୍‌ ଜାଗରଣର ଧକ୍‌କାରେ ବିବଶ ହେଇ ପଡ଼ନ୍ତି ।

 

‘‘ମାସେ ହେଲା ମୁଁ ଅଫିସ୍‌ରେ ପାଦ ପକେଇନି ଜାଣ ତ ?’’

 

‘‘ଦରକାର ନାଇଁ ।’’

 

‘କାମ କିମିତି ଚଳିବ ?’’

 

‘‘ଆଜିଯାଏଁ କିମିତି ଚଳୁଚି ?’’

 

‘‘ମୁଁ କଣ ସେ କଥା ଜାଣିଲିଣି !’’

 

‘‘ମୁଁ ତୁମକୁ ମୁହୂର୍ତ୍ତେ ଛାଡ଼ି ରହି ପାରିବିନି । ଏଇଠି ମୋ ପାଖରେ ବସି ଅଫିସ୍‌ କାମ କର । ମୁଁ ଦେଖୁଥିବି ।’’

 

‘‘ପାଞ୍ଚ ମାସ ହେଲା ମୁଁ କଲମ ଧରିନି ରିତା !’’

 

ରିତା କିବା କଲମ କାହା ପ୍ରତି ତାଙ୍କର ମମତା ବେଶି ଅରୁଣ ବାବୁ ବୁଝି ପାରୁ ନଥିଲେ-। ରିତା ଆଉ କଲମ ଉଭୟେ ନିଶ୍ଚୟ ଏକ ଉପାଦାନର ନୁହନ୍ତି । ରିତା ଆସି କୋଳରେ ଲୋଟି ପଡ଼େ । ତା’ର ବେଣୀ-ମୁକ୍ତ, ଅବିନ୍ୟସ୍ତ, ସୁଗନ୍ଧିତ କେଶ ରାଶିରେ ଅଙ୍ଗୁଳି ଚଳାଇଲା ବେଳେ ସେ ମନେ କରନ୍ତି ତାଙ୍କର ଲେଖନୀ ଯେପରି କୌଣସି ପରମାନନ୍ଦ ସନ୍ଧାନରେ ବ୍ୟାକୁଳ ହେଇ ଉଠିଚି-

 

ଉତ୍ତେଜନା ଗୋପନ କରିବା ପାଇଁ, ପୋଷା ବିରାଡ଼ି ଛୁଆ ଭଳି କୋଳ ଉପରେ ମୁଦ୍ରିତ–ଚକ୍ଷୁ, ରିତାର ଶୁଭ୍ର ଗଣ୍ଡରେ ସେ ଚୁମ୍ୱନ କରନ୍ତି । ତା’ର ପେଲବ ତନୁର ଗଜଦନ୍ତୀ ସ୍ପର୍ଶରେ ତାଙ୍କର ରକ୍ତ ଚଞ୍ଚଳ ହେଇଉଠେ ।

 

ମୁଦ୍ରଣାଳୟରେ ସ୍ଥାନାଭାବ ହେଉଥିବାରୁ ଉପରେ ଦୋତାଲା ଉଠେଇବା ପାଇଁ ଅରୁଣ ବାବୁ ଅନେକ ଦିନରୁ ପାଞ୍ଚିଥିଲେ । ରିତାର ସନ୍ଧାନ, ଆହରଣ ଓ ପ୍ରଥମ ପ୍ରଣୟାନୁଭୂତିର ଆଳସ୍ୟଭରା ଦିନ ଗୁଡ଼ିକରେ ସେ ବିଷୟରେ ଚିନ୍ତା କରିବାକୁ ସେ ଆଉ ସମୟ ପାଇ ନଥିଲେ । ଦିନେ ହଠାତ୍‌ ମେନେଜର୍‌କୁ ଡାକି ଦୋତାଲା ଉଠେଇବା ପାଇଁ ଆଦେଶ ଦେଲେ ।

 

ରିତାକୁ ପାଖରେ ରଖି ଅରୁଣ ବାବୁ ପାଣ୍ଡୁଲିପି ସଂଶୋଧନ କରନ୍ତି; ଗଳ୍ପ, କବିତା, ସଂପାଦକୀୟ ଲେଖନ୍ତି । ସଭା ସମିତିରେ ଭାଷଣ ଦେବାକୁ ଗଲାବେଳେ ରିତା ସାଥିରେ ଲାଗିଥାଏ । ସୁଧାଂଶୁର ମନ୍ତବ୍ୟ ମନେ ପଡ଼େ–

 

ମୁଁ କୌଣସି ଝିଅକୁ ପ୍ରେମ କରିପାରେ । କିନ୍ତୁ ସେ ଯଦି ଦେହରେ ଅଠାଭଳି ଲାଖି ରହେ, ତା’ର କବଳରୁ ମୁକ୍ତ ହେବା ପାଇଁ ମୁଁ ନିଷ୍‌ଫଳ ସନ୍ୟାସ ନେବା ପାଇଁ ମଧ୍ୟ କୁଣ୍ଠାବୋଧ କରିବିନି ।’’

 

ରିତାର ନିରୀହ, ନିର୍ମଳ ବଡ଼ ବଡ଼ କଳା ଆଖି ଦୁଇଟିକୁ ଚାହିଁ ଅରୁଣ ବାବୁ ସୁଧାଂଶୁକୁ ନୀରବ ଦୃଢ଼ ପ୍ରତିବାଦ ଜଣାନ୍ତି ।

 

ଦିନେ ସକାଳେ ଶଯ୍ୟା ଛାଡ଼ିବାବେଳେ ରିତା ଖୁବ୍‌ କ୍ଲାନ୍ତ, ନିସ୍ତେଜ ଦେଖାଗଲା । କୌଣସି ରୋଗରୁ ସଦ୍ୟମୁକ୍ତ ହେଇ ସେ ଯେପରି ଉଠିଚି । କ୍ରମେ ଖାଦ୍ୟ ପ୍ରତି ଆଗ୍ରହ କମି ଆସିଲା । ରୁଚି ଅଭାବରୁ ସେ ସକାଳ ବେଳାର ଜଳଖିଆ ଛାଡ଼ିଲା ।

 

କ୍ଷୁଧା ଉଦ୍ରେକ କରିବା ଲାଗି ଖାଦ୍ୟ ସାମଗ୍ରୀର ପରିବର୍ତ୍ତନ କରାହେଲା । ତଥାପି ରିତା ସକାଳ ବେଳା କପେ କଫି ଛଡ଼ା ଆଉ କିଛି ଛୁଇଁଲାନି । ଦିନେ ମଧ୍ୟାହ୍ନ ଭୋଜନ ପରେ ପରେ ରିତାର ପ୍ରବଳ ବାନ୍ତି ହେଲା । ଡାକ୍ତର ଆସିଲା । ଉତ୍ତାପ ଓ ହୃଦୟ ପରୀକ୍ଷା କରି ସାରିବା ପରେ ଆଶଂକା ବିଜଡ଼ିତ ଅରୁଣ ବାବୁଙ୍କୁ ପାର୍ଶ୍ୱ କୋଠରୀକୁ ଡାକି ନେଇ ଡାକ୍ତର ହସି ହସି କହିଲା,

 

‘‘ଅଯଥା ଭୟଭୀତ ହୁଅନି । ସ୍ତ୍ରୀ ତୁମର ଗର୍ଭବତୀ ।’’

 

ଡାକ୍ତରର ଯିବା ପାଇଁ ଅପେକ୍ଷା ନକରି ଅରୁଣ ବାବୁ ରିତା ପାଖକୁ ଧାଇଁ ଗଲେ । କ୍ଲାନ୍ତ ରିତା ପଡ଼ି ରହିଥିଲା ଶଯ୍ୟା ଉପରେ । ତା’ର ମୁଖମଣ୍ଡଳରେ ଗୋଟାଏ ନୂଆ ଆନନ୍ଦ ପହଁରୁ ଥିଲା-। ଅରୁଣ ବାବୁ ତା’ର ହାତଟିଏ ନିଜର ମୁଠା ଭିତରେ ଧରି ତାକୁ ଚାହିଁ ରହିଲେ । ଏଇ ନିରୀହ ବାଳିକା–ଏତେ ଟିକିଏ ସୁନ୍ଦର, କୋମଳ, ଦୁର୍ବଳ, ଦେହ–ସୁଧାଂଶୁର ନିନ୍ଦିତ ‘ଅଠା’–ତାଙ୍କ ପ୍ରାଣରେ ଗୌରବ ଭରି ଦେଇଚି । ରିତାର ନିରାଡ଼ମ୍ୱର, ସରଳ, ନୀରବ, ଚଞ୍ଚଳ ସଫଳତା ତାଙ୍କମନରେ ସ୍ନେହ, ମମତା ଓ ଈର୍ଷାର ଏକ ବିଚିତ୍ର ଅନୁଭବନ ରଚନା କରିଥିଲା ।

 

(୩)

 

ଅରୁଣ ବାବୁଙ୍କ ବ୍ୟସ୍ତତା ବଢ଼ିଚାଲିଚି । ଘରେ ରିତାର ବିବିଧ ପରିଚର୍ଯ୍ୟା, ଅଫିସ୍‌ କାମର ତାଗିଦା, ଗୃହ-ନିର୍ମାଣର ତଦାରଖ–ସବୁଥିରେ ସେ ଏକ ଅଭୂତପୂର୍ବ ଶକ୍ତିର ପରିଚୟ ଦେଉଚନ୍ତି । ହଠାତ୍‌ କୌଣସି ଅସାଧ୍ୟ ସାଧନର ଏକାଗ୍ରତାରେ ତାଙ୍କର ପ୍ରାଣଶକ୍ତି ଯେପରି ପ୍ରଚୂର ପରିମାଣରେ ବଢ଼ି ଯାଇଚି । ଦୁଇବେଳା ନର୍ସ୍‌ ଆସି ଦେଖି ଯାଉଚି; ଡାକ୍ତର ନାନା ବର୍ଣ୍ଣର, ନାନା ରୁଚିର, ବିବିଧ କମ୍ପାନୀର ଓ ବିଭିନ୍ନ ଦାମର ଔଷଧ ଲେଖି ଦେଉଚି । ଭୋଜନ, ନିଦ୍ରା, ସଂଚାର ସବୁ ନିୟମ ଅନୁସାରେ କରା ହେଉଚି । ରାତିରେ ଶୋଇବା ପୂର୍ବରୁ ତା’ର ଶଯ୍ୟା କରରେ ବସି ଅରୁଣ ବାବୁ ରିତାକୁ ଷେଲି, ପୁଷ୍‌କିନ, ରବିନ୍ଦ୍ରନାଥ, ଉପେନ୍ଦ୍ର, ଦୀନକୃଷ୍ଣ, କବିସୂର୍ଯ୍ୟ ଓ ଗୋପାଳକୃଷ୍ଣଙ୍କ ରଚନା ପଢ଼ି ଶୁଣାନ୍ତି ।

 

ରିତା ସ୍ୱପ୍ନ ଦେଖେ–ଉର୍ବସୀ ରୂପରେ ସେ ପୁରୁରବା ସଙ୍ଗେ ଅରଣ୍ୟ ଭିତରେ, ଝରଣା କୂଳରେ କିମ୍ୱା ପର୍ବତ ଚୂଳରେ ବିଚରଣ କରୁଚି; ଲାବଣ୍ୟବତୀ ରୂପରେ ଜଳକେଳି କରୁଚି; ରାଧାରୂପରେ ତମାଳକୁଞ୍ଜ ଭିତରେ କୃଷ୍ଣଙ୍କ ଆଗମନ ପ୍ରତିକ୍ଷା କରୁଚି; କିମ୍ୱା, ଅଭିସାରିକା ରୂପରେ ଦେହର ବାଜେଣି ଅଳଂକାର ଉତାରି ଦେଇ, ଫୁଲ ଭାରରେ ସଜ୍ଜିତ ହେଇ, ରାଜୋଦ୍ୟାନ ଭିତରେ, ଆଲୋକ ଛାୟାର ମାୟାଲୋକରେ ବିଚରଣ କରୁଚି । ସକାଳୁ ଉଠି ରିତା ସ୍ୱାମୀ ଆଗରେ ସ୍ୱପ୍ନ ବୃତ୍ତାନ୍ତ ବର୍ଣ୍ଣନା କରେ । ଅରୁଣ ବାବୁ ତାକୁ ଆଲିଙ୍ଗନ କରି କହନ୍ତି,

 

‘‘ତୁମେ ସତ୍ୟ, ସଜୀବ ଅଥଚ ଲୋକୋତ୍ତର ।’’

 

ଉପର ମହଲା ବୈଠକ ଘରର ସମାନ ଝରକା ଭିତରୁ ମୁଦ୍ରଣାଳୟର ନିର୍ମାଣ କାର୍ଯ୍ୟ ଆଖିରେ ପଡ଼େ । ସ୍ତ୍ରୀ, ପୁରୁଷ ମିଶି ପ୍ରାୟ ପନ୍ଦର ଜଣ ଶ୍ରମିକ କାମ କରୁଚନ୍ତି । ପରିଶ୍ରମ କଲାବେଳେ ମଧ୍ୟ ସେମାନଙ୍କର ହାସ୍ୟ, ରହସ୍ୟ ଚାଲିଚି । ଝରକା ବାଟେ ରିତା ଓ ଅରୁଣ ବାବୁ ଏମାନଙ୍କୁ ବେଳେବେଳେ ଦେଖନ୍ତି । ଥରେ ଗୋଟାଏ ତାପିଆ ଜଣେ ଯୁବତୀର ମୁଣ୍ଡର ଚୁନ ତାଇ ଉଠେଇ ନେଲାବେଳେ ତା’ର ପଣତ ଧରି ଟାଣିବା ଲକ୍ଷ୍ୟ କରି ରିତା ଉତ୍ୟକ୍ତ ହେଇ ଯାଇଥିଲା । ତାପିଆଟାକୁ ବାହାର କରି ଦେବା ପାଇଁ ସେ ଅରୁଣ ବାବୁଙ୍କୁ ଜିଗର କଲା,

 

‘‘ଲୋକଟା ବଜ୍ଜାତ୍‌ । ମଜୁରୀ ଖଟିବାକୁ ଆସିଲା ବୋଲି କଣ ସେ ସ୍ତ୍ରୀର ଇଜ୍ଜତ ନଷ୍ଟ ହେବ !’’

 

ଅରୁଣ ବାବୁ ବୁଝେଇବାକୁ ଚେଷ୍ଟା କଲେ,

 

‘‘ରିତା, ସେମାନଙ୍କ ଜୀବନ ସମ୍ୱନ୍ଧେ ଆମର କୌଣସି ଜ୍ଞାନ ନାଇଁ । ସେମାନଙ୍କର ସାଧାରଣ ବ୍ୟବହାର ଆମକୁ ଅସଭତ୍ୟା, ଅନାଚାର ଭଳି ମନେ ହେଇପାରେ । ଆମେ ସେଥିରେ ହସ୍ତକ୍ଷେପ ନ କରିବାଇ ଭଲ ।

 

ଆଉ ଆପତ୍ତି ନକଲେ ମଧ୍ୟ ରିତାର ଉତ୍ତେଜନା ଶାନ୍ତ ହେଇ ନଥିଲା । ତା’ର ଦେହ ଖରାପ ହେବା ଆଶଂକାରେ ଅରୁଣ ବାବୁ ବିବ୍ରତ ହେଇ ପଡ଼ିଥିଲେ ।

 

ଆଉ ଦିନକର ଘଟଣାରେ ଅରୁଣ ବାବୁଙ୍କ ପ୍ରାଣରେ ବଡ଼ ଆଘାତ ଲାଗିଲା । ସେ ଆଘାତରେ ସେ ରିତାକୁ ଜଣେଇବାକୁ ସାହସ କଲେନି । ନିଜପ୍ରତି ଓ ସମାଜପ୍ରତି ତାଙ୍କର ଏକରକମ ଘୃଣା ଉପୁଜି ଥିଲା । ମଣିଷର ନିଷ୍ଟୁରତା, ବର୍ବରତା ତାଙ୍କୁ କଲବଲ କରିଥିଲା । ଦୁର୍ବଳର ମୃତପ୍ରାୟ ଦେହ ଉପରେ ବସି ସବଳର ଏ ତନ୍ତ୍ର ସାଧନା ତାଙ୍କୁ ଗୁରୁତର ଅପରାଧ ଭଳି ମନେ ହେଲା ।

 

ପାର୍ଶ୍ୱ କୋଠରୀରେ ରିତା ଶୋଇଚି । ଉପର ମହଲା ବୈଠକ ଘରେ ବସି ଅରୁଣ ବାବୁ–ସିଗାରେଟ୍‌ ଟାଣୁଚନ୍ତି ଓ ଅନାସକ୍ତ ଭାବରେ ଶ୍ରମକିମାନଙ୍କର କାର୍ଯ୍ୟ ଲକ୍ଷ୍ୟ କରୁଚନ୍ତି । ହଠାତ୍‌ ତାଙ୍କର ଦୃଷ୍ଟି ଗୋଟାଏ ସ୍ଥାନରେ ପଡ଼ିଲା । ଜଣେ ଶ୍ରମିକ ମହିଳା ତା’ର ସୁଉଁରାରେ ଇଟା ବୋଝେଇ କରି ଠିଆ ହେଇ ଆଉ ଜଣକୁ ଡାକୁଚି ଟେକି ଦେବା ପାଇଁ । ନଇଁ କରି ସେ ସୁଉଁରାଟା ଟେକି ପାରୁନି । ପାଦ ଦୁଇଟିକୁ ଓସାରିଆ କରି ରଖି ସେ ଟେକିବାକୁ ଚେଷ୍ଟା କଲେ ମଧ୍ୟ ଉଦର ଉପରେ ସମ୍ଭବ ଚାପ ପଡ଼ିବା ଫଳରେ ସେ ପୁଣି ସିଧା ହେଇ ଠିଆ ହେଇ ଯାଉଚି । ଅରୁଣ ବାବୁ ଲକ୍ଷ୍ୟ କଲେ, ତା’ର ଉଦର ମାତ୍ରାଧିକ ଭାବେ ବଢ଼ିଯାଇଚି । ହାତ ଦୁଇଟି କାଠି ଭଳି, ଗାଲରେ ମାଂସ ଅଭାବରୁ ଚମଡ଼ା ତଳୁ ହାଡ଼ ଫୁଟି ଦିଶୁଚି, ଆଖି ଦୁଇଟି ଖୁବ୍‌ ଭିତରକୁ ପଶିଯାଇଚି । ଆଉ ଜଣେ ସ୍ତ୍ରୀ ଲୋକ ଆସି ତା’ର ମୁଣ୍ଡ ଉପରକୁ ସୁଉଁରାଟି ଟେକି ଦେଲା । ଅନିଶ୍ଚିତ, ଅକ୍ଷମ ପାଦରେ ସେ ପାଉଛ ଚଢ଼ି ପିଣ୍ଡା ଉପରକୁ ଉଠୁଥିଲା ।

 

ଅରୁଣ ବାବୁଙ୍କ ମୁଣ୍ଡ ଚିନ୍ତାରେ ଭାରାକ୍ରାନ୍ତ ହେଇ ଉଠିଲା । ଏତେ ରୁଗ୍‌ଣ ଅବସ୍ଥାରେ ସେ କେତେ ଦିନ କାମକରି ପାରିବ ? ଜଳୋଦର ରୋଗ ହେଲେ ବଞ୍ଚିବା ଆଶା ପ୍ରାୟ ରହେନି । ତାକୁ ଡାକ୍ତଖାନାରେ ଭରତି କରିଦେଲେ ଭଲହୁଅନ୍ତା । ସନ୍ଧ୍ୟାବେଳେ ଠିକାଦାରକୁ ଡାକି ସେ ସେଇ ରୁଗ୍‌ଣା ବିଷୟରେ ପରାମର୍ଶ ଦେଲେ,

 

ଜଳୋଦର ହେଲେ ବେଶି ଦିନ ବଞ୍ଚିବା ସହଜ ନୁହେଁ । ତାକୁ ଡାକ୍ତରଖାନାକୁ ଯିବାକୁ କହ । ତା’ର ଔଷଧ ପାଇଁ ଯାହା ପଇସା ଦରକାର ହେବ ମୁଁ ଦେବି ।’’

 

ଠିକାଦାର ହସି ହସି କହିଲା,

 

‘‘ଜଳୋଦର ନୁହେ ଆଜ୍ଞା, ପଦ୍ମା କଥା ପରା ?

 

ସେ ଗର୍ଭ ହେଇଚି ।’’

 

ଅରୁଣବାବୁ ଚମକି ଗଲେ । ଗର୍ଭ ହେଇଚି ! ତାର ସ୍ଥାନରେ ରିତାକୁ ସୁଉଁରା ଧରି ପାଉଛ ଚଢ଼ୁଥିବା କଳ୍ପନା କରି ତାଙ୍କର ଆଖି ମୁଦି ହେଇ ଯାଉଥିଲା । ଅସ୍‌ଫୁଟ କଣ୍ଠରେ କହିଲେ, ‘‘କିନ୍ତୁ, ଏତେ ଆଗୁଆ ଅବସ୍ଥାରେ ସେ ଏଭଳି କଠିନ ପରିଶ୍ରମ କଲେ......’’

 

‘‘ନକଲେ ଖାଇବ କଣ ବାବୁ ? ପାପଗର୍ଭ ହେଲାବୋଲି ନିଜର ଲୋକେ ତାକୁ ଘରୁ ବାହାର କରି ଦେଇଚନ୍ତି,’’

 

କହିଲା ଠିକାଦାର ।

 

କେତେ ମିନିଟ୍‌ପାଇଁ ଅରୁଣବାବୁ ଘର ଭିତରକୁ ଗଲେ । ଫେରି ଆସି ଠିକାଦାର ହାତରେ ଚାଳିଶିଟି ଟଙ୍କାଦେଇ କହିଲେ, ‘‘ଏ ଟଙ୍କା ତାକୁ ଦେବ । କହିବ, ଶୁଝିବା ଦରକାର ନାଇଁ । ବଳ ପାଇଲେ ଆମ ଘରେ ଆସି କାମ କରୁ ।’’

 

‘‘କିଛି ଅଜାତି ନୁହେ ବାବୁ, ଭାଗ୍ୟ ଦୋଷରୁ ଏ ଅବସ୍ଥାକୁ ଆସିଗଲା ।’’

 

ସେଇ ରାତି ଅରୁଣବାବୁଙ୍କ ଆଖିର ପତା ଆଉ ପଡ଼ିଲାନି । ସେ କେବଳ ପଦ୍ମା କଥା ଚିନ୍ତା କରିବାକୁ ଲାଗିଲେ । ତା’ର ଯିଏ ସର୍ବନାସ କଲେ ସେଇ ଅଜଣା ପିଶାଚ ପ୍ରତି ତାଙ୍କର ମୁହଁରେ ଘୃଣା ଉକୁଟି ଥିଲା । ଆତ୍ମୀୟ, ସ୍ୱଜନ ମଧ୍ୟ କି ନିଷ୍ଠୁର ! ସମାଜର ନିଆଁ ଆଖି ଗୋଟାଏ ନିରପରାଧ ବାଲିକାର ଜୀବନକୁ ତିଳତିଳ କରି ଦଗ୍‌ଧ କରୁଚି, ଅଥଚ ପଦେ ଆପତ୍ତି ଉଠେଇବାକୁ କାହାର ସାହସ ନାଇଁ । ଏ ସମାଜ ଭାଙ୍ଗିଯିବା ଉଚିତ । ଜଣେ ଯୁବତୀର ଗୋପନ ପ୍ରୀତି ଲାଗି ଜଣେ ମାଆ ଓ ତା’ର ଶିଶୁକୁ ଏଭଳି ଅମାନୁଷିକ ଭାବେ ଯନ୍ତ୍ରଣା ଦେବା ନୃଶଂସତା ଛଡ଼ା ଆଉ କିଛି ନୁହେ । ଏ ହିଂସ୍ର ବର୍ବରତାକୁ ସାମାଜିକ ବିଧାନ ବୋଲି ଯେଉଁମାନେ କହନ୍ତି ସେମାନେ ମୂର୍ଖ; ମାନବ ଦ୍ୱେଷୀ, ମାନବତାର ଶତ୍ରୁ । ପଦ୍ମାର ପାପ ଗର୍ଭମୂଳରେ ରହିଚି କୁସଂସ୍କାର, ଦୈନ୍ୟ, କୁଶିକ୍ଷା-। ଏହାର କାରଣ ସାମାଜିକ ଅବ୍ୟବସ୍ଥା ଓ ସବଳର ସ୍ୱାର୍ଥ ସାଧନା । ରିତା ଆଉ ପଦ୍ମା ଭିତରେ କେତେ ତଫାତ ! ଅଥଚ କେତେ ସମାନ ! ଉଭୟର ବକ୍ଷରେ ସେଇ ଅମୃତ ସଞ୍ଚିତ ହେଉଚି ଯାହା ପାନ କରି ମର ଜୀବନ ବଂଶ-ପୀଢ଼ ଭିତରେ ଅମର ହେଇ ଆସିଚି ।

 

ସକାଳେ ଉଠିଲା ବେଳକୁ ତାଙ୍କ ଆଖିରୁ ନିଆଁ ଝରୁଥିଲା । ମୁହଁକୁ ଦେଖିଲେ ମନେ ହେବ, ରାତିକ ଭିତରେ ତାଙ୍କର ବୟସ ଯେପରି ଦଶବର୍ଷ ବଢ଼ିଯାଇଚି ।

 

(୪)

 

ରିତାର ପରିଚର୍ଯ୍ୟା ନିୟମିତ ଓ ବଢ଼ି ଚାଲିଛି । ତାର ଶୋଇବା ଘରେ ପଶିଗଲେ ହଠାତ୍‌ ଡାକ୍ତରଖାନାର ଭାବ ମନରେ ଉଦୟ ହୁଏ । ଟେବିଲ୍‌, ବିରୁଆ, ରେକ୍‌ସବୁଥିରେ ଔଷଧ ଶିଶି; ନାନା ରକମର ଟନିକ୍‌, ପେଟେଣ୍ଟ୍‌ଓ ତୁଟୁକାର ସମାବେଶ । ନିୟମ ଭାଙ୍ଗିବା ତା’ର ଗୋଟାଏ ସାମୟିକ ଖିଆଲ ହେଇ ଉଠିଚି । ଶଯ୍ୟା ଛାଡ଼ି ସେ ତଳେ ଶୁଏ; ବୁଲାଚାଲ କରିବାର ନିରୂପିତ ସମୟରେ ଖଟ ଉପରେ ଗଡ଼ି ଉପନ୍ୟାସ ପଢ଼େ; ଔଷଧ ଖାଇବାକୁ ଦେଲେ ଶିଶୁ ଭଳି ମୁହଁରେ ହାତ ଢାଙ୍କେ । ଅରୁଣ ବାବୁ ଆଦର କରନ୍ତି,

 

‘‘ଛି, ଇମିତି ଅବୁଝା ହେଲେ କିମିତି ହେବ ।

 

‘‘ତମେ ପରା ମାଆ ହେବାକୁ ଯାଉଚ ।’’

 

‘‘ନା, ମୁଁ ହବିନି ।’’

 

‘‘ଆଉ କଣ ମୁଁ ହେବି ?

 

‘‘ହଉନ ।’’

 

ଦୁଷ୍ଟ, ହସୁରା ଆଖିରେ ସେ କଣେଇ ଚାହେଁ ।

 

ସ୍ନେହ, ସମ୍ବଳ, ଭରସା, ସ୍ୱପ୍ନ, ଆନନ୍ଦ ହୀନ ଆଉ ଏକ ଗର୍ଭିଣୀର କୁରୂପ ଚେହେରା ତାଙ୍କ ଆଖି ଆଗରେ ଭାସି ଉଠେ । ପେଟ ଭିତରେ କୋହ ଫୁଲେ । ପଦ୍ମାର ଖବର ସେ ତ ରଖି ପାରି ନାହାନ୍ତି !

 

ଠିକାଦାର କହିଲା, ସେ ଟଙ୍କା ନେଇ ଯିବାର ଦୁଇଦିନ ପରେ ପଦ୍ମାର ପୁଏଟିଏ ହେଇଚି-। ଉଭୟେ ଭଲ ଅଛନ୍ତି । ପଦ୍ମା କହୁଚି, ବଡ଼ ହେଲେ ତା’ର ପୁଅ ବାବୁଙ୍କର ଜୋତା ସଫାକରି, ପାଲଟା ଲୁଗା ଧୋଇ ତାଙ୍କର ଋଣ ଶୁଝିବ । ଅରୁଣ ବାବୁ ପୁଲକିତ ହେଇ ଯାଇଥିଲେ-। ଏଇ ଦୀନ, ପତିତ ଲୋକଙ୍କର କି ସରଳତା, କି ଆସକ୍ତି ! ପଦ୍ମା ଓ ତା’ର ପୁଅ ପାଇଁ ଅରୁଣ ବାବୁ ଦିନକୁ ଦୁଇ ସେର ଦୁଧ ଖଞ୍ଜିଦେଲେ ।

 

ରିତା ବଡ଼ ମନମୁଖୀ ହେଲାଣି । କାହାର କଥା ସେ ମାନୁନି । ମନାକଲେ ହେଲେ ରୋଷ ଘରେ ଧୁଆଁ, ଝାଳ, ଅଳିଆରେ ଗୋଳେଇ ପୋଳେଇ ହେଇ ବିଚିତ୍ର ତରକାରୀ ସବୁ ରାନ୍ଧୁଚି–ଭଜା ସଜନା ଛୁଇଁରେ ତିନ୍ତୁଳି ଖଟା ଦେଇ ଛୁଙ୍କ ହୁଏ, ଚିନି ଦିଆ ବସା ଦହିରେ କଞ୍ଚା ଲଙ୍କା ଓ ପୋଡ଼ା ଆଳୁ, ପିଆଜ ପଡ଼େ । ସେ ନିଜେ ଆଗ୍ରହ କରି ଖାଏନି; କାହାକୁ ଖାଇବା ପାଇଁ ମଧ୍ୟ ବଳାଏ ନି । ରାନ୍ଧିବାରେ କେବଳ ତା’ର ଆନନ୍ଦ । ଅରୁଣବାବୁ ରିତାର ଏ ଛୁଆଳିଆ କୁତୂହଳରେ ବିଶେଷ ବାଧା ଦିଅନ୍ତି ନି; ବରଂ ମନେ ମନେ ଆନନ୍ଦ ଅନୁଭବ କରନ୍ତି । ରିତା ତାଙ୍କୁ ନେଇ ଏଭଳି ବିଚିତ୍ର ସବୁ ତରକାରୀର ଯୋଜନା କରେ ।

 

ରାତି ଗୋଟାଏ ହେବ । ଗୋଟିଏ ନିଷ୍‌ପ୍ରଭ, ନୀଳ ବଲ୍‌ବ୍‌ ଘରଟିକୁ ଆଲୋକିତ କରୁଚି-। ଅରୁଣ ବାବୁ ହଠାତ୍‌ ଆଖି ମେଲି ଦେଖନ୍ତିତ ରିତା ତାଙ୍କର ଶେଜ ଉପରେ ବସି ତାଙ୍କୁ ନିରେଖି ଚାହିଁଚି । ଦୁଇ ଧାର ଲୁହ ତାର ଶୁଭ୍ର ଗଣ୍ଡରେ ଗଡ଼ି ଯାଇଛି । ଅରୁଣ ବାବୁ ଧଡ଼ପଡ଼ ଉଠି ତାକୁ ଛାତି ଉପରେ ଆଉଜେଇ ନେଲେ; ଅଧର ଚୁମ୍ବନ କଲେ,

 

ନେଲେ; ଅଧର ଚୁମ୍ବନ କଲେ,

 

‘‘ରାତିରେ ହଠାତ୍‌ ଇମିତି ଉଠିଲ କାହିଁକି ?’’

 

ଅରୁଣ ବାବୁଙ୍କ ସ୍ୱରରେ ଆଶଂଙ୍କା ଲାଗି ରହିଥିଲା ।

 

‘‘ମୁଁ ଆଉ ବଞ୍ଚିବିନି ।’’

 

‘‘ଛି, ସିମିତି କଥା ମୁହଁରେ ଧରନି । ସବୁ ମାଇପିତ ପୁଣି ପ୍ରସବ କରୁଚନ୍ତି ।’’

 

‘‘ମୋର ପେଟ ଭିତରେ କେତେ କଣ ସବୁ ଅସ୍ୱାଭାବିକ ପରିବର୍ତ୍ତନ ଅନୁଭବ କରୁଚି । ଅସାଡ଼ରେ ମୋର ଲୁଗାରେ ପ୍ରଶ୍ରା ହେଇ ଯାଇଚି ।’’

 

‘‘ଏସବୁ ଅସ୍ୱାଭାବିକ ନୁହେ ରିତା, ଗର୍ଭକାଳର ସାଧାରଣ ପ୍ରକ୍ରିୟା ହେଇଥାଇପାରେ । ହଉ, ତୁମେ ଶୋଇପଡ଼, ସକାଳୁ ଡାକ୍ତରକୁ ପଚାରିବା ।’’

 

‘‘ନା, ମୁଁ ତୁମ ପାଖରେ ଶୋଇବି । ଏକଲା ଶୋଇବାକୁ ମତେ ଭୟ ଲାଗୁଚି ।’’

 

ତାଙ୍କର ଦେହକୁ ଲାଗି ରିତା ନିର୍ଭୟରେ ଶୋଇ ପଡ଼ିଲା । କିନ୍ତୁ ବଳକା ରାତିତକ ଅରୁଣ ବାବୁ ଭୟରେ ଭୟରେ କଟେଇଲେ । ସତରେ ଯଦି ରିତାର ମୃତ୍ୟୁ ହୁଏ ! ହା ଭଗବାନ୍‌, ସେ ରିତାର ବିଚ୍ଛେଦ ସହି ପାରିବେନି ।

 

(୫)

 

ପ୍ରସବ ନିମନ୍ତେ ଏଥର ସବୁ ଯୋଗାଡ଼ି ରଖିବାକୁ ହେବ । ଆଉ ମାସକ ଭିତରେ ଛୁଆର ପ୍ରଥମ କନ୍ଦଣା ଶୁଣିବା ଆଶା କରା ଯାଇପାରେ । ଆନନ୍ଦ ଓ ଆଶଙ୍କାରେ ଜଡ଼ିତ ଅରୁଣ ବାବୁ ବଡ଼ ବିବ୍ରତ ହେଇ ପଡ଼ିଚନ୍ତି । ରିତାର ଖିଆଲକୁ ରୋକିବାର ଉପାୟ ନାଇଁ । ସେ ତା’ର ନିଜର ଅଧିଶ୍ୱରୀ ହେଇ ପଡ଼ିଚି । ଆଗାମୀ ଛୁଆ ପାଇଁ ମୋଜା, ଟୋପି, କୁର୍ତ୍ତା ସିଲେଇ କରି ରଖୁଚି; ଦୋଳି, ଖେଳନା କିଣୁଚି; ନିଜର ଉନ୍ନତ, ପୁଷ୍ଟ ବକ୍ଷକୁ ଚାହିଁ ବିଭୋର ହେଇ ପଡ଼ୁଚି । ଏଡ଼େ ଟିକେ ଛୁଆ ସେ ଏତେ କ୍ଷୀର କୋଉଠି ଖାଇ ପାରିବ !

 

ଡାକ୍ତରର ପରାମର୍ଶ ଓ ନର୍ସ୍‌ର ଜିଗରରେ ରିତାକୁ ଡାକ୍ତରଖାନାକୁ ନେଇଯିବା ଠିକ୍‌ହେଲା । ରିତା ଆପତ୍ତି କରୁଥିଲା ପ୍ରଥମେ କିନ୍ତୁ, କୌଣସି ସମୟରେ ହାତ କତିରେ ସମସ୍ତ ପ୍ରକାର ପ୍ରୟୋଜନୀୟ ଚିକିତ୍ସା ପାଇପାରିବା ସୁବିଧା ଦୃଷ୍ଟିରୁ ସମ୍ମତ ହେଲା । ସ୍ପେଷଲ୍‌ ଓ୍ୱାର୍ଡ଼ରେ ଘର ନିଆଗଲା । ଅତିରିକ୍ତ ଭାବେ, ଅନବରତ ପାଖରେ ରହିବା ପାଇଁ, ନର୍ସ୍‌ର ବ୍ୟବସ୍ଥା ହେଲା । ଭୋଜି ବେଳର ତତ୍ପରତା ଘେନି ଘରକୁ ଓ ଡାକ୍ତରଖାନାକୁ ଚାକର ବାକର ଧାଁ ଦଉଡ଼ କଲେ । ଦିନ ଓ ରାତିରେ ପାଞ୍ଚ ସାତ ଘଣ୍ଟା ରିତା ପାଖରେ ଅରୁଣ ବାବୁ ପ୍ରାୟ ରହନ୍ତି । ଖବର କାଗଜ, ବହି ପଢ଼ି ଶୁଣାନ୍ତି; ପ୍ରଥମ ପ୍ରଣୟ ଦିନର ମଧୁମୟ ସ୍ମୃତି ମନେ ପକାଇ ରିତାକୁ ପ୍ରଫୁଲ୍ଲ ରଖନ୍ତି ।

 

ଆଉ ସପ୍ତାହକରୁ ଅଧିକ ନୁହେ । ନର୍ସ ଠିକ୍‌ ଦିନ ଗଣତି କରି ରଖିଚି । ଅରୁଣ ବାବୁଙ୍କର ଉତ୍କଣ୍ଠା ବଢ଼ିବାକୁ ଲାଗିଲା । ରାତିରେ ରିତା ପାଖରୁ ଫେରିଲା ପରେ ତାଙ୍କୁ ଭଲ ନିଦ ହୁଏନି । ଦିନ ବେଳେ କିଏ ଡାକ୍ତରଖାନାରୁ ଆସିଲେ ତାଙ୍କର ଛାତି ଦକ ଦକ ହୁଏ । ଶୁଭ ସମ୍ବାଦ ପାଇବାର ଆଶାକୁ ଅଶୁଭ ସଂବାଦ ଆଶଙ୍କା ଅଭିଭୂତ କରି ସାରିଥିଲା । ଓଃ, ରିତା କିମିତି ଭଲରେ ଘରକୁ ଫେରି ଆସୁ !

 

ଗର୍ଭ ଶୂଳରେ ଅସ୍ଥିର, ଅର୍ଦ୍ଧନଗ୍ନ, ବ୍ୟଥାତୁର ରିତା ବେଳେବେଳେ ବଡ଼ କରୁଣ ସ୍ୱରରେ ଚିତ୍କାର କରୁଚି । ବାହାରେ ବସି ଅରୁଣ ବାବୁ ବଡ଼ କଷ୍ଟରେ ଲୁହ ରୋକିଚନ୍ତି । ସୃଜନ ଶିଳ୍ପର ଏଇ ସଙ୍କଟାପନ୍ନ ପର୍ଯ୍ୟାୟ ଲାଗି ସେ ସ୍ରଷ୍ଟାର ଦକ୍ଷତ ଉପରେ ସନ୍ଦିଗ୍ଧ ହେଉଥିଲେ । ଡାକ୍ତର, ନର୍ସ୍‌ମାନଙ୍କର କ୍ଷିପ୍ର ତଥା ଅନାସକ୍ତ ଗତି ତାଙ୍କ ପ୍ରାଣରେ ବଡ଼ ଗଭୀର ଆଘାତ ହାଣୁଚି ।

 

ସନ୍ଧ୍ୟା ଯାଇ ରାତ୍ରି ଗଭୀର ହେଲା । ବିପନ୍ନ-ପ୍ରସବାର ଅବସ୍ଥାରେ କୌଣସି ପରିବର୍ତ୍ତନ ଦେଖା ଦେଲାନି । ଜରାୟୁ ଭିତରେ ଶିଶୁ ଆଉ ହଲଚଲ ହେଉନି । ଡାକ୍ତର ପିଲା ମରିଯିବାର ଆଶଙ୍କା କରୁଚନ୍ତି । ରାତି ଦୁଇଟା ବେଳେ ଅସ୍ତ୍ରୋପଚାର କରିବା ନିଶ୍ଚୟ ହେଲା । ଦୁଇଜଣ ନର୍ସ୍‌ ଦୋଳାରେ ରିତାକୁ ଅପରେଷନ୍‌ ଥିଏଟର୍‌କୁ ବୋହି ନେଲାବେଳେ ଅରୁଣ ବାବୁ ଶିଶୁ ଭଳି କାନ୍ଦି ଉଠିଲେ । ଅବୋଧ ଶିଶୁକୁ ସାସ୍ତ୍ୱନା ଦେବା ଭଳି ଜଣେ ଡାକ୍ତର ତାଙ୍କର ସ୍କନ୍ଧ ଉପରେ ହାତ ଥୋଇ କହିଲେ–‘‘ଆଜ୍ଞା, ବିପଦରେ ସବୁଠାରୁ ବଡ଼ ସିଦ୍ଧି ହେଉଚି ଧୈର୍ଯ୍ୟ ଧରିବା । ଭଲ ଲାଗି ଆଶା ରଖନ୍ତୁ କିନ୍ତୁ, ଖରାପ ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ହେବ ।’’

 

ଅସ୍ତ୍ରୋପଚାର ଦ୍ୱାରା ମୃତ ଶିଶୁକୁ ବାହାର କରି ଦିଆ ଗଲା । କିନ୍ତୁ ରିତାର ଆଉ ସଂଜ୍ଞା ଫେରିଲାନି କି ରକ୍ତସ୍ରାବ ହେଲାନି । ଠିକ୍‌ ସୂର୍ଯ୍ୟୋଦୟ ବେଳେ, ପ୍ରଳାପ କିମ୍ବା ଅନ୍ୟ କୌଣସି କାରଣରୁ ହୁଏତ, ପ୍ରାୟ ଦଶ ସେକଣ୍ଡ ପାଇଁ ତା’ର ଆଖି ଦୁଇଟି ବିସ୍‌ଫାରିତ ହେଇଗଲା । ସୁପ୍ତ ଚେତନ ଭିତରୁ ସ୍ୱାମୀକୁ ଥରେ ଆଖି ଭରି ଦେଖିବା ପାଇଁ ସେ ଯେପରି ଶେଷ ପ୍ରୟାସ କରିଥିଲା । ଆଖି ପୁଣି ମୁଦି ହେଇଗଲା । ନିଶ୍ୱାସ ପ୍ରଶ୍ୱାସ ଓ ହୃତପିଣ୍ଡର ସ୍ପନ୍ଦନ କ୍ଷୀଣ ହେବାକୁ ଲାଗିଲା । ଖଣ୍ଡଖଣ୍ଡ ରକ୍ତ ଭିଜା କନା ଓ ତୁଳା ଉତାରା ହେଉଚି, ସକାଳ ପ୍ରାୟ ଦଶଟା ବେଳେ ରିତାର ଶେଷ ନିଶ୍ୱାସ ବହିଗଲା ।

 

ସ୍ପେଷଲ୍‌ ଓ୍ୱାର୍ଡ଼ ବାହାରେ ବହୁତ ଲୋକ ଜମିଚନ୍ତି–ଅରୁଣ ବାବୁଙ୍କ ବନ୍ଧୁ, ପରିଚିତ, ଅପରିଚିତ, ମୁଦ୍ରଣାଳୟର କର୍ମଚାରୀ, ଠିକାଦାର ଓ ଶ୍ରମିକମାନେ । ଅନ୍ୟାନ୍ୟ ଓ୍ୱାର୍ଡ଼୍‌ ବରଣ୍ଡା ଉପରେ ମଧ୍ୟ ବହୁତ କୁତୁହଳୀ ଆଖି ପହଁରୁ ଥିଲା । ରିତାର ସାଥୀ ନର୍ସ୍‌ଟି ଅରୁଣ ବାବୁଙ୍କୁ ଘରେ ପହୁଞ୍ଚେଇ ଦେବାକୁ ଆସୁଥିଲା ସାଥିରେ । ନୀରବ, ଅଶ୍ରୁଳ, ସମ୍ବେଦନଶୀଳ ଲୋକ ଗହଳି ମୁହଁରେ ଅରୁଣ ବାବୁ ରହିଗଲେ । ତାଙ୍କର ବିନିଦ୍ର, ଆର୍ଦ୍ର, ଜ୍ୟୋତିହୀନ, ନିର୍ଜୀବ ଆଖି ଦୁଇଟି କାହାକୁ ବଡ଼ ବିକଳରେ ଖୋଜୁଥିଲା ।

 

ଗହଳିରେ କେତେ ହାତ ଦୁରରେ ଗୋଟାଏ ଗଛ ଛାଇରେ ଜଣେ ଯୁବତୀ ଗୋଟିଏ ଖେଳୁଆଳ, ଚଞ୍ଚଳ, ଲୋଭନୀୟ ପାଞ୍ଚ ମାସର ଶିଶୁକୁ ଛାତିରେ ଧରି ଠିଆ ହେଇଚି । ଉତ୍‌ଥିତ କାନ୍ଦଣା ମୁହଁ ଦେଇ ବାହାରି ଯିବା ଭୟରେ ସେ ପଣତ କାନିରେ ପାଟି ଚିପି ରଖିଚି । ଶିଶୁଟି ଢଳ ଢଳ ଆଖିରେ ଆଲୋକ, ସବୁଜ ପତ୍ର, ତଳର ଚିକ୍‌କଣ ଧୂଳି ଓ ଗଛର ପକ୍ଷୀ କଳରବରେ ଉତ୍‌ଫୁଲ୍ଲ ହେଇ ମାଆର ଛାତି ଉପରୁ ଖସି ଯିବାର ପ୍ରୟାସ କରୁଚି ।

 

ଉଦ୍‌ଗ୍ରୀବ ବାହୁରେ ଅରୁଣ ବାବୁ ଶିଶୁଟିକୁ ନିଜର ଛାତି ଉପରକୁ ତୋଳି ଆଣିଲେ । ତତଲା ଲୁହରେ ତାଙ୍କର ବିବର୍ଣ୍ଣ ମୁହଁ ଅଭିଷିକ୍ତ ହେଇ ସାରିଥିଲେ ।

Image

 

ଚନ୍ଦ୍ରିକାର ସ୍ୱପ୍ନଭଙ୍ଗ

(୧)

 

ନିଲୁ ଆଉ ମୋର ଭିତରେ ଯେ ଗୋଟାଏ ବ୍ୟବଧାନ ଧୀରେ ଧୀରେ ଗଢ଼ି ହେଇ ଯାଇଚି, ପ୍ରତିଦିନର ସଂପର୍କ ଭିତରେ, ମୁଁ ଖୁବ୍‌ ବେଦନାର ସହିତ ଅନୁଭବ କରି ପାରିଥିଲି । କିନ୍ତୁ ଥରେ ମୁହାଁମୁହିଁ ମନ ଖୋଲି କଥାଭାଷା କରି ନେବା ପାଇଁ ଅନେକ ଦିନ ଯାଏଁ କୌଣସି ଉପାୟ କିମ୍ବା ସଦବସରର ସୁଯୋଗ ପାଇ ପାରି ନଥିଲି । ନିତି ଦିନର ଘର କରଣାରେ, ମୁଁ ଯଦିଓ ଖୁବ୍‌ କ୍ୱଚିତ ଅବସର ପାଇଚି ନିଲୁ ସଙ୍ଗେ ପ୍ରେମାଳାପ କରିବା ପାଇଁ, ତଥାପି, ତାକୁ ଏକାଥରେ ପାଶୋରି ଯାଇଥିଲି ବୋଲି ବୁଝିବା ଠିକ୍‌ ହୁଅନ୍ତାନି । ନିଲୁ ହୁଏତ ସେଭଳି ଭୁଲ୍‌ ବୁଝୁଚି ବୋଲି ମୋର ମନରେ ବ୍ୟବଧାନର ଆଶଙ୍କା ଗଭୀର ହେଇ ଉଠିଥିଲା । ସେଥିଲାଗି ବେଳେ ବେଳେ ମୁଁ ବଡ଼ ବିବଶ ହେଇ ପଡ଼ୁଥିଲି । ସଂଗ୍ରାମଶୀଳ ଜୀବନରେ ନିଲୁଇ ଥିଲା ମୋର ଏକମାତ୍ର ସୁଖ ଓ ଶାନ୍ତିର ସ୍ପର୍ଶ । ବିବାହିତା ସ୍ତ୍ରୀର ସାଂସାରିକ ସଂଜ୍ଞା ଭିତରେ ମୁଁ ତାକୁ ସୀମିତ କରି ପାରି ନଥାନ୍ତି । ମୋର ଶିଷ୍ଟ ବିବେଚନାରେ ସେ ଥିଲା କେତେଟା ସ୍ନେହଭରା ଆତ୍ମୀୟତାର ଏକତ୍ର ସମାବେଶ ।

 

ଆଜି ବି ବେଶ୍‌ ମନେ ଅଛି ବାସର ରାତ୍ରିରେ ପ୍ରଥମ କରି ଦୀପାଲୋକରେ ତାର ମୁହଁଟିକୁ ଯେତେବେଳେ ତୋଳି ଧରିଥିଲି ମୋର ଉଚ୍ଛନ୍ନ କୁତୂହଳି ଆଖି ଆଗରେ ମନେ ହେଇଥିଲା ଏ ରୂପ, ଏ ବର୍ଣ୍ଣ କେବଳ ବ୍ୟବହାରରେ ଝରାଇ ଦେବା ସାମଗ୍ରୀ ନୁହେ; ଏ ଶ୍ରୀ, ଏ ସୁଷମା ନେଇ ନିଜକୁ ଉନ୍ନତ ଓ ଉଜ୍ଜ୍ୱଳ କରିବାର ଗୌରବ ମୋର ବୁକୁରେ ଆସି ଧରା ଦେଇଚି । ମୁଁ ଉଚ୍ଛ୍ୱସିତ ହେଇ ଯାଇଥିଲି । ପ୍ରାଣରେ ଗୋଟାଏ ନୂଆ ଶକ୍ତି, ନୂଆ ଚେତନା ଜାଗି ଉଠିଥିଲା । ସେଇ ନିଲୁକୁ ମୁଁ ଅବହେଳା କରି ପାରନ୍ତି କିମିତି ? ମୁଁ ସତରେ ବଡ଼ ବିକଳ ହେଇ ପଡ଼ିଥିଲି । ନିଲୁକୁ ନେଇ ଥରେ ମନ ଓଝାଳି ନଦେଲେ ସହଜରେ ନିଶ୍ୱାସ ମାରିବା ମୋ ପକ୍ଷରେ ଭାର ହେଇ ଉଠୁଥିଲା ।

 

(୨)

 

ଆମର ଦାମ୍ପତ୍ୟ ଜୀବନ ଆରମ୍ଭ ହେଲା ଉଚ୍ଚ ମଧ୍ୟବର୍ଗ ଅବସ୍ଥାର କ୍ଷୁଦ୍ର ଅଥଚ ଉଚ୍ଚାଭିଳାଷଭରା ପରିସର ଭିତରେ । କେତେକ ସାଧାରଣ ପ୍ରୟୋଜନୀୟତାର ଅଭାବରୁ ବି ଆମେ ବାଦ୍‌ପଡ଼ି ନ ଥିଲୁ । ତେବେ, ଏଇ ଅଭାବ ପୂରଣ କରୁଥିଲା ଗୋଟାଏ ସୁନ୍ଦର, ବିଳାସରୁଚିର, ଆଳସୀ ଭବିଷ୍ୟତର ମଧୁର କଳ୍ପନା । ଜୀବନ ଉପରେ ଆଶା ଓ ନିଷ୍କ୍ରିୟତା ଜମି ଆସୁଥିଲା । ରବୀନ୍ଦ୍ର କବିତାର ନିଶାରେ ପ୍ରଭାବିତ ହେଇ ମୁଁ ଡାକେ, ‘‘ନିଲୁ’’ ।

 

‘‘ଆସୁଚି’’ ନିଲୁ ଅନ୍ୟଘରୁ ଉତ୍ତର ଦିଏ ।

 

‘‘ଚଞ୍ଚଳ ।’’

 

ସେ ଆସି ଠିଆହୁଏ ମୋର ମୁଣ୍ଡ ପାଖରେ । ତା’ର କଅଁଳ ହାତଟିଏ କପାଳ ଉପରକୁ ଆଣି ମୁଁ କହେ,

 

‘‘ମତେ ଲାଗି କରି ବସ’’ ।

 

ନିଲୁ ବସେ । ମୁଁ ତା’ର ମୁହଁକୁ ଚାହିଁ ରହେ ବିଭୋର, ବିମୁଗ୍‌ଧ ଆଖିରେ । ଗୃହକର୍ମର ଶ୍ରାନ୍ତି ମୁହଁର ଝଳିକୁ କିଞ୍ଚିତ୍‌ମାନ କରି ଦେଇଚି । କପାଳରେ ବିନ୍ଦୁ ବିନ୍ଦୁ ସ୍ୱେଦ । କଂକତି ସ୍ପର୍ଶ-ବିମୁଖ ଚପଳ, ଚୂର୍ଣ୍ଣ କୁନ୍ତଳ କର୍ଣ୍ଣ ଓ କପାଳ ସୀମାର କିୟଦଂଶରେ ବିକ୍ଷିପ୍ତ ହେଇ ପଡ଼ିଚି । ବଡ଼ ବଡ଼ ଆଖି ଦୁଇଟିରେ ପ୍ରଣୟର ଗୋପନ ନିବେଦନ । ପୁରୁ ଅଧରର ଲାଳିମାରେ ମୂର୍ତ୍ତିମନ୍ତ ହେଇଚି ଉଦ୍ଦେଶ୍ୟହୀନ ବିଳାସୀ ଯୌବନର ଅଫୁରନ୍ତ ଭୋଗତୃଷ୍ଣା । ଶିଥିଳ ଜୁଡ଼ାର ମଉଳା ମାଳତୀ ଗତ ରାତ୍ରିର ବିଶ୍ରମ୍ଭ ଅନୁଭୂତିକୁ ମନରେ ଉଜ୍ଜୀବିତ କରୁଥିଲା । ମୋର ଉର୍ବଶୀ, ମୋର ନିଲୁ-ମୋର ଛାତି ଉପରେ । ମୁଁ ଭୁଲିଯାଏ ସବୁ ।

 

‘‘ନିଲୁ ତମେ ଅନନ୍ୟା; ପ୍ରେମର ବନ୍ୟା’’ ।

 

ପ୍ରଣୟିନୀ ନୀରବ ରହେ ।

 

‘‘ତମେ ମୋର ସତ୍ୟାତୀତ ସ୍ୱପ୍ନ’’ ।

 

ମୋର ନଗ୍ନ ଲୋମଶ ଛାତିରେ ମୁହଁ ପାତି ସେ ମୋର ହାତ ଉପରେ ହାତ ରଖେ । ରବିନ୍ଦ୍ରାଲୋକର ସ୍ୱପ୍ନପୁରୀ ଭିତରେ ମୁଁ ଲୋକୋତ୍ତର ଉର୍ବଶୀ ପ୍ରେମର ପ୍ରବାହରେ ଭାସିଯାଏ କେଉଁ ଦୂର, ଅସୀମ ଭିତରକୁ ।

 

(୩)

 

ନିଲୁ ଭାରି ବ୍ୟସ୍ତ ହେଇ ପଡ଼ିଚି । ଏତେ ଅଳ୍ପ ସମୟ ଭିତରେ ସେ ଆୟୋଜନ କରି ପାରିବ କିମିତି ? ମତେ ଦୋଷ ଦେଇଚି ଖୁବ୍‌ । କେତେଟା ତିଅଣ ତାକୁ ନିଜେ ରାନ୍ଧିବାକୁ ପଡ଼ିବ । ବାକି ବିଷୟରେ ବି ପୂଜାରୀ ପଛରେ ନ ଲାଗିଲେ ଖାଦ୍ୟ ମନମତ ହେଇ ପାରିବନି । କ’ଣ କରିବ ସେ ! ମୁଁ କିନ୍ତୁ ବେଶ୍ ବୁଝି ପାରିଥିଲି, ବାହାରେ ଯଦିଓ ସେ ବିବଶତା ପ୍ରକାଶ କରୁଚି, ଏକାର୍ଯ୍ୟ ସମ୍ପାଦନ କରିବା ପାଇଁ ତା’ର ଆତ୍ମବିଶ୍ୱାସ ଓ ଉତ୍ସାହର ଅଭାବ ନାଇଁ । ମୁଁ ତା’ର ବ୍ୟସ୍ତତା ଆନନ୍ଦରେ ଉପଭୋଗ କରୁଥିଲି । ଖୁବ୍‌ କ୍ୱଚିତ୍ ଅତିଥି ଆମ ଘରେ ପାଦ ପକେଇ ଥାନ୍ତି । କିନ୍ତୁ ଆଜିର ଅତିଥି ସ୍ୱତନ୍ତ୍ର ଧରଣର । ସେ ମୋର ବନ୍ଧୁ ବିକାଶ; ଓଡ଼ିଶାର ଜଣେ ଚେତନଶୀଳ ଜନନାୟକ । ଏଠିକାର ଚାଷୀ ମେଳାରେ ଭାଷଣ ଦେବାଲାଗି ସେ ଆସିଥିଲା । ରାତ୍ରି ଭୋଜନ ପାଇଁ ମୁଁ ନିମନ୍ତ୍ରଣ କରିଚି । ଅତିଥି ଚର୍ଚ୍ଚାରେ ଆଡ଼ମ୍ବର କରିବା ନିଲୁର ପାରଂପରିକ ସ୍ୱଭାଗ । ସେ ପୁଣି ମୋର ବନ୍ଧୁକୁ ଶାଗ ଭାତ ଖୋଇ ଛାଡ଼ନ୍ତା ! ତା’ର ଭିତରର ଆଭିଜାତ୍ୟ ଆଘାତ ପାଆନ୍ତା ନିଶ୍ଚୟ । ନିଲୁ ରୋଷଘରେ ବ୍ୟସ୍ତ ରହିଲା । ମୁଁ ଶୋଇ ଶୋଇ ପ୍ରତିକ୍ଷା କଲି ବିକାଶର ଆଗମନ ।

 

ବିକାଶ ପହୁଞ୍ଚିଲା ଠିକ୍‌ ସନ୍ଧ୍ୟା ପରେ ପରେ । ନିଲୁ ସଙ୍ଗେ ପରିଚୟ ହେଇଗଲା । କଲେଜ ଛାଡ଼ିବା ପରଠାରୁ ଦୀର୍ଘ ଚାରିବର୍ଷ ଅଦେଖା ଦିନ ଗୁଡ଼ିକର ଇତିହାସ ଜଣେ ଜଣକ ପାଖରୁ ଶୁଣିବାକୁ ବସିଗଲୁ ବୈଠକ ଘରେ ଖୋଲା ସିଗାରେଟ୍‌ ଟିଣ ମୁହଁରେ । କଲେଜ ଛାଡ଼ିବା ପରେ ମୁଁ ଘରେ, ଏଇ ଛୋଟ ମଫସଲ ସହରରେ, ରହିଗଲି । ନାନା ରକମର ବହି ପଢ଼ିବା ହେଲା ମୋର ସଉକ । ଗାଁର ଜମି ବଞ୍ଚିବାର ଅବଲମ୍ବନ । ବିକାଶ ପ୍ରଥମ ଶ୍ରେଣୀରେ ଏମ୍‌.ଏ. ପାଶ୍‌ କରିଥିଲା । ସୁଲଭରେ ସରକାରୀ କର୍ମ ପାଇଥାନ୍ତା । କିନ୍ତୁ ସେ ପଶିଗଲା ରାଜନୀତିରେ । ଓଡ଼ିଶାର ଶ୍ରମଜୀବୀ ଶ୍ରେଣୀ ଭିତରେ ସେ ଆଜି ସୁପରିଚିତ, ସ୍ନେହର ପାତ୍ର ।

 

ଜୀବନର ବିଭିନ୍ନ ଦିଗକୁ ସ୍ପର୍ଶ କରି ଆମର ଅସରନ୍ତି କଥା ଚାଲିଚି । ଭୋଜନ ପାଇଁ ନିଲୁ ତାଗିଦ୍‌ କଲାଣି । ବିକାଶ ପଚାରିଲା,

 

‘‘ଆଚ୍ଛା, ତୁ ଏଠି ଗୋଟାଏ ପାଠ-ଚକ୍ର ଆରମ୍ଭ କଲେ ତ ଭଲ ହୁଅନ୍ତା ।’’

 

ଆଗ୍ରହହୀନ ଭାବେ କହିଲି–

 

‘‘ମୁଁ ଭାଇ ସେସବୁ ଅବ୍ୟାପାରରେ ପଶି ପାରିବିନି ।’’

 

ବିକାଶ ଆପତ୍ତି କଲା,

 

‘‘ମୁଁ ଭାବୁଚି ତୋ ପକ୍ଷରେ ତାହାହିଁ ଉଚିତ୍‌ ପନ୍ଥା । ତୁ ଯେଉଁ ଜ୍ଞାନ ଆହରଣ କରିଚୁ ତା’ର ବିନିଯୋଗ ପାଇଁ ତତେ ଆତୁର ଲାଗୁନି ? ଯେଉଁ ଜ୍ଞାନ ଜାତୀୟ ଜୀବନ ଗଢ଼ିବାରେ ବ୍ୟବହୃତ ହେଇ ପାରେନି ତା’ର କିଛି ମୂଲ୍ୟ ନାଇଁ । ଆଜିଭଳି କେତେବର୍ଷ ପରେ ତୁ ଅନୁଭବ କରିବୁ, ତୋର ନୀରୁଦ୍‌ବିଗ୍ନ, ନିଶ୍ଚେଷ୍ଟ ଜୀବନକୁ ଗ୍ରାସକରି ବସିଚି ଗୋଟାଏ ବ୍ୟର୍ଥଶ୍ରମର ଗୁରୁ ଅସନ୍ତୋଷ । ଜୀବନ ସେତେବେଳେ ଦୁର୍ବହ ବୋଧହେବ ।’’

 

ଏଇ ମଫସଲ ସହରରେ ଏଭଳି ଗୋଟାଏ ଉଦ୍ୟମର ସଫଳତା ଓ ସାର୍ଥକତା ସମ୍ବନ୍ଧେ ଯଦିଓ ମୁଁ ସନ୍ଦିହାନ ଥିଲି, ତଥାପି ବିକାଶର ପ୍ରସ୍ତାବରେ ସମ୍ମତ ହେଲି । ଉଭୟେ ଖାଇବା ଘରକୁ ଉଠିଗଲୁ ।

 

(୪)

 

ନିଲୁର ପରିବର୍ତ୍ତନ ମୁଁ ଲକ୍ଷ୍ୟ ନ କରନ୍ତି କିମିତି ? ତା’ର ମୁହଁର ଟିକିଏ ହସ ମତେ ଚନ୍ଦ୍ରାଲୋକ ଅପେକ୍ଷା ଅଧିକ ସ୍ନିଗ୍‌ଧ ମନେ ହେଇ ଥାଏ । ସେଇ ମୁହଁରେ ଗୋଟାଏ କିରକମ ଅସ୍ୱାଭାବିକ ଗାମ୍ଭୀର୍ଯ୍ୟ ପ୍ରଚ୍ଛନ୍ନ ଭାବେ ରହିବା ମୁଁ ଭଲ ଭାବେ ଜାଣି ପାରୁଥିଲି । ମୁଁ ଅନୁଭବ କରି ପାରୁଥିଲି, ସାଧାରଣ ସ୍ୱାଚ୍ଛନ୍ଦ୍ୟ ଉପରୁ ମଧ୍ୟ ତା’ର ଆଗ୍ରହ କମି କମି ଯାଉଚି । ସାଜ, ଶୃଙ୍ଗାର, ଖାଦ୍ୟପାନରେ ପ୍ରାଚୂର୍ଯ୍ୟ ରହିଚି ପୂର୍ବଭଳି, କିନ୍ତୁ ସେଥିରେ ଆଉ ସୁରୁଚି ନାଇଁ । ସବୁ ମିଶି ତା’ର ହାବଭାବ ଗୋଟାଏ କିରକମ ରୁଷତା ପ୍ରକାଶ କରୁଚି । ମୁଁ ଆଶଂକିତ ହେଇ ପଡ଼ିଥିଲି । ନିଲୁକୁ ସୁଖୀ କରିବାପାଇଁ ମୁଁ ସବୁ କିଛି କରିପାରେ । କିନ୍ତୁ କଣ କରନ୍ତି ବୁଝିପାରୁ ନଥିଲି ।

 

ବିକାଶର ଅନୁରୋଧରେ ଯେଉଁ ପାଠଚକ୍ର ଆରମ୍ଭ କରିଥିଲି ଦେଢ଼ ବର୍ଷ ତଳେ, ଆଜି ତା’ର ପରିସର ଖୁବ୍‌ ବଢ଼ିଗଲାଣି । ଏ ଯେପରି ଗୋଟାଏ ରାଜନୈତିକ ସ୍କୁଲ ହେବାକୁ ଯାଉଚି । ଗତ ଦିନର ବହୁ ସଭ୍ୟ, ଶିକ୍ଷିତ ବନ୍ଧୁ ମତେ ଛାଡ଼ି ଗଲେଣି । ତା’ର ଅଭାବ ମଧ୍ୟ ପୂରଣ କରୁଛନ୍ତି ନିତି କେତେ ସଜ, ସରଳ ଗାଉଁଲି ମୁହଁ । ସାଙ୍ଗଠନିକ କାର୍ଯ୍ୟପନ୍ଥା, ଶାନ୍ତି ଆନ୍ଦୋଳନ, ଗାଁ ଗାଁରେ ପାଠାଗାର ଓ ଯୁବସଂଘ ସ୍ଥାପନ ଇତ୍ୟାଦି ବହୁ ବିଷୟରେ ଲୋକେ ତାଲିମ୍‌ ହେଇ ଯାଉଚନ୍ତି । ଅନୁଷ୍ଠାନ ପ୍ରତି ଲୋକଙ୍କର ଆଗ୍ରହ ବଢ଼ୁଥିଲା ଦିନକୁ ଦିନ । ବିକାଶ ଲେଖିଥିଲା, ‘‘ତୋର ଏ ପୁନର୍ଜନ୍ମରେ ମୁଁ ବିସ୍ମିତ ହେଇ ଯାଇଚି । ମୋର ଆଶା ନଥିଲା, ରବୀନ୍ଦ୍ର କବିତାରୁ ମୁହଁ ଫେରାଇ ଜୀବନର ବାସ୍ତବତାକୁ ତୁ ଆପଣାର କରିବୁ ବୋଲି । ତୋର ଶିକ୍ଷାର ପ୍ରକୃତ ଉପଯୋଗ ହେଇ ପାରିଚି । ମୋର ବିଶ୍ୱାସ, ସେଇ ଅଞ୍ଚଳର ଗଣତାନ୍ତ୍ରିକ ତଥା ପ୍ରଗତିଶୀଳ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ ତୁ ସଙ୍ଗଠିତ କରି ପାରିବୁ । ଅଭାବ ଲାଗି ଭାଙ୍ଗି ପଡ଼ନା । ଯାହାଙ୍କ ଲାଗି ଅନୁଷ୍ଠାନ ଗଢ଼ା ହେଇଚି ସେମାନେଇ ତା’ର ଦାୟିତ୍ୱ ନେବେ । ଧୈର୍ଯ୍ୟ ଧରି ତୁ କର୍ତ୍ତବ୍ୟ କରି ଯା’ ।’’

 

ଏକୁଟିଆ କେଉଁଠି ନୀରବରେ ଦଣ୍ଡେ ବସି ମୁଁ ନିଜର ହିସାବ ନେବାକୁ ସମୟ ପାଉ ନଥିଲି । ପ୍ରତିଦିନର କାର୍ଯ୍ୟକ୍ରମ ଭିତରେ ମୋର ନିଜର ହେଇ କିଛି ସମୟ ନଥିଲା । ରାତି ଦଶଟାରେ ଶ୍ରାନ୍ତ ଦେହ ନେଇ ଘରକୁ ଫେରିଗଲା ବେଳେ ମନେ ହେଉଥିଲା, ଗୋଟିଏ ମିନିଟ କେଉଁଠି ପାଦ ଅଟକି ଗଲେ ଆଖିପତା ମଡ଼େଇ ପଡ଼ିବ । ମୁଁ ଅନୁଭବ କରି ପାରୁଥିଲି, ମୋର ନିଶ୍ଚୟ କିଛି ଗୁରୁତର ପରିବର୍ତ୍ତନ ଘଟିଚି । ଆଉ ତାହା ସ୍ପଷ୍ଟ ହେଇ ଯାଉଥିଲା ନିଲୁର ମ୍ଳାନ, ଉଦାସ ଚେହେରା ଦେଖିଲେ । ତେବେ ସତରେ କଣ ମୁଁ ନିଲୁ ପ୍ରତି ଅନ୍ୟାୟ କରୁଚି !

 

(୫)

 

କୁମାର ପୂର୍ଣ୍ଣିମା-ନିଲୁର ଜନ୍ମତିଥି । ଉଜ୍ଜ୍ୱଳ-ନୀଳ, ନିର୍ମଳ ଆକାଶ ତଳେ ଜ୍ୟୋତ୍ସ୍ନାବିଧୌତ ଧରଣୀ । ଘରେ ଘରେ ଚନ୍ଦ୍ର ବନ୍ଦାପନାର ଶଙ୍ଖ, ହୁଳହୁଳି ଓ ହସରୋଳ । ଆମର ଘର ସଂଲଗ୍ନ ଉଦ୍ୟାନରେ ମୁକ୍ତ ଆକାଶ ତଳେ ଚନ୍ଦ୍ରିକାର ରୋମାଞ୍ଚକର ସ୍ପର୍ଶ ଭିତରେ ସଜ୍ଜିତା ନିଲୁ ମୋର ଆଲିଙ୍ଗନରେ ଧରାଦିଏ । ବତ୍ସ, ଆଭୂଷଣ, ସୁଗନ୍ଧ ଉପଚାର ଓ ପୁଷ୍ପର ଆତିଶଯ୍ୟରେ ଅସ୍ପରୀ ସମ ଅପରୂପ ରୂପଲାବଣ୍ୟରେ ସେ ଦୀପ୍ତ ହେଇ ଉଠିଥାଏ । ମୋର କଣ୍ଠରେ ସଙ୍ଗୀତ ଫୁଲି ଉଠେ ।

 

‘ଚାଁଦେର ହାଁସି ବାଁଧ୍‌ ଭେଙ୍ଗେଚେ

ଉଛଲେ ପଡ଼େ ଆଲୋ

ଓ ରଜନୀଗନ୍ଧା ତୋମାର୍‌

ଗନ୍ଧସୁଧା ଢାଲୋ.....

 

ସବୁବର୍ଷ ପରି ନିଲୁ ନିମନ୍ତେ ମୁଁ ଉପହାର ଯୋଗାଡ଼ି ସାରିଥିଲି । କିନ୍ତୁ ସେଦିନ ଆମ ଅନୁଷ୍ଠାନରେ କୁମାର ଉତ୍ସବ ପାଳିତ ହେଉଥିଲା । କର୍ମସୂଚୀ ଶେଷ ହେଲା ରାତି ଦଶଟାରେ । ଦୀର୍ଘ ଚାରିଘଣ୍ଟା ନୃତ୍ୟ, ଗୀତ, ନାଟକରେ ପ୍ରାଣପୂର୍ଣ୍ଣ କରି ଯୁବକ, ଯୁବତୀ ଘରକୁ ଫେରି ଗଲେ । ସେତେବେଳେ ମନେ ପଡ଼ିଲା ମୋର ଘରର ଉତ୍ସବ କଥା । ନିଲୁ ମନରେ କେତେବଡ଼ ଆଘାତ ଲାଗି ନଥିବ ! ଏଭଳି ଭୁଲ କରିବା ମୋର ଉଚିତ ହେଇନି । ବାସ୍ତବିକ ନିଲୁପ୍ରତି ମୁଁ ଅନ୍ୟାୟ କରୁଚି । ମନ ମୋର ଗ୍ଳାନିରେ ଭରି ଯାଇଥିଲା ।

 

ଶୁଭ୍ରଶଯ୍ୟା ଉପରୁ ମୁକ୍ତ ଝରକା ବାଟରେ ନିଲୁ ନିବିଷ୍ଟ ଆଖିରେ ଚାହିଁଚି ପୂର୍ଣ୍ଣଚନ୍ଦ୍ରକୁ । ଦେହ ଉପରେ ଚନ୍ଦ୍ର କିରଣ ଅଜାଡ଼ି ପଡ଼ିଛି । ଅପରାଧୀ ଭଳି ତା’ର ପାଖରେ ଯାଇ ଠିଆ ହେଇ ଡାକିଲି,

 

‘‘ନିଲୁ’’,

 

ମୋର ଡାକ ସେ ଶୁଣି ପାରିଲାନି, ସେ ଏ ଜଗତରେ ନଥିଲା । ଚନ୍ଦ୍ରାଲୋକର ମାୟାରେ ସେ ବୁଡ଼ି ଯାଇଥିଲା । ନୀଳ ଆକାଶର ଉଦ୍‌ବେଳ ଜ୍ୟୋସ୍ନା ତରଙ୍ଗରେ ଭାସି ଭାସି ସେ ଚାଲି ଯାଉଥିଲା ଦୂରରୁ ଦୂରକୁ; କେଉଁ ଆଲୋକ ରାଇଜକୁ । ଅତି ସନ୍ତର୍ପଣରେ ତା’ର ବାହୁ ଉପରେ ହାତରଖି ଡାକିଲା, ‘‘ନିଲୁ, ନିଲୁ-’’

 

ମୁହଁ ଫେରାଇ ସେ ମତେ ବଲ ବଲ କରି ଚାହିଁଲା । ତା’ର କୁହୁକିନୀ ଆଖିରେ ନଥିଲା ପ୍ରାଣ ପରିଚିତର ଲେଶ, କେଉଁ ଅଜଣା ରାଇଜରେ ଅପରିଚିତ ବ୍ୟକ୍ତି ମୁହଁରେ ସେ ଯେପରି ଆକସ୍ମିକ ଭାବେ ଆସି ପଡ଼ିଚି । ଶୁଭ୍ରଗଣ୍ଡର ଦରଶୁଖିଲା ଲୁହ ଧାରଟିକୁ ପୋଛୁ ପୋଛୁ କହିଲି,

 

‘‘ମତେ ଚିହ୍ନି ପାରିଲିନି, ନିଲୁ ?’’

 

ମତେ ଅନେଇ ରହିବାର ଧୈର୍ଯ୍ୟ ତା’ର ନଥିଲା । ମୁହଁରେ ହାତ ଘୋଡ଼େଇ କୋହଭରା ବିକଳ କାନ୍ଦଣାରେ ସେ ଫାଟି ପଡ଼ିଲା । ମୁଁ ପାଖରେ ଲାଗି ବସିଲି । ଅପେକ୍ଷା କଲି ଆଘାତର ପ୍ରଥମ ଗୁରୁ କଂପନ ବିତି ଯିବାପାଇଁ । ସେ ଉଠିବସି ଅଯତ୍ନ, ଅସଂଯତ କେଶରାଶିରେ ଜୁଡ଼ା ମୋଡ଼ିଲା । ତାର ସ୍କନ୍ଧ ଉପରେ ହାତରଖି କହିଲି,

 

‘‘ଆଜିପରା କୁମାର ପୂର୍ଣ୍ଣିମା !’’

 

ସେ ସହଜ ହେଇ ଆସିଥିଲା । ତାର ଭିତରର ଅଭିମାନ ଚେଇଁ ଉଠିଚି । ଚେଇଁ ଉଠିଚି-। ମୁଣ୍ଡପୋତି କହିଲା, ‘ରାତି ବହୁତ ହେଲାଣି, ଖାଇବ ଚାଲ ।’’ ତା’ର ହାତ ଉପରେ ହାତ ଥୋଇଲି, ‘‘ଆଜି କଣ ତୁମକୁ ରାତି ଜଣା ପଡ଼ୁଚି ?’’ ସେ ମତେ କଣେଇ ଚାହିଁଲା । ତା’ର ମନରେ ଯେପରି ଭାବ ସଙ୍କଟ ଉପୁଜିଚି । ଧୀରେ ତା’ର ହାତ ଟାଣିଲି,

 

‘‘ବଗିଚାକୁ ଯିବା ଚାଲ ।’’

 

ସେ ହାତ ଛଡ଼େଇ ନେଲା । ମୋର ଦରହସା ମୁହଁକୁ ସିଧା ଅନେଇ ଆବେଗ ଭରା କଣ୍ଠରେ ଉତ୍ତର କଲା, ‘‘ମୁଁ ବଞ୍ଚିଚି ବୋଲି ଜାଣିଥିଲେ ଆଜି ପରା ତିଥିରେ ଅଧରାତି ଯାଏଁ ତମେ ବାହାରେ ରହି ନଥାନ୍ତ ।’’

 

ମୁଁ ମିନତି କଲି,

 

‘‘ବିଶ୍ୱାସ କର ନିଲୁ, ଅନୁଷ୍ଠାନର ଉତ୍ସବ ଭିତରେ ମୁଁ ଏକବାର ଭୁଲି ଯାଇଥିଲି । ନହେଲେ ସନ୍ଧ୍ୟା ସୁଦ୍ଧା ମୁଁ ଘରେ ପହୁଞ୍ଚି ଥାନ୍ତି । ତୁମ ନିମନ୍ତେ ଉପହାର ବି ଯୋଗାଡ଼ ରଖିଚି ଆଗରୁ ।’’

 

ଅନୁଷ୍ଠାନ ଯଦି ତମର ସବୁ, ମୁଁ କଣ କେହି ନୁହେଁ ?

 

ଆଜିକି ପ୍ରାୟ ଦେଢ଼ବର୍ଷ ହେଲା ଦିନ ଦିନ ଧରି ମୁଁ ଭୋଗି ଆସୁଚି, ତୁମେ ଯେପରି ମୋଠାରୁ ଦୂରେଇ ଯାଉଚ । ମୁଁ ଯେପରି ଗୋଟାଏ ଅଯଥା ବୋଝ ତମ ପିଠିରେ ଚାପି ପଡ଼ିଚି । ମୋର କି ଅପରାଧ କହିଲ ?’’

 

ଅଭିମାନୀର କଣ୍ଠରେ କାନ୍ଦଣା ଫୁଲି ଆସୁଥିଲା । କୋଳ ଉପରକୁ ତୋଳିଆଣି କହିଲି,

 

‘‘ତମେ ତ ମୋର ବୋଝ ନୁହ ନିଲୁ, ମୋର ଅଭିପ୍‌ସାର ଉତ୍ସ । ଆଜି କଣ ଫେରେ ନୂଆ କରି ଜାଣିବି ? ଚାଲ, ବାହାରେ ବସି କଥା ହେବା । ଆଜିପରା ରାତିରେ ଘର ଭିତରେ ବନ୍ଦୀ ହେବା ଭଲ ଲାଗୁନି ।’’

 

ନିଲୁ ଉଠିଗଲା ଆଗେ । ଆଲମାରୀ ଭିତରୁ ଉପହାର ସାମଗ୍ରୀ ବାହାର କରି ମୁଁ ଚାଲିଲି ତା’ର ପଛରେ ।

 

(୬)

 

ବଗିଚାରେ ଗଭୀର ନୀରବତା ବିରାଜୁଚି । ଗଛ, ପତ୍ର ଲତା-ସମସ୍ତେ ଯେପରି ଚନ୍ଦ୍ରିକା ପାନରେ ମଗ୍ନ, ବିଭୋର । ପୂର୍ବ ପରିଚିତ ବକୁଳ ଗଛତଳେ ଯାଇ ବସିଲୁ । ନିଲୁ ଆପତ୍ତି କଲା ସେ ଆଉ ନୂଆ ଆଭୂଷଣ ପିନ୍ଧିବନି । ସେ ଯଦି ମୋର ସ୍ନେହରୁ ବଞ୍ଚିତ ହେଇଚି ଏ ବାହ୍ୟ ଉପଚାରରେ କି ପ୍ରୟୋଜନ । ହସି ହସି କହିଲି–

 

‘‘ଆଜି ମୁଁ ତୁମକୁ ସଜେଇ ଦେବି । ମୋର ସ୍ନେହରେ ପଖାଳି ତୁମକୁ ନୂଆରେ ସେଭଳି ସୁନ୍ଦର କରି ଦେଖିବି, ଯେଉଁଥିରେ ତୃପ୍ତିର ଅବସାଦ ନଥାଏ ।’’

 

ବୃକ୍ଷାନ୍ତରାଳରେ ନିଲୁ ନୂଆ ବସ୍ତ୍ର ବଦଳେଇ ଆସିଲା । ଫୁଲମାଳରେ ମୁଁ ତା’ର ଗଳା, ବାହୁ, ଜୁଡ଼ା ମଣ୍ଡି ଦେଲି । ନିଲୁ ଅପୂର୍ବ ରୂପ ଧାରଣ କଲା । ପଚାରିଲି,

 

‘‘କହିପାରିବ, କିଭଳି ଦେଖା ଯାଉଚ !’’

 

ମୋର ହାତ ଦୁଇଟି ତା’ର ଉଦ୍‌ବିଗ୍ନ ଛାତି ଉପରେ ଚିପିଧରି ନିଲୁ କହିଲା,

 

‘‘ମତେ ଭୁଲି ଯାଅନି ।’’

 

‘‘ଦେଖ ନିଲୁ, ଯେଉଁ ପ୍ରେମ ହୃଦୟରେ ରୂପପାଏ ତାହା ଏତେ ଭଙ୍ଗୁର ନୁହେ ଯେ ଟିକିଏ ଅସତର୍କ ହେଲେ ଚୂନା ହେଇଯିବ । ମୁଁ ମୋର ଭୁଲ ବୁଝି ପାରିଚି । ପାଠଚକ୍ର ଆରମ୍ଭ କଲାବେଳେ ମୁଁ ତା’ର ଉଦ୍ଦେଶ୍ୟ ତୁମକୁ ବୁଝେଇ ଦେବାର ଥିଲା । କିନ୍ତୁ ମୁଁ ଭାବିଥିଲି, ତୁମେ ହୁଏତ ସେଥିରେ ବିଶେଷ ଆଗ୍ରହ ପ୍ରକାଶ କରିବନି । ସତରେ ନିଲୁ, ବିକାଶ ମୋର ଆଖି ଖୋଲି ଦେଇଗଲା । ମୁଁ ମନେ କରୁଚି, ମୁଁ ଆଜି ଗୋଟାଏ ନୁଆ ଜୀବନର ଅଧିକାରୀ । ଉଦ୍ଦେଶ୍ୟହୀନ ଜୀବନ ନେଇ ମୁଁ ପଚି, ସଢ଼ି ଯାଇଥାନ୍ତି ଦିନେ । କିନ୍ତୁ ଆଜି ମୋ ଭିତରର ଆଲୋକ ଶହ ଶହ ଲୋକଙ୍କୁ ଅନ୍ଧକାର ଭିତରେ ବାଟ ଦେଖେଇ ପାରିଚି । ସବୁପ୍ରକାର ଅନ୍ୟାୟ, ଅବିଚାର ବିରୁଦ୍ଧରେ ସଙ୍ଗଠିତ ହେବାପାଇଁ ସେମାନେ ପ୍ରେରଣା ପାଇଚନ୍ତି । ମୋର ଶିକ୍ଷାର ସଦୁପଯୋଗ ହେଇ ପାରିଚି ।’’

 

ନିଲୁ ଅଭିମାନ ଜଣେଇଲା,

 

‘‘ମୁଁ କଣ ଏତେ ଅପଦାର୍ଥ ଯେ ତୁମର କାମରେ ଟିକିଏ ବୋଲି ସାହାଯ୍ୟ କରି ପାରନ୍ତି ନି ? ତମେ ଯାହା ଉଚିତ ମନେକର, କରିବ; ମୁଁ ମୋର ଯଥା ସାଧ୍ୟ ସହଯୋଗ କଲେ ହେଲା ।’’

 

ମୁଁ ମନେ ମନେ ଗ୍ଳାନି ଅନୁଭବ କରୁଥିଲି । ନିଲୁ ପ୍ରତି ମୁଁ କମ୍‌ ଅବିଚାର କରିନି । କହିଲି,

 

‘‘କେବେ ଥରେ ତମେ ଏକଥା ମତେ ସୂଚିତ କରି ଦେଇ ପାରି ନଥାନ୍ତ ?’’

 

ନିଲୁ ଉତ୍ତର କଲା,

 

‘‘ପ୍ରଥମେ ଅପେକ୍ଷା କଲି ତୁମେ କିଛି କହିବ ପରା ବୋଲି; ତାପରେ, ଥରେ ଅଧେ ପଚାରିବି ବୋଲି ମଧ୍ୟ ମନେକଲି । କିନ୍ତୁ ସାହସ ପାଇଲିନି । ଭାବିଲି, ତମେ ଯେବେ କିଛି କହୁନାଁ, ହୁଏତ ସେଥିରେ ଇମିତି କିଛି ଅଛି ଯାହା ମୁଁ ଜାଣିବା ଉଚିତ ନୁହେ । କିନ୍ତୁ ଘରଟାରେ ଏକଲା ପଡ଼ି ରହିବା ମତେ ଖୁବ୍‌ବାଧୁଥିଲା ।’’

 

ମୁଁ ବୁଝି ପାରୁଥିଲି, ଆତ୍ମବର୍ଗର ଅଧିକାଂଶ ସ୍ତ୍ରୀ ଘର ଭିତରେ ପଡ଼ି ରହୁଚନ୍ତି କେବଳ ସ୍ୱାମୀର ବ୍ୟକ୍ତିତ୍ୱବାଦୀ ମନୋଭାବ ଯୋଗୁଁ । ସ୍ୱାମୀର ଧର୍ମରେ ସହମତ ହେଇ ସେମାନେ ଖୁବ୍‌ ଆଗେଇ ଆସି ପାରନ୍ତେ ଯଦି ମୋଭଳି ସ୍ୱାମୀମାନେ ସେମାନଙ୍କ ସଙ୍ଗେ ଟିକିଏ ପରାମର୍ଶ କରିବାର କଷ୍ଟ ସ୍ୱୀକାର କରନ୍ତେ । ଉତ୍ସାହିତ ହେଇ ପଚାରିଲି,

 

‘‘ତମେ ମୋ କାମରେ ସହଯୋଗ କରିବ ?’’

 

ନିଲୁ ଉତ୍ତର କଲା,

 

‘‘ମତେ ଯଦି ଗ୍ରହଣ କର । ଆଭିଜାତ୍ୟର ଯେଉଁ ସ୍ୱପ୍ନ ଓ ଗୁମାନ ନେଇ ମୁଁ ବାସର ଘରେ ପାଦ ଦେଇଥିଲି ତାହା ଆଜି ନାଇଁ । ତୁମର କାର୍ଯ୍ୟକ୍ଷେତ୍ରର ଦୂରରେ ରହି ମଧ୍ୟ ମୁଁ ବୁଝି ଆସୁଥିଲି, ଜୀବନର ଉଦ୍ଦେଶ୍ୟ ଅସାର କଳ୍ପନା ପାଇଁ ନୁହେଁ; କର୍ତ୍ତବ୍ୟ ପାଇଁ । ସ୍ଥାଣୁତ୍ୱ ଭିତରେ ମନୁଷ୍ୟତ୍ୱର ବିକାଶ ହୁଏନି; ହୁଏ କର୍ମରେ । କିନ୍ତୁ, ସତ କହୁଚି, ତୁମକୁ ହରେଇବାର ଭୟ ମତେ ବଡ଼ ବିପନ୍ନ କରୁଥିଲା । ବିକଳ ଭାବେ ଅନୁଭବ କରୁଥିଲି, ତୁମର ଗତି ସଙ୍ଗେ ମୋର ଗତି ମିଳେଇ ପାରୁନି ।’’

 

ନିଲୁର ସ୍କନ୍ଧରେ ବାହୁ ବେଷ୍ଟନ କରି କହିଲି,

 

‘‘ଆଗରେ ଆମର ଦୀର୍ଘପଥ । ବହୁ ବାଧା, ବିଘ୍ନ ଅତିକ୍ରମକରି ଯିବାକୁ ପଡ଼ିବ । କିନ୍ତୁ ପଥ ଶେଷରେ ଯେଉଁ ନୂଆ ଦୁନିଆ ଗଢ଼ିବାରେ ଆମେ ମଦତ୍‌ଦେବା ସେଥିରେ ଭୋକି, ରୋଗୀ, ବେକାର ରହିବେନି; ଜଣେ ଜଣକୁ ଶୋଷଣ କରି ପାରିବନି; ଜଣେ ଜଣକୁ ନ୍ୟାୟରୁ ବଞ୍ଚିତ କରି ପାରିବନି । ସେ ଦୁନିଆର ବ୍ୟବସ୍ଥା ହେବ ଆଜିର ଏ ଜ୍ୟୋସ୍ନା ଭଳି ଉଚ୍ଛ୍ୱସିତ, ଉଦାର । ମତେ ସଙ୍ଗ ଦେବ ତ ନିଲୁ ?’’

 

ଗଭୀର ବିଶ୍ୱାସ ଭରା କଣ୍ଠରେ ନିଲୁ ଜବାବ ଦେଲା,

 

‘‘ମୁଁ ଭାରତୀୟ ବଧୁ । ମୃତ୍ୟୁ ପର୍ଯ୍ୟନ୍ତ ସ୍ୱାମୀର ସାହଚର୍ଯ୍ୟ କରିବା ମୋର ଧର୍ମ । ମୁଁ ମୋର ପଥରୁ ବିଚ୍ୟୁତ ହେବିନି ।’’

 

ମନେ ହେଲା, ମୋ ଭିତରେ ଅଜେୟ ଶକ୍ତି ଭରି ଉଠିଚି । ମୋର ଚଉଦିଗେ ଆନନ୍ଦର ବନ୍ୟା ଛୁଟିଚି । ଆକାଶ, ପବନ, ଜ୍ୟୋତ୍ସ୍ନା ସବୁ ମତେ ଅଭିନନ୍ଦନ ଜଣାଉଚନ୍ତି । ମୋର ଭିତର ଓ ବାହାର ଆଲୋକରେ ପ୍ଳାବିତ ହେଇ ଯାଇଚି । ଗଭୀର ସ୍ନେହ ଓ ସମ୍ମାନ ସହକାରେ ନିଲୁର କପାଳ ଚୁମ୍ବନ କଲି ।

 

(୭)

 

ଆମ ଅନୁଷ୍ଠାନରେ ନିଲୁ ଦାୟିତ୍ୱ ନେଇଚି ଛୋଟ ବାଳକ, ବାଳିକାମାନଙ୍କର । ତା’ର ସ୍ନେହର ଶିଶୁ ସଂସାରକୁ ସରାଗରେ ନାଁ ଦେଇଚି-‘ସବୁଜ ବାହିନୀ’ ।

Image

 

ପାନେ କୁଇନାଇନ

(୧)

 

ସକାଳଟା ଧୂସର ଦେଖା ଯାଉଥିଲା । ସୂର୍ଯ୍ୟୋଦୟର ପ୍ରଥମରାଗ ଆକାଶରେ ଆହୁରି ବାରି ହେଉ ନଥିଲା । ପୌଷ ଶେଷର ହେମାଳ ପବନ ମାଂସ ଭିତରକୁ ଗଳିଗଲା ପରି ବୋଧ ହେଉଥିଲା । ଗୋଟାଏ ସହଳ ଚଢ଼େଇ ଆକାଶ ଭିତରକୁ ଉଡ଼ିଯାଇ ପୁଣି ଗଛ ଉପରକୁ ଫେରି ଆସୁଥିଲା । ଉତ୍ତାପ ଆଉ ଆଲୋକ ଲାଗି ସେ ଯେପରି ଅଧୀର ହେଲାଣି ।

 

ମେଡ଼ିକେଲ୍ ଓ୍ୱାର୍ଡ଼ ପିଣ୍ଡା ଉପରେ ଚୌକୀ ଗୋଟାକରେ ଢଳି ପଡ଼ିଚି ବିନତା । ତା’ର ମୁହଁ ଓ ଆଖିରୁ ବିନିଦ୍ର ରାତିର କ୍ଳାନ୍ତି ସ୍ପଷ୍ଟ ବୁଝି ହେଉଥିଲା । ହାଇ ମାରିଲେ ତା’ର ଭିଡ଼ ପାଉନ୍‌ ତଳୁ ବିପୁଳ ଛାତି ଫୁଲି ଉଠୁଥିଲା । ରହି ରହି ସେ ଚାହୁଁଥିଲା ଡାକ୍ତରଖାନାର ବାହାର ଦରଜା ଦିଗେ । ରେଣୁ ଆସିଲେ ତା’ର ହାତକୁ କାମ ବଢ଼େଇ ଦେଇ ସେ ଛୁଟି ନେବ ।

 

ଦଶ ନମ୍ବର ବେଡ଼୍‌ର ବିଷମ ଜ୍ୱର ରୋଗୀଟା ପ୍ରଳାପ କରୁଚି । ସତର ନମ୍ବରର ମସ୍ତିଷ୍କ ଝିଲ୍ଲି ପ୍ରବାହ ରୋଗୀ ମଲାଣି ପ୍ରାୟ ଘଣ୍ଟାଏ ହେଲା । ତା’ର ଯୁବତୀ ସ୍ତ୍ରୀ ଭାବିଚି ସ୍ୱାମୀ ଶୋଇଚନ୍ତି ବୋଲି । ଏ ଯାଏଁ ହତଭାଗୀ ହାତର ପଙ୍ଖା ବନ୍ଦ ହେଇନି । ବିନତା ତାକୁ କିଛି କହି ପାରିଲାନି । ସ୍ତ୍ରୀଟିର ଗୋରା ଗୋରା ହାତର କେତେ ପଟ କାଚ ଆଉ ଅଳ୍ପବାଳ୍ପ ମାଙ୍ଗର ଫିକା ସିନ୍ଦୂର ଧାରଟିକୁ କରୁଣ ଆଖିରେ ଥରେ ଚାହିଁ ଦେଇ ସେ ଅନ୍ୟ ବେଡ଼ ପାଖକୁ ଚାଲିଗଲା । ନର୍ସ୍‌ବୁକୁରେ କଣ ବେଦନା ଉପୁଜେନି ?

 

ମସ୍ତବଡ଼ ହଲ୍‌; ଗୋଦାମ ଭଳି ଲମ୍ବା ଆଉ ଚଉଡ଼ା । ସେଥିରେ ପାରିବାରିକ ଘରର ଆପଣାର ଭାବ ନାଇଁ, ସେଇ ଶେଜ ଉପରେ ପଡ଼ୁ ପଡ଼ୁ ନିଜର ଶୟନ କୋଠରୀର ସୁରକ୍ଷିତ ଭାବ ଆପେ ଆପେ ମନରୁ ଉଭେଇ ଯାଏ । ମଣିଷ ଯିମିତି ପିରାମିଡ଼୍‌ତଳର କେଉଁ ବିସ୍ତୃତ ଶବ ଭଣ୍ଡାର ଭିତରେ ପଶିଯାଇଚି । ହଲ୍‌ଭିତରର ସେ ସ୍ୱଳ୍ପ ଲୋକ, ନାନାବିଧ ରାସାୟନିକ ପଦାର୍ଥର ମିଶ୍ରିତ, ଅପ୍ରୀତିକର ଗନ୍ଧ, ଡାକ୍ତର ଓ ନର୍ସ୍‌ଚାଲିର ସେଇ ନିଦାରୁଣ, ନିଃଶଙ୍କ ଭାବ, ପ୍ରତି ମୁହୁର୍ତ୍ତରେ ଉଦ୍‌ବେଗ ଭିତରେ ଗତି କରି ମଧ୍ୟ ସବୁରି ମୁହଁର ସେଇ ଅସାଧାରଣ ନିରୁଦ୍‌ବେଗ ଆଭା, ବିନତାର ସବୁ ଦେହସହା ହେଇ ଗଲାଣି । ହୃଦୟରେ ପ୍ରବଣତା ରଖି ଡାକ୍ତରଖାନାରେ କାମ କରି ହୁଏନି । ମରଣ ଗନ୍ଧରେ ରୁଦ୍ଧ ହେଇ ଏଇଠି ଜୀବନର ନିଶ୍ୱାସ ଟାଣିବାକୁ ହୁଏ । ଚୌକୀ ଉପରେ ବିନତା ଢଳି ପଡ଼ିଚି । ହାଇ ସଙ୍ଗେ ଅସମ୍ଭାଳ ପୂରା ଛାତି ଉଠୁଚି ପଡ଼ୁଚି ।

 

ସେପ୍‌ଟିକ୍‌ ଓ୍ୱାଡ଼୍‌ର ଭାଲୁ କାମୁଡ଼ା ରୋଗୀଟା ସମ୍ଭବ ମରିଯିବଣି । ପ୍ରସ୍ତୁତି ଭବନର ସେଇ ପତଳା ଝିଅଟି ଉପରେ ବାସ୍ତବିକ୍‌ ବିନତାର ମାୟା ହେଇ ଯାଇଥିଲା । ସୁନ୍ଦର ଛୁଆଳିଆ ମୁହଁଟି ନୁହେ ? ଗର୍ଭଶୂଳ ମାଇଲାବେଳେ ତା’ର ବଡ଼ ବଡ଼ ଆଖି ଦୁଇଟିରେ ମାଆ ହେବାର ଆନନ୍ଦ ଫୁଟୁ ନଥିଲା । ମୃତ୍ୟୁ ଭୟର ଛାନିଆ ଆଖିରେ ଜରି ଯାଇଥିଲା । ହତଭାଗୀ ଜନ୍ମ କରିବା ଶିଶୁଟିକୁ ମଧ୍ୟ ଥରେ ଆଖିଭରି ଦେଖିବାକୁ ରହିଲାନି ! ତା’ର ସାଧନା ବ୍ୟର୍ଥ ହେଇ ଯାଇଚି ଆଜିର ସମାଜରେ ମୂଲିଆର ପରିଶ୍ରମ ଭଳି ।

 

ଗଛ ଉପରେ ନାନାଜାତି ଚଢ଼େଇ କଳରବ କଲେଣି । ଆକାଶ ବେଶ୍‌ ଫରସା ହେଇ ଆସୁଚି । ଆଉଟ୍‌ଡୋର୍‌ ଡାକ୍ତର ବଦଳି ସାରିଲେଣି । ରେଣୁ କଣ କରୁଚି ଏତେବେଳ ଯାଏଁ ? ହାୟରେ ନର୍ସ୍‌ର ଭାଗ୍ୟ !

 

‘‘ଗୁଡ଼୍‌ମ’ର୍‌ନିଂ, ବିନ ।’’

 

ବିନତା ତରଭରରେ ଉଠି ଠିଆ ହୁଏ । ସାମନାରେ ତା’ର ଡା: ସରୋଜ ମହାପାତ୍ର ।

 

‘‘ରାତି ଡ୍ୟୁଟି ଥିଲା ?

 

ପଚାରିବାର କୌଣସି ଆବଶ୍ୟକତା ନଥିଲା, ବିନ ଜାଣେ । ଉତ୍ତର କଲା,

 

‘‘ଆଜ୍ଞା,’’

 

‘‘ଭାରି ଶୁଖିଲା ଦିଶୁଚ,’’

 

ଡାକ୍ତରର ହସୁରା, ଦୁଷ୍ଟ ଆଖି ବିନତାର ସ୍ଫୀତ ଛାତି ଉପରେ ପହଁରୁ ଥିଲା । କିଛି ନ ବୁଝିବା ଭଲ ବିନତା ଉତ୍ତର କଲା, ‘‘ନା, ତ-’’

 

ଡାକ୍ତରର ତୀକ୍ଷ୍ମ, ଆର୍ଦ୍ର ଦୃଷ୍ଟି ଏଡ଼ିବା ପାଇଁ ସେ ତା’ର ଚେହେରା ଉପରେ ଆଖି ବୁଲେଇଲା । ନିଜକୁ ଅପ୍ରକାଶ୍ୟ ରଖିବା ଲାଗି ସେ ଯେପରି ତା’ର ଦେହ ଉପରେ ଗୋଟାଏ ଅଦୃଶ୍ୟ ଆବରଣ ପକେଇ ଦେଉଚି ।

 

ଡାକ୍ତର ଆଗେଇଗଲା ଅପରେଷନ୍‌ ଥିଏଟର୍‌ ଦିଗେ । ମୁରୁକି ହସା ଦେଇ ବିନତା ତାକୁ ପଛରୁ ଥରେ କଣେଇ ଚାହିଁ ନେଲା–

 

‘‘ଡାକ୍ତରଟା ବଡ଼-ୟେ-’’

 

ଅନାୟାସରେ କାମ୍ୟ ସମ୍ପଦ ପାଇବାର ଗୋପନ ଆନନ୍ଦ ତା’ର ବୁକୁତଳେ ଗୋଟାଏ ଅମାନିଆ ଆଲୋଡ଼ନ ତୋଳିଥିଲା । ପ୍ରାଣ ଖୋଲା ହସରେ ବିନତାର ସେଇ ଅଧୀର ଉଚ୍ଛ୍ୱାସ ଆଖି ଆଉ ମୁହଁ ଦେଇ ଫାଟି ପଡ଼ିବାର ଉପକ୍ରମ କରୁଥିଲା । ତାକୁ ରୋକିବାର ପ୍ରୟାସ କରି ସେ ଆତ୍ମପ୍ରସାଦ ଅନୁଭବ କରୁଥିଲା ।

 

‘‘ଏତେ ଆଖି ଲଗେଇ କାହାକୁ ଚାହିଁଚୁଲୋ,’’ ରେଣୁ ପଚାରୁଚି ।

 

‘‘ଆଁ-’’

 

ବାହାରିଲା ବିନତାର ମୁହଁରୁ । ତା’ର ଯେପରି ପୂରା ଚେତନା ନାଇଁ ।

 

ଅନ୍ଧକାର ଭିତରେ କେଉଁ ଅଜ୍ଞାତ ପ୍ରଣୟୀର ବାହୁ ବନ୍ଧନର ବନ୍ଦିନୀ, ପୁରୁଷ ଛାତିର ମଖମଲ କୋମଳ ଅଳ୍ପବାଳ୍ପ ଲୋମ ଉପରେ ମୁହଁ ପାତି ଅଭିସାରିକା ପୁରୁଷର ପୌରୁଷ ଓ ନିଜର ଯୌବନର ସାର୍ଥକତା ଉପଭୋଗ କରିବାବେଳେ, ଚିର ଚତୁର କାନ ଉପରେ ଅଧର ସ୍ପର୍ଶ ସଙ୍ଗେ ପ୍ରଣୟୀର ଧୀର, ଉତ୍ତରଭରା ପ୍ରଶ୍ନ ‘ଭଲ-ଲାଗୁଚି’ର ଉତ୍ତରରେ ତା’ର ମୁହଁରୁ ଅତର୍କିତରେ ଯେପରି ବାହାରି ଯାଇଥାଏ ଗୋଟିଏ ଛୋଟ, ଇଙ୍ଗିତଭରା-ଆଁ ।

 

ହଠାତ୍‌ ନିଜକୁ ସମ୍ଭାଳି ଦେଇ ବିନତା କହିଲା,

 

‘‘ସେଇ ଭାଲୁ କାମୁଡ଼ା ରୋଗୀଟା ମ–’’

 

‘‘ରୋଗୀତ ଏ ପଟେ, ସେ ପଟରେ କାହା ମୁହଁକୁ ଚାହିଁଥିଲୁ ।’’

 

ଚୌକି ଉପରୁ ଉଠି ପଡ଼ି ବିନତା ରେଣୁକୁ କୁଣ୍ଢେଇ ପକେଇଲା ।

 

‘‘ଆଲୋ, ମୁଁ ନୁହେ ଲୋ ।’’

 

(୨)

 

ବିନତା ତେବେ ପଞ୍ଚମ । ଚାରୁ, ଚପଳା, ଅନିତା ସବୁ ପୁରୁଣା ହେଇ ଗଲେଣି । ରେଣୁର ମନେପଡ଼େ ତିନିବର୍ଷ ତଳେ ସେ ଯେତେବେଳେ ତା’ର ଆଘାତ ବିବର୍ଣ୍ଣ ହୃଦୟ ଦେଇ ଏଇ ସ୍ଥାନକୁ ବଦଳି ହେଇ ଆସିଲା, ମନେ ମନେ ଶପଥ କରି ନେଇଥିଲା ଆଉ ପୁରୁଷର ଛାଇ ମାଡ଼ିବନି ବୋଲି । ସମସ୍ତେ ତାକୁ ପ୍ରତାରଣା କରିଚନ୍ତି । ସେ ଆଉ ଜମା ପୁରୁଷ କଥାରେ ବିଶ୍ୱାସ ଯିବନି । ପୁରୁଷର ଯେତେ ସବୁ ମଧୁର କଥା, ଆକାଶୀ ଆଶା, ଘର ରଚନାର ପ୍ରଲୋଭନ କେବଳ ସେଇ ଅତି କାମ୍ୟ, ଅନବଦ୍ୟ ମୁହୂର୍ତ୍ତଟି ଭୋଗ କରିବା ଉଦ୍ଦେଶ୍ୟରେ ।

 

‘‘ଆଜି ରାତିରେ ତୁମେ ଗୋଟିଏ ନିଷ୍ପତ୍ତି.....ତୁମର ପେଲବ ତନୁର ଗଜଦନ୍ତି ସ୍ପର୍ଶ ମୋ ରକ୍ତରେ ନବଜୀବନ ସଂଚାର କରିଚି.....ତୁମର ଅଧରାମୃତ ପିଇ ମୁଁ ମୃତ୍ୟୁଞ୍ଜୟ ହେଇଚି....’’ ତା’ପରେ ସବୁ ଶେଷ; ସମସ୍ତ ପ୍ରବଣତାର ସମାପ୍ତି । ଚିର ବାଞ୍ଛିତ, ନାରୀର ସେଇ ଗୁପ୍ତ ଭଣ୍ଡାର ସାରିବା ପରେ ପୁରୁଷ ତାକୁ ଦେଖେ ଦୟାର ପାତ୍ରୀ ଭାବରେ । ସେ ଯେପରି ଦିନକିଆ ସଉକର କେଉଁ ମହାର୍ଘ ପୋଷାକ ଆଜି ଫଟା, ପୁରୁଣା ହେଇ ଯାଇଚି, ସ୍ନେହ ବଳୁଚି କିନ୍ତୁ ଯତ୍ନ କରିବାର ପ୍ରୟୋଜନୀୟତା ଆଉ ନାଇଁ । ଶୂନ୍ୟ ନିଆଁ ପେଡ଼ି ଭଳି ଘସରା, ତୁଚ୍ଛ ହେଇ ଯାଇଚି । ରେଣୁ ହାଡ଼େ ହାଡ଼େ ଅନୁଭବ କରିଚି ଏ ଅବମାନନା, ଏ ଲାଞ୍ଛନା ।

 

ଦେହର ଚିହ୍ନଟିକୁ ଦେଖିଲେ ଅବଶ୍ୟ ଦୁଷ୍ଟ ବ୍ରଣର ବେଦନା ମନେ ପଡ଼େ; ଲୋମମୂଳ ଟାଙ୍କୁରି ଯାଏ । କିନ୍ତୁ ବ୍ରଣ ଉଠିବା ତ ମଣିଷ ଇଚ୍ଛାର ବଶ ନୁହେ । ଚମଡ଼ାତଳେ ସେ ସବୁ ରକ୍ତ, ମାଂସ, ମେଦର ନିଷ୍ପତ୍ତି ।

 

ରେଣୁ ସେ ନିଷ୍ପତ୍ତି ଶୁଣିଲା ଅପରେଷନ୍‌ ଥିଏଟର୍‌ ସାମନା ଝଙ୍କରା କଦମ୍ବ ଗଛ ଆଢ଼ୁଆଳରେ ରାତି ତୃତୀୟ ପ୍ରହରରେ । ପାର୍ଶ୍ୱରେ ପ୍ରସୂତି ଭବନରେ, ପ୍ରଥମ ଅନୁଭୂତିରେ ଭୟ ବିହ୍ୱଳ ଓ ଗର୍ଭ ବେଦନାରେ ଅସ୍ଥିର, କେଉଁ ସୁକୁମାରୀ ଦାରୁଣ କଣ୍ଠରେ ଚିତ୍କାର କରୁଚି ଏବଂ ଅନୁପସ୍ଥିତ, ଅପରାଧୀ ସ୍ୱାମୀର ନିର୍ଦ୍ଦୟ ପୌରୁଷକୁ ଧିକ୍‌କାର କରୁଚି ।

 

‘‘ଜନ୍ମ ଜନ୍ମ ଧରି ମୁଁ ତୁମର ଆଗମନୀ ଚାହିଁଥିଲି.....

 

ଏଭଳି ଭାଷା ସଙ୍ଗେ ରେଣୁ ବହୁବାର ପରିଚିତ । ସେ ବିଶ୍ୱାସ କରୁ ନଥିଲା । ତଥାପି ଶୁଣିବାକୁ ତାକୁ ଭାରି ଭଲ ଲାଗୁଥିଲା । କେବଳ ଶୁଣିବାରେ ହିଁ ସେଇ ମୁହୁର୍ତ୍ତର ତୃପ୍ତି । ଅନାଗତ ଭାବନା ଦେଇ ସେ ତା’ର ପ୍ରଣୟ ପ୍ରବାହକୁ ରୋଧିବାକୁ ଚାହୁଁ ନଥିଲା । ଏଇ ମିଥ୍ୟା ଅଭିନନ୍ଦନର ସଜଳତା ତା’ର ଅନ୍ତରର ପୁରାତନ ପ୍ରବାହକୁ ଶାନ୍ତ କରୁଥିଲା ।

 

ଠିକ୍‌ ଏଇଭଳି ଉକ୍ତି ପ୍ରସୂତି ଭବନର ସେଇ ରୋଦନୀଟିକୁ ତା’ର ସ୍ୱାମୀ ପ୍ରଥମ ରାତ୍ରିର ମାୟା ବିଜଡ଼ିତ ମଧୂଶଯ୍ୟା ଉପରେ ନିବେଦିତ କରିଥିବ ବଡ଼ ବିନମ୍ର, ବଡ଼ ଆକୁଳ କଣ୍ଠରେ । ଅଧର ଚୁମ୍ବନ, ବକ୍ଷ ପୀଡ଼ନ, ବସ୍ତ୍ର ଅପସାରଣ ତା’ର ଅନଭ୍ୟସ୍ତ, କୁତୂହଳୀ କୁମାରୀ ପ୍ରାଣରେ ସ୍ୱତଃସ୍‌ଫୁର୍ତ୍ତ ଉତ୍ତେଜନାର ଉଦ୍ରେକ କରିଥିବ । କାମଲିପ୍‌ସୁ ପୁରୁଷର ଉଷ୍ଣ, ପ୍ରଖର, ନିଶ୍ୱାସରେ ଘାରି ହେଇ ସେ ଅଚେତ ହେଇ ଯାଇଥିବ......

 

ଡା: ମହାପାତ୍ରର ସ୍କନ୍ଧ ଉପରୁ ରେଣୁ ସେଇ ସ୍ୱାମୀଟିର ଆଖି ଦୁଇଟିକୁ ଭଲଭାବେ ଦେଖିପାରୁ ଥିଲା, ବୁଝି ପାରୁଥିଲା । ଗଛ ଗହଳିର ଅନ୍ଧକାର ଭିତରୁ, ବାଘ ଆଖି ଭଳି ହିଂସ୍ର ଓ ଦାହକ, ସେଇ ଘୂର୍ଣ୍ଣମାନ ଡୋଳା ଦୁଇଟି ଚୁର୍ଣ୍ଣ ଉଲ୍‌କା ଖଣ୍ଡ ଭଳି ଯେପରି ତା’ର ଉପରକୁ ଓହ୍ଳାଇ ଆସୁଚି ! ଉତ୍ତେଜନାରେ ଅଧୀର, ରେଣୁ ଡା: ମହାପାତ୍ରର ମୁହଁଟିକୁ ନୁଆଇଁ ଆଣି ତା’ର ଅଧରରେ ଗାଢ଼ ଓ ଗଭୀର ଭାବେ ଚୁମ୍ବନ କଲା ।

 

ସଂସାର ପାତିବା ପ୍ରସ୍ତାବ ଡାକ୍ତର କରିଥିଲା ଅବଶ୍ୟ । କିନ୍ତୁ ରେଣୁ ମନା କରି ଦେଇଚି-। ସେ ଭଲଭାବେ ଜାଣେ, ଏ ଭଳି ପ୍ରଣୟରେ ବସାବାନ୍ଧି ଛୁଆ ଫୁଟେଇ ହୁଏନି । ଏ ପ୍ରଣୟ ପାନ୍ଥଶାଳାର-ବନ୍ଧନ ହୀନ, ଦାୟିତ୍ୱ ହୀନ । ଏହାର ମିଳନ କାଳ ରାତିକ ପାଇଁ ପରିମିତ । ନୂଆ ଦିନରେ ପୁଣି ନୂଆ ପଥରେ ଯାତ୍ରା; ନୂଆ ସନ୍ଧାନ, ନୂଆ ଅନୁଭୂତି । ସାପ କାତି ଭଳି ପଛରେ ପଡ଼ି ରହେ ବିଗତ ରାତିର ବିଶ୍ରମ୍ଭ ପରିଚିତ ।

 

ପୁରୁଷ ସବୁକାଳେ ନାରୀର ପ୍ରଥମ ପ୍ରଣୟୀ ହେବାକୁ ଚାହେ । ଆଉ ନାରୀ ଚାହେଁ ପୁରୁଷର ଶେଷ ପ୍ରଣୟିନୀ ହେବାକୁ । ଯୌନଜୀବନରେ ଏ ଦୌଡ଼ ଆଦିମ କାଳରୁ ଚାଲି ଆସିଚି । ଡାକ୍ତରର ମନ ତୁଟି ଆସୁଥିଲା । ସେଇ ପିଟା, ତୁଟା ଭିତରୁ ଯେତିକି ପାଇବା କଥା ସେତିକି ବିନା ରେଣୁ ଆଉ ଅଧିକ ଲୋଡ଼ୁ ନଥିଲା; ଜିଗର କରି ନଥିଲା । ନୂଆ ସନ୍ଧାନରେ ଡାକ୍ତର ତରକି ଉଠୁଥିଲା । ଉପବନର ଭ୍ରମର ସେ, ଲତାନ୍ତରାଳ ଭିତରକୁ ଫେରି ଯିବାକୁ ଚାହେଁ । ରେଣୁ ବାଧା ଦେଇନି । ପଥ ପାର୍ଶ୍ୱରେ ପଡ଼ି ରହିଲେ ବୃନ୍ତଚ୍ୟୁତା ଚାରୁ, ଚପଳା, ଅନିତା । ରେଣୁ ସବୁ ଦେଖୁଚି, ସବୁଶୁଣିଚି ।

 

(୩)

 

ବିନତା କିଛି ଛୁଆ ନୁହେ । ଅଠର ବରଷର ଯୁବତୀ । ହୁଏତ, ଅନୁଭୂତି ହେଇନି । କିନ୍ତୁ ସେତ ବେଶ୍‌ ଏକଲାଟିକୁ ଆଦରି ବସିଲାଣି ! ରେଣୁ କାହିଁକି ତା’ର ପଥ ଓଗାଳନ୍ତା ? ପରିଣାମ ସମ୍ବନ୍ଧେ, ଅବଶ୍ୟ ପରୋକ୍ଷ ଭାବରେ, ଥରେ ଅଧେ ସତର୍କ କରି ଦେଇଚି । ସେ ଜାଣେ ପୁରୁଷ ବ୍ୟାପାରରେ, ବିଶେଷତଃ ପ୍ରେମ ପ୍ରସଙ୍ଗରେ, ଜଣେ ଯୁବତୀ ଅନ୍ୟ ଜଣକୁ ବିଶ୍ୱାସ କରେନି । ଅନ୍ୟ ଜଣକ ତା’ର ପ୍ରତିଦ୍ୱନ୍ଦୀ ବୋଲି ସବୁବେଳେ ଆଶଙ୍କା କରିଥାଏ । ବିନତାର କୁଳବଧୂ-ପ୍ରେମ ରେଣୁକୁ ବେଳେ ବେଳେ ଆତଙ୍କରେ ଆଚ୍ଛନ୍ନ କରୁଥିଲା । ସରୋଜ ମହାପାତ୍ର ବେଦୀର ବର ନୁହେଁ; ସେ ସେଇ କ୍ଳବର ଚଢ଼େଇ ଯେଉଁଠି ଅଭିଜାତ, ସ୍ୱେଚ୍ଛାଚାରୀ ଯୌବନ ସୁରା ପାତ୍ରରେ ନିଜର ମୁଖଚ୍ଛବି ଦେଖେ । ଅଯାଚିତ ଭାବରେ ଦେହ ସମ୍ଭାର ମେଲି ଦେଇ ‘ଆନନ୍ଦ-ବଜାର’ ରଚନା କରେ । ଚୁମ୍ବନ ସେଇଠି ମହାପ୍ରସାଦ; ଘର ହାଣ୍ଡିର ଭାତ ନୁହେ । ବିନତା ଏ ଧକ୍କା ସମ୍ଭାଳି ପାରିବ ତ !

 

ବିନତା ଗୋଟାଏ କୁଳୀନ କରଣ ପରିବାରର ଚତୁର୍ଥ କନ୍ୟା । ଋଣଗ୍ରସ୍ତ, କିରାଣି ପିତାକୁ କନ୍ୟା-ସୁନାରୁ ମୁକ୍ତି ଦେବା ଲାଗି ମେଟ୍ରିକ୍‌ସାରି ସେ ଆସିଲା ନର୍ସ ଟ୍ରେନିଂ ନେବା ପାଇଁ । ଆସିବାର ଅଳ୍ପ କେତେଟା ମାସ ଭିତରେ ରେଣୁ ସଙ୍ଗେ ତା’ର ଖୁବ୍‌ ଘନିଷ୍ଠତା ହେଇଗଲା । ପଛରେ ଦୁଃଖ, ଦୈନ୍ୟ ଓ ଲାଞ୍ଛନାର ଇତିହାସ ଏ ଦୁଇଟି ଯୁବତୀକୁ ଲୁହରେ ପଖାଳି ସ୍ନେହରେ ଗୁନ୍ଥି ଦେଇଥିଲା । ରେଣୁ ତାକୁ ନିଜର ଖଟରେ ଧରି ଶୁଏ; ଲୁହ, କୋହ ଓ ଦୀର୍ଘଶ୍ୱାସର ଛନ୍ଦରେ, ତା’ର ମଳିନ ଜୀବନର କରୁଣ କାହାଣୀ ଗୋଟି ଗୋଟି କରି ଶୁଣାଏ । ବିନତା ବେଦନାରେ ଅଭିଭୂତ ହେଇଯାଏ ।

 

ଅନ୍ଧକାର ଘର, କୋମଳ ଶଯ୍ୟା, ରେଣୁ ଦେହର ଜାନ୍ତବ ସ୍ପର୍ଶ, ପ୍ରଣୟଲୀଳାର ବିଚିତ୍ର ଗୋପନ କାହାଣୀ ବିନତାର ମନରେ ଗୋଟାଏ ବିପରୀତ ଚିତ୍ର ଲେଖେ । କାହାର ବାହୁବନ୍ଧନରେ ଆଦରରେ ଧରା ଦେଇ ସେ ଯେପରି ତା’ର ମୁହଁରୁ ଶୁଣୁଚି ବିରହ ଓ ବିଚ୍ଛେଦର ଅଶ୍ରୁଳ ଭାରତୀ । ଚମକି ପଡ଼ି ବିନତା ତେଣୁ ଦେହରୁ ଅଲଗା ହେଇଯାଏ । ପରଦିନ ଡା: ମହାପାତ୍ରକୁ ଦେଖିବା ଆଗ୍ରହ ତା’ର ଛପି ପାରେନି । ମନକୁ ଆକଟ କରି ସେ କଲବଲ ହୁଏ । ଅଚାନକ୍‌ ଡାକ୍ତର ମୁହଁରେ ପଡ଼ିଗଲେ ସେ ଲାଜରେ ଝାଉଁଳି ଯାଏ । ଦ୍ୱିଧାଗ୍ରସ୍ତ ଦେହକୁ ପଛକୁ ଠେଲି ଦେଇ ତା’ର ବିମୋହିତ ମନ ଡାକ୍ତରର ପୁରୁଷାର୍ଥ ତଳେ ଅଜାଡ଼ି ପଡ଼େ । ରେଣୁ ସବୁ ଦେଖେ, ସବୁ ବୁଝେ ।

 

କିନ୍ତୁ, କଣ ସେ କରି ପାରନ୍ତା ? ବିନତା ଅପେକ୍ଷା ସରୋଜର ଆଗ୍ରହ ତ କମ୍‌ନୁହେଁ । ମଦ ଆଉ ପାଣି ଭଳି ଉଭୟେ ମିଶିଯିବାକୁ ଚାହିଁଲେଣି । ସେ କାହାକୁ ରୋଧିବ ? ସରୋଜ ସଙ୍ଗେ ତା’ର ମିଳନ ଓ ବିଚ୍ଛେଦର ଉପାଖ୍ୟାନ ସେ ତ ବିନତାକୁ କହି ସାରିଚି । ନାଁଟି ଯାହା ଗୋପନ କରିଚି ଏ ଯାଏଁ । ନାଁ ଜାଣିଲେ ହେଲେ କ’ଣ ବିନତା ଆଉ ପଛେଇ ପାରିବ ? ପ୍ରଣୟ ଦେବା ନେବାରେ ସରୋଜ ବଡ଼ ବିଳାସୀ, ବଡ଼ ଐଶ୍ୱର୍ଯ୍ୟ-ପ୍ରାଣ । ତା’ର କୋଳରୁ ବିନତାକୁ ଉଠେଇ ଆଣିବା ସହଜ ନୁହେ । ଆଶଙ୍କା ବିଜଡ଼ିତ ପ୍ରାଣରେ ଦୂରରୁ, ନୀରବରେ ରେଣୁ ଏ ପ୍ରଣୟଲୀଳା ଦେଖେ । ବିନତାର ପ୍ରେମ ସଫଳ, ଉଲ୍ଲାସଭରା ମୁହଁଟିକୁ ଚାହିଁ ସେ ମନେ ମନେ ବିକଳ ହୁଏ । ବେଚାରୀର ଦଶା କଣ ହେବ ! ବିନତା ଓ ଡାକ୍ତରର ପ୍ରୀତିରେ ଋତୁ ପରିବର୍ତ୍ତନ ନାଇଁ । ଚିର ଚୋରା ମଳୟର ଉଚ୍ଛ୍ୱାସରେ ଚୋରା ପ୍ରଣୟ ନିଜେ ନୂଆ ବର୍ଣ୍ଣ ରଚେ ।

 

ଯାହା ଅବଶ୍ୟମ୍ଭାବୀ ତାହାହିଁ ଘଟିଲା । ରେଣୁର କୋଳରେ ମୁହଁ ଲୁଚେଇ ବିନତା ବଡ଼ ବିକଳରେ କାନ୍ଦିଲା । ସେ କାନ୍ଦଣାରେ ଗଛର ପତ୍ର ଝଡ଼ିଲାନି, ନଦୀ ପ୍ରବାହ ସ୍ଥିର ହେଲାନି, କେଉଁ ଦରଦୀ କବି ଅନ୍ତର ଲାଞ୍ଛିତାର ବେଦନାରେ ବିଗଳିତ ହେଲାନି । ଡାକ୍ତର ଖାନାର ନର୍ସ୍‌ ପ୍ରାଣରେ ରାମାୟଣୀ ସୀତାର ମହତ୍ୱ କି କେବେ ଦିଆ ଯାଇପାରେ ?

 

ବହୁ ସତର୍କତା ସତ୍ୱେ ଜନ୍ମ ନିରୋଧ କରିବା ବିଫଳ ହେଇ ଯାଇଚି । ବିନତା ଛୁଆ ଜନ୍ମ କରିବ । ଡାକ୍ତରକୁ ଏହାର ପିତୃତ୍ୱ ସ୍ୱୀକାର କରିବାକୁ ହିଁ ହେବ । ବିନତାର କପାଳରେ କଳଙ୍କର ଟୀକା ଦେଇ, ନୂଆ ଖାଦ୍ୟ ସନ୍ଧାନରେ, ସମାଜର ଗଳି କନ୍ଦିରେ, ଘରେ ଘରେ ସେ ଆଉ ଛାତି ଫୁଲେଇ ଘୂରି ପାରିବନି । ରେଣୁ ତାକୁ ଘରର ପୋଷା ମଣିଷ କରେଇବ । ବିନତା ଭଳି ଘରଣୀ ସବୁରି ଭାଗ୍ୟରେ ଜୁଟେନି । ଗଭୀର ମାତୃ ସ୍ନେହରେ ବିନତାକୁ ଛାତିରେ ଯାକି ରେଣୁ କହିଲା,

 

‘‘ମୋ ରାଣ, ତୁନି ହ’ । ମୁଁ ଥାଉ ଥାଉ ତୋର ଚିନ୍ତା କଣ ଲୋ ?

 

(୪)

 

ରବିବାର ସନ୍ଧ୍ୟା । ସବୁ ପୁରାତନ ଜ୍ୟୋତି, ଚାରୁ, ଚପଳା, ଅନିତା ଏକାଠି ହେଇଚନ୍ତି । ରେଣୁ ଘରେ ମନ୍ତ୍ରଣା ଚାଲିଚି । ଗୋଟାଏ କୋଣରେ ମୁହଁ ପୋତି ବସିଚି ବିନତା । ରେଣୁ କହିବା ଆରମ୍ଭ କରିଚି,

 

‘‘ଆମ କାହାରି ଲାଜ ସେ ରଖିନି । ପ୍ରଥମେ ମୁଁ, ତା’ପରେ ଜଣେ ଜଣେ କରି ତମେ ତିନିହେଁ, ଶେଷରେ ବିନ । କାହାପ୍ରତି ତା’ର ସମ୍ମାନ ନାଇଁ । ସତେ ଯିମିତି ଆମେ ତା’ର ହକ୍‌ ପାଉଣା । ନର୍ସ୍‌ବଡ଼ ଡାକ୍ତରର ଯୌନ ଜୀବନର ସଉଦା ?’’

 

ଅନିତା ବଡ଼ ଖିଆଲି ଝିଅ; ବଡ଼ ସ୍ପଷ୍ଟବାଦୀ ଗୋଟାଏ ଫୁଲରେ ଜଡ଼ିତ ସମସ୍ତିଙ୍କୁ ସେ ସମାଲୋଚନା କରେ । ନିଜକୁ ବି ବାଦ୍‌ ଦିଏନା, କହିଲା,

 

‘‘ରେଣୁ ଅପା ଏଥିରେ ଆମର କଣ ଦୋଷ ନାହିଁ ? ସେ କଣ ଆମକୁ ଗଛରୁ ଫୁଲ ତୋଳିଲା ପରି ଖାଲି ନେଇ ଯାଉଥିଲା ? ଆମେ ବି କମ୍‌ ନୋହୁଁ । ସତ କହୁଚି ସେ ମତେ ଧରିବାକୁ ଚାହୁଁଚି ବୁଝିପାରି, ମୁଁ ପ୍ରସ୍ତୁତ ହେଇ ଯାଇଥିଲି । ତା’ପରେ ଏ ବେହିଆ ଜୀବିକାରେ, ଏ ମୃତ୍ୟୁପୁରୀ ଭିତରେ ସେତକ ଦିଆନିଆ ନଥିଲେ ବଞ୍ଚି ହୁଅନ୍ତାନି ।’’

 

ଚାରୁ ପ୍ରତିବାଦ କରି କହିଲା–‘‘ସବୁଥିକି ତୋ ଆଖିରେତ ଦେଖିଲେ ହେବନି । କମ୍‌ ମୋ ପଛରେ ସେ ଲାଗିଚି ! ଶେଷରେ ବିବାହ କରିବା ଲୋଭ ଦେଖାଇ ମତେ କାବୁ କଲା । କିନ୍ତୁ ମୋର ଭୁଲ୍‌ ମୁଁ ବୁଝିବା ବେଳକୁ ସେ ମତେ ଛାଡ଼ି ଚାଲି ଗଲାଣି ।’’

 

ଚପଳା ଜିଦ୍‌କଲା,

 

‘‘ରେଣୁ ଅପା, ତା’ଉପରେ ପ୍ରତିଶୋଧ ଦେବାକୁହିଁ ହେବ । ତା’ର ବିବାହିତ ସ୍ତ୍ରୀ ଥିଲେ ମୁଁ ତାକୁ ପାପ ପଥକୁ ଘୋଷାରି ଥାନ୍ତି ।’’

 

ଅନିତା ହସି ହସି କହିଲା–‘‘ଲାଭ କଣ ହୁଅନ୍ତା ଲୋ । ତୋ ଭଳି ଆଉ ଗୋଟିଏ ଝିଅକୁ ତୁ ନଷ୍ଟ କରନ୍ତୁ ସିନା । ସରୋଜ ମହାପାତ୍ରର ସ୍ତ୍ରୀ ହେବା କଣ ଅପରାଧ ? ବରଂ ଗୋଟାଏ ଉପାୟରେ ସେ ବେଶ୍‌ ଜବତ୍‌ ହେଇ ପାରନ୍ତା ।’’

 

ସମସ୍ତେ ଅନିତା ମୁହଁକୁ ଚାହିଁଲେ । ବିନତା ମଧ୍ୟ ମୁହଁ ଟେକିଲା । ଦୁର୍ବିପାକରୁ ପାରିହେବା ଲାଗି ସବୁ ପ୍ରକାର ପରାମର୍ଶ ଓ ଉପେଦଶ ପାଇଁ ସେ ମନ ଖୋଲା ରଖିଥିଲା ।

 

ଉପାୟ ବତେଇଲା ଅନିତା,

 

‘‘ମତେ ଯଦି ସେ ବିବାହ କରନ୍ତା, ତାକୁ ଦେଖେଇ ଶୁଣେଇ ମୁଁ ପ୍ରେମିକ ନିଅନ୍ତି । ସେତେବେଳେ ସେ; ବୁଝନ୍ତା, ନିଜର ଝିଅ ବୋହୂ ନଷ୍ଟ ହେଲେ ପ୍ରାଣକୁ କିପରି ବାଧେ ।

 

ଚପଳା ପରିହାସ କଲା,

 

‘‘ତୋର ନିଜର କଣ ହୁଅନ୍ତା ଶୁଣେ ?’’

 

ଅନିତା ଉତ୍ତର କଲା,

 

‘‘ଆଲୋ, ତମର ନୀତି-ପାଠୋଇ ଝିଅ ମୁଁ ନୁହେ । variety is the salt of my life ମୋ ଜୀବନଟା ଅସାର ନୁହେ ଯେ କାହାର ପଦତଳେ ସମର୍ପି ଦେଇ ଆଖି ବୁଜି–‘ପତି ଧର୍ମ, ପତି ସ୍ୱର୍ଗ, ପତିଃ ପରମଂତପଃ’ ଜପ କରୁଥିବି ।’’

 

ଗମ୍ଭୀର ଭାବେ ରେଣୁ କହିଲା,

 

ଆମେ ବିନତାର ଦୁରବସ୍ଥା ବୁଝିବା କଥା । ତିନିମାସ ହେଲା ସେ ଗର୍ଭବତୀ ।’’

 

ଚମକି ପଡ଼ି ସମସ୍ତେ ବିନତାକୁ ଅନେଇଲେ । ପାଉଡର୍‌ଘଷା ଚିକ୍‌କଣ ମୁହଁରେ ଝାଳ ବିନ୍ଦୁତକ ସେଣ୍ଟ ଦିଆ ରୁମାଲରେ ଛପେଇ ଛପେଇ ଅନିତା କହିଲା,

 

‘‘ଏତେ ଅସତର୍କ ହେବା ଉଚିତ ନ ଥିଲା । ଅବିବାହିତ ଅବସ୍ଥାରେ ଗୁପ୍ତ ପ୍ରଣୟ କରିବା ଗୋଟାଏ ବିପଜ୍ଜନକ କଥା । ପ୍ରବଣତାରେ ନିମିଷେ ଆଖି ମୁଦି ଦେଲେ ଜୀବନସାରା ସମାଜର ନିଆଁ ଆଖିରେ ପୋଡ଼ି ମରିବାକୁ ହୁଏ ।’’

 

ରେଣୁ କହିଲା,

 

ଆମର ସୌଭାଗ୍ୟ, ଆମେ ତା’ର ସନ୍ତାନର ମାଆ ହେବା ବିପଦ ନ ଥାଇଁ । କିନ୍ତୁ ବିନର ଅବସ୍ଥା ବଳେଇ ଗଲା ବୋଲି ଆମେ ତାକୁ ଛାଡ଼ିଗଲେ ତା’ର ଅବସ୍ଥା କଣ ହେବ ?’’

 

ଚପଳା ଉତ୍ୟକ୍ତ ହେଇ କହିଲା,

 

‘‘ସରୋଜ ମହାପାତ୍ର ଅଲବତ୍‌ ବିବାହ କରିବ ବିନତାକୁ ।’’

 

ରେଣୁ ବିଚାର ଆଣିଲା,

 

‘‘କହିଦେଲେତ କେବଳ ହେବନି । ଡାକ୍ତରକୁ ରାଜି କରେଇବା କିମିତି ?’’

 

ସମସ୍ତେ କିଛିକ୍ଷଣ ଚିନ୍ତାନ୍ୱିତ ହୋଇ ପଡ଼ିଲେ । ଦୃଢ଼, ବିଶ୍ୱାସ ଦିଆ ସ୍ୱରରେ ଅନିତା କହିଲା,

 

ରେଣୁ ଅପା, ଆମ ଭିତରେ ତୁ ବୟସରେ ବଡ଼ ବୋଲି ଭାବିଥିଲି ତୁ କିଛି ବେଶୀ ଅନୁଭୂତି ପାଇଥିବୁ ବୋଲି । ଦେଖୁଚି, ଅନୁଭୂତିରୁ ତୁ କିଛି ଶିଖି ପାରିନୁ । ଆଚ୍ଛା, ଆମେ ସମସ୍ତେତ ଜଣେ ଜଣେ କରି ତା’ର ଶଯ୍ୟା ସଙ୍ଗିନୀ ହେଇ ସାରିଚେ । କହ ଦେଖି, ଜୀବନର ସାଥୀ କରି ନେଲେ, ସରୋଜ ମହାପାତ୍ର ପାଖରେ ଆମେ କେହି କେବେ ସୁଖୀ ହେଇ ପାରିବୁ ? ଗୋଟାଏ ମୁହୂର୍ତ୍ତରେ ବିପତ୍ତିରୁ ପାର ହେବା ଲାଗି ଜୀବନଟାକୁ କିଏ ଗଣନା କରି ବିପଦ ଭିତରେ ଛାଡ଼ିଦେଇ ପାରେନି । ତା’ପରେ ଜାତି ଭେଦ ତ ରହିଚି । ରୁଚିଭେଦରୁ ବିଚ୍ଛେଦ ଉପୁଜି ସାରିଚି । ସୁତରାଂ ବାସ୍ତବ ଭାବରେ ବିବାହ କଥା ଛାଡ଼ ।’’

 

ଜଣାଗଲା, କଥାଟା ଯେପରି ସବୁରି ମନକୁ ପାଇ ଆସୁଚି । ଉଦ୍‌ବିଗ୍ନ ଭାବେ ଚାରୁ ପଚାରିଲା,

 

‘‘ତେବେ, କଣ କରିବାକୁ କହୁଚୁ ।’’

 

ଅନିତା କହିଲା,

 

କୌଶଳରେ ତା’ପାଖରୁ ଥୋଡ଼ାଏ ଟଙ୍କା ଆଦାୟ କରିବାକୁ ହେବ; ତିନି ହଜାର ଖଣ୍ଡେ-। ବିନତାକୁ କଲିକତା ପଠେଇ ଆଉ ସାତ ମାସ ପରେ ଆମେ ତାକୁ ସୀତା-ସତୀ କରି ଫେରାଇ ଆଣି ପାରିବା । ଛୁଆଟି ଅନାଥାଶ୍ରମରେ ବଢ଼ିବ । ସବୁ ଦାୟିତ୍ୱ ମୁଁ ନେବି ।’’

 

ଅନିତା ଭଳି ଖିଆଲି ଝିଅ ପାଖରୁ ଏଭଳି ସମୟୋପଯୋଗୀ ଯୁକ୍ତି ଯୁକ୍ତ ସମାଧାନ ପାଇବା କେହି ଆଶା କରିନଥିଲେ ବାସ୍ତବିକ୍‌ ଗୋଟାଏ ନୂଆ ପ୍ରକାଶ । ରେଣୁ ଅନିତାର ହାତ ଦୁଇଟି ଚିପି ଧରି କହିଲା ।

 

‘‘ଟଙ୍କା କିମିତି ଆଦାୟ କରିବା ?’’

 

ବିନତାର ଫିକା, ଉତୁରା ମୁହଁକୁ ସସ୍ନେହ ଆଖିରେ ଚାହିଁ ଅନିତା ମୁରୁକି ହସା ଦେଇ କହିଲା,

 

‘ମୋ ପାଖରେ ସେ ଜବତ୍‌ ହେଇଅଛି । କିନ୍ତୁ ତା’ ବିଷୟରେ ମୁଁ ଜମା ସୀରିୟସ୍‌ ନୁହେ ବୋଲି ସେ ଏକ ରକମ ଆଶ୍ୱସ୍ତ ହେଇ ରହିଚି । ସତ କହୁଚି, ଏଭଳି ଗୋଟାଏ ଅସୁନ୍ଦର ପରିସ୍ଥିତି ଉପୁଜି ନ ଥିଲେ ମୁଁ ତାକୁ ଭିଡ଼ିବାକୁ ଚାହାନ୍ତିନି । ଯେତେହେଲେ, କେତେଟା ଦିନ ମୁଁ ତାକୁ ନେଇ ମଜା କରିଚିତ ।

 

ଅନିତା ହସି ହସି ଗଡ଼ିଗଲା, କିନ୍ତୁ ଅନ୍ୟ ସମସ୍ତେ ଉପାୟଟା ଜାଣିବା ଲାଗି ଆତୁର ହେଇଥିଲେ ବୋଲି ତା’ର ରସିକତାକୁ ଗ୍ରହଣ କରି ପାରିଲେନି । ବିରକ୍ତିର ଛଳନା କରି ଅନିତା କହିଲ, ।

 

‘‘ତମେ ଗୁଡ଼ା ବଡ଼ ନିରସ । ଛାତିରେ ଯଦି ଦମ୍‌ ନାଇଁ ପ୍ରେମ କରିବାକୁ ମରୁଚ କାହିଁକି-? ଶୁଣ; ସେ ମତେ ଭାରି ବିଶ୍ୱାସ କରିଥିଲା । କେଉଁ ଦୁର୍ବଳ ମୁହୂର୍ତ୍ତରେ, ସମ୍ଭବ ମଦ ନିଶାରେ, ସେ ମତେ ବିବାହ କରିବ ବୋଲି ଏବଂ ବିବାହ ପୂର୍ବରୁ କଟକରେ ତା’ ଅଂଶର ଗୋଟାଏ କୋଠା ଘର ମୋ ନାଁରେ ରେଜିଷ୍ଟ୍ରୀ କରିଦେବ ବୋଲି ଚିଠି ଲେଖି ସମ୍ମତି ଜଣେଇଚି । ଘରର ବିବରଣୀ ତକ ଲେଖିବାକୁ ମଧ୍ୟ ଭୁଲିନି । ଘରଟିର ଦାମ କୋଡ଼ିଏ ହଜାରରୁ କମ୍‌ ହେବନି । ସୁତରାଂ ତିନି ହଜାର ସେ ଅକ୍ଳେଶରେ ଦେଇ ପାରିବ, କିନ୍ତୁ, ଆତ୍ମହତ୍ୟା କରି ମରିବ ସିନା, ମତେ ବିବାହ କରିବା ଦୁର୍ଯୋଗ ବରଣ କରିବନି ।’’

 

ଆନନ୍ଦରେ ରେଣୁର ଆଖିରୁ ଲୁହ ଝରି ଯାଉଥିଲା । ଅନିତାକୁ କୁଣ୍ଢେଇ ଧରି ଚାରୁ, ଚପଳା ତା’ ମୁହଁରେ ଚୁମ୍ବନ ଅଜାଡ଼ି ଦେଉଥିଲେ । ବିନତା ବଡ଼ ବିକଳରେ କାନ୍ଦୁଥିଲା । ଅନିତା ନିଜକୁ ମୁକ୍ତ କରି ବିନତା ପାଖରେ ଯାଇ ବସିଲା । ସମସ୍ତେ ବିନତାକୁ ଘେରି ଗଲେ । ତା’ର ଲୁହବୋଳା ମୁହଁଟିକୁ ସ୍ନେହରେ ତୋଳି ଧରି ଅନିତା କହିଲା,

 

‘‘ହସିଲୁ ଦେଖି ବିନ, ନର୍ସ ବୋଲି କଣ ଆମ ଜୀବନର ମୂଲ୍ୟ ନାଇଁ ଲୋ ।’’

 

ରେଣୁ ପଚାରିଲା,

 

‘‘ଅନି, ତାକୁ ଧରିବା କିମିତି ?’’

 

ଚାରୁ ତରତର ହେଇ କହିଲା,

 

‘‘ଅପା, ଆସନ୍ତା ଶୁକ୍ରବାର ଦିନ ତା’ର ଜନ୍ମତିଥି । ଆମେ ସମସ୍ତେ ଯାଇ ତାକୁ ନିମନ୍ତ୍ରଣ କରି ଆଣିବା ।’’

ଯୁବତୀମାନଙ୍କ ଆଖି ଓ ମୁହଁରେ ଆନନ୍ଦର ଉଚ୍ଛ୍ୱାସ ଫୁଟି ଉଠିଲା । ପ୍ରବଳ ବର୍ଷାରେ ଧୋଇ ହେଇ ଗ୍ରୀଷ୍ମର ଧୂଳି ମଳିନ ଆକାଶ ଯେପରି ଉଜ୍ଜ୍ୱଳ ହେଇ ଉଠିଚି ।

 

(୫)

 

ଡାକ୍ତର ଖୁବ୍‌ ଘରୋଇ ମନେ କରୁଥିଲା । ଅପ୍‌ସରା ମେଳର ଇନ୍ଦ୍ର ଭଳି ସେ ନିଜ ବିଭବରେ ନିଜେ ପୂର୍ଣ୍ଣ ହେଇ ରହିଥିଲା । ତାକୁ ସରସ ରଖିବା ଲାଗି ଯୁବତୀମାନେ ନାନା ରକମର ରସିକତା ପରିବେଷଣ କରୁଥିଲେ । ତା’ ଉପରେ ଏକ ରକମ ଆଉଜି ପଡ଼ିଲା ପରି ରେଣୁ ବସିଥିଲା ବାଁ ପଟରେ । ଡାହାଣ ପଟେ ବିନତା । ସାମନାରେ ଚାରୁ, ଚପଳା ଅଳି ଲଗେଇ ବଳେଇ ବଳେଇ ନାନାବିଧ ସ୍ୱାଦିଷ୍ଟ ଖାଦ୍ୟ ତାକୁ ଖୁଆଉ ଥିଲେ । ଚୌକୀ ପଛରେ ଠିଆ ହେଇ ଅନିତା ତା’ର ଗୋରା ଗୋରା ହାତ ଦୁଇଟି ଡାକ୍ତରର କାନ୍ଧ ତଳକୁ ଓହୋଳେଇ ରଖିଥିଲା ।

 

ଚାରୁ ପଚାରିଲା,

 

‘‘ତମର ନୂଆ ଗାଡ଼ି କେବେ ଆସୁଚି ଡାକ୍ତର ।’’

 

ଡାକ୍ତର ହସି ହସି କହିଲା,

 

‘‘ଆଜିର ତିଥିପାଇଁ ପରା ମୁଁ ଡାକିଥିଲି । ଏଠୁ ସିଧା ଯିବି ଆଣିବା ପାଇଁ । ବଳକା ପାଞ୍ଚହଜାର ଦେଇ ଦେବା ପାଇଁ ଟଙ୍କା ବି ନେଇ ଆସିଚି ।’’

 

ଛାତି ପକେଟ୍‌ ଉପରେ ଡାକ୍ତର ଗୌରବରେ ହାତ ମାରିଲା । ଚପଳା ଓ ଅନିତା ଦୃଷ୍ଟି ବିନିମୟ କଲେ । ଡାକ୍ତରର ଲଲାଟ ଚୁମ୍ବନ କରି ଅନିତା ଅଭିମାନ କଲା,

 

‘‘ତମେ କଣ କେବେ ଆମକୁ ଗାଡ଼ିରେ ବସେଇବ ?’’

 

କାନ୍ଧ ଉପରେ ଅନିତାର ବାଁ ହାତଟିକୁ ଚିପିଧରି ଡାକ୍ତର କହିଲା,

 

‘‘ଆରେ, ଗାଡ଼ି ଆଉ କାହାପାଇଁ ତମେ ମାନେତ ମୋର ସବୁ-’’

 

ଡାକ୍ତର ହସିହସି ଉଭୟ ପାର୍ଶ୍ୱରେ ମୁହଁ ବୁଲେଇ ନେଲା । ତା’ର ପ୍ରୀତି-ସଂସାର ପ୍ରତି ସେ ଯେପରି ଗଭୀର ମମତା ଜ୍ଞାପନ କରୁଚି ।

 

‘‘ତମେମାନେ ସଜ ହେଇଥାଅ, ଗାଡ଼ିଧରି ମୁଁ ସିଧା ଏଠିକି ଆସୁଚି ।’’

 

ଡାକ୍ତର ଉଠିବାର ଉପକ୍ରମ କଲା ।

 

ଡାକ୍ତର ପଛରୁ ଆସି ଅନିତା ଚପଳା ପଛରେ ଠିଆ ହେଲା । ଚପଳାର କେରାଏ ଚୂର୍ଣ୍ଣ କୁନ୍ତଳ ଅଙ୍ଗୁଳିରେ ଗୁଡ଼େଇ ଗୁଡ଼େଇ କହିଲା,

 

‘‘ଡାକ୍ତର, ଆମକୁ କିଛି ଚାନ୍ଦା ଦିଅ ।’’

 

ଖୁବ୍‌ ସରାଗରେ ସରୋଜ ପଚାରିଲା,

 

‘‘କେତେ ? କୋଉଥି ପାଇଁ ?’’

 

‘‘ଯେତେ, ଯେଉଁଥି ପାଇଁ ହେଉ; ତମେ ଆଗ କଥାଦିଅ,’’ କହିଲା ଚପଳା ।

 

ବିନତାର କାନ୍ଧ ଉପରେ ହାତ ଥୋଇ ସରୋଜ କହିଲା,

 

‘‘କଥା ଦେଲି । କେତେ ?’’

 

‘‘ମୋଟେ ତିନି ହଜାର,’’

 

ପ୍ରସ୍ତାବ ଦେଲା ଅନିତା ।

 

ସରୋଜ ଟିକିଏ ଘୁଞ୍ଚିପଡ଼ି ଅନିତାକୁ ଲାଗି ବସିଲା–

 

‘‘ଥଟ୍ଟା ରଖ୍‌ଅନି, ସତରେ ତମର କେତେ ଦରକାର ?’’

 

ଏକ ସ୍ୱରରେ ସମସ୍ତେ ଅନିତାକୁ ସମର୍ଥନ କଲେ ।

 

ସରୋଜ ଭିତରେ ଭିତରେ ଚମକି ଗଲା ।

 

ମୁହଁ ଟାଣ କରି ପଚାରିଲା,

 

‘‘କାହିଁକି ?’’

 

ଦୃଢ଼, ଗମ୍ଭୀର ସ୍ୱରରେ ଉତ୍ତର କଲା ଅନିତା,

 

‘‘ବିନକୁ ଉଦ୍ଧାର କରିବା ପାଇଁ ।’’

 

ସରୋଜ ମୁହଁର ତେଜ ଓହ୍ଳେଇ ଆସୁଥିଲା । ବିନତା ଉଠି ଚାଲିଗଲା । ଅନ୍ୟ କୋଠରୀକୁ । ରେଣୁ, ଚାରୁ, ଚପଳା ନୀରବରେ ବସିଚନ୍ତି । ମୁହଁ ଖୋଲିଚି କେବଳ ଅନିତା,

 

‘‘ଡାକ୍ତର, ଆମେ ପାଞ୍ଚ ଜଣର ତମେ ସବୁ କିଛି ଅପହରଣ କରିଚ; ସର୍ବନାଶ କରିଚ । ତା’ର ପ୍ରତିବଦଳରେ ତୁମକୁ କିଛି ଦାନ କରିବାକୁ ପଡ଼ିବ ଆଜି । ତମେ ଆମର ଯେତେ ପରିମାଣରେ ଅନିଷ୍ଟ କରିଚ, ଜୀବନ ଦେଇ ମଧ୍ୟ ତାହା ପୂରଣ କରି ପାରିବନି । ତଥାପି, ମୋଟେ ତିନି ହଜାର ଟଙ୍କା ନେଇ ଆମେ ତୁମକୁ କ୍ଷମା କରିବାକୁ ରାଜି ଅଛୁ । ଏ ଦାବୀର ମଧ୍ୟ ପ୍ରୟୋଜନ ପଡ଼ି ନଥାନ୍ତା ତିନିମାସ ହେଲା ବିନତା ଯଦି ତମର ସନ୍ତାନ ଗର୍ଭରେ ଧରି ନଥାନ୍ତା । ତମେ ତାକୁ ବିବାହ କରିପାର କିମ୍ବା ତିନି ହଜାର ଟଙ୍କା ଦେଇ ମୁକ୍ତି ନେଇ ପାର । ଯାହା ତୁମର ଅଭିରୁଚି ।’’

 

କ୍ରୋଧରେ ସରୋଜ ଲାଲ୍‌ହେଇ ଯାଇଥିଲା । କିନ୍ତୁ, ପ୍ରତିବାଦ କରିବା ଲାଗି ତା’ର ନୈତିକ ସାହସ ବଳୁ ନଥିଲା । ପେଟବଥା, ରୋଗୀ ଭଳି ଭିତରର ସମସ୍ତ ଯନ୍ତ୍ରଣା ମୁହଁରେ ପ୍ରତିଫଳିତ କରି ଘୃଣାଭରା କଣ୍ଠରେ କହିଲା,

 

‘‘ବିନତା ଯେ କାହାର ସନ୍ତାନ ଗର୍ଭରେ ଧରିପାରେ । ମୁଁ କାହିଁକି ସେ ଦାୟିତ୍ୱ ମୁଣ୍ଡ ଉପରକୁ ନେବି ?’’

 

‘‘କହିବାକୁ ଚାହୁଁଚ, ବିନକୁ ତମେ ସ୍ପର୍ଶ କରିନ ?’’ ପଚାରିଲା ରେଣୁ ।

 

‘‘ମତେ ମଧ୍ୟ ସମ୍ଭବ ଛୁଇଁନ,’’ କହିଲା ଚାରୁ ।

 

‘‘ଶେଜ ଉପରେ କେବଳ ସେ ମତେ ଚିହ୍ନନ୍ତି,’’ ତିକ୍ତ କଣ୍ଠରେ ଉପହାସ କଲା ଚପଳା ।

 

ସମସ୍ତିଙ୍କୁ ଚୁପ୍‌କରି ଦେଇ ଅନିତା କହିଲା,

 

‘ମୋ ବିନା ଆଉ କାହା ଉପରେ ଡାକ୍ତରର ବିଶ୍ୱାସ ନାଇଁ ।’’

 

ବ୍ଳାଉଜ୍‌ପକେଟ୍‌ରୁ ଖଣ୍ଡେ ଚଉତା ଚିଠି ବାହାର କରି ଅନିତା ଦେଖେଇଲା ସରୋଜକୁ । ସରୋଜକୁ ଦେଖି ମନେ ହେଉଥିଲା, ତା’ର ଦେହର ରକ୍ତ ଶୁଖି ଗଲାଣି । ବଲବଲ କରି ଶୂନ୍ୟ ଦୃଷ୍ଟିରେ ସେ କେବଳ ଚାହିଁଚି ଝରକା ବାହାରକୁ । ଚିଠି ଖଣ୍ଡିକ ପକେଟ୍‌ରେ ଭରତି କରି ଅନିତା କହିଲା,

 

‘‘ହଉ ଡାକ୍ତର ବିନ ଯଦି ପସନ୍ଦ ହଉନି ମତେ ତେବେ ବିବାହ କର । ମୁଁ ତ ବ୍ରାହ୍ମଣ ଝିଅ-। କିନ୍ତୁ ଗୋଟାଏ ସରତରେ । ପ୍ରେମିକ ନେବାରେ ମତେ କେବେ ମନା କରି ପାରିବନି-।’’

 

କ୍ଷିପ୍ତ ସରୋଜ ପାଟି କରି ଉଠିଲା,

 

‘‘ସେଇଟା ଜାଲ୍‌ ଚିଠି । ମୁଁ ତୋତେ ପୁଲିସ୍‌ରେ ଦେବି ।’’

 

‘‘ହଉ, ଅଦାଲତ ତା’ର ବିଚାର କରିବେ । କିନ୍ତୁ ମନେ ରଖ ଡାକ୍ତର, ଏଇ ଅପବାଦ ରଟିକା ପରେ ଅଲିଅଳ ମନ୍ତ୍ରୀ କନ୍ୟାଙ୍କୁ ବିବାହ କରି ତମେ ଆଉ ବିଲାତ ପଢ଼ି ଯାଇ ପାରୁନ’’, ଛାଟି ମାରିଲା ଅନିତା ।

 

‘‘କିଛି ଗୋଟାଏ ଜଲ୍‌ଦି ନିଷ୍ପତ୍ତି କର ଡାକ୍ତର । ତମେ ଜାଣ, ତମର ଶୁଭ ଦେଖିବା ପାଇଁ ଆମେ କେତେ ଆତୁର,’’ ଅଧୀର ହେଲାଣି ଚପଳା ।

 

ସରୋଜ ଆଖିରେ ଲୁହ ଢ଼ଳଢ଼ଳ ହେଉଥିଲା । ଗୋଟାଏ କ୍ଳେଶକର ନୀରବତା ଘରଟାକୁ ଆଚ୍ଛନ୍ନ କରି ସାରିଥିଲା । ପକେଟ୍‌ରୁ ତିରିଶିଟି ଶହେ ଟଙ୍କିଆ ନୋଟ ବାହାର କରି ସରୋଜ ରେଣୁର ବ୍ୟଗ୍ର ହାତରେ ଗୁଞ୍ଜି ଦେଲା ଏବଂ ଡ୍ରେସ୍‌ଷ୍ଟେଣ୍ଡରୁ କୋଟ୍‌ ଆଉ ହେଟ୍‌ ନେଇ ମୁଣ୍ଡ ପୋତି ଦୁଆର ଦିଗେ ପାଦ ବଢ଼େଇଲା । ଅନିତା ତା’ର ବାଟ ଓଗାଳି କହିଲା,

 

‘‘ଧନ୍ୟବାଦ; ମନରେ ଆକ୍ରୋଶ ରଖିନି । ମୋର ବିଶ୍ୱାସ, ତମେ ଭଦ୍ର ଲୋକ ।’’

 

ଚିଠିଟି ଟିକି ଟିକି କରି ଚିରି ସେଇ ଖଣ୍ଡ ଗୁଡ଼ିକ ସରୋଜର ଅନିଚ୍ଛୁକ ମୁଠାରେ ଦେଇ ଅନିତା ଧୀରେ, ପରାସ ଭରା କଣ୍ଠରେ କହିଲା,

 

ଡାକ୍ତର, ତମର ସେଇ କେତେଟା ଦିନର ପ୍ରେମ ମୋର ଅନ୍ତର ଭିତରେ ଜୀବନ୍ତ ହେଇ ରହିବ । ତମେ କାୟା ଦେଇଥିଲ; ତା’ର ଛାୟାଟି କେବଳ ମନରେ ସାଇତି ମୁଁ ସନ୍ତୁଷ୍ଟ ହେଇଚି ।’’

 

ବେତ୍ରାହତ କୁକୁର ଭଳି ସରୋଜ ସିଡ଼ି ଓହ୍ଳେଇ ଗଲା । ସିଡ଼ିର ଧାରଣା ଉପରୁ ନଇଁ ପଡ଼ି ଚପଳା କହିଲା,

 

‘‘ଡାକ୍ତର, ଗାଡ଼ି ନେଇ ଚଞ୍ଚଳ ଆସିବ ।’’

 

ସରୋଜ ଆଉ ଫେରି ଚାହିଁଲାନି । ଯୁବତୀ ମାନଙ୍କ ହସ ରୋଳରେ ଘର ଉଚ୍ଛୁଳି ପଡ଼ୁଥିଲା । କେବଳ ଅନିତା ମୁଣ୍ଡ ପୋତି ବସିଥିଲା । ଗୋଟାଏ ଦୂର ଚୌକୀରେ ।

Image